କୋଣ୍ଡାକାମ୍ବେରୁ: ଖୁଆଡ

ଛାତିରେ ! ଛାତିଏ ଅତିକ୍ରାନ୍ତ’ ଅତିତ ! ଇତିହାସରେ ବନ୍ଦୀ
ମହଣେ ମହଣେ ବୀରବୀର୍ଯର ଵହ୍ନିକା ! ପଥର ପିଠିରେ ଲେସା,
ଅଗ୍ନିଵୀରର ଆଞୁଳେ ସମର୍ପିତ ରକ୍ତାଞଳି ! କୋୟା “କ୍ରାନ୍ତି”ର ଗର୍ଜିତ’ ଘର୍ଘର ଘୋଷଣା !
ସ୍ତବ୍ଦ କରିଦିଏ’ ସମଗ୍ର ବିଶ୍ଵବ୍ରହ୍ମାଣ୍ଡ ।

ମାଟି, ତତେଇଦିଏ ମଞକୁ !
ପାଣି, ମତେଇଦିଏ ଧୈର୍ଯ୍ୟକୁ !
ପବନ ଫୁଙ୍କେ, ବୀରବୀର୍ଯର କାହାଳୀ !
ମାଳୁଆ ମଗଜ କାଟିଚାଲେ
ଫିରିଙ୍ଗି ଫରମାନ୍ ର ବେକମୁଣ୍ଡ !
ଟକ୍ ମକ୍ ଫୁଟୁଥାଏ
ସିଂହ ଶାବକର ରକ୍ତସ୍ରୋତ !
ବାହୁଡୁଥାନ୍ତି,ବେଣ୍ଟ ଡଙ୍ଗରିଆ କୋୟାଐର !
ଆଟବିକ ଅଗଣାର
ଅକ୍ଷୌହଣୀ ସେନା,
ବୀରବାଦ୍ୟରେ ନାଚୁଥାଏ !
ଢେମସା ଡଙ୍ଗର !
“କୋୟା କାମ୍ବୁଦ୍ରୀ”ଗଡର ରକ୍ତରଞିତ’ ରାଜବାଟି।

ଖମାଣ ଗାଏ,ବୀରାଙ୍ଗନା
“ବାଙ୍ଗାରୀଦେବୀ”ଙ୍କ ଦେଶପ୍ରିତି,
ଡଙ୍ଗର ଗାଏ, ବୀରବିପ୍ଳବୀ
“ତାମା ଦୋରା”ଙ୍କ ରଣହୁଙ୍କାର ,
ଭୂମି ଶିଖାଏ ,ଭୂମିଷ୍ଠ ଭୂମିଆଁର
ଯୁଦ୍ଧଶୈଳୀ !
ଜଙ୍ଗଲ ଗାଏ; ବୀର ସହୀଦ୍
ଲକ୍ଷ୍ମଣ ନାୟକ’ଙ୍କ ତ୍ୟାଗ
ତପସ୍ୟା ଓ ଵଳୀଦାନ !
ସୂଆଁଫୁଲର ସିନ୍ଥିସିନ୍ଦୂର ବଖାଣେ,ଫରଫର ତ୍ରୀରଙ୍ଗାର ତତ୍ତ୍ୱଗିତିକା,
ପୂର୍ବଘାଟ ପର୍ବତରୁ ଓଜାଡିହୁଏ
ଶହଶହ ସ୍ୱତନ୍ତ୍ରତା ସେନାନୀ ମାନଙ୍କ
ବହଳେ ବହଳେ ବୃନ୍ଦଗାନ୍,
ବନ୍ଦେ ଭାରତ,ଵନ୍ଦେ ଭାରତୀ , ବନ୍ଦେ ବନ୍ଦେ ମାତରଂ।

“ମୋଟୁ “ମୁଠା ଗାଏ
ଦେଶବନ୍ଦନା ର ଜୟଗାନ୍
“ପଦ୍ମଗିରି “ମୁଠା ବାଣ୍ଟିଚାଲେ
ମୁଠାଏ ମୁଠାଏ ଵହ୍ନିମାନ,
“ଚିତ୍ରକୋଣ୍ଡା”ମୁଠା ଚିରିଦିଏ
ଶତୃ ଶିବିରର ଅଭେଦ୍ୟ ଛାତି
“କୋରକୋଣ୍ଡା “ମୁଠା କଢ଼େଇ ନିଏ,କନ୍ଧ’ ପରଜା’
ଦିଦାୟି’ ବଣ୍ଡା ଭାଇକୁ
ଦେଶ ସ୍ୱରାଜର ପଥେ ପଥେ ,
“ମୁଠାଦାର” ମାଗେ ଶତୃଛାତିର ରକ୍ତାଞୁଳା,
ପ୍ରକମ୍ପ ହୁଏ ଦେଶଭକ୍ତିର ଦୁନ୍ଦୁଭି,
ବ୍ରହ୍ମଵୈଵର୍ତ୍ତ ଵହ୍ନିଭୂମିରୁ
ଶୁଭୁଥିଲା, ସ୍ୱତନ୍ତ୍ରତାର ଶଂଖନାଦ ।

“ସଦର ବସନି” ଆମ୍ବ ତୋଟାରୁ
ଗୁରୁମାୟୀର ମନ୍ତ୍ର ଶୁଭେ,
“ଦେବଡଙ୍ଗର “ଡହକା ଛାତିରୁ
ଦଲ୍ କା, ଦଲ୍ କା ଅଗ୍ନିଝରେ ,
ଶିଆଡିପତ୍ରରୁ ଥିପିପଡେ ଏଠି ,
ତଟ୍ କା ତଟ୍ କା ରକ୍ତଛିଟା ,
ସୁନାରୀଫୁଲରୁ ଝଲ୍ ସି ଉଠେ
ଡହକ ଡହକ ଅଗ୍ନି ଡେଣା ?
ଶତ୍ରୁ ସହିତ ଶତ୍ରୁତା,
ମିତ୍ର ସହ ବନ୍ଧୁତା,
ଏ’ ମାଟି ଶିଖାଏ,
ଏ’ ଘାଟି ଚେତାଏ ,
ଛାତିଥରା ହୁଙ୍କାରରୁ ଶାନ୍ତି ସୌହାର୍ଦ୍ଦ୍ୟର ସନ୍ଥ ବାଣୀ,
“ସର୍ବେ’ ଭବନ୍ତୁ ଶୁଖିନଂ
ସର୍ବେ’ ସନ୍ତୁ ନିରାମୟା,
ସର୍ବେ’ ଭଦ୍ରାଣୀ ପଶ୍ୟନ୍ତୁ
ମାଂ କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍ “
ଏ’ ଦିଶାରୀ ପୂଜାରୀ ମନ୍ତ୍ର କହେ
ଏ’ ଡୁମା ଡାହୁଣୀ ତନ୍ତ୍ର କହେ,
ଏ’ ଶୌର୍ଯ୍ୟ’ଭୂମି’ର ‘
‘ତୂର୍ଯ୍ୟଗୀତିକା’ ?
ଏ ‘ମଗ୍ନମାଟି’ର ‘ମଗ୍ନସ୍ତୁତିକା’ ?
ଏ’ ମାଳଭୂମିର ମାଳୁଆ’ମନ୍ତ୍ର ?
ଏ’ ଵହ୍ନିଭୂମି’ର ‘ଆଦିମସ୍ତ୍ରୋତ’ ?
ଏ’ ଡହକା’ ଡହକା’ ଡଙ୍ଗର କହେ !
ଏ “କୋଣ୍ଡାକାମ୍ଵେରୁ:ଖୁଆଡ” ଗାଏ।

ବଳରାମ ପୂଜାରୀ

କୁଡୁମୁଲୁଗୁମ୍ମା

ମାଲକାନଗିରି,

ଵହ୍ନିଭୂମି

୯୬୬୮୬୮୮୪୭୪

2 thoughts on “କୋଣ୍ଡାକାମ୍ବେରୁ: ଖୁଆଡ

  1. ଧନ୍ୟବାଦ୍ ସମ୍ମାନନୀୟ କଲମ ସାହିତ୍ୟ ପତ୍ରିକା।ଆମ ଛୂଇଁ ହେଉଥିବା ଭୂସ୍ୱର୍ଗ ମାଲକାନଗିରି ମାଟି ରୁ ଆକାଶ ଭର୍ତ୍ତି ଶୁଭେଚ୍ଛା ଓ ସମ୍ମାନ। ବଳରାମ ପୂଜାରୀ କୁଡୁମୁଲୁଗୁମ୍ମା ମାଲକାନଗିରି 🙏🙏

Leave a Reply

Your email address will not be published. Required fields are marked *