ଆହେ କଳା ଶ୍ରୀମୁଖ
ନ ଶୁଣିଲେ ତୁମେ ଗରିବ ଗୁହାରି,କା ଆଗେ କହିବି ଦୁଃଖ। (ଘୋଷା)
ଘୋରଜଳେ କରୀ ଡାକିଲା ଶ୍ରୀହରି
ନକ୍ର କବଳରେ ପଡ଼ି ଯାଉଛି ସରି
ରଖ ବାରେ ପଦ୍ମମୁଖ
ଶୁଣିଲ ତା ଡାକ ଲକ୍ଷେ ଯୋଜନରୁ ମୋ ବେଳକୁ କିମ୍ପା ହୁଅ ବିମୁଖ।
ବ୍ୟାଧ କବଳରୁ ରଖିଲ ମୃଗୁଣୀ
ପାଞ୍ଚାଳିକୁ ଦେଲ ବସ୍ତ୍ର ମନ ଜାଣି
ଦେଖି ବନ୍ଧୁଆ ର ଦୁଃଖ
ସୁବର୍ଣ୍ଣ ଥାଳିରେ ଅନ୍ନ ଦେଇ ଗଲ , ମୋ ବେଳକୁ କାହିଁ ଶୁଖିଚି ମୁଖ।
ସୁଦାମାକୁ ଦେଲ ସୁବର୍ଣ୍ଣ ଉଆସ
ସବରୀକୁ ଯାଚି ଦେଲ ସ୍ୱର୍ଗେ ବାସ
ପୁରାଣ ରହିଚି ସାକ୍ଷ,
କେତେ ଦୁଃଖିଦୁଃଖ ଆରତ ନାଶିଛ,ମୋ ବେଳକୁ କାହିଁ ହେଉଛ ରୁକ୍ଷ।
ପତିତ ତାରଣ ବାନାକୁ ଉଡ଼ାଇ
ପକ୍ଷପାତ ନୀତି ଆଚରୁଛ କାହିଁ
ସାହା ଦେଇକରି ରଖ,
ନ ରଖିଲେ ତୁମେ ଏ ଭବ ସାଗରୁ, ନିରାଶେ ଗଲି ସରି କଳା ମୁଖ।