
କବି ମାତ୍ରେ ଦାର୍ଶନିକ । ମୁଁ କ୍ଷୟଶୀଳ ଶରୀର ଅସାରତକୁ ଅତିକ୍ରମ କରି ପରମାତ୍ମାଙ୍କର ଅଂଶ ବିଶେଷ ରୂପେ ଉପଲବ୍ଧି ହେଲେ ସେହି ସ୍ୱୟଂଭୂ ଉପଲବ୍ଧିରୁ ଦର୍ଶନ ଜନ୍ମେ । ବାଂଙ୍ମୟ ଦର୍ଶନ କାବ୍ୟିକ ଅଭିବ୍ୟକ୍ତିରେ କବିତାର ସୃଷ୍ଟି । ପଞ୍ଚ ଇନ୍ଦ୍ରିୟ ଅତିରିକ୍ତ ଷଡ଼ ଇନ୍ଦ୍ରୀୟର ଅଧିକାରୀ କବି କଳ୍ପନା ଦ୍ଵାରା ପ୍ରବେଶ କରେ ଏକ ଅଲୌକିକ ଜଗତରେ ତହିଁରୁ ଜନ୍ମ ନିଏ କବିତା । କବି ମାତ୍ରେ ତେଣୁ ଦାର୍ଶନିକ । କାବ୍ୟ ସାହିତ୍ୟ ହିଁ ତା’ର ଦର୍ଶନର ବାଂଙ୍ମୟ ରୂପ ।
ସଂସାରର ପ୍ରାଚୀନ ସାହିତ୍ୟ ବେଦରୁ ଆରମ୍ଭ ହୋଇଛି ରୂପରେ ଅରୂପର କଳ୍ପନା । ରୂପରେ ଅରୂପ, ଦୃଶ୍ୟରେ ଅଦୃଶ୍ୟ , ଇନ୍ଦ୍ରିୟରେ ଅତୀନ୍ଦ୍ରିୟର ଅନୁଭବରୁ ରହସ୍ୟ ସୃଷ୍ଟି । ଏ କଳ୍ପନା ହିଁ ସନାତନ ଭାବନା ଅଟେ । ଉପନିଷଦ ମଧ୍ୟ ସେହି ଭାବନାଶ୍ରୟୀ ।
“Man born free but everywhere he is in chain ” ଏହି ବଂଧନରୁ ମୁକ୍ତ ହେବାକୁ ତା’ର ଚେଷ୍ଟା ହିଁ ସାଧନ । ବିଭିନ୍ନ ପ୍ରକାର ଚେଷ୍ଟା ତେଣୁ ବିଭିନ୍ନ ମାର୍ଗ ବା ପନ୍ଥାର ଜନ୍ମଦାତା । ଚେଷ୍ଟା, ମାର୍ଗ ପନ୍ଥା ଭିନ୍ନ ହେଲେ ମଧ୍ୟ ଲକ୍ଷ୍ୟ ସେହି ଆତ୍ମା ଓ ପରମାତ୍ମାର ମିଳନ । ‘ସେ’ ଓ ‘ମୁଁ’ ଭିତରେ ଅଭିନ୍ନତ୍ଵ । ଅନାମ, ଅଗୁଣ, ଅଦେହ, ଅରୂପକୁ ନିଜ ଭିତରେ ଖୋଜି ପାଇବା ଅଥବା ତା’ ଠାରେ ନିଜକୁ ହଜାଇ ଦେବା । ଲକ୍ଷ୍ୟ ସେହି ମିଳନ, ଏକତ୍ଵବୋଧ ।
ପ୍ରବୃତ୍ତି ଓ ପ୍ରଜ୍ଞାର ସମାହାର ମଣିଷ । ସଂଗ୍ରହ ମନୁଷ୍ୟର ପ୍ରକୃତି । ସଂଗ୍ରହର ପ୍ରକୃତି ତାହାକୁ ଏକତ୍ରିତ କରିବାକୁ ଚାହେଁ , ଯାହା ପାଖରେ ଆକର୍ଷକ ଗୁଣ ବିଦ୍ୟମାନ, ଅନ୍ୟଥା ସଂଗୃହୀତ ବିଷୟରେ ଆକର୍ଷକ ଗୁଣର ଆରୋପ ସେ ନିଜେ ହିଁ କରେ । Man is a rational animal. ବିବେକ ବଳରେ ଦ୍ରଷ୍ଟାର ଏହି ମିଥ୍ୟାଧ୍ୟ ବସତି ଜ୍ଞାନରୂପକ ହୁଏ । ତେଣୁ ମିଛ ହେଲେ ମଧ୍ୟ ଏ ଅଧ୍ୟାବସାୟ ଦ୍ଵାରା ଦ୍ରଷ୍ଟା ସତ୍ୟ ପାଖକୁ ପହଞ୍ଚି ଯାଏ । ଫଳରେ ଅରୂପ, ଅରେଖ, ଅଜାତି, ଅଣାକାର , ସତ୍ତା ବିହୀନ ହେଲେ ମଧ୍ୟ ରୂପ , ରେଖ, ଜାତି, ଆକାର ସତ୍ତା ସହ ଆମର ଗ୍ରହଣୀୟ ହୁଏ । ଏହା ହିଁ ସନାତନ ଭାବନା । ଏ ଭାବନା ହିଁ ରହସ୍ୟାନୁଭୂତିର ମୂଳ । ଏହାର ସ୍ୱରୂପ ସ୍ପଷ୍ଟ କରିବାକୁ ବିଭିନ୍ନ ସନ୍ଥ, କବି, ସାଧକମାନେ ସ୍ପଷ୍ଟ କରିଛନ୍ତି ଯେ ଚରମ ସତ୍ୟ ଉପଲବ୍ଧି ଇନ୍ଦ୍ରିୟାତୀତ ଅଟେ । ବୁଦ୍ଧି ଦ୍ଵାରା ସତ୍ତାକୁ ଜାଣି ହୁଏ ନାହିଁ । ପ୍ରଜ୍ଞା ଉପରେ ଜୋର ଦେଇ ତେଣୁ ସମସ୍ତ ସାଧକ ସାଧାନାର ପଥ ସ୍ଵୀକାର କରିଛନ୍ତି । ସାଧକଙ୍କ ଅଭିବ୍ୟକ୍ତିର ବିଭିନ୍ନ ରୂପ ଅଛି । କିନ୍ତୁ ମୂଳ ସମତା ପ୍ରଚ୍ଛନ୍ନ ଅଟେ । ଏହା ସିଦ୍ଧ କରେ ଅବଶ୍ୟ ବିଶ୍ୱରେ ଏକ ବିରାଟ ସତ୍ତା ବିଦ୍ୟମାନ । ତା’ ସହିତ ସମ୍ପର୍କିତ ଏ ସମସ୍ତ ପ୍ରକୃତି ।
ତୁଳସୀ ଦାସ କହିଛନ୍ତି ” ତୁହି ପ୍ରିୟ ଲାଗେ ରାମ କେ ତୁହି ପ୍ରିୟ ହୋୟ” କାରଣ ଉଭୟ ଦଶା ଦ୍ଵାରା ଦିବ୍ୟ ଅଦିବ୍ୟର ମିଳନ ସମ୍ଭବ । ଅଖଣ୍ଡ ସମ୍ପର୍କ ହିଁ ଲକ୍ଷ୍ୟ । ସେ ମୋର ପ୍ରିୟ ଅଥବା ମୁଁ ତା’ର ପ୍ରିୟ । ଏଠି ଗୋଟିଏ କଥା ମନେ ରଖିବାକୁ ହେବ ସାଧନାର ଦୁଇଟି ରୂପ । ଗୋଟିଏ ନିଜ ଭିତରେ, ଅନ୍ୟଟି ନିଜଠୁଁ ବାହାରେ । ନିଜକୁ ସମ୍ପୂର୍ଣ୍ଣ କରିବା ଅଥବା ସଂପୂର୍ଣ୍ଣରେ ନିଜକୁ ମିଶେଇ ଦେବା । ପରିଣାମ ସମାନ ହେଲେ ବି ବ୍ୟାପାର ଭିନ୍ନ ଅଟେ । ବିନ୍ଦୁ ମହାସାଗର ହେବା ଓ ମହାସାଗରରେ ବିନ୍ଦୁଟିଏ ମିଶିଯିବା । ରହସ୍ୟବାଦୀ ସହିତ୍ୟ ବିନ୍ଦୁକୁ ବିନ୍ଦୁ ଭାବେ ସ୍ଵୀକାର କରେ । କିନ୍ତୁ ସେ ବିନ୍ଦୁକୁ ସାଗରର ଅସଂଖ୍ଯ ବିନ୍ଦୁରୁ ଏକ ବିନ୍ଦୁ ବୋଲି କହେ । ଅନନ୍ତରୁ ବିଚ୍ୟୁତ ଓ ଅସଂପୃକ୍ତ ଉପସ୍ଥାପନାକୁ ରହସ୍ୟବାଦୀ ଚିନ୍ତା ସମର୍ଥନ କରେ ନାହିଁ । “The essence of all mystical experience is that it is the direct apprehension of a unity a oneness or a one which is without internal division of distinction without internal multiplication.
ଇଂରାଜୀ mysticism ର ପାରିଭାଷିକ ରୂପେ ‘ରହସ୍ୟବାଦ’ ଶବ୍ଦ ପ୍ରଚଳିତ । ଗ୍ରୀକ୍ ଧାତୁ mystis ରୁ mystics ଓ ଏ ପ୍ରକ୍ରିୟାବୋଧ mysticism ଭାବେ ଗ୍ରହଣୀୟ । ଜନ୍ମ ମୃତ୍ୟୁର ରହସ୍ୟ ଉଦ୍ଘାଟନ ପ୍ରବୀଣ ବ୍ୟକ୍ତି mystic ଓ ଏ ପ୍ରକ୍ରିୟାବୋଧ ହିଁ mysticism I
Mysticism ଶବ୍ଦର ମୂଳ ଯଦି ଲାଟିନ୍ ର Mystica ହୁଏ ତେବେ ତାର ଅର୍ଥ ‘ଦୁର୍ବୋଧ୍ଯ’ । ଏହା ଗୁପ୍ତ ଓ ଧର୍ମ ସମ୍ପର୍କୀୟ ବ୍ୟାପାରକୁ ବୁଝାଏ ।
ଜେମସ୍ ହାଷ୍ଟିଂ ରସ “ମିଷ୍ଟିସିଜମ୍” ଜର୍ମାନ୍ ଭାଷାର (ସ୍ରଷ୍ଟା ଓ ସୃଷ୍ଟି ସଂଯୋଗ ରହସ୍ୟ) ଏବଂ Mystrizymus (ଆଧିବୈ ଦିକ ଶକ୍ତିର ବିଚାର)ରୁ ଉଦ୍ଭୂତ ବୋଲି ମତପୋଷଣ କରନ୍ତି ।
ବ୍ୟାକରଣୀକ ଅର୍ଥରେ ‘ରହ’ ଧାତୁରେ ‘ଅସୂନ୍’ ପ୍ରତ୍ୟୟ ଯୋଗ ହୋଇ ରହସ୍ୟ ଶବ୍ଦ ହୁଏ । ଯାହାର ଅର୍ଥ ଗୁପ୍ତ ବା ପ୍ରଚ୍ଛନ୍ନ, ଗୂଢ଼ତତ୍ତ୍ଵ ବା ଭିତିରି କଥା । ‘ରହି ଭବଃ ଯତ୍ ରହସ୍ୟ ଅର୍ଥାତ୍ ଯାହା ଗୋପ୍ୟ ଓ ଗୂହ୍ଯ ତାହା ରହସ୍ୟ ।
ରହସ୍ୟ ଅନୁଭୂତି ତେଣୁ ସବୁ ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ଵରେ ଏକ ବିରାଟ ସତ୍ତାର ଉପଲବ୍ଧି । “ତତ୍ ତ୍ଵଂ ଅସି” ସେ ଓ ମୁଁ ର ଅଭିନ୍ନତ୍ଵ ସାଧକ ଓ ସିଦ୍ଧିର ଜିଜ୍ଞାସା ଓ ଜିଜ୍ଞାସୁର ଏକତ୍ଵ । “The knower and the known are one God and I we are one in knowledge and there is no distinction between us”

ତେବେ ଏ ଜ୍ଞାନ ଇନ୍ଦ୍ରିୟାତୀତ ଏବଂ ଅନୁମାନ ବା ଅନୁମତିର ବିଷୟ ନୁହେଁ ବରଂ ମର୍ମୋପଲବ୍ଧି । ତେଣ୍ଟ ଏହାର ସଂଜ୍ଞା ନିରୂପଣ ପୂର୍ବକ କୁହାଯାଏ। ” Mysticism may be defined as the belief in a third kind of knowledge the other two being sence of knowledge and knowledge by inference. ଯାହାର ଉଦ୍ଦେଶ୍ୟ କେବଳ ମାତ୍ର ‘Union with God’ or secred ” । ଏଠି ପ୍ରଶ୍ନ ଉଠେ ଯେ ଲକ୍ଷ୍ୟସାମ୍ୟ ସତ୍ତ୍ଵେ ଧାରଣା ଭିନ୍ନର କାରଣ କ’ଣ ? ତାର ଏକମାତ୍ର ଉତ୍ତର “The founders of religion may have been incipient or advanced mystic’s but the inner compulsion of their experiences have proved less amenable to dogmas, creeds and institutional restrictions which are bound to be outward and majority oriented.
ଏ ପରିପ୍ରେକ୍ଷୀରେ ସିଦ୍ଧାନ୍ତ ଉପନୀତ ହୁଏ ଯେ ସମସ୍ତ ଧର୍ମ, ଦର୍ଶନ, ମତବାଦର ସନ୍ଥ ସାଧକ ଚରମ ସତ୍ୟ ଉପଲବ୍ଧି ଇନ୍ଦ୍ରିୟାତୀତ ବୋଲି ସ୍ପଷ୍ଟ ମତ ଦିଅନ୍ତି । ସମସ୍ତ ରହସ୍ୟାନୁଭୂତି ସଂପର୍କୀୟ ଅଭିଭାଷଣର ସାରମର୍ମ ହେଲା ବିଶ୍ଵର ସବୁ କିଛି ଏକ ପରମ ସତ୍ୟ ଆଧାରିତ । ସେହି ପରମ ସତ୍ୟ ହିଁ ବିରାଟ ଓ ଏକମାତ୍ର ସତ୍ତା । ସେ ହିଁ ବିଶ୍ଵବ୍ୟାପ୍ତ । ପୁଣି ବିଶ୍ଵାତୀତ, ନିର୍ଗୁଣ, ନିରାକାର, ଅନନ୍ତ, ଅନାଦି ନିର୍ଲିପ୍ତ ବ୍ରହ୍ମ । ଅନ୍ତର୍ଲୀନ ଆତ୍ମା ରୂପେ ସେହି ସତ୍ତା ହିଁ ଦେଶ, କାଳ, ପାତ୍ର, ଜାତି, ନାମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ବିଶେଷରେ ବିଦ୍ୟମାନ । ଅହଂ ତେଣୁ ଏକୋ ହମ୍ ଆତ୍ମା ପରମାତ୍ମାର ନିତ୍ୟ ରୂପ । ସେ ପୁଣି ପରିବ୍ୟାପ୍ତ ପରମାତ୍ମା ସହିତ ସୋ ହମ୍ ଉପଲବ୍ଧିରେ ପ୍ରାପ୍ତ ହୁଏ । ରହସ୍ୟାନୁଭୂତି ଚେତନାର କ୍ରମିକଃ ବିକାଶର ପ୍ରତିଫଳ ରୂପେ ଗ୍ରହଣଯୋଗ୍ୟ । ଏହା କିନ୍ତୁ ଏକ ମନୋବୃତ୍ତି ବା ଦାର୍ଶନିକ ବ୍ୟବସ୍ଥା ନୁହେଁ । ବରଂ ଏକ ବାତାବରଣ ଅଟେ । ସମଗ୍ର ବିଶ୍ଵରେ ଏକ ଚରମ ସତ୍ତାର ଅନୁଭୂତି ଏହାର ବିଶେଷତ୍ଵ ଅନ୍ତଃ ପ୍ରଜ୍ଞା ବଳରେ ଅନ୍ତରେ ବିଶ୍ଵସତ୍ତା ଅନୁଭୂତିର ପ୍ରଧାନତା ତେଣୁ ଏଥିରେ ପରିଲକ୍ଷିତ ।
*ବିଶେଷ ଦ୍ରଷ୍ଟବ୍ୟ – ସ୍ବୀକାରୋକ୍ତି ଏହା ପୁସ୍ତକ ଭାବେ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇ ନଥିବା ମୋର ପିଏଚଡ଼ି ନିବନ୍ଧ “ସାଂପ୍ରତିକ ଓଡ଼ିଆ କବିତା ରେ ରହସ୍ୟ ବାଦୀ ଚେତନା”(୧୯୪୭ ପରବର୍ତ୍ତୀ)ର ଏକ ଅଂଶ ଅଟେ।

ଡ. ସଙ୍ଗୀତା ନାଏକ (ପୁରୋହିତ)
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ମୁଖ୍ୟ କାର୍ଯ୍ୟାଳୟ, ସମ୍ବଲପୁର
ଠିକଣା-:କୁଲିତାପଡ଼ା
ବିଭାଗୀୟ ମୁଖ୍ୟ (ଓଡ଼ିଆ)
ପୋଷ୍ଟ ଅଫିସ:-ମୋଦିପଡ଼ା
ଜିଲ୍ଳା:-ସମ୍ବଲପୁର
ପିନ୍ କୋଡ଼-୭୬୮୦୦୨
ଯୋଗାଯୋଗ -୭୯୭୮୮୬୪୬୧୨