ଜାଳିଦେଲି ଦୀପଟିଏ

ଭାବର ବଳିତାକୁ
ହୃଦୟର ମାଟି ଦୀପରେ ସଜେଇ
ଅନୁରାଗର ତେଲ ଭରି
ଶ୍ରଦ୍ଧାର ପୁଷ୍ପାଞ୍ଜଳି ଦେଇ
ପ୍ରୀତି ମୁରୁଜ ଉପରେ
ଜାଳିଦେଲି ଦୀପଟିଏ।

ଅପସରି ଯାଉ
ମନର ଅନ୍ଧକାର
ସ୍ୱଚ୍ଛ ମନ ମନ୍ଦିରରେ
ଆରାଧନା କରିବି
ସମାଜର ଅନ୍ଧାର
ଦୂରେଇବାକୁ।

ସଭିଙ୍କ ପ୍ରାଣରେ ଜାଳିଦେବି
ଶ୍ରଦ୍ଧାର ଦୀପଶିଖା
ଦୂରୀଭୂତ ହେବ କପଟପଶାର
ଛଳନାପୂର୍ଣ୍ଣ କୁରୁସଭା, ଚକ୍ରବ୍ୟୁହର ଚିତ୍କାର,
ମହାଭାରତର ମହାସଂଗ୍ରାମ।

ଧରଣୀ ହସିଉଠୁ ମମତାର
ପରଶରେ,ପାପର ଅନ୍ଧାର
ଦୂରେଇ ଯାଉ ଗାନ୍ଧାରୀଙ୍କ
ସେଇ ଆଶୀର୍ବାଦର ଝଲକରେ
“ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମର ହେଉ ଜୟ।”

ଛଳନା, ଗର୍ବ, ଅହଂକାରର ମୁଖା
କାଢ଼ି ଫିଙ୍ଗିଦେବା
ଅପହଞ୍ଚ ଇଲାକାକୁ
ବୁଣି ଦେବା ସ୍ନେହ, ସରାଗର ବୀଜ
ଧରିତ୍ରୀର ଓଦା, ବତୁରା ମାଟିରେ।

ସ୍ନେହସିକ୍ତ ବତୁରା ମାଟିରୁ
ଦେଶଭକ୍ତିର ମନ୍ତ୍ରସିଦ୍ଧ
ମହାଦ୍ରୁମଟି ଯନ୍ତ୍ରଣାମୟ
ରୌଦ୍ରତାପକୁ ହଟେଇ
ଭରିଦେବ ପବିତ୍ର ମାନବବାଦର
ଶୀତଳପୂର୍ଣ୍ଣ ଛାଇ।

ହୃଦୟରୁ, ମନରୁ, ପ୍ରାଣରୁ
ପ୍ରତିଟି ତନ୍ତ୍ରୀରୁ
କଳୁଷ କାଳିମାକୁ ଦୂରେଇ
ଧରଣୀ ବୁକୁରେ ଖେଳେଇ ଦେବା
ଦୀପ୍ତ ଭାଇଚାରାର
ଅମୀୟ ଧାରାଟିଏ।

ସରୋଜିନୀ ବେହେରା
ପାଳଲହଡ଼ା, ଅନୁଗୁଳ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *