ଏଇତ ଜୀବନ

ଜୀବନ ମରଣ ମଝିରେ ଜୀବନ
କରୁଥାଏ ନିତି ଖେଳ
ବାହି ବାହି ତାକୁ ନେଇ ଯାଉ ଯାଉ
ଅଣ୍ଟେ ନାହିଁ ଜମା ବେଳ।

ଘର ଘର ବୋଲି ଅଣ୍ଟା ନଇଁଯାଏ
ଗୋଡ଼ ହୋଇଯାଏ ବଙ୍କା
ତଥାପି ବାର୍ଦ୍ଧକ୍ୟେ ନଥାଏ ହାତରେ
ଆଖି ପୂରା ଗୋଟେ ଟଙ୍କା।

କୁଟୁମ୍ବେ ଭରସା ତୁଟି ଯାଏ ପରା
ଛାଡ଼ନ୍ତି ସଭିଏଁ ହାତ
ସେଇ ହାତ ଦୁଇ ଛଂଦି ହୋଇଥାଏ
ଯେ ଯାହାର ପ୍ରାଣ ମିତ।

ବିଶ୍ୱାସରେ ବିଷ ବୁଣିଦେଇ ସର୍ଵେ
ପାଖରୁ କରନ୍ତି ଦୂର
ସଞ୍ଜ ହେଲା ପରେ ଏଇ ଦୁନିଆରେ
କିଏ ବସାଏ ଆସର।

ମନର ମଣିଷ ବୁଝେ ମନକଥା
ଶୁଣେ ହୃଦୟର ସ୍ୱର
ସ୍ଥିତି ପରିସ୍ଥିତି ସଂଗେ ତାଳ ଦେଇ
ପୋଛିଦିଏ ଅଶ୍ରୁଧାର।

ସୁରକ୍ଷା କବଚ ଦୁହେଁ ଦୁହିଁଙ୍କର
ନଥାଉ ଆଉ କେ ପାଶେ
ଯେତେ ବାଧାବିଘ୍ନ ଥିଲେ ଜୀବନରେ
ମଧୁର ବାସ୍ନାରେ ହସେ।

ଭରସାର ସୂତ୍ର ଛିଣ୍ଡେ ନାହିଁ ଜମା
ଦୃଢ଼ ଥିଲେ ମନୋବଳ
ସାହା ହୋଇଥାନ୍ତି କାଳିଆ ଠାକୁର
ଦିଅନ୍ତି ଚାଙ୍ଗୁଡେ ଫଳ।

ଅନୁପମା ବିଶ୍ଵାଳ

ସମ୍ବଲପୁର

Leave a Reply

Your email address will not be published. Required fields are marked *