ଟିକେ ହସିକି ତ ଦେଖ

କେତେଥର କହିବି
ହସିଲେ
ତମ ମୁହଁ କୁ ଭଲ ମାନେ ବୋଲି  !!
ଲକ୍ଷେ ହୀରାଫୁଲ
ସତେକି ଏକା ସଂଗେ
ତଳକୁ ଖଡ଼ିପଡ଼େ ବୋଲି  !!
କେତେ କହିବି..
ସକାଳ ର ଅରୁଣିମାରେ
ଶୀତଳ ପବନ ର ସ୍ପର୍ଶ ରେ
ଖୋଲା ଆକାଶ ତଳେ
ପକ୍ଷୀର ସଂଗୀତ ରେ
ନଦୀର ଛଳ ଛଳ ପାଣି
ଆଉ ଶ୍ରାବଣ ବର୍ଷା ରେ ହଜିଗଲେ
କେତେ ଭଲ ଲାଗିବ ବୋଲି  !!
ସବୁବେଳେ କଣ ଜରୁରୀ  !
ସୁର୍ୟୋଦୟ ବେଳେ
ମାପି ହେବା
ପରିକ୍ରମଣ ଗତି ର ସାରାଂଶ .
ପବନ ଆଉ ପୃଥିବୀ ର ଭଗ୍ନାଂଶ 
ଶ୍ରାବଣ ବର୍ଷା ରେ
କେତେ ଭାଗ ପାଣି
ଆଉ କେତେଭାଗ ଧାତୁ ର ମିଶ୍ରଣ !
ପକ୍ଷୀର ସଂଗୀତ ରେ
ନଦୀର ଜଳରେ
କେତେ ସ୍ୱଚ୍ଛତା ଆଉ
କେତେ ସଂକ୍ରମଣ !!
ଟିକେ ବାସ୍ତବତା ର
ଚଷମା ତ କାଢ଼ !
ନୀଳ କାଚରେ
ପୃଥିବୀ ର ନୀଳିମା କୁ ଦେଖ .
ପ୍ରଜାପତି ପଛରେ ଦଉଡ଼.
ଫୁଲ କୁ କୋଳାଅ .
ପବନର ବାସ୍ନାକୁ
ନିଶ୍ୱାସ ରେ ଭର .
ପୁରୁଣା ବସ୍ତାନୀ ପରି
ଜୀବନ କୁ ନ ବାନ୍ଧି
ଫର୍ଦ ଫର୍ଦ କରି
ପବନରେ ଉଡେଇଦିଅ  .
ଦେଖ..
ଜୀବନ କାହାକୁ କହନ୍ତି .
ଜୀବନକୁ ବଞ୍ଚନ୍ତି କେମିତି .
ଟିକେ ଖୋଲି  ହସି ଦିଅ 
ଆଉ ଦେଖ
ତମ ହସକୁ ଦେଖି
ଆଉଜଣେ ହସୁଚି କେମିତି !!

ପ୍ରଭାତନଳିନୀ ଛୋଟରାୟ

Leave a Reply

Your email address will not be published. Required fields are marked *