ଅସରନ୍ତି ଧନ ଇନ୍ଦ୍ର ପଦ ମାନ
ଅଛି ବୋଲି କେହି ଭାବେ,
ଚରିତ୍ର ନଥିଲେ ଲୋକଯେ ବୋଲନ୍ତି
ମଣିଷ ନୁହେଁ ସେ କେବେ ।
କାର୍ଯ୍ୟରେ କୁଶଳ ଅପ୍ରମିତ ବଳ
ବିଚକ୍ଷଣ ବୁଦ୍ଧିମାନ,
ନୟନ ରଞ୍ଜିତ ରୂପ ରେ ଭୂଷିତ
ବିଶ୍ବାସୀ ନ ହୁଏ ଜନ ।
ଥିଲା ଏକ ଯୁବ ରୂପେ କାମ ଦେବ
ନାମ ତା’ର ବଂଶୀଧର ,
କୃଷ୍ଣକଳା ଲଭି ଭାବୁଥିଲା ହେବି
ମରତେ ଦ୍ବିଗୋପୀଚୋର ।
ଚାରୁ ଚନ୍ଦ୍ରାନନୀ ନବ ଯଉବନୀ
ଦେଖିଲେ ପଛରେ ଧାଇଁ,
ମଧୁର ବଚନ କହି ମୋହେ ମନ
ମିଛେ ବାହା ହେବି କହି ।
ଅନେକ କଳିକା ନଫୁଟୁ ଦଳିକା
ବଳାତ୍କାର କରୁଥିଲା,
ବିବାହ ନାମରେ ପ୍ରତିଶ୍ରୁତି ପରେ
କାମନା ପୂରଣ କଲା ।
ଦ୍ବି ଦିନ ଯୌବନ ଚାଲିଗଲା ଯେବେ
ବାର୍ଦ୍ଧକ୍ୟ ହେଲା ପ୍ରବେଶ,
ଗମ୍ଭୀର ରୋଗରେ ପୀଡିତ ହେବାରେ
ଡାକୁଥିଲା ପୀତବାସ ।
ନ ଥିଲେ ପାଶରେ କେହି ଜଣେ ହେଲେ
ମୁଖେ ଦେବାପାଇଁ ଜଳ,
ଜୀବନ ଯନ୍ତ୍ରଣା ସହି ଅକଳନା
ହେଲା ଡହକ ବିକଳ ।
ଭେଟିଲା ଶମନ ଗଲା ଶମଶାନ
ନଥିଲେ ଆତ୍ମୀୟ ଜଣେ,
ମୁଖାଗ୍ନି ଦିଅନ୍ତା କାନ୍ଦି କହିଥାନ୍ତା
ଉପକାର ସ୍ମରି ମନେ ।
ବହୁତ ଦୁର୍ଲଭ ମଣିଷ ଜୀବନ
ପାଇ ନଗଢେ ଚରିତ୍ର,
ମଣିଷ ସେ ହୋଇ କେଉଁ ଲାଭ ନେଇ
ପଶୁ ତୁଲ୍ୟ ସବୁ ଗୁଣ ।
ହୁଅ ସାବଧାନ ଚରିତ୍ର ଗଠନ
କରିଥାଅ ଲାଗିପାଟି,
ନାମ ରହିଯିବ ଲୋକେ ଗଣା ହେବ
ଗୋଟିଏ ସେ ଥିଲା କୋଟି ।