ଗ୍ରୀଷ୍ମ

ଦେଖୁନ ସବୁ ବର୍ଷପରି
ଏ ବର୍ଷ ଗ୍ରୀଷ୍ମ ଆସିଛି ,ବୋଉର
ହାତ ତିଆରି ନିମ କଢ଼ ଭଜା
ବାସି ଦହି ପଖାଳ ରେ ,ଆମ୍ବ କଷିଆ
ଅଦାର ସୁଆଦ ଭିତରେ ସଜେଇ
ହେଇ ଆସିଛି ଗ୍ରୀଷ୍ମ ।
କୃଷ୍ଣ ଚୁଡ଼ା , ପାଳଧୁଆ,ଫୁଲର
ସତେଜ ରଙ୍ଗରେ ଉଷୁମ ସେକ ଦେଉଛି
ଟକ୍ ମକ୍ ଫୁଟୁଥିବା ଖରା
ଫଗୁଣ ହାତ ଧରି କୋଇଲି ଫେରିଛି
ତା ନିଜ ବସାକୁ ,ଆର ବସନ୍ତ ଲାଗି
ମଧୁର ଗୀତ ଅଭ୍ୟାସ କରିବ ପରା
ରାଜ ରାସ୍ତାର କଳା ଚଉଡ଼ା ଛାତିରେ
ପ୍ରକୃତି ସଜେଇଦେଇଛି କରଞ୍ଜ ଫୁଲ ଗାଲିଚା।
ଖରାକୁ ନ ଡରି ରାଣୀ ମହୁମାଛି ଖୁସିରେ
ନାଚି ନାଚି ଗାଏ ମଧୁ ମିଶା ଗୀତ
କଥା ସେ ଦେଇଛି ,ତାକୁ ଯେ ଗଢିଛି
ଫୁଲ ସହିତ ସବୁ ସମୟେ ବସିବ ମିତ ।
ଦେଖୁନ କେମିତି ପିଚୁ ରଙ୍ଗ ଦେହ ଟାକୁ
ସକାଳୁସଞ୍ଜ ଘଷି ମାଜିହୁଏ ଆଜି ଏ
ଡହକ ତାତିରେ ଅରଣା ମଇଁଷି ପଲ
ଟିକି ଚଢ଼େଇ ର ଟିକି ହୃଦୟ ଟି
ଏଣେ ତେଣେ ଖୋଜେ ବିନ୍ଦୁଏ ଜଳ
କେମିତି ହେଉଛି ସେ ଡହଳ ବିକଳ।
ଦେଖୁନ କେମିତି ଗ୍ରୀଷ୍ମ ଆସିଛି
ସବୁଜ ପଇଡ଼ ର ମିଠା ପାଣି ସ୍ୱାଦରେ
ଗୋବର ଘଷିର ନରମ ପିଠିରେ
ବେଲ ର ଟାଣୁଆ ଖପୁରିରେ
ପଣସର ଅସଂଖ୍ୟ ଶର ବିଦ୍ଧ ଛାତିରେ
ପୁଣି ଗ୍ରୀଷ୍ମ ଆସିଛି ବଣ ମଲ୍ଲିର
ମନଖୋଲା ହସରେ ,ଝାଉଁଳି ଥିବା
ଲାଜକୁଳୀ ଲତା ର କୋମଳ ତନୁରେ
ଗ୍ରୀଷ୍ମ ଆସିଛି ଝଙ୍କା ବରଗଛର
ମନ୍ଦା ମନ୍ଦା ଛାଇ ତଳେ ଚନ୍ଦା ଭୂଇଁରେ
ବାଟୋଇର ଥକା ପଣର ଆଶ୍ଵସନା ରେ
ଲସି , ଆଇସ୍କ୍ରିମ ର ଶୀତଳ ସ୍ପର୍ଶର ଅନୁଭବରେ
ଆସିଛି ପୁଣି ତରବୁଜର ରସାଳ ସ୍ୱାଦରେ
ଗ୍ରୀଷ୍ମ ଆସିଛି ମୁଣ୍ଡ ଭିଜୁଥିବା ଅଧା ଶୁଖା
ଓଦା ଗାମୁଛାର ଠପ୍ ଠପ୍ ପାଣି ବୁନ୍ଦା ରେ
ଖୋଲା ଆକାଶ ତଳେ ଫୁଙ୍ଗୁଳା ହୋଇ
ଜୀବନ ଜୀଇଁ ଥିବା ଲୋକର ଯନ୍ତ୍ରଣା ଭାରରେ
ଗ୍ରୀଷ୍ମ ଆସିଛି କୁନି କୁନି ପିଲାଙ୍କ ସ୍କୁଲ ଵ୍ୟାଗ୍ ରେ
ସେ ପୁଣି ଆସିଛି ବୋଉ ହାତର ନୀତି ଦିନିଆତାଳ ବରଡ଼ା ବିଂଚଣା ରେ
ବାପାଙ୍କ ଝାଳୁଆ କାନ୍ଧ ଗାମୁଛାର ଝାଳ ବାସ୍ନାରେ ।

ଶଶଧର ପତି

Leave a Reply

Your email address will not be published. Required fields are marked *