କି ଅବୁଝା ଏ ବର୍ଷା ?

ଅଣ୍ଟା ନୁଆଇଁ ମାଟିର ବାସ୍ନାରେ
ନିଜର ଦମ୍ଭ ହାରି ଥିବା
କେଇ ବିଡ଼ା ନୁଖୁରା ନଡ଼ା ଛପର ପିଠିରେ
କେମିତି ଦୁଲ୍ ଦୁଲ୍ ନାଚୁଛି
ତା ପାଦ ର ଘୁଙ୍ଗୁର ଖୋଲି
ମୁଁ ଦେଖୁଛି ସେ ତା ଇଛାରେ ନାଚେ
ମୋ ସାମ୍ନା ଘର ବାଲକୋନୀ ରେ
ପୁଣି ସେ ମନ ଭରି ନାଚେ, ବୁଲା ଗୋରୁ ଙ୍କ
ଖୋଲା ପିଠିରେ, ସରୁ ସରୁ ଧାନ ପତର ର
କଅଁଳା ଛାତିରେ,କେବେ ଦିନରେ ତ
କେବେ ପୁଣି ରାତିରେ।
କି ଅବୁଝା ଏ ବର୍ଷା
ଟିକେ ବି ଦୟା ନାହିଁ ତା ମନରେ
ଗୋଡ଼ କଚାଡି ନାଚୁଛି ନିରୀହ ସାରୁ ପତ୍ରର
ସବୁଜ ରୂପରେ ।
କାହିଁ ତ କେବେ ନାଚୁ ନାହିଁ ,ମୋ ଭାବନାର ଉଷ୍ମ ଡାଏରୀ ରେ
କେବଳ ନାଚୁଛି , ମୋ ସାମ୍ନା ଘର ବାଲକୋନୀରେ ?
ପୁଣି ନାଚୁଛି ସେ ଦେବୀ ମଣ୍ଡପର
ବାଉଁଶ ତୋରଣ ଛାଞ୍ଚରେ ,ପୁଣି ସେ
ନାଚି ନଚାଉଛି କୁଆଁରୀ କନ୍ୟାର ମନ୍ଦିର ଯିବା ବାଟରେ
କେବେ କେମିତି ଗାଁ ହାଟର ଦୀର୍ଘ ଛାତିରେ
ମୁକୁଳା ବରଗଛର ଖୋଲା ମେଲା ଫୁଙ୍ଗୁଳା ଦେହରେ
କି ଅବୁଝା ଏ ବର୍ଷା ?
ଦେଖୁନ କେମିତି ଅଜଣା ଶତ୍ରୁ ପରି , ଜୁଇ ନିଆଁ ରେ.. ନାଚୁଛି
ସ୍ୱର୍ଗକୁ ଯିବା ବାଟ ଓଗାଳୁଛି
ଖୁବ୍ ହୁସିୟାର ବର୍ଷା ଆସୁଛି ଘୋର ବର୍ଷା
ଆସୁଛି, ନାଚିବ ଓ ନଚେଇବ
କେବଳ ତମକୁ ନୁହେଁ ,କି ମୋତେ ନୁହଁ
ନୂଆ ବୋହୂର ଓଦା ଲୁଗାରେ ବର୍ଷାର ଛିଟା ତ
ଆଉ କେବେ ସ୍କୁଲ ଛୁଟି ବେଳେ
ବର୍ଷା ଗାଏ ,ଵର୍ଷା ଭିଜା ଗୀତ ,
ଆ , ରେ ମିତ ,ତୋତେ ଝୁରୁଛି ମୋ ଗୀତ
କି ଅବୁଝା ଏ ବର୍ଷା ସଙ୍ଗୀତ ?? ।

ଶିଳ୍ପୀ ଶଶଧର ପତି

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *