ଈଶ୍ୱରଙ୍କୁ ମୁଁ କେବେ ବି ଖୋଜିନି
କାହିଁକି ବା ଖୋଜିବି ?
ସିଏ ତ ମୋ’ ଭିତରେ ଜନ୍ମରୁ ଅଛନ୍ତି
ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରହିବେ…!
ମୁଁ ଦେଖିପାରେ ତାଙ୍କୁ :
ଏଠି ସେଠି ସବୁଠି,
ଛୁଆର ହସରେ,
ଅଳିଆ ଗଦାରୁ ଜରି ଗୋଟାଉ ଥିବା
ଗନ୍ଧିଆ ହାତ ପାପୁଲିରେ…!
ଈଶ୍ୱର ଅଛନ୍ତି ମୁଁ ଜାଣିଛି
ଅତ୍ର ତତ୍ର ସର୍ବତ୍ର,
ଦେଖି ପାରୁନାହାଁନ୍ତି ଯେଉଁମାନେ
ଥାଇପାରେ କିଛି ଚକ୍ଷୁ ଦୋଷ
ସେମାନଙ୍କ ଦୃଶ୍ୟ ରେଟିନାରେ…!
କାନ୍ଦୁଥିବାର ଦେଖିଛି ଈଶ୍ୱରଙ୍କୁ
ଜରାଶ୍ରମରେ,
ଧାଡ଼ିରେ ପଡିଥିବା ଖଟିଆ ଉପରେ,
ଦିନରାତିର ହିସାବ ନଥାଏ ଯେଉଁଠି
ଈଶ୍ୱର ପରା ସେଇଠି ଥାଆନ୍ତି !
ବସିବସି ସ୍ୱପ୍ନ ଦେଖିଲେ
ଈଶ୍ୱରଙ୍କୁ ଖୋଜିପାଇବା ଭାରି ମୁସ୍କିଲ,
ତାଙ୍କର ଦର୍ଶନ କରିବାକୁ ହେଲେ
ଯିବାକୁ ପଡିବ ମନ୍ଦିରକୁ,
ଆତ୍ମିକ ଭାବେ ଦେଖିବାକୁ ହେବ
ମନ୍ଦିର ସାମ୍ନାରେ ବସିଥିବା ପୀଡ଼ିତମାନଙ୍କୁ,
ଠକ୍ଠକଉଥିବା ସେମାନଙ୍କ
ଗେଲ୍ଠି ଗିନାକୁ…!
କିଏ ଦେଖୁ ଅବା ନଦେଖୁ
ମୁଁ କିନ୍ତୁ ଦେଖିପାରୁଛି ଈଶ୍ୱରଙ୍କୁ
ମୋ’ ଚାରିପାଖରେ,
ସମସ୍ତଙ୍କ କଥାବାର୍ତ୍ତାରେ,
ମିଛମିଛିକାର ପ୍ରତିଶ୍ରୁତିରେ,
ବାହାପିଆପଣର ଅଭିନୟରେ…!