ତୁ ମୋର ସାନ୍ତ୍ବନା ର ଚଇତାଳି ହଳଦି ବସନ୍ତ
ଉର୍ଦ୍ଧ୍ବ ସ୍ଥିତ ମନ ଡାଳେ ଉଡିବୁଲି ବସୁ
ଗୀତର କୁହୁକ ତାନେ ଉଦାର ସତ୍ତାରେ ସିନା
ଜୀବନ୍ତ ଅଜ୍ଞାତ ବାସେ ଏ ମନକୁ ଧ୍ଵଂସୁ।
ଦୁଃଖର ପାହାଡ଼ ଦେଶେ ସବୁଜ ଆକାଂକ୍ଷା ଧରି
ରାତି ଠାରୁ ମାଗି ହୁଏ ସ୍ଵପ୍ନ
ଅନ୍ଧାରର ଡହକ ବୁକୁରେ ଇଚ୍ଛାର କଦମ୍ଵ ସବୁ
ଖୋଜି ହୁଏ ଛନ୍ଦସୀ ସତ୍ତା ସ୍ଵାତୀଲଗ୍ନ ।
ମୋ ନୟନ ପଟଳ ମେଲେଇ ଦେଉ ସ୍ନେହ ସିକ୍ତ ମୁହଁରୁ ଅଞ୍ଜନ
ଆଙ୍କି ଦେଉ ପୁଣି ଅଦୃଶ୍ୟ ର ଇଚ୍ଛାଚିତ୍ର
ଦେହର ଗୋପନ ଶବ୍ଦ ନିଃଶବ୍ଦରେ ହୁଏ ଶଙ୍ଖଧ୍ଵନି
ତାରକସି କାର୍ଯ୍ୟେ ସେ ଯେ ସମୃଦ୍ଧ ମାନଚିତ୍ର ।
ଚନ୍ଦନ ଚର୍ଚ୍ଚିତ ହୁଏ ଜଟିଳ ଅନ୍ତର୍ଦାହେ ଶାଶ୍ଵତ ହ୍ରଦରେ
ପ୍ରୀତିର ସାମ୍ରାଜ୍ୟେ କାହିଁ ହୃଦୟ ମିଶ୍ରଣ
ମୋ ବେଦନା ତୋ ପାଇଁ ଅନନ୍ତ ପ୍ରୟାଣ ସମ
କଲମର ଆକାଶରେ କିପାଇଁ ସୃଜନ?
ଜୀବନ ବୋଇତେ ମୋର ଦିଅ ଭରି ଅପ୍ରାପ୍ତି ଅମୃତ
ବ୍ୟଥାର ଦୁର୍ଗ ଏଠି ମୁଣ୍ଡ ଟେକି ଉଠୁ
ସମୟ ନଦୀର ସୁଅ ହରାଉଛି ଅପ୍ରମିତ ଶକ୍ତି
ସତ୍ୟର ବେନାମୀ ଚିଠି ନମିଳୁ କାହାଠୁ ।
କୁହୁଡ଼ି ରେ ଜଳୁଥାଉ ଏ ଜୀବନ ନିଯନ ବଲବ୍ ପରି ନିତି
କବିପ୍ରିୟା ମୋର! ତୋ ସ୍ଵପ୍ନର ସୃଷ୍ଟି ର ତାତ୍ତ୍ଵିକ ଛନ୍ଦରେ
ପଲ୍ଲବିତ ହେଉ ଥାଉ କବିତା ଲାଳିକା
