ତୁଠ ପଥର

କାମିନୀ ଙ୍କ ଗୋଟିଏ ଅଭ୍ୟାସ ଉପରେ ପଡି ଅନ୍ୟକୁ ଉପଦେଶ ଦେବା ଓ ସାହାଯ୍ୟ କରିବା l ଯେଉଁଥି ପାଇଁ ତାଙ୍କୁ କମ ହଟହଟା ହେବାକୁ ପଡେ ନାହିଁ l ତେଣୁ ସୁଧୀର ସବୁ ବେଳେ ନିଜକୁ ନିୟନ୍ତ୍ରଣ ରେ ରଖିବାକୁ କହନ୍ତି l ସମସ୍ତେ ସବୁ ବେଳେ ହସ୍ତକ୍ଷେପ ପସନ୍ଦ ପସନ୍ଦ କରନ୍ତି ନାହିଁ l ଫଳରେ ଅଯଥା ଅସନ୍ତୋଷ ଦେଖା ଦିଏ l
ବଡ ବୋହୁ ନିରା ବେଳେ ବେଳେ ଅଣ ନିଶ୍ୱାସୀ ହୋଇ ଯାଏ l ସ୍ୱାମୀ କୁ କହେ “ତୁମ ଘର କୁ ଯିବା ଅପେକ୍ଷା ଜଙ୍ଗଲ ରେ ଯାଇ ରହିବା ଭଲ l କମସେ କମ ପଶୁ ପକ୍ଷୀ ତ ଶାନ୍ତି ରେ ରହିବାକୁ ଦେବେ l”

ନିରା ର ମା କହନ୍ତି –

-ତୋ ଶାଶୁ ବୋଧେ ଇଲେକ୍ସନ ରେ ଛିଡା ହେବେ ସେଥିପାଇଁ ଏବେ ଅଭ୍ୟାସ କରୁଛନ୍ତି l
କାମିନୀ ଙ୍କ କାନରେ ପଡେ l ତାଙ୍କୁ ପ୍ରଶଂସା ପାଇବାକୁ ଲୋଭ ନାହିଁ କିନ୍ତୁ କାହାରି କଷ୍ଟ ଦେଖିଲେ ସେ ଡାକୁ କି ନ ଡ଼ାକୁ ସେଠି ପହଂଚି ଯିବା ଟା ନିଧାର୍ଯ୍ୟ l ତାଙ୍କ ପଛରେ ଲୋକେ ଫୁସଫାସ ହେଲେ ସ୍ୱାମୀ ସୁଧୀର ଙ୍କୁ ବହୁତ ଖରାପ ଲାଗେ ଓ ଘରେ ପହଁଚିଲେ ପୁଣି ଝଗଡା l
ବଡ ପୁଅ କାମିନୀ ଙ୍କ ପସନ୍ଦ ରେ ନିରା କୁ ବାହା ହୋଇ ଥିଲା l ପୁଣି ଧୀର ସ୍ଥିର ଘରୋଇ ଝିଅ ଦେଖି କାମିନୀ ନିଜେ ହିଁ ପସନ୍ଦ କରିଥିଲେ l ବିବାହ ପରେ ପରେ ନିରା ସ୍ୱାମୀ କୁ କହି ଶୀଘ୍ର ଫେରି ଯିବାର ବନ୍ଦୋବସ୍ତ କରିଥିଲା l କାରଣ ସେ କାମିନୀଙ୍କ ଅଯଥା ହସ୍ତକ୍ଷେପ ରେ ବିବ୍ରତ l
କଥା କିଛି ଗୁରୁତର ନୁହେଁ l ବାହାଘର ର ଦୁଇ ଦିନ ହୋଇଛି ନିରା କୁ ଟିକେ ଶୁଖିଲା କାଶ ଆରମ୍ଭ ହେଇଥିଲା ଓ ବିନା ଔଷଧରେ ମଧ୍ୟ ଭଲ ହୋଇ ଯାଇ ଥାନ୍ତା l କିନ୍ତୁ କାମିନୀ ଦେବୀଙ୍କ “ଅଦା ” ଥିଓରୀ ଲାଗି ସେ ଆଉ ଗୋଟିଏ ଦିନ ମଧ୍ୟ ରହିବା କୁ ମଙ୍ଗିଲା ନାହିଁ l ପୁଅ ର ଛୁଟି ନସରିଥିଲେ ମଧ୍ୟ ଯଥେଷ୍ଟ ଆଗରୁ ତା ସହିତ ଚାଲିଗଲା l ଏଠାରେ ପୁଣି ତାର ପ୍ରାଇଭେସି ନାହିଁ ଏବଂ ଅଯଥା ହସ୍ତକ୍ଷେପ l

ଏକଥା ସୁଧୀର ଜାଣୁ ଥିଲେ କିନ୍ତୁ କିଛି କରିପାରୁ ନଥିଲେ l କାମିନୀ ଙ୍କୁ ବହୁତ ବାଧି ଥିଲା l ସେମାନଙ୍କ ଯିବା ବାଟକୁ ଚାହିଁ ଏକୁଟିଆ ବସି ବହୁତ କାନ୍ଦି ଥିଲେ l ଯିବା ଆଗରୁ ନିରା କୁ ବୁଝାଇବାକୁ ଯାଇ ଥିଲେ ହେଲେ ସାହସ ନଥିଲା l ତାଙ୍କ ଜିନିଷ ପତ୍ର ସଜଡା ଦେଖି କାମିନୀ ଦୂରରେ ସଂତ୍ରସ୍ତ ହୋଇ ଠିଆ ହୋଇଥାନ୍ତି l କେଡେ ବଡ ଭୁଲ କରି ଦେଲେ ଯେ ତାଙ୍କୁ ଏମିତି ଦଣ୍ଡ ବ୍ୟବସ୍ଥା କରା ଯାଉଛି l ଖାଲି ନିରା ମନା କରିବା ସତ୍ୱେ ତାକୁ ଦୁଇ ତିନି ଥର ଲାଗ ଲାଗ ଅଦା ର ଉପକାରିତା ବୁଝାଇ ଦେଇଥିଲେ l
ସେ ଦିନଠୁ ବଡ ବୋହୁ ପ୍ରାୟ କମ ଆସେ ତାହା ପୁଣି କେତେ ଘଣ୍ଟା ପାଇଁ l ସେ ଆସିଲା ଦିନ କାମିନୀ ପ୍ରାୟ ମୁକ ବଧିର ହୋଇ ଦୂର ରେ ଦେଖୁ ଥାନ୍ତି l ଯାହା କଥା ହେବା କଥା ସୁଧୀର ହିଁ
ହୁଅନ୍ତି l

ପଡୋଶୀ ମାନେ ମଧ୍ୟ କାମିନୀ ଙ୍କ ଠାରୁ ଶହେ ହାତ ଦୂରରେ l ଛୋଟ ପରିବାର ରେ ବାହାର ଲୋକଙ୍କ ଅଯଥା ଆଗମନ ଆଜି କାଲି କେହି ଚାହୁଁ ନାହାନ୍ତି l ତାଙ୍କ ସାହାଯ୍ୟ କରିବା ମନୋବୃତି ଲୋକଙ୍କୁ ମାଡି ପଡୁଛି l ବୟସ ବଢିବା ସଂଗେ ସଂଗେ ଏହି ରୋଗ ଟି ମଧ୍ୟ ବଢ଼ି ବଢ଼ି ଯାଉଛି l ସୁଧୀର କହନ୍ତି ତୁମେ ବଦଳିବାକୁ ଚାହୁଁନ l ଲୋକହସା ହେବ ସିନା ବଦଳିବ ନାହିଁ l
କିନ୍ତୁ ସେ କଣ ଭୁଲ କରିଛନ୍ତି ଯେ ବଦଳିବେ l ଲୋକଙ୍କୁ ଅଯାଚିତ ସାହାଯ୍ୟ ହିଁ ତ କରୁଛନ୍ତି ନା l ତାଙ୍କରି ସାମ୍ନା ରେ କେହି ଅସୁବିଧା ଭୋଗୁ ଥିବ ଅଥଚ ସେ ନିରବ ଦ୍ରଷ୍ଟା ସାଜି ଦେଖୁ ଥିବେ? ତାହା କିପରି ହେବ? ସେ ତ ଜଣେ ମଣିଷ l ଜଣେ ମଣିଷ ଆଉ ଜଣେ ମଣିଷ କୁ କଷ୍ଟ ଭୋଗିବାକୁ ଛାଡି ଦେବ କେମିତି? କିନ୍ତୁ ସୁଧୀର ବୁଝନ୍ତି ନାହିଁ l

ସେଦିନ ର କଥା ତାଙ୍କର ପୁରା ମନେ ଅଛି l ପଡୋଶୀ ଦାସ ବାବୁଙ୍କ ଘରେ ସମସ୍ତଙ୍କର କରୋନା ପଜିଟିବ ବାହାରିଲା l କେବଳ ତାଙ୍କ ର ପାଞ୍ଚ ବର୍ଷ ର ଝିଅ କୁ ଛାଡି ସମସ୍ତଙ୍କୁ ହସ୍ପିଟାଲ ନିଆ ଗଲା l ଝିଅଟି ଘରେ ଏକୁଟିଆ l ସାଇ ପଡିଶା କେହି ପାଖ ମାଡିବାକୁ ନାହିଁ l କାମିନୀ ହିଁ ରୋଗ କୁ ଭୟ ନକରି ପିଲାଟିକୁ ନିଜ ଘରେ ଆଣି ରଖିଥିଲେ l ନହେଲେ ହୁଏତ ପିଲାଟି ର ଅବସ୍ଥା କଣ ହୋଇ ଥାନ୍ତା ଭାବି ହେଉନି l

ସାନ ପୁଅ ବାହା ହୋଇ ନାହିଁ l ଏବେ ତା କମ୍ପାନୀ ର ଗୋଟିଏ ଝିଅ ସୋନି କୁ ପସନ୍ଦ କରିଛି l ବାପା ମା ଙ୍କ ଅନୁମତି ଦରକାର l କାମିନୀ ତ ସର୍ବ ପ୍ରଥମେ ରାଜି ହୋଇ ଯାଇଥିଲେ l ସୁଧୀର ଙ୍କ ବି ଅରାଜି ହେବାର କାରଣ ନଥିଲା l ଧୁମ ଧାମ ରେ ବାହା ଘର ହୋଇ ଥିଲା l ଏଥର କିନ୍ତୁ ସୁଧୀର ବାବୁ କାମିନୀ ଙ୍କୁ ସତର୍କ କରାଇ ଦେଇଥିଲେ l ସାନପୁଅ ଗୋଟିଏ ମାସ ପାଇଁ ଛୁଟି ନେଇ ଆସୁଛି l କାମିନୀ ଯେପରି ବଡ ପୁଅ ବାହା ବେଳର ନାଟକ ନ ଦୋହରାନ୍ତି l ନଚେତ ସାନ ବୋହୁ ମଧ୍ୟ ପାଖ ମାଡ଼ିବ ନାହିଁ l

ସାନ ବୋହୁ ସୋନି ଉଚ୍ଚ ଶିକ୍ଷିତା l ଚାକିରୀ କରୁଛି l ତେଣୁ କାମିନୀ ଅଧିକ ସଚେତନ l ତାଙ୍କର ବୟସ ମଧ୍ୟ ଢଳିଲାଣି l ଅପମାନ ସହ୍ୟ କରି ପାରିବେ ନାହିଁ l ପାଖେଇ ରହିଲେ ଭଲ l ଭଲରେ ଆସିବେ ଭଲ ରେ ଯିବେ l କାମିନୀ କୋଉ ତାଙ୍କ ପାଖରେ ରହିବାକୁ ଯାଉଛନ୍ତି l ଦିନ କେତେଟା ର କଥା !

ସାନ ବୋହୁ ସୋନି କୁ ଅଧିକାଂଶ ସମୟ ରେ ମାଇଗ୍ରେନ ହୁଏ l ଗୁଡ଼ାଏ ଓଷଦ ଖାଉଛି l ଲାଭ ହେଉନି l ସେଦିନ ସନ୍ଧ୍ୟା ବେଳେ ତାର ମୁଣ୍ଡ ବିନ୍ଧା ଆରମ୍ଭ ହୋଇ ଗଲା l ଘଂଟାଏ ହେଲା ରୁମ ରେ ପଡି ରହିଛି l କାମିନୀ କିଛି କହୁ ନାହାନ୍ତି l ଓଷଦ ଖାଇ ମଧ୍ୟ ଆରାମ ମିଳୁନି l କାମିନୀ ଙ୍କ ହାତ ଚାଲି ଯାଉଥିଲା ସୋନି ର ମୁଣ୍ଡ ପାଖକୁ l ମୁଣ୍ଡ ଚିପି ଦେଲେ ହୁଏତ ଭଲ ଲାଗିପାରେ l ସ୍ପର୍ଶ ର ମଧ୍ୟ ତାକତ ଅଛି l କେଡେ କେଡେ ଯନ୍ତ୍ରଣା କୁ ଲାଘବ କରି ପାରିବ l ମାତ୍ର ନିଜକୁ ସମ୍ଭାଳି ନେଲେ l ନିରା କ୍ଷେତ୍ର ରେ ଯାହା ହୋଇ ଥିଲା ସୋନି ପାଇଁ ତାହା ନହେଉ l ଛୁଟି ସରିବା ଯାଏଁ ରହନ୍ତୁ ସେମାନେ l ସୋନି ପ୍ରବଳ ଚା ପିଏ l ଏତେ ମୁଣ୍ଡ ବିନ୍ଧୁଚି ଯେ ସେ ନିଜେ ଯାଇ କରିବା ଅସମ୍ଭବ l ହୁଏତ ଚା ଟିକେ ପିଇ ଦେଲେ…… ସୁଧୀର ଙ୍କ କଥା ପୁଣି ମନେ ପଡିଗଲା l

-ସେମାନେ ଛୋଟ ପିଲା ନୁହନ୍ତି l ଆଜିର କାଲି ର ପିଲା ଙ୍କୁ ବ୍ୟକ୍ତିଗତ ସ୍ୱାଧୀନତା ଦରକାର l ଅଯଥା କାହିଁକି ତୁମ ମୁଣ୍ଡ ଖରାପ କରୁଛ? ସେମାନଙ୍କୁ କେତେ ଦିନ ଏଠାରେ ରହିବାକୁ
ଦିଅ l

ସୋନି ଶୋଇଛି ଓ କାମିନୀ ଯାଇ ବାଲକୋନୀ ରେ ବସିଛନ୍ତି l ଆଗ କାଳରେ ଯୌଥ ପରିବାର ଥିଲା l ତିନି ପୁରୁଷ ଧରି ଗୋଟିଏ ଘରେ ରହୁଥିଲେ l ସାନ ମାନଙ୍କୁ ମଣିଷ କରିବା ଓ ବୃଦ୍ଧ ବୃଦ୍ଧା ଙ୍କ ସେବା ଶୁଶ୍ରୁଷା କରିବା ଭିତରେ ସମୟ କେମିତି ପଳାଏ ଜଣା ପଡ଼ୁ ନଥିଲା l ଗୋଟିଏ ଗୋଟିଏ ଲୋକର ର ମନ କଥା ବୁଝିବାକୁ ସମୟ କାହିଁ l ଅଥଚ ଏବେ ଦେଖ l ଛୋଟ ପରିବାର l ବାପା ମା ଙ୍କ ପାଖରେ ଅପର୍ଯ୍ୟାପ୍ତ ସମୟ l କିନ୍ତୁ ପିଲା ମାନଙ୍କୁ ପ୍ରାଇଭେସି ଲୋଡ଼ା l ହାୟ ରେ କପାଳ !

ହଠାତ କାହାର ପାଦ ଶବ୍ଦ ରେ ପଛକୁ ଚାହିଁଲା ବେଳକୁ ସୋନି ଠିଆ ହୋଇଛି l

-ମା ଟିକେ ମୋ ରୁମ କୁ ଆସନ୍ତୁ l

କାମିନୀ ବୁଝି ପାରିଲେନି ସୋନି ରୁମ କୁ କାହିଁକି ଡାକୁଛି l ତାକୁ ଘର ଭଲ ଲାଗୁନି କି ଚାଲି ଯିବାକୁ ବାହାରିଲାଣି କି କଣ l କିନ୍ତୁ ସେ ତ ତା ସହିତ ଆଜି ପର୍ଯ୍ୟନ୍ତ ବେଶି କିଛି କଥା ହୋଇ ନାହାନ୍ତି l ସୁଧୀର କହିଥିଲେ କଥା ଆରମ୍ଭ ହେଲେ ବନ୍ଦ ହୋଇ ପାରୁନି ତେଣୁ ମୂଳରୁ ନହେବା ଭଲ l ତେବେ ଅସୁବିଧା କୋଉଠି ରହିଲା l କାମିନୀ ଠାକୁରଙ୍କୁ ଡାକି ଡାକି ଗଲେ l ସୋନି ଯାଇ ଖଟ ଉପରେ ଶୋଇ ଗଲା l

-ମା ମୋ ମୁଣ୍ଡଟା ଟିକେ ଦୟା କରି ଚିପି ଦିଅନ୍ତୁ l ଯଦି ହେବ ଚା ଟିକେ ମିଳିଲେ ଭଲ ହୋଇ
ଥାନ୍ତା l

କାମିନୀ କାନ୍ଦ କାନ୍ଦ ହୋଇ ଗଲେଣି l ପାଟିରୁ କଥା ବାହାରୁ ନାହିଁ l ବହୁତ ଆଗରୁ ସେ ଏସବୁ କରିଥାନ୍ତେ l ଖାଲି ସୁଧୀର ଙ୍କ ତାଗିଦ ଲାଗି ସିନା ଏତେ ଡେରି ହେଲା l ସୋନି ପୁଣି କହିଲା-

-ମା ଏତେ କଣ ଭାବୁଛନ୍ତି? ଯଦି ଆପଣଙ୍କୁ ଅସୁବିଧା ହେବ ତେବେ ଥାଉ l ପେନ କିଲର ଖାଇ ଦେବି l

-ନାଁ ସୋନି l ପେନ କିଲର କଥା ଭୁଲିଯା l ମୁଁ ଅଛି ନା l ଆଗ ତୋ ମୁଣ୍ଡ ଦେଖା ଟିକେ ଚିପି ଦିଏ l ତୁ ଟିକେ ଶୋଇଯା l ଚା କରି ଆଣୁଚି l ସୋନି ଆଖି ବନ୍ଦ କରି ଶୋଇଲା ଓ ମୁଣ୍ଡ ଚିପି ସାରି କାମିନୀ ଉଠି ଗଲେ ଚା କରିବାକୁ l ଚା ନେଇ ଆସିଲା ବେଳକୁ ସୋନି ଶୋଇଛି ଭାବି ଫେରି ଯାଉଥିଲେ କିନ୍ତୁ ସୋନି ଦେଖି ପାରୁଥିଲା l

-ମା ! ମୁଁ ସବୁ ଜାଣିଛି l ତୁମେ ନିଜକୁ ମୋ ଠାରୁ ଦୁରେଇ ନେଉଛ l ତୁମର ଅନ୍ୟ ମାନଙ୍କ ବିଷୟରେ ଏତେ ଚିନ୍ତା ଏତେ ଶୁଭ କାମନା କୁ କେହି ବୁଝି ପାରୁ ନଥିଲେ ବି ମୁଁ ଠିକ ବୁଝିଛି l

-ମୋ ଜୀବନରେ କେହି ନଥିଲେ l ବିବାହ ପୂର୍ବରୁ ମା ବାପା ଙ୍କୁ ହରାଇଛି l ଭଲ ମନ୍ଦ ରେ ସାହା ଭରସା କେହି ନଥିଲେ l ବାହା ହେବା ପରେ ଶାଶୁ ଘର ଲୋକ କେମିତି ଥିବେ ଭାବି ଡରୁ ଥିଲି l କିନ୍ତୁ ତୁମକୁ ଦେଖି ମୋର ଡର ଛାଡି ଯାଇ ଥିଲା l ହେଲେ ତୁମେ ଦୁରେଇ ରହୁ ଥିବାରୁ ବାପା ଙ୍କୁ ଏହାର କାରଣ ପଚାରି ଥିଲି l ବହୁତ ବାଧ୍ୟ କଲା ପରେ ସେ କହିଲେ l

-ମୁଁ କେବେବି ନିଜ ନିଜ ର ଯତ୍ନ ନେଇ ପାରେନି l ମା ଥିଲା ଯାକ ମୋ ପାଇଁ ଚିନ୍ତା କରୁଥିଲା l ଦୁଇ ବର୍ଷ ହେଲା ସେ ବି ମୋତେ ଛାଡି ଚାଲିଗଲା l
ଏବେ ତୁମେ ହିଁ ମୋର ସାହାରା ! ତୁମକୁ କିଏ କଣ କହିଛି ମୁଁ ଜାଣେନା l କିନ୍ତୁ ମୋତେ ତୁମ ସ୍ନେହ ରୁ ବଞ୍ଚିତ କରନା l ମୁଁ ନିଜକୁ ନିଜେ ସମ୍ଭାଳି ପାରେନା l ମୋତେ ତୁମର ଆଶ୍ରା
ଲୋଡ଼ା l

ମାସେ ତୁମକୁ ସମୟ ଦେଲି l ତୁମେ ବାପାଙ୍କୁ ନେଇ ମୋ ସହିତ ଯାଇ ରହିବ ନଚେତ ମୁଁ ତୁମ ପାଖେ ଚାକିରୀ ଛାଡି ଆସି ରହିବି l ଯାହା ତୁମ ଇଚ୍ଛା l

କାମିନୀ ବିଶ୍ୱାସ କରି ପାରୁ ନଥିଲେ l ସିଏ ତ ଆଜି ପର୍ଯ୍ୟନ୍ତ ସେଇ ତୁଠ ପଥର ଥିଲେ ଯାହାକୁ କାମ ସରି ଯିବା ପରେ ଦ୍ଵିତୀୟ ଥର କେହି ଦେଖନ୍ତି ନାହିଁ l ଆଜି ଅଲୋଡା କାମିନୀ ପୁଣି କାହାର ସାହାରା ହେବେ l କେହି ଜଣେ ତାଙ୍କୁ ପଛକୁ ଫେରି ଚାହୁଁଛି l କାହା ପାଇଁ ସେ ନିତାନ୍ତ ଆବଶ୍ୟକ l ତାଙ୍କ ବିନା ଆଉ କାହାର ଜୀବନ ଅଚଳ l ତାଙ୍କର ବି ଏଡ଼େ ବଡ ଦୁନିଆରେ କିଛି ମୂଲ୍ୟ ଅଛି l ହସି ପକାଇ ଥିଲେ ସେ l ବହୁତ ଦିନ ହେଲା ଭଲ କରି ହସି ନାହାନ୍ତି l

                       --ସମାପ୍ତ --

ପଦ୍ମାଳୟା ପାଢ଼ୀ
ବ୍ରହ୍ମପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *