କୋମଳ ସ୍ପର୍ଶ

ଫୋନରେ, ଝିଅସହ କଥାହୋଇ ବ୍ୟସ୍ତ ବିବ୍ରତ ହୋଇପଡିଲେ ସୁଶୀଳା । ଘରୁ ଦୁଆର, ଏପଟସେପଟ ହୋଇ ଖାଲି ପଦଚାରଣ କରୁଛନ୍ତି । ଭାବିପାରୁ ନାହାଁନ୍ତି କ’ଣ କରିବେ କ’ଣ ନାଇ ` ରହି ରହି ଆଖି ଆଗରେ ଭାସି ଆସୁଛି, ଝିଅର କାନ୍ଦ କାନ୍ଦ ମୁହଁ । ନିଷ୍ପତ୍ତିରେ ପହଞ୍ଚିଗଲେ ସେ । କାଲି ସକାଳୁଯାଇ ଝିଅକୁ ନେଇ ଆସିବେ । ବାପ ନ ଥିଲେ କ’ଣ ହେଲା ? ଝିଅକୁ ପୋଷିପାରିବା ଭଳି ସାମର୍ଥ୍ୟ ତାଙ୍କର ଅଛି । ଗୋଟିଏ ବୋଲି ଝିଅ । ତା ଆଖିରୁ ଲୁହଗଡ଼ାଇ ଦେବେନାହିଁ ।
ଝିଅ ଅଭିଶିକ୍ତା ଏଇ ଦୁଇବର୍ଷ ତଳେ ବାହା ହୋଇଛି ଅନିମେଶଙ୍କୁ । ଛଅମାସର ପୁତ୍ର ସନ୍ତାନର ଜନକ ଜନନୀ ହେଲେଣି ଦୁହେଁ । ଶାଶୂ, ଦେଢ଼ଶାଶୂ, ସ୍ଵାମୀ, ପୁତ୍ରକୁ ନେଇ ଅଭିଷିକ୍ତାର ସଂସାର । ସୁଖୀ ସଂସାର କହିଲେ ଚଳିବ । କେବଳ ବେଳେବେଳେ ଶାଶୂ, ଦେଢ଼ଶାଶୂଙ୍କ କୋଠର ବ୍ୟବହାର ଓ ଗାଳିକୁ ସହିବାକୁ ପଡେ । ଛୋଟ ଛୋଟ ଭୁଲରେ ଗାଳି କରନ୍ତି ଦୁହେଁ ।
ସ୍ବାମୀଙ୍କ ସ୍ନେହ ସୋହାଗ ତା ମନରୁ ଲିଭାଇ ଦିଏ ଶାଶୂ, ଦେଢ଼ଶାଶୂଙ୍କ ଠାରୁ ପାଇଥିବା ସବୁ ଦୁଃଖ ଓ ଅପମାନ । କିଛି କ୍ଷଣର ବାଦଲ ହଟିଯାଇ ଫର୍ଚ୍ଚା ହୋଇଯାଏ ଅଭିଶିକ୍ତାର ମନ ଆକାଶ । ପୁଣି ସଂସାର ଚାଲେ ତା ଗତିରେ ।
କିନ୍ତୁ ଗତ କାଲିର ଛୋଟ ଘଟଣାଟିଏ ଆଜି ବିରାଟ ରୂପ ନେଲାଣି । ପୁଅକୁ ଶୋଇଦେଇ ରୋଷେଇ ଘରକୁ ଆସିଥିଲା ଅଭିଶିକ୍ତା । ସଙ୍ଗେ ସଙ୍ଗେ ପୁଅ ଉଠିକି କାନ୍ଦିଲା, ପୁଣି ଶୋଇବା କୋଠରିକୁ ଯାଇ ପୁଅକୁ ଶୁଆଇବାକୁ ଲାଗିଲା । କେତେବେଳେ ତା ଆଖି ବି ଲାଗି ଯାଇଛି ଜାଣି ପାରିନି । ଏପଟେ ରୋଷେଇଘରେ ଚୁଲିରେ କ୍ଷୀର ରଖିକି ଆସିଥିଲା । କ୍ଷୀର ଉତୁରି ଜଳିପୋଡ଼ି ନଷ୍ଟ ହୋଇଯାଇଛି ।
ଶାଶୂ ଆରମ୍ଭ ହୋଇଗଲେ, “କୋଉଦିନ ଘର ବି ପୋଡ଼ିଦେବ ଅଲକ୍ଷଣି ଟା, ମୋ କପାଳରେ ଇମିତିକା ବୋହୂ ଥିଲା । ତା ବାପାମା କିଛି ଶିଖାଇ ନାହାଁନ୍ତି । ମୋ ଘର ଧ୍ବଂସ କରିବାକୁ ଆସିଛି ଇତ୍ୟାଦି….”
ବାପାଙ୍କ ଅତି ଗେଲ୍ଲାଝିଅ ଥିଲା ଅଭିଶିକ୍ତା । ଏକ ଶଡକ ଦୁର୍ଘଟଣାରେ ଚାଲିଯାଇଛନ୍ତି ବାପା… ସେ କ୍ଷତ ଏବେ ବି ଶୁଖିନି । ବାପାଙ୍କ କଥା ପଡିଲେ ତା ଆଖିକୁ ଲୁହ ଆସିଯାଉଛି । ଶାଶୂଙ୍କ ବାରମ୍ବାର ବାପାମାଙ୍କୁ ଦୋଷଦେବା ଅଭିଶିକ୍ତାକୁ ବାଧିଲା, ସହି ପାରିଲାନାହିଁ । ଶାଶୂଙ୍କୁ କହିଲା, ଯାହା କହିବ ମୋତେ କୁହ ମୋ ବାପା ମା’ଙ୍କୁ କିଛି କୁହ‌ନାହିଁ । ଶାଶୂଙ୍କ ରାଗ ବଢ଼ିଗଲା । ମୋ‌ ମୁହଁ ଉପରେ ଜବାବ ଦେଉଛୁ କହି, ଆହୁରି କେତେ କ’ଣ କହିଗଲେ । ଦେଢ଼ଶାଶୂ ମଧ୍ୟ ଯୋଡି ହୋଇଗଲେ ଶାଶୂଙ୍କ ସହିତ ।
କାନ୍ଦି କାନ୍ଦି ସେଉଠୁ‌ ଚାଲିଗଲା ଅଭିଶିକ୍ତା । ଠିକ ସେତେବେଳେ ମା’ଙ୍କ(ସୁଶୀଳା) ଫୋନ ଆସିଲା । କୋହଭରା କଣ୍ଠରେ ମା’ଙ୍କୁ ସବୁକଥା କହିଦେଲା ଅଭିଶିକ୍ତା ।
ପରଦିନ ଗାଡିଧରି ଝିଅଘରେ ପହଞ୍ଚିଗଲେ ସୁଶୀଳା । ସାମାନ୍ୟ କଥାବାର୍ତ୍ତା ପରେ ସମଦୁଣିଙ୍କୁ କହିଲେ ଝିଅକୁ ନେବାପାଇଁ ଆସିଛି । ଅଭିଶିକ୍ତା ବି ପ୍ରସ୍ତୁତ ହୋଇଗଲା ଯିବାପାଇଁ । ଶାଶୂ କହିଲେ, “ଅଭିଶିକ୍ତା ଏବେ ଯାଇପାରିବ ନାହିଁ । ଅନିମେଶର ଏବେ ଛୁଟିନାହିଁ, ତା ଛଡା ବୋହୂ ଏବେ ବାପଘର ଯିବାର କୌଣସି କାରଣ ବି ନାହିଁ ” ।
ଦୁଇ ସମଦୁଣି ଭିତରେ କଥା କଟାକଟି, ଯୁକ୍ତିତର୍କ ହୋଇ, ଗୋଟିଏ ଅପ୍ରିତିକର ପରିସ୍ଥିତି ସୃଷ୍ଟିହେଲା । ଅନିମେଶଙ୍କୁ ଏସବୁ ଭଲ ଲାଗୁନଥିଲା, କିନ୍ତୁ ନା ନିଜ ମା’ଙ୍କୁ କିଛି କହି ପାରୁଛନ୍ତି ନା ଅଭିଶିକ୍ତାଙ୍କ ମା’ଙ୍କୁ । ଚୁପଚାପ ନିରବ ଦର୍ଶକ ସାଜିବା ବ୍ୟତିତ ଅନ୍ୟପନ୍ଥା କିଛି ନ ଥିଲା ତାଙ୍କର । ଏପଟେ ଅଭିଶିକ୍ତା ସଜ ହୋଇଗଲେଣି ବାପଘର ଯିବାପାଇଁ ।
ଗାଡିରେ ରଖା ହୋଇଗଲା ବ୍ୟାଗପତ୍ର ସବୁ । ପୁଅକୁ କାଖରେ ଧରି ଗାଡ଼ିରେ ବସିଗଲା ଅଭିଶିକ୍ତା । ଅନିମେଶ ଗାଡିପାଖକୁ ଯାଇ ଅଭିଶିକ୍ତାଙ୍କ ହାତକୁ ନିଜ ହାତମୁଠାରେ ଧରି, ଚାହିଁରହିଲେ ପତ୍ନୀଙ୍କୁ । ପାଟିରେ ଶବ୍ଦ ନାହିଁ, ଓଠ ଦୁଇଟି ନିରବି ଯାଇଛନ୍ତି । କିନ୍ତୁ ଅନିମେଶଙ୍କ କରୁଣ ଚାହାଁଣୀ ଅନେକକଥା କହିଯାଉଛି… ତମେ ଯାଅନା ଅଭିଶିକ୍ତା, ତମ ବିନା ମୁଁ ବଞ୍ଚି ପାରିବିନାହିଁ । ସେଇ ଚାହାଁଣୀ, ସେଇ ଭାବନାର କୋମଳସ୍ପର୍ଶ ଛୁଇଁଗଲା ଅଭିଶିକ୍ତାର ମନପ୍ରାଣ ହୃଦୟକୁ । ପୁଅକୁ ଧରି ଗାଡିରୁ ଓହ୍ଲାଇ ଆସିଲା ସେ । ଆଶ୍ଚର୍ଯ୍ୟ ହୋଇ ଝିଅକୁ ଚାହିଁଲେ ସୁଶୀଳା । ହାତ ହଲେଇ ମା’ଙ୍କୁ ବିଦାୟ ଜଣେଇଲା ଅଭିଶିକ୍ତା ।

ଅଳକା ମହାପାତ୍ର
ସମ୍ବଲପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *