କଳା ଶ୍ରୀମୁଖ

କଳା ଶ୍ରୀମୁଖ ମୋ କଳା ଶ୍ରୀମୁଖ
ଦେଇଛୁ ଭରି ଜୀବନ କଳସ ।।

ମାଗିନାହିଁ କେବେ ସୁଖ ଶିରୀ ତୋତେ
ଯାଚି ଯା ଦେଇଛୁ ମୋ କାନି ପଣତେ।।

ସରାଗରେ ତାକୁ ନେଇଛି ଆଦରି
ଆଖିର ଲୁହକୁ ଓଠେ ପିଇ କରି।।

କରି ନାହିଁ କେବେ ଗୁହାରି ତୋ ଆଗେ
ମାଗିନି ଷାଠିଏ ପଉଟିରୁ କେବେ।।

କା ପାଶେ କହିନି ଦେଇ ନାହୁଁ ବୋଲି
କଳଙ୍କ ତୋ ନାମେ ଲାଗିଯିବ ବୋଲି।।

ମୁହଁ ଖୋଲି ତୋତେ କେବେ ମାଗିନାହିଁ
ଦୁଃଖ ଭୁଲି ଯାଏ ତୋତେ ଦେଲେ ଚାହିଁ।।

କି କିମିଆ କହ ଜାଣୁରେ କାଳିଆ
ତୋତେ ଦେଖିଦେଲେ ଭୁଲେ ମୁଁ ଦୁନିଆ।।

କେତେ କଥା ଥାଏ କହିବାକୁ ମନେ
ଭୁଲି ଯାଏ ଦେଖି ତୋ ଚକା ନୟନେ।।

କଳା ଶ୍ରୀମୁଖରେ ରଙ୍ଗିମା ଅଧର
ଭୁଲାଇ ଦିଏ ମୋ ଦୁଃଖ ବାର ବାର।।

କଳା ଶ୍ରୀମୁଖ ହେ ଏତିକି ମାଗୁଛି
ତୋ ଛଡ଼ା ଆଉ ଲୋଡ଼ା ନାହିଁ କିଛି।।

ଶରଣ ଦେବୁରେ ତୋ ପଦ ପଙ୍କଜେ
ଦିନ ରାତି ବସି ତୋ ନାମକୁ ଭଜେ।।

ତୋ ନାମକୁ ଜପି ଯାଉ ପ୍ରାଣ ପକ୍ଷୀ
ଏତିକି ଗୁହାରି କରେ ଚକା ଆଖି।।

ସରୋଜିନୀ ବେହେରା
ପାଳଲହଡ଼ା, ଅନୁଗୁଳ

2 thoughts on “କଳା ଶ୍ରୀମୁଖ

Leave a Reply

Your email address will not be published. Required fields are marked *