ଜଷ୍ଟିସ ଫର୍ ‘ରୁଚି’

ଗତକାଲି ସନ୍ଧ୍ୟାରେ ସ୍କୁଲ ଆଲୁମିନି ଆସୋସିଏସନର ମନ୍ଥଲି ମିଟିଂରୁ ଫେରିଲା ବେଳକୁ ମନଟା ଖୁବ୍ ଭାରି ଭାରି ଲାଗୁଥାଏ ପ୍ରକୃତିର। ପୁରୁଣା ପାଚେରୀ କାନ୍ଥରେ ବଧ’ ହୋଇ ବସିଥିବା ଶିଉଳୀ ପରି…..ଜମା ଛାଡୁ ନଥାଏ ସେ ଭାରିପଣ! ମିଟିଂ ସମୟରେ ବିକାଶ ଯେତେବେଳ ଠାରୁ ପିଟିସନ୍ କଥା ଉଠାଇ ସପକ୍ଷରେ ସାଇନ୍ କରିବା ପାଇଁ କହିଲା, ସେତେବେଳୁ ତା’ ଭିତରଟା କେମିତି ଛଟପଟ ହେଉଥାଏ। ମେଞ୍ଚାଏ କୋହ ତା’ ତଣ୍ଟି ପାଖରେ ଦାନା ବାନ୍ଧି ଯାଇଥାଏ! ଢୋକି ହେଉ ନଥାଏ ସେ କୋହ! ଲାଗୁଥାଏ ସେ କୋହର ଦାନାଟା ନିଦା ହୋଇ ହୋଇ ଯାଉଛି ଧିରେଧିରେ…… ଆଉ ଟିକେକୁ ତା’ କ୍ୟାରୋଟିଡ୍ ଦୁଇଟାକୁ ବି ଚାପି ଦେବ…..ତା’ ମସ୍ତିଷ୍କକୁ ରକ୍ତ ପ୍ରବାହ ବନ୍ଦ ହୋଇଯିବ…..ଅନ୍ଧାର ଘୋଟି ଯାଉ ଥାଏ ତା’ ମନ ଭିତରେ…..ଆଖି ଆଗରେ…..ଲଥ୍ କରି ପଡିଯିବ କି ……ଏବେ ସେ ସେଇ ଚେୟାର ଉପରୁ!?!
ତାକୁ ଟିକେ କାନ୍ଧ ପାଖରୁ ହଲେଇ ଦେଇ ବିକାଶ କହିଲା, “ଦିଦି….. ପ୍ରକୃତି ଦି….. ହ୍ବାଟ୍ଆପରେ ପିଟିସନ୍ ଲିଙ୍କ୍ ଟା ଦେଇଛି… ଦେଖ ଟିକେ…..ମାକ୍ସିମମ୍ ପସିବଲ୍ ସାଇନ୍ କରି ନେବା ଏବେ…… ପରେ ସେୟାର କରିବା ଅନ୍ୟ ଗ୍ରୁପ୍ ରେ!”
ବିକାଶ କହିବା ଆଗରୁ, ନୋଟିଫିକେସନ୍ ଦେଖି ସାରିଥିଲେ ବି ପ୍ରକୃତିର ଆଙ୍ଗୁଠି ଗୁଡା ଯେମିତି ଅଟକି ଯାଇଥିଲେ……ତା’ ଆଖି ଆଗରେ ଅଳ୍ପ ସମୟ ଆଗରୁ ପ୍ରୋଜେକ୍ଟରରେ ଚାଲୁଥିବା ଭିଜୁଆଲ୍ ଗୁଡା ହିଁ ଦିଶି ଯାଉ ଥା’ନ୍ତି। ସେଇ ସମୟରେ ପ୍ରକୃତି ନିଜେ ବି ବୁଝି ପାରୁ ନଥାଏ ତାକୁ ଦୁଃଖ ଲାଗୁଛି, ନା’ ରାଗ ଲାଗୁଛି, ନା’ ଘୃଣା ଲାଗୁଛି, ନା’ ଅବିଶ୍ୱାସ! ସତେ ଯେମିତି ଏ ସବୁ ଫେଣ୍ଟା ଫେଣ୍ଟି ହୋଇ, ଢୋକେ କକଟେଲ୍ ହୋଇ ଅଟକି ଯାଇଛନ୍ତି ତା’ ତଣ୍ଟି ପାଖରେ! ସେ ଅସହଜ ପଣକୁ ନିଜ ତଣ୍ଟିରୁ କାଢି ଫୋପାଡ଼ି ଦେଇ, ବିଦ୍ରୋହରେ ଫଁ ଫଁ ହେବାକୁ ବି ସ୍ପୃହା ଆସୁନଥାଏ ତା’ର!
ମିଟିଂ ସରି ସରି ଆସିଲା ବେଳକୁ ବିକାଶ ସମସ୍ତଙ୍କୁ ଟିକେ ସମୟ ଦେବା ପାଇଁ କହି “ଜଷ୍ଟିସ୍ ଫର ରୁଚି” ପିଟିସନ୍ ବିଷୟରେ କହିଲା। ରୁଚି ହେଉଛି ବିକାଶର ଇଞ୍ଜିନିୟରିଂ ସମୟର ସାଙ୍ଗର ଭଉଣୀ। ଆଇ ଆଇ ଟି ଖଡ଼ଗପୁରର ଷ୍ଟୁଡେଣ୍ଟ। ପଢା ସରିଲା ପରେ ସାଙ୍ଗେ ସାଙ୍ଗେ ଜର୍ମାନୀରେ ଗୋଟିଏ ଚାକିରୀ ପାଇ ଯାଇଥିଲା। ସେଇଠି ତା’ର ଭେଟ ହୋଇଥିଲା ନରେଶ ସହ। ନରେଶ ଘରବି ବଲାଙ୍ଗୀର, ରୁଚି ପରି। ବାହାରେ, ପୁଣି ବିଦେଶରେ ନିଜ ଘରପାଖ ମଣିଷଟେ ପାଇ, ପୃଥିବୀର ଯେକୌଣସି ମଣିଷ ପରି, ଖୁସିରେ ଗଦଗଦ୍ ହୋଇ ଯାଉଥାଏ ରୁଚି। କାମରେ ଗାଇଡ, କେତେବେଳେ ଅଫିସରେ ଏକାଠି ଲଞ୍ଚ୍, ଆଉ କେବେ ଛୁଟିଦିନରେ ଓଡ଼ିଆ ମିଟ୍ କିମ୍ବା ଲଙ୍ଗ୍ ଡ୍ରାଇଭ୍, ଆଉ କେବେ ଚାଉଲ୍-ବରା କି ଲେଥା ଏଞ୍ଜୟ କଲା ଭିତରେ…… ଦି’ଜଣଙ୍କର ଏକାଠି ସମୟ ବିତାଇବାର ଇଚ୍ଛାଟା କେତେବେଳେ ଏକାଠି ଜୀବନ ବିତେଇବାରେ ପରିଣତ ହୋଇ ଯାଇଥିଲା….. ଦିହେଁ ଜାଣି ପାରି ନଥିଲେ!
ବାହାଘର ଖୁବ୍ ଧୁମଧାମରେ ହୋଇଥିଲା। ବାହାଘରର ଅଳ୍ପ ମାସ ପରେ ଦୁଇଜଣ ଯାକ ଭୁବନେଶ୍ୱରରେ ଜବ୍ ଖୋଜି ଜର୍ମାନୀରୁ ଫେରିଥିଲେ। ଫେରିବାର ମାସେ ଯାଇଛି କି ନାହିଁ, ନରେଶ ପରିବାରର, ରୁଚି ଉପରେ ଚାପ ପଡିବା ଆରମ୍ଭ ହୋଇଗଲା। ନରେଶ ସାନ ଭଉଣୀ ପାଇଁ ଫ୍ଲାଟ୍ ବୁକ୍ କରିବା ନେଇ ଟଙ୍କା ବାବଦରେ। ନରେଶ ବାରମ୍ବାର ରୁଚିର ବାପା ଆଉ ଭାଇଙ୍କୁ କଲ୍ କରି ଅସଭ୍ୟ ବ୍ୟବହାର କରୁଥାଏ। ଟଙ୍କା ନଦେଲେ ସେ ରୁଚିକୁ ଡିଭୋର୍ସ ଦେଇ ଦେବ, ଧମକ ଦେଉଥାଏ। ରୁଚି କେବେ ରାଗରେ କି କାନ୍ଦିକି ବାପଘରେ ପହଞ୍ଚିଲେ ତା’ ମା’ ବୁଝାନ୍ତି, “ଦେଖ୍ ଝିଅ, ଏବେ ତୁଇ ଏକଲା ନୁହେଁ…..ତୋର ଭିତରେ ଆର ଗୋଟେ ଜୀବନ୍ ଛେ! ତୋର ନିଷ୍ପତ୍ତି ତାର ଜୀବନକେ ପ୍ରଭାବ…….” ସେଇ ଅଧା କଥାରୁ ଲୁହ ପୋଛି, ଉଠି, ଫେରିଆସେ ରୁଚି!
ଏ ସବୁ ଭିତରେ ଗତ ୧୫ ତାରିଖ ଦିନ ରୁଚିକୁ ନଜାଣାଇ ତା’ ବାପା ନରେଶକୁ ପନ୍ଦର ଲକ୍ଷ ଟଙ୍କା ଦେଇ ଥିଲେ। ହେଲେ ୨୩ ତାରିଖ ସକାଳୁ ହଠାତ୍ ନରେଶର ମା’ ଫୋନ୍ କଲେ, “ଆମର ରୁଚି ଆଉ ନାହିଁ……”……କାନ୍ଦି କାନ୍ଦି କହୁଥିଲେ…… “କାଇଁଥିରଲାଗି କଲା ସେ ଏନତା? କାଣା ଅଭାବ ଥିଲା ତାର୍? ପ୍ରେଗନାଣ୍ଟ ଅଛେ ବୋଲି ଚାକିରୀ ଛାଡିକରି ଘରେ ରେଷ୍ଟ ନେବାର ଲାଗି ବି କହୁଥିଲା ନରେଶ! ହେଲେ…….”
ବିକାଶ ଗତ ୨୩ ତାରିଖ ପରଠୁ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ଖବରକୁ ପ୍ରୋଜେକ୍ଟର ପରଦା ଉପରେ ଚଲାଉ ଥାଏ…. “ରାଜଧନୀ ଉପକଣ୍ଠରେ ଜଣେ ଉଚ୍ଚଶିକ୍ଷିତା, ସ୍ୱାବଲମ୍ବୀ, ବିବାହିତା, ଗର୍ଭବତୀ ଯୁବତୀର ସନ୍ଦେହଜନକ ମୃତ୍ୟୁ”…….ଜଣେ ନ୍ୟୁଜ୍ ଆଙ୍କର ସେଇ ସମାନ ବାକ୍ୟଟିକୁ ଶବ୍ଦ ଗୁଡାକୁ ଖାଲି ଏପଟ-ସେପଟ କରି ବାରମ୍ବାର କହୁଥା’ନ୍ତି……ରୁଚିର ମୃତ ଦେହକୁ ବ୍ଲର୍ କରି ଟିଭି ପରଦାରେ ଦେଖାଉ ଥାଏ….ତଥାପି ଏରୁଣ୍ଡି ପାଖରେ ଲମ୍ବ ହୋଇ, ପେଟେଇ ପଡିଥିବା ତା’ ନିର୍ଜୀବ ଶରୀର ଉପରେ ଉଡୁଥିବା ମାଛି ଗୁଡା ସ୍ପଷ୍ଟ ଦିଶୁଥା’ନ୍ତି…..ଗୋଡ ପାଖରୁ ବୋହି, ଶୁଖି ଯାଇଥିବା ଧାରେ ରକ୍ତରେ ବି ସତେ ଯେମିତି ଅୟୁତ ଅୟୁତ ସମ୍ଭାବନାର ଠିକଣା ଦେଖିଛନ୍ତି ସେମାନେ!!!
ରିପୋର୍ଟର କହୁଥାନ୍ତି, “ଯଦିଓ ପୁଲିସ ତଦନ୍ତର ଶେଷ ରିପୋର୍ଟ ଆସିନାହିଁ କିନ୍ତୁ ଯୁବତୀଙ୍କ ପରିବାର ଓ ଭାଇଙ୍କର ବୟାନ ଅନୁସାରେ ରୁଚିର ସ୍ଵାମୀ ଓ ତାଙ୍କ ପରିବାର ବାରମ୍ବାର ବିଭିନ୍ନ କାରଣରୁ ରୁଚି ଉପରେ ବାପ ଘରୁ ପଇସା ଆଣିବା ପାଇଁ ଚାପ ପକାଉଥିଲେ। ଏବଂ ହଠାତ ଆଜି ରୁଚିର ମୃତଦେହ ତା’ଙ୍କ ଘରୁ ଉଦ୍ଧାର କରାଯାଇଥିଲା।”……ତା’ ମଝିରେ ଦେଖାଉଥାଏ ରୁଚିର ମା’ଙ୍କ ଛାତିଫଟା ବିକଳ ଚିତ୍କାର…..ରୁଚି ଭାଇର ମିଡିଆ ସାମନାରେ କାନ୍ଦ କାନ୍ଦ ସ୍ବରରେ ଅଭିଯୋଗ! ଆଉ ସେଇଥିପାଇଁ ବିକାଶ ଗୋଟିଏ ପିଟିସନ୍ ଦାଖଲ କରିଥାଏ ମାନ୍ୟବର କୋର୍ଟରେ “ଜଷ୍ଟିସ୍ ଫର ରୁଚି”…….ଯୌତୁକ ଜନିତ ହତ୍ୟା ବିରୋଧରେ ରୁଚି ଓ ରୁଚି ପରି ଅଗଣିତ ଝିଅ ମାନଙ୍କ ପାଇଁ ନ୍ୟାୟ ଦାବିରେ ଥିଲା ପିଟିସନ୍ ଟି!
ପିଟିସନ୍ ସପକ୍ଷରେ ହସ୍ତାକ୍ଷର କରି, ମିଟିଂରୁ ଘରକୁ ଫେରି, ଡିନର ସାରି ଶୋଇବା ପାଇଁ ଗଲା ବେଳକୁ ବି ପ୍ରକୃତି ସାମାନ୍ୟ ହୋଇ ପାରୁ ନଥାଏ। ଆଖି ବନ୍ଦ କଲା ବେଳକୁ ଘରର ଦୂଆର ବନ୍ଧ ପାଖରେ ପେଟେଇ ପଡିଥିବା ରୁଚିର ନିର୍ଜୀବ ଶରୀର ଆଉ ତା’ ଚାରିକଡେ ଉଡୁଥିବା ମାଛି ହିଁ ଦିଶୁଥା’ନ୍ତି…….ଘୁମେଇ ପଡିଥିବା ଅନ୍ଧାରୁଆ ବଖରା ଭିତରେ କାନ୍ଥ ଘଣ୍ଟାର ଟକ୍ -ଟକ୍-ଟକ୍ ଶବ୍ଦକୁ ଦାବିଦେଇ ଶୁଭି ଯାଉଥାଏ ରୁଚି ମା’ଙ୍କର ଆକୁଳ ଚିତ୍କାର……କାନ ପରଦାଠୁ ମଞ୍ଜ ପର୍ଯ୍ୟନ୍ତ, ଥରି ଯାଉଥାଏ ପ୍ରକୃତି!
କେତେବେଳେ ନିଦ ହେଲା କେଜାଣି…..ହେଲେ ନିଦ ଭାଙ୍ଗିଲା ବେଳକୁ ଖରାଟା ପୂରା ମୁହଁ ଉପରେ ପଡିଥିଲା! ବ୍ରେକଫାଷ୍ଟ ନକରି ହିଁ ହସ୍ପିଟାଲ ବାହାରି ଗଲା ପ୍ରକୃତି। ୮:୩୦ରେ ଗୋଟିଏ ସିଜରିଆନ୍ ସେକ୍ସନ ଥିଲା। ଓଟିରୁ ବାହାରି, ଏପ୍ରୋନଟା ଗଳେଇ ଦେଇ ରାଉଣ୍ଡରେ ବାହାରିଲା ସେ। ଘରୁ ବାହାରିଲା ବେଳକୁ, ସିଷ୍ଟର୍ କଲ୍ କରିଥିଲେ, କ୍ୟାବିନ୍ ୫୦୩ ପେସେଣ୍ଟର ପେନ୍ ହେଉଥିଲା କରି। ପେସେଣ୍ଟଙ୍କୁ ଟ୍ରାମାଡଲ୍ ଗୋଟିଏ ଦେଇ ଡ୍ରେସିଂ ପାଇଁ ସବୁ ରେଡି ରଖିଥିବା ପାଇଁ କହିଥିଲା ପ୍ରକୃତି। ନର୍ସିଂ ଷ୍ଟେସନରେ ପହଞ୍ଚି ପେସେଣ୍ଟ ରିକର୍ଡ ଶିଟ୍ ଉପରେ ଆଖି ପକାଇ, ସିଷ୍ଟରଙ୍କୁ ରାଉଣ୍ଡ୍ ରେ ଯିବା ପାଇଁ ଡାକିଲା। କ୍ୟାବିନ୍ ଆଡକୁ ମୁହାଁଇଲା ବେଳକୁ ସିଷ୍ଟର୍ କହିଲେ, “ଡକ୍ଟର, କ୍ୟାବିନ୍ ୫୦୩ର ଫିଭର ଆସିଥିଲା ସକାଳେ।”
“ହଉ ଚାଲନ୍ତୁ ଡ୍ରେସିଂ ଚେଞ୍ଜ୍ କରି ଦେଖିବା। ଆପଣ ଭେନ୍- ଫ୍ଲୋନ୍ ଠିକ୍ ଅଛି କି ନାହିଁ ଦେଖିଛନ୍ତି ତ? ଆଜିର କାଉଣ୍ଟସ….. ରିପୋର୍ଟସ ଆସୁ ଦେଖିବା।” ସିଷ୍ଟରଙ୍କୁ ଏତିକି କହିବା ଭିତରେ ପ୍ରକୃତି ୫୦୩ ନକ୍ କରି କ୍ୟାବିନ୍ ଭିତରକୁ ଗଲା। ପଛରେ ଡ୍ରେସିଂ ଟ୍ରଲି ସହ ସିଷ୍ଟର୍। କ୍ୟାବିନରେ ପଶିବା ଭିତରେ ପ୍ରକୃତି ପେସେଣ୍ଟ ଉଦ୍ଦେଶ୍ୟରେ ପଚାରିଲା, “ସୁଲଗ୍ନା…..ଠିକ୍ ଅଛ ତ?”
କ୍ୟାବିନ୍ ଭିତରେ ସୁଲଗ୍ନାର ସ୍ୱାମୀ ଛୋଟ କାଉଚଟା ଉପରେ ଶୋଇଥାଏ। ଅଣ୍ଟା ପାଖରୁ ଭାଙ୍ଗି ଗୋଡ ଦିଇଟା ତା’ର କାନ୍ଥ ଆଡ଼କୁ ଟେକି ଭରା ଦେଇ ଥାଏ। ପାଦ ଦି’ଟା ଲଗାତାର, ତାଳଦେଇ, ପରସ୍ପର ସହ ବାଡେଇ ହେଉଥା’ନ୍ତି। ବାଁ ହାତକୁ କହୁଣୀ ପାଖରୁ ଭାଙ୍ଗି, ମୁଣ୍ଡ ତଳେ ରଖି, ଡାହାଣ ହାତରେ ମୋବାଇଲ ଧରି ସ୍କ୍ରିନ୍ କୁ ଚାହିଁ ରହିଥାଏ ଲୋକଟା। କ୍ୟାବିନର କବାଟ ଖୋଲିବା ଶବ୍ଦରେ ବେକକୁ ହାଲୁକା ବୁଲେଇ, କଣେଇକି ଚାହିଁଲା ସେ। ତା’ ପରେ ସେଇ ଶୋଇଥିବା ଅବସ୍ଥାରେ ହିଁ, ପ୍ରକୃତି ଆଉ ସିଷ୍ଟଟରଙ୍କୁ ଗୋଟେ ତାଛଲ୍ୟଭରା ଚାହାଣୀରେ ଚାହିଁ ଦେଇ, ପୁଣି ମୋବାଇଲ ସ୍କ୍ରିନ୍ କୁ ଦେଖିବାକୁ ଲାଗିଲା। ଦି’ ଦିନ ହେଲା ସୁଲଗ୍ନା ସ୍ବାମୀର ବ୍ୟବହାର, ଆଚରଣ ଆଉ କଥାବାର୍ତ୍ତା ଶୈଳୀକୁ ଲକ୍ଷ୍ୟ କରୁଥାଏ ପ୍ରକୃତି। ଅହରହ ପାଟିରେ ତା’ର ଗୁଟଖା ପଶିଥିବ। କଥା କହିଲା ବେଳେ ଭାରି ଗୋଟିଏ ଅସଭ୍ୟ ଢଙ୍ଗରେ ପାଟିକୁ ଅଧା ଖୋଲି, ଥୋମଣିଟାକୁ ଅଧା ଟେକି, ତେରଛେଇକି, ଦାନ୍ତ ଚିପି କଥା ହେବ! ପ୍ରତିଥର ଇଣ୍ଟେରାକସନ୍ ପରେ ଲୋକଟା ପାଇଁ ପ୍ରକୃତି ମନରେ ବିତୃଷ୍ଣା ଦୁଇଗୁଣା ବଢିଯାଏ।
ସିଷ୍ଟରଙ୍କୁ ପ୍ରକୃତି ଡ୍ରେସିଂ ପାଇଁ ରେଡି କରିବାକୁ କହିବା ଭିତରେ ସିଷ୍ଟର୍, ସୁଲଗ୍ନାର ସ୍ବାମୀକୁ ବାହାରେ ଅପେକ୍ଷା କରିବା ପାଇଁ କହିଲେ। ବିଲକୁଲ୍ ଶୁଭି ନଥିବା ପରି, ସେମିତି ଶୋଇ ଶୋଇ ମୋବାଇଲ ସ୍କ୍ରିନ୍ କୁ ଚାହିଁଥାଏ ଲୋକଟା। ଟିକେ ଦୂରରେ ସୋଫାରେ ବସିଥିବା ସୁଲଗ୍ନାର ଶାଶୂ ଉଠିଆସି, ଲୋକଟିର କାନ୍ଧ ପାଖକୁ ଟିକେ ଖେଞ୍ଚି ଦେଇ ଚାପା ସ୍ବରରେ କହିଲେ, “ଯା’ ବାହାରକୁ!”
ଲୋକଟିର କ୍ୟାବିନରୁ ବାହାରିକି ଯିବାକୁ ପଛରୁ ଚାହିଁଥାଏ ପ୍ରକୃତି। କବାଟ ସମ୍ପୂର୍ଣ୍ଣ ବନ୍ଦ ହେବା ଆଗରୁ ସେ ଦେଖି ପାରୁଥାଏ …… ଲୋକଟା କରିଡରରେ ପଡିଥିବା ଓ୍ବେଟି° ଚେୟାର ଉପରେ ଧମ୍ କିନା ବସି ପଡିଲା। ତା’ପରେ ଚାରିକାତ ମେଲି ସେଇଠି ଗଡି ପଡିଲା! ଲୋକଟିର ମୁହଁରେ ଥିବା ବେପରୁଆ ଭାବ ଆଉ ଅସଭ୍ୟ ଆଚରଣ ଦେଖି ପ୍ରକୃତିର ମନଟା କେମିତି ଗୋଟିଏ କ୍ରୋଧ ଆଉ ଘୃଣା ଭାବରେ ସିର୍-ସିରେଇ ଉଠିଲା!
ହାତରେ ସାନିଟାଇଜର୍ ଲଗାଇ, ପ୍ରକୃତି ଗ୍ଲୋବ୍ସ ପିନ୍ଧିବାକୁ ଯାଉଛି ହଠାତ ସୁଲଗ୍ନା ତା’ ହାତକୁ ମୁଠେଇ ଧରିଲା। ଆଖିରେ ଆଖିଏ ଲେଖା ଲୁହ! ମୁହଁଟା ଫଣ ଫଣ! ଓଠ ଦୁଇଟା ଏଇ କାନ୍ଦିବ ଏଇ କାନ୍ଦିବ ହୋଇ ଥରୁଥାଏ! ସେଇ ଥର ଥର ଓଠରେ ସୁଲଗ୍ନା, ପ୍ରକୃତିକୁ ପଚାରିଲା, “ମ୍ୟାଡାମ୍ ମୋ ଝିଅ ଠିକ ହୋଇ ଯିବ ନା’?”
ହଠାତ୍ କିଛି ସେକେଣ୍ଡ୍ ପାଇଁ ଅନ୍ୟମନସ୍କ ହୋଇଗଲା ପକୃତି! ଦୁଇଦିନ ପୂର୍ବରୁ ସୁଲଗ୍ନାର ଝିଅଟିଏ ହୋଇଥାଏ। ପାଟି-ନାକରୁ ଲାଳ ସବୁ ସକସନ୍ କରି ସାରି, ପେଡିଟ୍ରିସିଆନ୍, ଡା ସୌରଭ ତାକୁ ଭିଟାମିନ କେ ଇଞ୍ଜେକସନ୍ ଲଗାଇ ସାରିଥାନ୍ତି। ପାଞ୍ଚ-ଛ’ ସେକେଣ୍ଡ୍ ପରେ, ହଠାତ୍ ତା’ କାନ୍ଦଟା ଠପ୍ ହୋଇଗଲା! ସତେ ଯେମିତି କିଏ କେଉଁଠି ସ୍ବିଚ୍ ଟିଏ ଟିପି ଦେଲା। ଆଖି ବନ୍ଦ ହୋଇ ଧକେଇଲା ପରି ହେଲା ଛୁଆଟା। ଛାତିଟା ତା’ର ଭାରି ଥକିଗଲା ପରି ପଡୁଥାଏ- ଉଠୁଥାଏ। ହଠାତ୍ ଓଟି ଭିତରଟା ଚଳଚଞ୍ଚଳ ହୋଇ ଉଠିଲା। ଗୋଟେ ପ୍ରକାର ଦୌଡା-ଦୌଡ଼ି। ସ୍କିନ୍ ଲେୟାରଟା ବି କ୍ଲୋଜ୍ କରି ସାରିନଥାଏ ପ୍ରକୃତି ସେତେବେଳକୁ! ସେ ମୁଣ୍ଡ ଟେକି ଚାହିଁଲା ବେଳକୁ, ଡା ସୌରଭଙ୍କ ମୁହଁଟା ଗୋଟା ପଣେ ଝାଳରେ ବୁଡି ଯାଇଥାଏ। ଗୋଲାପୀରୁ ଚାହୁଁ ଚାହୁଁ ନୀଳ ପଡି ଆସିଲା ସୁଲଗ୍ନାର ଝିଅ। ଛୁଆଟିର ଅକ୍ସିଜେନ୍ ସାଚୁରେସନ୍ ଯେତିକି କମୁଥାଏ, ଡା ସୌରଭଙ୍କ ସ୍ବର ଆଉ କାର୍ଯ୍ୟକଳାପ ସେତିକି ତୀବ୍ର ହେଉଥାଏ। ସେ ତୁରନ୍ତ ଛୁଆଟିକୁ ଏନ୍ ଆଇ ସି ୟୁ ସିଫ୍ଟ କରେଇନେଲେ। ସୁଲଗ୍ନାର ସ୍ବାମୀ ଉପରେ ବହେ ବିରକ୍ତ ବି ହେଲେ, ଯେ ଗର୍ଭାବସ୍ଥା ସମୟରେ ଆନୋମାଲି ଟେଷ୍ଟ କାହିଁକି କରାଇ ନଥିଲେ କରି। ଅଜୀବି ଛୁଆଟା ସେଇବେଳୁ ଭେଣ୍ଟିଲେଟରରେ ଅଛି, ଏନ୍ ଆଇ ସି ୟୁରେ। ସୁଲଗ୍ନାକୁ ତୁନି କରିବା ପାଇଁ, ପ୍ରକୃତି ତା’ ମୁଣ୍ଡରେ ହାତ ରଖି କହିଲା, “ତୁମର ଡ୍ରେସିଂ ସାରି ମୁଁ ଏନ୍ ଆଇ ସି ୟୁ ଯାଇ ବେବିକୁ ଦେଖି ଆସିବି……”
ପ୍ରକୃତିର କଥା ପୂରା ହେବା ପୂର୍ବରୁ କ୍ୟାବିନ୍ ବାହାରେ ଥିବା ସୁଲଗ୍ନାର ସ୍ବାମୀ, କବାଟାକୁ ଧଡ୍ କିନା ପେଲି ଦେଇ, ଭୁସ୍ କିନା ଭିତରକୁ ପଶି ଆସି ଚିତ୍କାର କଲା, “ଭଅଲଅଅଅଅ?……. ମରିଯାଉ ସେଟା। କ’ଣ କରିବ ବଞ୍ଚିକି? କୋଉଠିକୁ ଯାଇ ବଂଶ ବୁଡାଇବ ମା’ ଭଳିଆ। କହିଥିଲି ନା, ଏଥର ପୁଅଟେ ଜନ୍ମ କରିବାକୁ। ଦେଖ, ଝିଅ ଛୁଆଟା ଜନ୍ମ ହେଉ ହେଉ ଖର୍ଚ୍ଚ କରାଇଲାଣି!”
ପ୍ରକୃତି ହାତ ଉପରେ ସୁଲଗ୍ନାର ମୁଠା ଆହୁରି ଶକ୍ତ ହୋଇଗଲା, ପ୍ରାଣପଣେ ଚାପି ଧରିଥାଏ ସେ। ଆଖିରେ ତା’ର ଲୁହର ଆଢୁଆଳରେ ବି ଭୟଟା ସ୍ପଷ୍ଟ ଦିଶୁଥାଏ। ଧାର ଧାର ଲୁହ ବୋହିଯାଉଥାଏ ଆଉ କୋହକୁ ଚାପିବାର ଚେଷ୍ଟା ବି ଜାରିଥାଏ। ପ୍ରକୃତିର ଇଚ୍ଛା ହେଉଥାଏ ହାତଟା ସେ ମୁଠା ଭିତରୁ ଟାଣି ନେଇ ଲୋକଟାର ବେକକୁ ଓରେଇ ବିଧା-ଚାପୁଡ଼ା କଷି ଦିଅନ୍ତା…..ଏକା ମୁଥକେ ତା’ ମାଣ୍ଡିବଲ୍, ମାକ୍ଜିଲା ସବୁ ଚୁନା କରି….ଚୁପ୍ କରି ଦିଅନ୍ତା ତା’ ପାଟି!
ପ୍ରକୃତି କିଛି କହିବା କିମ୍ବା କରିବା ଆଗରୁ ସୁଲଗ୍ନାର ଶାଶୂ ଲୋକଟାର ଗାଲରେ ଗୋଟିଏ ଶକ୍ତ ଚଟକଣି ଥୋଇ ତାକୁ ଟାଣି ଟାଣି ରୁମ୍ ବାହାରକୁ ନେଇଯାଇଥିଲେ, ଆଉ ବିରକ୍ତ ହୋଇ କହୁଥିଲେ, “ଝିଅଟେ ହେଲା ତ କ’ଣ ହେଲା, ବଡ଼ ହେଲେ ପାଠପଢି ଏମତିଆ ଡାକ୍ତରଟେ ହେବନି?”
ସୁଲଗ୍ନା ତଥାପି ପ୍ରକୃତିର ହାତକୁ ଜାବୁଡି ଧରିଥାଏ। ଆଉ କାନ୍ଦି କାନ୍ଦି କହୁଥାଏ, “ଏଥର ବୋଧେ ମୋତେ ଘରୁ ବାହାର କରିଦେବେ ସେ!”
ସୁଲଗ୍ନାର କାନ୍ଦ ଭିତରେ ପ୍ରକୃତିକୁ ଶୁଭି ଯାଉଥାଏ ରୁଚି ମା’ଙ୍କର ନିଜ ଝିଅ ପାଇଁ ଛାତି ଫଟା ଚିତ୍କାର…..ତା’ ଚେହେରା ଉପରେ ପହଁରୁଥିବା ଅସହାୟପଣ ଦିଶୁଥାଏ ଦୂଆରବନ୍ଧ ପାଖରେ ହାମୁଡେଇ ପଡିଥିବା ରୁଚିର ନିର୍ଜୀବ ଶରୀର…..ପ୍ରକୃତିର ମନକୁ ଘାଣ୍ଟି-ଚକଟି ପକାଉଥାଏ ଗୋଟିଏ ପ୍ରଶ୍ନ…….. କେତେ ଫରକ ଅଛି ରୁଚିର ସନ୍ଦେହଜନକ ମୃତ୍ୟୁ, ରୁଚି ମା’ର କାନ୍ଦ, ଏନ୍ ଆଇ ସି ୟୁ ରେ ଭେଣ୍ଟିଲେଟର ସପୋର୍ଟରେ ଥିବା କୁନି ଝିଅ, ତା’ ସାମନାରେ ବସିଥିବା ସୁଲଗ୍ନାର ଜୀବନ ଆଉ କନ୍ୟାଭୃଣ ହତ୍ଯା ଭିତରେ????

ଡା ଇପ୍ସିତା ପ୍ରଧାନ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *