ତୋର କଣ ଲୋଡ଼ା କହ – ମୁଁ ଚାଲିଲି କଦମ୍ଵ ଫୁଲର ହାଟ
ଆଣିବି କି ହୃଦ ବର୍ଣ୍ଣମାଳା – କବିତା ଘର ପାଇଁ ସଂକଳ୍ପିତ ଚିତ୍ରକଳ୍ପ ?
ଆଣିବିକି କୋଇଲିର କୁହୁ – ଫଗୁଣର ଫୁଲଫୁଟା ବାସ୍ନା ପ୍ରେମାପ୍ଲୁତ
ରଙ୍ଗୀନ ଅଭିମାନେ ମୁଣିକୁ ପୂରାଇ – କଳ୍ପନାର ଔଜ୍ଜଲ୍ୟରେ ହୋଇବୁ ଆନତ ।
ସ୍ନେହ, ପ୍ରୀତି, ଭାବ ଅନୁଭବେ -ଆଦିମ ସତ୍ଯର ଇଚ୍ଛା ମାନେ ଢେଉମୟୀ
ସେ ହାଟରେ ଭେଟିବି ବିରାଦ – ଜୀବନ ଜୀବିକାର ସ୍ଵେଦରେ ଗାଧୋଇ
ତୁ ମୋର କଳ୍ପଦ୍ରୁମ, ପ୍ରମତ୍ତ ଦୃଷ୍ଟି – ତୋ ଲାଗି ଆଣିବି ସାଉଁଟି ଶବ୍ଦର ଠିକଣା
ହୁଅନାହିଁ ପ୍ରଶ୍ନ ଠୁ ପ୍ରଶ୍ନିଳ – ପୃଥିବୀ ହୃଦୟ କୁ ତୋର କରନାହିଁ ଊଣା ।
ତୁ ପରା ଉଦାର ସୌଦର୍ଯ୍ୟମୟୀ – ମଧୁକ୍ଷରା ପଦାବଳୀ ଛାତିର ଝରଣା
କାମଧେନୁ ବଘାରେ ଗୁଞ୍ଜନ – ସହକାରୀ ତାର ରୂପାକାନ୍ତି ସ୍ଵାଭିମାନୀ ସାଧନା ,
ତୋ ପାଇଁ ବିଞ୍ଚି ହୋଇଛି ଏଠି – କାରିଗରୀ ଚମ୍ପାଫୁଲ କୋମଳ ଆଲୁଅ
ପାହାଡ଼ ବି ଛାତି ଦିଏ ଚିରି – ଝରି ଆସେ ପେନ୍ଥା ପେନ୍ଥା ସ୍ମୃତି ନଈସୁଅ ।
ଆ, ବୁଲି ଯିବା ହାତରେ ହାତଛନ୍ଦି – ଦେଖିବା ବିଶୃଙ୍ଖଳିତ ମେଘଙ୍କ ଉଚ୍ଛୃଙ୍ଖଳତା
ଦେଖିବା ଉନ୍ମାଦ ଆବେଗ – ନିଷ୍କପଟ ହୃଦୟର ସ୍ଵର ଚଞ୍ଚଳତା
ମାନବତାର ସ୍ନିଗ୍ଧ ଚାରୁ ହସେ – ଦେଖିନେବୁ ଦୁଃଖ ସୁଖର ବୈଚିତ୍ର୍ଯ
ପ୍ରତାରଣା, ଅବିଶ୍ଵାସୀ ସଂଳାପ – ଅପଦେବଙ୍କର ଅହଂକାରୀ ପର୍ବତ ।
ଦେଖିବୁ ଅଭାବ ର ଭାବ – ସ୍ଵପ୍ନ ବିକାଳିର ପରିଷ୍କୃତ ଦୃଶ୍ୟପଟ
ଭୋକ ଆଉ ମହାଭୋକ ସମ- ଜନ୍ମ ମୃତ୍ୟୁ ର ଚିତ୍ରିତ କୋଣାରକ,
ବଂଶୀ ଲୟେ ସୁକୁମାରୀ – ପ୍ରେମିକା ଆଙ୍କୁଛନ୍ତି ପୂତ କାରୁଶିଳ୍ପ
ଅଚିହ୍ନା ଅନ୍ଧକାରେ କାଳର କପାଳେ – ମନକଥା ଅଜଣା ସଂଗୋପିତ।
କିବା ଲୋଡ଼ା ମନ ଖୋଲି କହ – ନହେଲେ ମୋ ମନ ନଈ ହୋଇଯିବ ଶୁଷ୍କ
ପତ୍ରସବୁ ଝରିଯିବ ଅସହାୟେ- ସହି ନ ପାରି ଘୂର୍ଣ୍ଣିର ସବଳ ଆଘାତ ,
ବିଖଣ୍ଡିତ ହୁଅଇ ପୁରୁଷାକାର – ସ୍ଵର୍ଗୀୟ ଆତ୍ମୀୟତା ଲଭେ ଏକାକୀତ୍ଵ
ଅଫିଟା ଦୁଆର ଠେଲି ଆସଇ ପବନ- ସଞ୍ଚିତ ଅବବୋଧ ହୋଇଯାଏ ବ୍ୟସ୍ତ ।
ମନର ବୀଣାରେ ସମ୍ଭାବନା ସ୍ଵର – ନିଜସ୍ୱ ଦୀପ୍ତିରେ ଆଶାବରୀ ଲଗ୍ନ
ତୋ ନାଭିରୁ ଜାତ ମହାପଦ୍ମ – ମାଟିର ଈଶ୍ଵରୀ ନବକଳେବରେ ମଗ୍ନ,
ତୁ କଣ ପାରୁନାହିଁ ଦେଖି – ଏ କବି ଛାତିର ଉଷର ମାଟିକୁ
ସୂର୍ଯ୍ୟ ହୋଇ ମାପୁଥାଏ ନିତି- ଅନନ୍ତ ଗୋପନୀୟ ତୋହରି ଛାଇକୁ।
କଣ ତୋର ଲୋଡ଼ା କହ – ଏ ସମୟ ଶଙ୍ଖଚିଲ ଡେଣା ଝାଡିଦେବ
ନିଷିଦ୍ଧ ସ୍ଵର୍ଗରେ ଭ୍ରମି କିଏ – ରକତ ଟଳମଳ ଗୀତେ ତୋ ନାମ ଭଣିବ ,
ଆଣିବିକି ତୋ ପାଇଁ ନିରବଧି – ନୂଆ ନୂଆ ଅନନ୍ତ ଜିଗୀଷା
କଦମ୍ଵ ହାଟରେ ନାହିଁ ଯେ ଆକଟ – ମିଳେ ତହିଁ ବ୍ୟାପକ ହୃଦୟ , ଚିତ୍ରମୟ ଆଶା ।।