ଗାଆଁ ର ମହକ

ଚାଉଦିଗେ ତା’ର ସବୁଜ କିଆରୀ
ପାଚିଲା ଫସଲ ହସ ,
ଦୂର ପାଟ ବିଲେ ଖଜୁରୀ ତାଳ ର
ଶୋଭା ତ କରେ ବିବସ ।।
ତା ଆଗ ପଟକୁ ଅଙ୍କା ବଙ୍କା ନଈ
କାଚ କେନ୍ଦୁ ପାଣି ଧାର ,
କୁଳୁକୁଳୁ ସୁରେ ଗୀତ ଗାଇ ଧାଏଁ
ସତେ କି ରୂପେଲି ଗାର ।।
ଗାଈଆଳ ଟୋକା ବଇଁଶୀ ଶବଦ
ଗୋଠ ଆମ୍ବ ତୋଟା ତଳେ,
ବାହୁଡନ୍ତି ଗୋରୁ ଗାଆଁ ଦାଣ୍ଡେ ଧୂଳି
ନୂଆଁଣିଆ ସଂଜ ବେଳେ ।।
ଗାଆଁ ମଝି ଠିଆ ମନ୍ଦିର ଦୁଇଟା
ଜଗନ୍ନାଥ ବଡଦିଅଁ ,
ଠାକୁରାଣୀଙ୍କର ଆଶୀଷ ମିଳଇ
ସିନ୍ଦୂର ବେଳା ଯେ ମୁହଁ ।।
ପୋଖରୀ ପାଣିରେ କଇଁ ଫୁଲ ହସେ
ଆକାଶ ଦେଖଇ ଛବି,
ଗାଧୁଆ ବେଳର ପାଣିଖେଳ ଛାଟ
କେତେ ମଜା ଅନୁଭବି ??
ପାଖ ଗାଆଁ ଝିଅ ଆମ ଗାଆଁ ଆସେ
ଲମ୍ବ ଓଢଣାଟେ ଟାଣି ,
ଭୁଆଶୁଣି ହୋଇ ତୁଠେ ପାଦ ମାଜେ
ହଲାଇ ତା’ ଯୋଡା ବେଣୀ ।।
ସହରେ ରହିକି ସ୍ମୃତି ଚିହ୍ନ ହେଲା
ଗାଆଁ ର ଅଭୂଲା ଛବି ,
ସେ ମାଟି ମହକ ପରାଣେ ଭେଦିଛି
ବନାଇ ଦେଇଛି କବି ।।
କେତେ ଯେ କହନ୍ତି ଗାଆଁ ବଦଳିଛି
ସମୟ ଗଡିଛି ଆଗେ ,
ଗାଆଁ ର ମହକ ରହିଛି ଅତୁଟ
ହୃଦ ସବୁ ଦିନେ ମାଗେ ।।

ଆଶୁତୋଷ ମେହେର
ଭୁବନେଶ୍ବର

Leave a Reply

Your email address will not be published. Required fields are marked *