ଜୀବନକୁ ଡରିବୁନି ଧନ

ସଂଘର୍ଷରେ ହାରିଗଲେ ବି ଦୁଃଖ କରିବୁନି ଧନ
ପତ୍ରଝଡ଼ା ପରେ ହିଁ
କଅଁଳି ଥାଏ ନୂଆ ପତ୍ର
ପଢା ବହିରେ ଖୋଜିବୁନି
ସଂଘର୍ଷରୁ ମୁକୁଳିବାର ମନ୍ତ୍ର
କିଛି କଥା ଜୀବନ ଆପେ ଶିଖେଇ ଦିଏ
କିଛି ଶିଖେଇ ଦିଏ ସମ୍ପର୍କ
ସମ୍ପର୍କକୁ ସାଇତିବୁ ତ
ସ୍ୱାର୍ଥପର ଦୁନିଆରେ ଧର୍ଯ୍ୟ ସାଇତି ଶିଖ୍
ନିଜକୁ କଷ୍ଟ ଦେଇ ସ୍ନେହ ବାଣ୍ଟିବା ଶିଖ୍
ଏ ସମ୍ପର୍କ ବି ଏମିତି ରେ ଧନ
ଯାହା ପାଇଁ ତୁ ବ୍ୟାକୁଳ ହୋଇ ଜୀବନ ସାରିଦେବୁ
ତା ପାଇଁ ତୁ ହୋଇପାରୁ ଅପରିଚିତ
ଯାହାକୁ ତୁ ସମ୍ମାନ ଦେଇ ପୂଜା କରୁଥିବୁ
ସେ ହିଁ ସାଜିବେ ତୋ ଜୀବନର ପ୍ରତିବନ୍ଧକ।

ତଥାପି ତୁ ଜୀବନକୁ ଡରିବୁନି ଧନ
ଡର ହିଁ ରୋକିଦେବ ଆଗେଇବାର ପଥ
ନା ଗରିବପଣିଆର ଡର ନା ମୃତ୍ୟୁର ଡର
ନା ସମାଲୋଚନାର ଡର
ନା ସମ୍ମାନର ଡର
ଗରିବ ସୁଦାମା ତ ଶାଶ୍ଵତ ପ୍ରେମରେ ଧନୀ
ମୃତ୍ୟୁ ବି ଅମର କରିପାରେ ଅଭିମନ୍ୟୁକୁ
ମୁର୍ଖମାନଙ୍କ ସମାଲୋଚନା ମୂଲ୍ୟହୀନ
ସମ୍ମାନ ସବୁବେଳେ କର୍ମରେ ପ୍ରାପ୍ତ ହୁଏ ବାବା
ନିଜକୁ ଦୁର୍ବଳ କରିବୁନି କେଉଁ ଡରରେ।

ଯେତେ ସମ୍ପତି ଠୁଳ କଲେ ବି
ନିଦ କିଣି ହୁଏନା
ଟିକେ ଶୋଇବା ପାଇଁ ଶାନ୍ତି ଯୋଗାଡି ରଖିଥା
ଯେତେ ଉଚ୍ଚକୁ ଉଠି ଗଲେ ବି
ମାଟି ଛାଡ଼ି ହୁଏନା
ମାଟିକୁ ମଥାରେ ମାରି
ତିଆରି କର ସୁଗମ୍ୟ ସଡ଼କଟିଏ
ଆପଣା ସଂସ୍କାରରେ।

ଶ୍ୱେତା ରାଉତ୍
ରାଉତ୍ କମ୍ପ୍ଲେକ୍ସ, କଟକ ରୋଡ,

ଭୁବନେଶ୍ୱର

Leave a Reply

Your email address will not be published. Required fields are marked *