ଗୋଲାପ ସୁନ୍ଦରୀ

ଗୋଟାଏ ଚାପୁଡ଼ାରେ କାହାରି ବି ଦାନ୍ତ ଭାଙ୍ଗି ଦେବାର କ୍ଷମତା ରଖୁଥିବା ତାର ବପୁବାନ ବଳିଷ୍ଠ ହାତ ଆଜି କେମିତି ଯୋଡ଼ି ହୋଇ ନେହୁରା ମୁଦ୍ରାରେ ! ତା ପୁଣି ଜଣେ କିନ୍ନର ଆଗରେ ! ତାକୁ ଏତେ ଶାନ୍ତ ଆଉ ଅସହାୟ ଆଗରୁ କେବେ……. କେହି ଦେଖି ନଥିଲେ l
ବପୁବାନ ବଳିଷ୍ଠ ପୁରୁଷଟିଏ ଦେଖିଲେ ଲୋକେ ଆଶଙ୍କା ବିଜଡିତ ହୁଅନ୍ତି ସିନା ଏଭଳି ପଡୋଶୀଟିଏ ପାଖ ରେ ଥିବାରୁ ସବୁ ଦିନ ମାଗଣା ରେ ସିନେମା ଦେଖିବାକୁ ମିଳିଯାଏ ପୁଣି ଘର ପାଖ ରେ l ରାସ୍ତା ପାଇପ ରେ ପାଣି ବୋହିବା କୁ ନେଇ ହଙ୍ଗାମା ଠାରୁ ଆରମ୍ଭ କରି ରାସ୍ତା ଅବରୋଧ, ମୁଣ୍ଡ ଫଟା ଫଟି ପ୍ରତ୍ୟେକ କାର୍ଯ୍ୟ ରେ ସେଇ ବଳିଷ୍ଠ ହାତ ଦୁଇଟି ର ସକ୍ରିୟ ଭୂମିକା ଦେଖିବାକୁ ମିଳୁଥିଲା l

ସେଦିନ ସକାଳୁ ସକାଳୁ ଛାତିରେ ହାତ ପିଟି ବୀର ଦର୍ପରେ ଚାଲୁଥିଲା ଗୁଣ୍ଡା କାରଣ ସେ ବାପା ହେଇଥିଲା ଏବଂ ତାହା ପୁଣି ପୁଅ ର ବାପା l ତା ପୁଅ ର ଭବିଷ୍ୟତ ଟି ମନେ ମନେ କଳ୍ପନା କରି କୁରୁଳି ଉଠୁଥିଲା ଗୁଣ୍ଡା l ସାଙ୍ଗ ମାନେ କହୁଥିଲେ ଦେଖ ଭାଇ ଏଥର ଜୁନିଅର ଆସି ଗଲାଣି ତୋର କାମ ଖତମ l ଚଲାଖି ଚତୁର ପିଲାଟିଏ ଆଉ କିଛି ବର୍ଷ ପରେ ନିଶ୍ଚୟ ତୋର ଧନ୍ଦା ସମ୍ଭାଳିବ ରେ ଭାଇ l ଭଲ ହେଲା ପୁଅ ହେଇଛି ତାର ନଚେତ ଝିଅ ହେଇଥିଲେ ମୁଣ୍ଡ ତଳକୁ ହେଇ ଯାଇଥାନ୍ତା ତାର ଉତ୍ତରାଧିକାରୀ ପୁଣି କିଏ ହୁଅନ୍ତା ? ପିଲା ଦିନୁ ହିଁ ପୁଅ କୁ ଗୁଣ୍ଡା ଗର୍ଦ୍ଦି ଶିଖାଇଲେ ହିଁ ବଡ଼ ହେଲେ ବାପା ର ପଦାଙ୍କ ଅନୁସରଣ କରିବ l ପୁଅ ଧୀରେ ଧୀରେ ବଡ଼ ହେଉଥିଲା ଏବଂ ଗୁଣ୍ଡା ର କାର୍ଯ୍ୟ କଳାପ ମଧ୍ୟ ଦ୍ବିଗୁଣିତ ଉତ୍ସାହ ରେ ଦିନକୁ ଦିନ ବଢ଼ି ଚାଲୁଥିଲା l

ଦିନେ ହଠାତ ତା ମାଆ ର ମୁଣ୍ଡ ରେ କଥାଟିଏ ଢୁକିଲା ଯେ ପୁଅଟି ବଡ଼ ହେଲେ- ଯେମିତି ବାପାର ସେମିତି ପୁଅ ହେବାଟା ଅସମ୍ଭବ ନୁହେଁ l ଢ଼େର ହେଲା ଗୁଣ୍ଡା ଗର୍ଦ୍ଦି ମରା ମରି ଏଥର ଭିନ୍ନ ରାସ୍ତା ଦେଖିବାକୁ ହେବ l ପୁଅକୁ ଆଉ ଦଶ ଜଣ ବଡ଼ ବଡ଼ିଆଙ୍କ ସାଙ୍ଗେ ସମତୁଲ କରିବାକୁ ହେବ l ତା ପୁଅକୁ ଅକ୍ଷର ଶିଖେଇଲା ପାଠ ପଢ଼େଇଲା ଏବଂ ଏକ ପରେ ଦୁଇ ପୁଣି ତିନି ଚାରି କରି ଉପର କ୍ଲାସ ମାନଙ୍କୁ ଉଠିବାକୁ ଲାଗିଲା ପୁଅ l

ଥରେ ଭଉଣୀ ଘର କୁ ଯିବାକୁ ବାହାରିଲା ଗୁଣ୍ଡା ର ପତ୍ନୀ ରୁଲି l ଭଉଣୀ ର ଝିଅ ବାହାଘର ତେଣୁ ମା ପୁଅ ଦୁହେଁ ବାହାରିଲେ କାରଣ ଗୁଣ୍ଡା ର ଏସବୁ କାର୍ଯ୍ୟ ରେ କିଛି ଭୂମିକା ନଥାଏ ତେଣୁ ସିଏ ତାର ବସ୍ତି ଛାଡି କେଉଁଆଡେ ଯାଏ ନାହିଁ l ହଁ କୋଉଠି ହାତାହାତି ହେଲେ ଯିବା କଥା ସିନା ନଚେତ ବସ୍ତି ର ଅନ୍ୟ ମାନେ ହିଁ ତା ପାଇଁ ରୋଜଗାର ର ବନ୍ଦୋବସ୍ତ କରି ଦିଅନ୍ତି l ବଡ଼ ବଡ଼ ମାଲଦାର ପାର୍ଟି ମାନଙ୍କର ଗୁରୁ ପାଖରେ କାମ ପଡ଼େ ଏବଂ ଗୋଟେ କାମ କରିଦେଲେ ମାଲାମାଲ l ଛଅ ମାସ ଯାଏଁ ଚିନ୍ତା ନାହିଁ l ସୁତରାଂ ବାହୁବଳ ରେ ବିଶ୍ୱାସ ରଖିଥିବା ଗୁଣ୍ଡା କୌଣସି ଉତ୍ସବ କିମ୍ବା ପର୍ବ ପର୍ବାଣି ଇତ୍ୟାଦି କୁ ପସନ୍ଦ କରେନାହିଁ l ତାର ଅବା କି କାମ ସେଠାରେ ? ଏ ସବୁ ନିପାରିଲା ଲୋକ ମାନଙ୍କ କାମ l

ରୁଲି ପୁଅ କୁ ନେଇ ଗଲା ପୁରା ଚାରି ଦିନ ପାଇଁ l ବାହା ଘର ଲାଗି ତା ଭଉଣୀ ରୁଲି ପାଇଁ ଶାଢ଼ୀ ଏବଂ ଏବଂ ତା ପୁଅ ପାଇଁ ନୂଆ ସାର୍ଟ ପ୍ୟାଣ୍ଟ କରି ଦେଇଛି l ପୁଅକୁ ନୂଆ ପିନ୍ଧି ବେଦୀ ନିକଟ କୁ ଆସିବା ପାଇଁ କହି ରୁଲି ନୂଆ ଶାଢ଼ୀ ପିନ୍ଧି ପ୍ରାୟ ପଚାଶ ଗୋଟି ବାଗରେ ଦର୍ପଣ ସାମ୍ନା ରେ ପୋଜ ମାରି ସାରି ବେଦୀ ପାଖ ରେ ଆସି ପୁଅ କୁ ଜଗି ବସିଛି ଯେ ବସିଛି ତାର ଦେଖା ନାହିଁ l ଅନେକ ସମୟ ପରେ ବାହାଘର ର ବିଧି ବିଧାନ ଆରମ୍ଭ ହୋଇଯିବା ପରେ ମଧ୍ୟ ସିଏ ନ ଆସିବାରୁ ନିଜେ ଯାଇ ଦେଖେ ତ…. ପୁଅ ମାଉସୀ ର ସାନ ଝିଅ ପିନ୍ଧୁଥିବା ଫ୍ରକଟିଏ ପିନ୍ଧି ଦର୍ପଣ ଆଗରେ ଏକଡ଼ ସେକଡ଼
ହେଉଛି l

—ଗୋଲୁ ତୋତେ କେତେ ଥର କହିବି ଶୀଘ୍ର ଆସିବା ପାଇଁ ? ଯା ତୋର ନୂଆ ଡ୍ରେସ ପିନ୍ଧି କରି ଆସି ଯା l ଏଇଟା ଝିଅ ପିଲାଙ୍କର ଡ୍ରେସ କଣ ପିନ୍ଧିଛୁ ରେ ? ଯା…ଯା…l

ସେଦିନ ସିନା ଗୋଲୁ ଫ୍ରକଟି ଓଲ୍ହାଇ ଦେଇ ଚାଲି ଆସିଲା କିନ୍ତୁ ଏହା ପରେ ଅନେକ ଥର ସେ ତା ମାଆ ର ଲିପିସ୍ଟିକ କଜଳ ପାଉଡର ଲୁଚାଇ ଲୁଚାଇ ଲଗାଉ ଥିବା କଥା ତା ମାଆ ଦେଖିଥିବ l ହ ପିଲାଟା ତ କଣ ଗୋଟେ ଭଲ ଲାଗିଲା କରୁଛି କରୁ l କିନ୍ତୁ ବୟସ ବଢିବା ସାଙ୍ଗେ ସାଙ୍ଗେ ଏଇ ସବୁ ଲକ୍ଷଣ ଗୁଡିକ ବଢ଼ିବାକୁ ଲାଗିଲା l ଦିନେ ଦିନେ ତା ମାଆ ର ଶାଢ଼ୀ ଗୁଡ଼େଇ ବାଥରୁମ ରେ ଘଣ୍ଟାଏ ରହିବ ତ କୋଉ ଦିନ ମାଆ ର କ୍ରିମ ପାଉଡର କୁ ନେଇ ମୁହଁ ରେ ବହଳେ ମାଖି ବୁଲୁ ଥିବ l ଗୋଲୁ ବୁଝି ପାରେନି ଏ କଥା କୁ ମାଆ କାହିଁକି ବାପାଙ୍କ ଠାରୁ ଲୁଚେଇ ରଖୁଛି l ସିଏ ତ କିଛି ଖରାପ କରୁନାହିଁ କିମ୍ବା କାହାର କ୍ଷତି କରୁନାହିଁ ? ହଁ ତାକୁ ମାଆ ମାଉସୀ ମାନଙ୍କ ର ବ୍ୟବହୃତ ଜିନିଷ ସବୁ ଭଲ ଲାଗେ କିନ୍ତୁ ବାପା ର ବ୍ୟବହୃତ କୌଣସି ସାମଗ୍ରୀ ପସନ୍ଦ ହୁଏନାହିଁ ତ ସେ କଣ କରିବ ?

ଧୀରେ ଧୀରେ ଗୁଣ୍ଡା ଏଇ ସବୁ ଜାଣି ପାରିଲା ଏବଂ ଗୋଲୁ କୁ ଆଣି ପାଖରେ ବସାଇ ବୁଝାଇବା ଭଳି ଜୀବନ ରେ ପ୍ରଥମ ଥର ପାଇଁ କିଛି ଗୋଟେ ଭଲ କାମ କଲା l ନହେଲେ ଗୋଲୁ ର ମାଆ ତ ଭାବୁଥିଲା ଯେ ଆଜି ସବୁ ଶେଷ ହେଇଯିବ କାଲି ପାଇଁ ଆଉ କିଛି ବାକି ନଥିବ l ବାପା ର ବାହୁ ତଳେ ସବୁଦିନ ପାଇଁ ପୁଅ ର ମୁହଁ ଟି ଚେପା ହୋଇ ଶେଷ ହେଇ ଯିବ ବୋଲି l ଗୋଲୁ ସବୁ ବୁଝିଲା ଭଳି ବାପା ସାମ୍ନା ରେ ହଁ ମାରିଲା ଏବଂ ପର ଦିନ ପୁଣି ସେଇ କଥା l ବାପା ସାଙ୍ଗେ ଏଭଳି ଲୁଚକାଳି ଖେଳ ଚାଲିଥିଲା ଏବଂ ବାପା ବି ଭାବୁଥିଲା ସବୁ କିଛି ଠିକ ଚାଲିଛି ହେଲେ ମା ତାର ସବୁ ଜାଣୁଥିଲା ଅଡୁଆ କୋଉଠି ଅଛି l

ପୁଅ ହାତ ରେ ସମ୍ପୂର୍ଣ୍ଣ ରୂପେ ନିଜର ଧନ୍ଦା ଟି ଧରାଇ ନିଜେ ଆରାମ କରିବାକୁ ଚାହୁଁଥିବା ଗୁଣ୍ଡା ର ଆଖି ରେ ଗୋଲୁ କଣ୍ଟାଟିଏ ଭଳି ଫୁଟି ରହିଥିଲା l ଦିନେ ଗୋଲୁ ନିଜ ନାଁ ଗୋଲୁ କୁ ବଦଳାଇ ଗୋଲାପ କରିବା ପାଇଁ ମାଆ ସାଙ୍ଗେ ଜିଦ ଲଗାଇବା ଶୁଣି ଗୁଣ୍ଡା ର ନିର୍ଘାତିଆ ମାଡ଼ ରେ ପୁଅ ଟା ସେଇ ଦିନ ହିଁ ଘର ଛାଡି କାହିଁ କୁଆଡେ ଚାଲି ଯାଇଥିଲା ଯାହାର ଠିକଣା ଗୁଣ୍ଡା ନିକଟ ରେ ନଥିଲା l ରୁଲି ବି ବାହୁନିବାରେ କିମ୍ଵା ଗୋଲୁ କୁ ଖୋଜି ବୁଲିବାରେ ତିଳେ ହେଁ କାର୍ପଣ୍ୟ ଦେଖାଇ ନଥିଲା l ସମୟ ବିତିବା ସଙ୍ଗେ ସଙ୍ଗେ ଗୋଲୁ ର ଆନ୍ତର୍ଧ୍ୟାନ ବାପା ଉପରେ ଯେ ପ୍ରଭାବ ପକାଉ ନଥିଲା ତାହା ନୁହେଁ ବରଂ ତାହାର ଉତ୍ତରାଧିକାରୀ କେହି ନଥିବା ଯୋଗୁଁ ସେ ବେଶୀ ବେଶୀ ଉତ୍ତେଜିତ ହେବାରେ ଲାଗିଥିଲା l ଉତ୍ତେଜନା ସହିତ ମଦ୍ୟ ପାନ ମିଶି ଯିବାରୁ ଗୁଣ୍ଡା ଧୀରେ ଧୀରେ ଭୁଷୁଡ଼ି ପଡୁଥିଲା l ବାର ବର୍ଷ ର ଗୋଲୁ ଘର ଛାଡିବାର ଦଶ ବର୍ଷ ବିତି ଯାଇଥିଲେ ହେଁ ଗୁଣ୍ଡା ତାର ଭାଙ୍ଗି ଯାଇଥିବା ସ୍ବପ୍ନ କୁ ଅଦ୍ୟାବଧି ଭୁଲି ପାରୁ ନଥିଲା l ଶରୀର ସହିତ ମନ ଟି ମଧ୍ୟ ଭୁଷୁଡ଼ିବାରେ ଲାଗିଥିଲା ତାର l ଦି ପାଦ ଚାଲିବା ପାଇଁ ଗୋଟେ ଯୁଗ ର ସଂଘର୍ଷ କରିବାକୁ ହେଉଥିଲା ତାକୁ l ରୁଲି କିନ୍ତୁ ସ୍ୱାମୀ ର ସେବା ରେ କେବେ ଅବହେଳା କରିନାହିଁ l ଏଣେ ପୁଅ ପାଇଁ ଅପେକ୍ଷା ତେଣେ ସ୍ୱାମୀ ର କ୍ଷଣ ଭଙ୍ଗୁର ଅବସ୍ଥା l ଦୁଇ ନାଆ ରେ ଗୋଡ଼ ଦେଇ ଚାଲୁ ଥିଲା ରୁଲି l

ଅଳ୍ପ ଦିନ ତଳେ ଘଟି ଯାଇଥିବା ଗୋଟେ ଗଣ୍ଡଗୋଳ ର ଫଇସଲା ହୋଇ ଯେଉଁଦିନ ଗୁଣ୍ଡା କୁ ଜେଲ ଦଣ୍ଡ ମିଳିଥିଲା ସେଇ ଦିନ ହିଁ ସିଏ ଜେଲର ଙ୍କ ର ଗୋଡ଼ ଧରି ପକାଇଥିଲା ଏବଂ ଆଖି ଆଖି ରେ ହିଁ କହିବାକୁ ଚାହୁଁଥିଲା ଯେ ସିଏ କୋର୍ଟ କଚେରୀ ଓ ଜେଲ କୁ କେବେ ଡ଼ରୁ ନଥିଲେ ସୁଦ୍ଧା ବର୍ତ୍ତମାନ ଭଗ୍ନ ସ୍ୱାସ୍ଥ୍ୟ ଯୋଗୁଁ ସେ ଜେଲ ରେ ରହି ପାରିବ ନାହିଁ l ପ୍ରଥମ ଥର ପାଇଁ ଗୁଣ୍ଡା ର ଆଖିରେ ଆଉ କାହା ଆଖି କୁ ସାମ୍ନା କରି ପାରିବା ଭଳି ସାହାସ ନଥିଲା ଏବଂ ତଳ ମୁହାଁ ହୋଇ ଥିଲା ଆଖି ଦୁଇଟି l ପ୍ରଥମ ଥର ପାଇଁ ଜେଲର ଜଣକ ଆଖିରେ ପୁଳାଏ ବିଶ୍ୱାସ ନେଇ ଚାହିଁ ରହିଥିଲେ ତାକୁ l ରୁଲି ଯାଇ କୁଣ୍ଢେଇ ପକେଇ ଥିଲା ଜେଲରଙ୍କୁ l

—ଆମ ଗୋଲୁ !

ଅବିଶ୍ୱାସ ର ଆଖିରେ ଗୁଣ୍ଡା ଦେଖୁଥିଲା ଜେଲରଙ୍କୁ l କାହିଁ ସେଇ ଗୋଲୁ ଯିଏ କି ଝିଅ ପିଲାଙ୍କ ପରି ସଜବାଜ ହୋଇ ଦର୍ପଣ ସାମ୍ନା ରେ ବସୁଥିଲା ଆଉ କାହିଁ ଏଇ ଜେଲର ?

—ଇଏତ ସିଏ ନୁହେଁ ?

ଗୁଣ୍ଡା ପଚାରିଲା ରୁଲି କୁ ଯାହାର ଉତ୍ତର ରେ ରୁଲି କେବଳ ଏତିକି କହିଥିଲା-

—ତାକୁ ଯଦି ସେଭଳି ଦେଖେଇ ନଥାନ୍ତି ସିଏ ଏଭଳି ନ ହୋଇ ଗୁଣ୍ଡା ଗୋଲୁ ହୋଇଥାନ୍ତା l ତେଣୁ ଗୁଣ୍ଡା ଗୋଲୁ ନ କରିବା ପାଇଁ ତାକୁ କିଛି ଦିନ ତୁମ ସାମ୍ନା ରେ ଗୋଲାପ ରେ ପରିଣତ କରି ନିର୍ବାସନ ଦଣ୍ଡ ଦେବାକୁ ହୋଇଥିଲା l

               —ସମାପ୍ତ —

ପଦ୍ମାଳୟା ପାଢ଼ୀ
ବ୍ରହ୍ମପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *