ଗୃହିଣୀ


ପ୍ରେମ ର ରଙ୍ଗ ଯେ ଏତେ ଗାଢ଼ ଏବଂ ପ୍ରେମ ସିଧା ଆତ୍ମା କୁ ସ୍ପର୍ଶ କରେ ବୋଲି ଜାଣି ନଥିବା ଟିକିନା ସେଦିନ ରତ୍ନାକର ଓରଫ ରନି ସହିତ ପ୍ରଥମ ଦେଖାରେ ଦୁଇ ତିନି କଚଡ଼ା ଖାଇ ଖଣ୍ଡିଆ ଖାବରା ହେଲା ପରେ ଯାଇ ପ୍ରେମ ର ଶୀତଳ ମଧୁର ଅନୁଭବ ର ଟେର ପାଇଥିଲା l ସେଦିନ ଠାକୁର ପୂଜା ପାଇଁ ବୋଉ ଫୁଲ ଆଣିବାକୁ ପଠାଇ ଥିଲା ତାକୁ l ସାନ ଭଉଣୀ ନିକି ତ ପୁସ୍ତକ କୀଟ ତେଣୁ ଫୁଲ ପାଇଁ ଟିକି କୁ ହିଁ ଯିବାକୁ ପଡେ l

ପାଖରେ ନୂଆ ଖୋଲିଥିବା ଜୁନିଅର କଲେଜ ର ଗାର୍ଡେନ ରୁ ଅତି ଯତ୍ନ ରେ ଫୁଲ କେତୋଟି ତୋଳି ଆଣି ଜରିରେ ରଖି ସାରି ଫେରୁ ଫେରୁ ପବନଠୁ ବି ଦ୍ରୁତ ଗତିରେ ମାଡି ଆସୁଥିବା ଗୋଟେ ବାଇକ ର ମୁହାଁମୁହିଁ ହୋଇ ସାଇଡ ହେଲା ବେଳକୁ ଗୋଡ଼ ମୋଡି ହୋଇ ପଡି ଯାଇଥିଲା ସେ l

–ତୋ ଆଖି ଦୁଇଟା ମୁଣ୍ଡ ପଛରେ ଖଞ୍ଜିଛୁ କି ଲୋ ? ରାସ୍ତା ଦିଶୁନି ତୋତେ ? ବାଇକ ରେ ଆସୁଥିବା ରନି ର କଥା ଶୁଣି ଗୋଡ଼ ମକଚି ହେବାର କଷ୍ଟ ଭୁଲି ଯାଇ ହସି ପକାଇଥିଲା ସେ l ଏମିତି ଅଜବ ପ୍ରଶ୍ନ କିଏ ପଚାରେ ଭଲା ? ଆଖି କଣ ଖଞ୍ଜିବା ଜିନିଷ ନା ତାକୁ ହାତରେ ଖଞ୍ଜା ଯାଏ ? ପାଗଳ !! ଅଠର ବର୍ଷ ର ଟିକି କୁ ତା ପରେ ଆହୁରି ଅନେକ ଥର ସୁଯୋଗ ମିଳିଥିଲା ରନି ସହିତ ସାମ୍ନା ସାମନି ହେବାପାଇଁ ଯଦ୍ଦ୍ୱାରା ଟିକି ଧୀରେ ଧୀରେ ସହଜ ହୋଇ ଯାଉଥିଲା ରନି ସାଙ୍ଗେ l

ପାଠ ହେଲାନି ବୋଲି ନବମ ଶ୍ରେଣୀ ରେ ଫେଲ ହୋଇ ଘରେ ଅଛି ନହେଲେ ସେ ବି ଆଜି ରନି ପରି କଲେଜ ରେ ପଢ଼ୁଥାନ୍ତା l ହେଲେ ସାନ ଭଉଣୀ ନିକି ଲାଗି ପଡିଛି ଭଲ ପଢ଼ିଲେ ଡକ୍ଟର ହେବ ବୋଲି ଏବଂ ବାପାଙ୍କର ବି ତାକୁ ନେଇ ଅନେକ ସ୍ବପ୍ନ l ଟିକି ପାଇଁ ଘରେ ସମସ୍ତଙ୍କ ମନ ଖରାପ l ଟିକି ଯଦି ଟିକିଏ ଭଲ ପଢ଼ିଥାନ୍ତା ତେବେ କୋଉଠି କଣ ହେଲେ କରିଥାନ୍ତା l କିନ୍ତୁ ବୋଉ କହେ l

–ମୋ ଟିକିର ପାଠ ହେଲାନାହିଁ ବୋଲି ସମସ୍ତେ କହୁଛ ସିନା କିନ୍ତୁ ସେ ଭଲ ଗୃହିଣୀଟିଏ ହେବ ଦେଖିବ ରୁହ l
ପ୍ରବଳ ହସିଥିଲା ଟିକି ସେଦିନ l ବୋଉ ର ବୁଦ୍ଧି ବୋଲି କିଛି ନାହିଁ l ଗୃହିଣୀ ହେବା ସହିତ ପାଠ ପଢ଼ା କୁ କେବେ ତୁଳନା କରାଯାଏ କି l ବେଳେ ବେଳେ ହସମାଡ଼େ ତାକୁ l ସେ ପୁଣି ଗୃହିଣୀ ହେବ l ହେଲେ ଯେବେଠାରୁ ରନି ସହିତ ଦେଖା ହେଲା ସେବେଠୁ ଆଉ ଗୃହିଣୀ ହେବା କଥା ଭାବିଲେ ହସ ଲାଗେନାହିଁ l ସେ ହେବ ସତ ସତିକା ରନି ର ଗୃହିଣୀ l ରନି ର ଘର ସମ୍ଭାଳିବ ସେ l ଦିନେ କହିଥିଲା ରନି କୁ l

–ଜାଣୁ ବାହାହେଲା ପରେ ମୁଁ ଗୃହିଣୀ ହେବି l ଉତ୍ତର ରେ ରନି କହିଥିଲା
–ହଁ ଆଉ କାହାକୁ ବାହା ହେଲେ ଯାଇ ହେବୁ l ମୋ ସହିତ ତୋର ଏ ଜନ୍ମ ରେ ମିଳନ ହେବା ସମ୍ଭବ ନୁହଁ l
–ଏମିତି କାହିଁକି କହୁଛୁ ରନି ? ତୁ କଣ ମୋତେ ଭଲ ପାଉନୁ ?
–ମୋ କଥା ଛାଡ଼ ତୋ ଘର ଲୋକ ଅଲଗା ଜାତିରେ କଦାପି ତୋତେ ବାହା ଦେବାକୁ ରାଜି ହେବେ ନାହିଁ l
–କିନ୍ତୁ ତୋତେ ଛାଡି ମୁଁ ରହି ପାରିବି ନାହିଁ ରେ l
–ହେଲେ ଗୋଟିଏ ଉପାୟ ଅଛି l ଚାଲ କାହାକୁ କିଛି ନକହି ଏଠାରୁ କୁଆଡେ ଚାଲିଯିବା l
–ଘର ଲୋକଙ୍କୁ ନକହି…କୁଆଡେ ଯିବା…. କୋଉଠି ରହିବା…..ଖାଇବା କଣ….କେମିତି…ହେବ ?
–ତୁ ଏବେଠାରୁ ମୋତେ ଗୃହିଣୀ ପରି ପ୍ରଶ୍ନ କଲୁଣି l ସେ କଥା ମୋ ଉପରେ ଛାଡିଦେ l ତୁ ମୋ ସହିତ ଯିବୁ ଯଦି ଚାଲ ନହେଲେ ମୁଁ ଚାଲିଲି l ମୋତେ ବି ଭଲ ଚାକିରୀ ଅଫର ଆସିଛି l ସେଇଠି ସହରୀ ଝିଅକୁ ବାହା ହୋଇ ରହିଯିବି
ମୁଁ l
–ତୋ କଥାରେ ମୁଁ ରାଜି ଅଛି ରେ l ତୁ ଯୋଉଦିନ କହିବୁ…l

ସେଇଠୁ ଠିକ ହେଲା ଯେ ଆଜି ହେଲା ବୁଧବାର ଆସନ୍ତା ଶନିବାର ଦିନ ସକାଳୁ ସକାଳୁ କଲେଜ ଯିବ କହି ରନି ଓ ଫୁଲ ଆଣିବାକୁ କହି ଟିକି ଉଭୟେ ବାହାରିଯିବେ l ଗାଁ ଠୁ ତିନି ଶହ କିଲୋମିଟର ଦୂରରେ ରନି ର ମାଉସୀ ରହୁଛି l ରନି ଓ ଟିକି ଆଗ ବାହା ହେବେ ତା ପରେ ତାଙ୍କ ଘରେ ଯାଇ ରହିବେ l

ବୁଧବାର ଠୁ ଶନିବାର ସତେ ଯେମିତି କେତେ ଦିନ ନୁହେଁ ବରଂ କେତୋଟି ଯୁଗ l ଶନିବାର କେବେ ଆସିବ କେଜାଣି !! ବୁଧବାର ଓ ଶନିବାର ମଧ୍ୟରେ ଗୁରୁ ଓ ଶୁକ୍ର କାହିଁକି ରହିଲା ଯେ ! ବୁଧବାର ପରେ ଶନିବାର ଆସିଥିଲେ ହେଇ ନଥାନ୍ତା ? ତେବେ ସେ ଯାହା ହେଉ ମଝି ଦୁଇଦିନ ଟିକି ଆଉ ଫୁଲ ଆଣିବାକୁ ଯାଇନାହିଁ l ସେ ତ ଏକାବେଳେ ଯାଇ ରନି ର ଘରେ ଗୃହିଣୀ ହେବ ଏବଂ ଠାକୁରଙ୍କୁ ପୂଜା କରି ଆଶିଷ ମାଗିବ l

ଚାହୁଁ ଚାହୁଁ ଶୁକ୍ରବାର ଆସିଗଲା l କାଲି ସକାଳୁ ସେ ଧୀରେ ଖସି ଚାଲିଯିବ ରନି ସହିତ l ସେମାନେ ଯାଇ ନୂଆ ସହର ରେ ନୂଆ ଜୀବନ ଆରମ୍ଭ କରିବେ l ରାତିରେ ବୋଉ ପାଖରେ ଶୋଇଲା ଟିକି l ଏପଟେ ଟିକି ସେପଟେ ସାନ ଭଉଣୀ ନିକି l ସାନ ଭଉଣୀ ଏତେଟା ବୋଉ ଉପରେ ନିର୍ଭରଶୀଳ ନୁହଁ କାରଣ ସେ ଡାକ୍ତରୀ ପଢିବ କୋଉଠି ଯାଇ ହଷ୍ଟେଲ ରେ ରହିବାକୁ ପଡିବ ତେଣୁ ଆଜିଠାରୁ ନିଜ କାମ ନିଜେ କରିଥାଏ l ହେଲେ ଟିକି ତ ଟିକେ ଟିକେ କଥାରେ ବୋଉ ବୋଉ ବୋଉ l ଶୀତ ଦିନ ଆସିଲେ ବୋଉ ପ୍ରାୟ ରାତିରେ ଶୁଏନାହିଁ କହିଲେ ଚଳେ l ରାତି ସାରା ଟିକି ର ଦେହରୁ ଚାଦର ଖସୁଥାଏ ଓ ବୋଉ ଉଠି ଘୋଡାଇ ଦେଉଥାଏ l

ଶୁକ୍ରବାର ଦିନ ସାରା ବୋଉ ପଛରେ ଟିକି l ଦେ ବୋଉ ମୁଁ ମସଲା ଟା ବାଟିଦିଏ ଦେ ମୁଁ ଭାତ ଗାଳିଦେବି ପରିବା ଟା ମୁଁ କାଟିଦେଉଛି ଏମିତି ଅନେକ କାମ ଟିକି ସେଦିନ ଉପରେ ପଡି କରୁଥାଏ l ବୋଉ କହିଲା l

–ମୁଁ ଜାଣେ ପରା ମୋ ଟିକି ହିଁ ମୋର ଦୁଃଖ ବୁଝିବ ! ନିକି ଟା କି ପାଠ ପଢୁଛି କେଜାଣି କୁଟା ଖଣ୍ଡେ ବି ଦିଖଣ୍ଡ କରୁନି l ତୁ ଯାଇ ବସ l ବାହା ହେଇ ଗଲା ପରେ ତ ଚାହିଁଲେ ବି ବିଶ୍ରାମ ମିଳିବ ନାହିଁ ତୋତେ l ଏବେ ତୋ ବୋଉ ବଞ୍ଚିଛି ଲୋ ମା l ତୁ ଏସବୁ ରେ ଘାଣ୍ଟି ନହୋଇ ଆରାମ କରିବୁ ଯା l

ଟିକି ର ଛାତି ଭିତରଟା କୋରି ହୋଇ ଯାଇଥିଲା l ଏବେ ସିନା ସେ କିଛି କିଛି ସାହାଯ୍ୟ କରି ଦେଉଛି ହେଲେ ସେ ଗଲା ପରେ ବୋଉ ଜଣେ ଲୋକ ଏତେ କାମ କେମିତି କରିବ l ହେ ପ୍ରଭୁ.. ମୋ ବୋଉକୁ ଆହୁରି ବଳ ଦିଅ ଆଉରି ଶକ୍ତିଶାଳୀ କରିଦିଅ l ତାକୁ ସାହାରା ହେଇଥାଅ ପ୍ରଭୁ l

ରାତିରେ ବୋଉ ଆସି ଠିକ ଠାକ ଘୋଡାଇ ହୋଇଥିବା ଚାଦର ଟି ଟାଣି ଦେଇ ଆଉଥରେ ସଜାଡି ଦେଲା l ବୋଉ କୁ ଟିକେ ସର୍ଦ୍ଦି ଧରିଛି l ସବୁଦିନ ଟିକି ଓ ନିକି କୁ ଗରମ ପାଣି ଦେଇ ନିଜେ ସମୟ ଅଭାବରୁ ଥଣ୍ଡା ପାଣିରେ ଗାଧୋଇ ଥାଏ l ସର୍ଦ୍ଦି ସାଙ୍ଗକୁ କାଶ ବି ହେଉଛି l ଟିକି କୁ ଘୋଡାଇ ଦେଇ ବୋଉ ହାଲିଆ ହୋଇ ଏତେ ଥଣ୍ଡା ରେ ବି ଘୋଡ଼ି ନହୋଇ ଶୋଇ ଗଲା l ସର୍ଦ୍ଦି ପାଇଁ ନାକ ରୁନ୍ଧି ସୁତରାଂ ବୋଉ ପାଟି ବାଟେ ନିଶ୍ୱାସ ନେଉଛି ଯେ ସଁ ସଁ ଶୁଭୁଛି l

ଟିକି ଅତି ସନ୍ତର୍ପଣ ରେ ନେଇ ଚାଦରଟିକୁ ବୋଉ ଉପରେ ଘୋଡାଇ ଦେଲା l ମୁଁ ଚାଲିଗଲେ କାଲିଠୁ ମୋ ବୋଉକୁ କିଏ ଘୋଡାଇଦେବ ଲୋ ? ବୋଉ ତ ନିଜର ଯତ୍ନ କେବେ ବି ନିଏ ନାହିଁ l ସମସ୍ତଙ୍କ ଆଗରେ କହେ ବୁଢ଼ୀ ହେଲେ ମୋ ଟିକି ହିଁ ମୋର ସାହାରା ହେବ l ନିକି ର ଓଷଦ ମୁଁ ଖାଇବି ନାହିଁ l ଟିକି ହେଉଛି ବୋଉ ର ପ୍ରାଣ, ବାପାଙ୍କ ମର୍ଯ୍ୟାଦା ଏବଂ ଏ ଘର ର ପ୍ରଥମ ସନ୍ତାନ l ଟିକି ଚାଲିଗଲେ ବାପା ବୋଉ ବଞ୍ଚି ଥାଉ ଥାଉ ମରିଯିବେ ପୁଣି ରନି ର କି ଭରସା ଯଦି ମଝି ଦରିଆରେ ନେଇ ଛାଡିଦିଏ….. l

ଜେଜୀ ନାତିଟିଏ ଚାହିଁବାରୁ ହିଁ ଏ ଘର କୁ ଦ୍ଵିତୀୟ ସନ୍ତାନ ଆସିଲା ପୁଣି ନାତି ନହୋଇ ନାତୁଣୀଟିଏ ହେଲା l ନହେଲେ ନିକି କୋଉଠୁ ଅସିଥାନ୍ତା ଯେ l ହଉ ମୋ ବାପା ବୋଉଙ୍କର ଆଉ କେହି ନାହିଁ ତାଙ୍କୁ ଗୋଟେ ଡାକ୍ତର ମିଳୁ l

ନିକି ତ ଡାକ୍ତର ହେବ l ଯାହା ବି ହେବ କିନ୍ତୁ ବୋଉ ବାପାଙ୍କ ର ଦୁଃଖ ବୁଝିବ l ହେଲେ ସେ ବଡ଼ ଝିଅ ହୋଇ ଏଇଆ କଲା ? ତାର କଣ କର୍ତ୍ତବ୍ୟ କିଛି ନଥିଲା କି ? ଆହାଃ ! ବୋଉ ର ଟିକି ଉପରେ ଅଗାଧ ବିଶ୍ୱାସ l ଆଖି ବୁଜି ସେ ଟିକି ର ପ୍ରତ୍ୟେକ କଥାକୁ ବିଶ୍ୱାସ କରେ l କେତେ ଆଶା ବୁଢ଼ୀ ହେଲେ ଟିକି ପାଖରେ ଯାଇ ରହିବ ବୋଲି ହେଲେ ସେ ଝିଅ ହୋଇ ଏଡେ ଅମଣିଷ କେମିତି ହୋଇଗଲା ? ନିଜ ଜନ୍ମଦାତ୍ରୀ କୁ ପର କରିଦେଇ ଗୋଟେ ପର ଲୋକ କୁ ବିଶ୍ୱାସ କରି ତା ସାଙ୍ଗେ ଘର ଛାଡି ଯିବାକୁ ବସିଲା ? ବାପା ବୋଉ ହୁଏତ କ୍ଷମା କରିଦେବେ ହେଲେ ଭଗବାନ ତାକୁ ମାଫ କରିବେ ତ ?

ତହିଁ ପରଦିନ ବସ ଷ୍ଟପ ରେ ପଇଁଚାଳିଶ ମିନିଟ ଅପେକ୍ଷା କଲା ପରେ ଟିକି ନଆସିବାରୁ ଯେତେବେଳେ ରନି ତାକୁ ଫୋନ ଲଗାଇଲା ସେତେବେଳ କୁ ରନି ର ନମ୍ବର ଟି ବ୍ଲକ ହୋଇ ସାରିଥିଲା l

              --- ସମାପ୍ତ -

ପଦ୍ମାଳୟା ପାଢ଼ୀ
ବ୍ରହ୍ମପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *