ଇସ…ଟା..ଟସ

ବସ୍ତିରେ ସବୁଠୁ ସୁଖୀ ନାରୀ ର ଆଖ୍ୟା ସନିଆ ମା ସାରି କୁ ଦିଆ ଯାଇଥିଲା l କାରଣ ଅନ୍ୟ ମାନେ ସାତ ଆଠୋଟି ପିଲାର ମା ହୋଇ ନା ନା ପ୍ରକାର ଜଞ୍ଜାଳ ରେ ଘାଣ୍ଟି ହେଉଥିଲା ବେଳେ ସାରି ର ଗୋଟିଏ ବୋଲି ପୁଅ ସନିଆ ଓରଫ ସନାତନ l ପୁଣି ସାରି କୁ ତା ସ୍ୱାମୀ ଛାଡ଼ିଦେଇ କୁଆଡେ ଚାଲି ଯାଇଛି l ତେଣୁ ବସ୍ତିରେ ଅନ୍ୟ ସ୍ତ୍ରୀ ଲୋକ ମାନେ ଯେମିତି ମଦୁଆ ସ୍ୱାମୀ ମାନଙ୍କଠାରୁ ନିତି ମାଡ଼ ଖାଆନ୍ତି ସାରି ର ସେମିତି କିଛି ସମସ୍ୟା ନାହିଁ l ତେଣୁ ସାରି ସୁଖୀ ଭିତରେ ଗଣା ହେବ l

ସାରି ଜାଣୁଛି କେତେ କଷ୍ଟ କରି ସେ ସନିଆ କୁ ମଣିଷ କରିବାରେ ଲାଗିଛି l ଯେତେବେଳେ ସୁଦର୍ଶନ କୁ ବାହା ହୋଇଥିଲା ସେତେବେଳେ ବି ତାକୁ ସମସ୍ତେ ସୁଖୀ ବୋଲି କହୁଥିଲେ l ସୁଦର୍ଶନ ର ସୁନ୍ଦର ରୂପ ପଛରେ ଥିବା ଗୁଣ ଟି ଜାଣି ନଥିଲା ବିଚାରୀ ସାରି l ସୁଦର୍ଶନ ନହୋଇ ତା ନାମ କୁଦର୍ଶନ ହୋଇଥିଲେ ଭଲ ହୋଇଥାନ୍ତା l ବାହା ହେବାର ଦୁଇ ବର୍ଷ ହୋଇଥାଏ ଓ ସନିଆ ସେତେବେଳେ ଗୁରୁଣ୍ଡୁ ଥାଏ l ପୋଡ଼ାମୁହାଁ କୁଆଡେ ଗଲା ଯେ ଗଲା ଆଉ ଖୋଜ ଖବର ନାହିଁ l ବାପ ଘର ଲୋକ ବସ୍ତି ବାଲା ସମସ୍ତେ ଖୋଜି ଖୋଜି ଆକ୍ରାନ୍ତ ହୋଇ ଆଶା ଛାଡିଦେଲେ l

କିଏ କହିଲା ସନ୍ୟାସୀ ହୋଇ କେଉଁଠି ଆଶ୍ରମ ରେ ଅଛି କିଏ କହେ ସାରି ଭଳିଆ ସ୍ତ୍ରୀ ପାଖରେ କିଏ ରହିଥାନ୍ତା l ସବୁବେଳେ ଖିଟ ଖିଟ ଶୁଣିବା ଠୁ ଭଲ କୋଉ ଗାଡି ତଳେ ମୁଣ୍ଡ ଦେଖାଇ ଦେଇଥିବ l କିଏ କହେ ସୁଦର୍ଶନ ଆଉଥରେ ବିବାହ କରିଛି l ସବୁ କଥା ଏମିତି ହଜମ କରିବା ଶିଖି ଯାଇଥିଲା ସାରି l ସେଇ ଦିନଠୁ ସାରି ଏକୁଟିଆ l ସାରି ସେତେବେଳେ ଯେତିକି ବାଡେଇ ଛାଟି ହୋଇ ବାହୁନି ଥିଲା ସ୍ୱାମୀର ମୃତ୍ୟୁ ରେ ବି ଏତିକି ବାହୁନି ନଥାନ୍ତା l

ମନରେ ଚିନ୍ତା ପଶିଗଲା ସନିଆ କେମିତି ବଡ଼ ହେବ l ଅନ୍ୟ ମାନଙ୍କ ଘରେ କାମ କରି ଏଇ ସନିଆ କୁ କେମିତି ବଡ଼ କରିବ ଓ ତାର ଭବିଷ୍ୟତ ଗଢିବ l ସନିଆ ପିଲାଟି ବହୁତ ଶାନ୍ତ ଶିଷ୍ଟ l ବସ୍ତିର ଅନ୍ୟ ପିଲାଙ୍କ ପରି ନୁହଁ l ଦାମୋଦର ବାବୁ କହିଛନ୍ତି ମାଟ୍ରିକ ପାସ କରି ସାରୁ ଅସ୍ଥାୟୀ ପିଅନ ଚାକିରୀ ଖଣ୍ଡେ କରାଇଦେବେ l ଅସ୍ଥାୟୀ ହେଲେ ବି ଥରେ ରହିଗଲେ ସବୁଦିନ ପାଇଁ ରହିଯିବ l କେଜାଣି ସବୁ ସେଇ ଭଗବାନ ଙ୍କ ଇଛା l

xxxxxxxxxxxxxxxxxxxxxxx

ସନିଆ ପରୀକ୍ଷାରେ ଭଲ ନମ୍ବର ରଖି ପାସ କଲା l ଦାମୋଦର ବାବୁ ତାଙ୍କ କଥା ରଖିଛନ୍ତି l ସନିଆ ଏବେ ତାଙ୍କ ଅଫିସ ରେ ପିଅନ କାମ ପାଇଛି l ହେଲେ ବି ସାରି କୁ ବିଶ୍ରାମ ନାହିଁ l ସନିଆ ତ ଚାକିରୀ ପାଇଲାଣି ଏବେ ତାକୁ କେମିତି ହାତରୁ ଦୁଇହାତ କରିବ l ଏମିତି ଝିଅ ହୋଇଥିବ ଯିଏ କି ସ୍ୱାମୀ ଓ ଶାଶୁ ର ମନ କଥା ବୁଝି ପାରୁଥିବ l ସୁରଟ ଫେରନ୍ତା ମାଗୁଣି ର ବିବାହ ଯୋଗ୍ୟା ଝିଅଟିଏ ଅଛି ବୋଲି ସାରି ଖବର ପାଇଲା l ତା ସହିତ ସନିଆ ର ଯୋଡି ଭଲ ମାନିବ l ସନିଆ ଠୁ ଯୋଗ୍ୟ ଜୋଇଁ ମାଗୁଣି କୁ ମିଳି ନଥାନ୍ତା l ସୁତରାଂ ଝିଅ ରିନି ସାଙ୍ଗେ ଖୁସିରେ ସନିଆ ର ବିବାହ କରାଇଦେଲା ମାଗୁଣି l

ଏଣେ ସେ କାମ କରୁଥିବା ମିଶ୍ର ବାବୁଙ୍କ ର ଏକମାତ୍ର ପୁଅ ରନି ର ବାହାଘର ମଧ୍ୟ ସେଇ ମାସ ରେ ହୋଇଥିଲା l ମିଶ୍ର ବାବୁଙ୍କ ପୁଅ ଗୁଡ଼ାଏ ଝିଅଙ୍କୁ ଭଲ ପାଇ ପାଇ ପରୀକ୍ଷା ନିରୀକ୍ଷା କରିସାରି ସେଥିରୁ ଗୋଟିକୁ ଶେଷରେ ବାଛିଲା l ସାରି କୁ ଏସବୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ l

ପୁରାଣ ଯୁଗରେ ଝିଅ ମାନଙ୍କ ପାଇଁ ସ୍ୱୟମ୍ବର ହେବାର ପଢ଼ିଛି ସେ l ହେଲେ ପୁଅ ମାନେ ବି ସ୍ୱୟମ୍ବର କରି ବାହା ହେଉଛନ୍ତି l ବାହା ହେଲା ପରେ ମିଶ୍ର ବାବୁଙ୍କ ଫ୍ଲାଟ ପଛପଟେ ଆଉ ଗୋଟିଏ ଫ୍ଲାଟ ରେ ପୁଅ ବୋହୂ ରହିବେ l ବାପା ମା ଙ୍କ ସହିତ ପୁଅ ରହିବ ନାହିଁ l ହେଲେ ବି ମିଶ୍ର ବାବୁ କି ମା କେହି ବି ଦୁଃଖ କଲା ପରି ଲାଗୁ ନାହାନ୍ତି l

ବଡ଼ ଲୋକ ମାନଙ୍କ ର ଘର ମାନଙ୍କରେ ଏହା ଏକ ଅଲିଖିତ ବୁଝାମଣା l ପିଲା ମାନେ ବିବାହ ପରେ ଅଲଗା ରହିବେ ଏହା ବାପା ମା ବି ଜାଣନ୍ତି ଓ ପିଲା ବି ଜାଣନ୍ତି l ମିଶ୍ର ଘର ମା କହନ୍ତି ଯେ ଏଇଟା କୁଆଡେ…ଇ.. ସ.. ଟା…ଟସ l ସାରି କୁ ପ୍ରଥମ ଥର ପାଇଁ ନିଜର ଗରୀବ ସ୍ଟାଟସ ଦେଖି ଗର୍ବ ଅନୁଭବ ହେଲା l କମସେ କମ ତା ପୁଅ ବୋହୂ ଯାହା ହେଲେବି ତା ସହିତ ରହୁଛନ୍ତି l ସ୍ନେହ ମମତା ହିଁ ଗରୀବ ର ପୁଞ୍ଜି l ନହେଲେ ଆଉ ଅଛି କଣ l

ସାରି ମିଶ୍ର ବାବୁଙ୍କ ଘର ସହ ତାଙ୍କ ପୁଅ ଘରେ ବି ଝାଡୁ ପୋଛା କଲାଣି l ବୋହୂଟି ବହୁତ ସୁଶୀଳ l ଅଳ୍ପ କଥା କହେ l ଅଳ୍ପ କଥା କହିବା ଓ ଅଳ୍ପ ଅଳ୍ପ ଖାଇବା ଏଇଟା ବି ହୁଏତ ବଡ ଲୋକ ମାନଙ୍କର .. କଣ ସେଟା..ଇ.. ସ.. ଟା.. ଟାସ..ହେଇଥିବ ପରା l ସାରି ର ନିଜ ବୋହୂ ରିନି କିନ୍ତୁ ଭଲ ଖାଏ ଓ ଡଗ ଡଗ କରି କଥା କହେ l ଓଲି କାବାଡି ଟା ! ଭଗବାନ ତାକୁ ଭଲରେ ରଖିଥାନ୍ତୁ l

ସେଦିନ କାମ ସାରି ସଅଳ ଘରକୁ ଆସିଲା ପରେ ସାରି ଦେଖିଲା ଘରେ ଗୋଟେ ଥମ ଥମ ପରିବେଶ l ପୁଅ ବୋହୂ କାହାରି ମୁହଁରେ ହସ ନାହିଁ l ବୋହୂକୁ ପଚାରିଲା l ବୋହୂ ପୁଅକୁ ଠାରିଲା l ପୁଅ ଶେଷରେ ମୁହଁ ଖୋଲିଲା l

–ବୋଉ ତୁ ମୋତେ ଭୁଲ ବୁଝିବୁ ନାହିଁ l ତୁ ଆଉ ୟା ତା ଘରେ କାମ କରିବାକୁ ଯିବୁ ନାହିଁ l ରିନି ର ସାଙ୍ଗ ମାନେ ରିନି କୁ ଚାକରାଣୀ ର ବୋହୂ ଚାକରାଣୀ ର ପୁଅ କୁ ବାହା ହୋଇଛି କହି ଚିଡାଉଛନ୍ତି l

–କିନ୍ତୁ ବାପା ରେ ତୁ ତ ସେଇ ଚାକରାଣୀ ର ପୁଅ ଓ ତୋ ମା କଣ କାମ କରେ ଦିନେ ତୋର ଗୁରୁମା ଙ୍କୁ ସମସ୍ତଙ୍କ ସାମ୍ନାରେ କହିଥିଲୁ l ସେଦିନ ତ ତୋତେ କାହିଁ ଲଜ୍ଜା ଲାଗୁ ନଥିଲା ?

–ମା ରିନି କୁ ଖରାପ ଲାଗୁଛି ଯେତେବେଳେ ତୁ ଆଉ ଯିବୁନାହିଁ l ଯଦି ତୁ ଯିବୁ ତେବେ ଆମେ ଘର ଛାଡିବାକୁ ବାଧ୍ୟ ହେବୁ l

ସାରି ବୁଝେଇ ଦେଇଥିଲା ଯେପର୍ଯ୍ୟନ୍ତ ତାର ଗୋଡ଼ ହାତ ଚାଲୁଛି ସେପର୍ଯ୍ୟନ୍ତ ସେ ଖଟିକି ଖାଇବ l କାମ ଛାଡିବ ନାହିଁ l ପୁଣି କାମ ଛାଡିଲେ ସେଇ ଲୋକ ମାନେ ହଇରାଣ ହୋଇଯିବେ ଯେଉଁମାନଙ୍କ ଘରେ ସେ ପନ୍ଦର କୋଡିଏ ବର୍ଷ ଧରି କାମ କରି ଆସୁଛି l ସନିଆ ଓରଫ ସନାତନ ସେଇଦିନ ରାତିରେ ହିଁ ଘର ଛାଡି ସ୍ତ୍ରୀ କୁ ଧରି ଚାଲି ଯାଇଥିଲା l

ଲୁହ ଭରା ଆଖିରେ ଉବୁଟୁବୁ ସାରି ଆଉ ଖାଇ ନଥିଲା କି ଶୋଇ ନଥିଲା ରାତିରେ l କେତେବେଳେ ସକାଳ ହେଇ ଯାଇଛି ନା
ଜାଣିନି l ପୁଣି କାମକୁ ଯିବା ବେଳ l କାନ୍ଦି ବସିଲେ ଖାଇବାକୁ କିଏ ଦେବ l ଯଦି କାମ ଛାଡି ଦେଇଥାନ୍ତା ତେବେ ଏମିତିଆ ବୋହୂର କି ଭରସା ଅଛି ? ଆଜି ଚାକରାଣୀ କହିଲା କାଲିକି ଆଉ କଣ କହି ଖାଇବା ବନ୍ଦ କରିଦେବ l ପୁଅ ବି ମା ର ତ୍ୟାଗ ଓ ତପସ୍ୟା କୁ ଭୁଲିଗଲା l କାହିଁକି ସେ ପଛକଥା ଭାବିବ ବସି ? ସେ ତ ଖଟିଖିଆ ଘର ର ଝିଅ ଶେଷ ପର୍ଯ୍ୟନ୍ତ ଖଟିବ ଖାଇବ l ହଉ ଯୋଉଠି ବି ଥାଆନ୍ତୁ ସେମାନେ ଭଲରେ ଥାଆନ୍ତୁ l

ମିଶ୍ର ବାବୁ ଘର ମା କହୁଥିଲେ ବଡ ବଡ଼ିଆ ମାନେ ଏମିତି କଥା କଥାକେ ବାହାରେ କୁଆଡେ କାନ୍ଦନ୍ତି ନାହିଁ l କାନ୍ଦିବାକୁ ହେଲେ ଲୁଚି ଲୁଚି କାନ୍ଦନ୍ତି l କେହି କାହାକୁ ଛାଡି ଚାଲିଗଲେ ବି ସେ ଏକୁଟିଆ ଚଳିଯାଏ, ଭାସି ଯାଏନି l ବସ୍ତିବାଲାଙ୍କ ପରି କନ୍ଦାକଟା କି ବାହୁନିବା କିଛି ନାହିଁ l

ଏତେବର୍ଷ ବଡ ବଡ଼ିଆ ଙ୍କ ଘରେ କାମ କରି ସାରି ର ବି ବସ୍ତିରେ ଗୋଟେ ବଡ଼ … ଇ..ସ…ଟା ..ଟସ… ହେଇଗଲାଣି l ସେ ବସ୍ତିର ଅନ୍ୟ ସ୍ତ୍ରୀ ଲୋକଙ୍କ ପରି ନୁହେଁ l ସାରି ବି ସେଇ… ଇ.. ସ.. ଟା.. ଟସ… ନାହିଁ…ନାହିଁ….ସ୍ଟାଟସ ଲୋକଙ୍କ ପରି ଧର୍ଯ୍ୟ ଧରି ରହିବ l ବାହାରେ ମୋଟେ ଲୁହ ଗଡ଼ାଇବ ନାହିଁ l ସ୍ଟାଟସ ଥିବା ଲୋକ କାହାରି ଆଗରେ କାନ୍ଦି ନିଜର ଦୁର୍ବଳତା ଦେଖାନ୍ତି ନାହିଁ l ସେଦିନ ସାରି ପ୍ରଥମ ଥର ପାଇଁ ସଠିକ ରୂପେ ସ୍ଟାଟସ ବୋଲି ମନେ ମନେ ଉଚ୍ଚାରଣ କରି ପାରିଥିଲା l

xxxxxxxxxxxxxxxxxxxxxxx

ସନିଆ ଘର ଛାଡି ଯିବାର ସାତ ଆଠ ମାସ ପରେ ସୁଦର୍ଶନ ର ଆବିର୍ଭାବ l ହାତେ ଲମ୍ବର ଦାଢ଼ି ପାଣ୍ଡୁର ବର୍ଣ୍ଣ ର କେଶ ରାଜି ଦେଖିଲେ ଚିନ୍ହି ହେଉନି କିନ୍ତୁ ସାରି ଚିନ୍ହି ପାରୁଛି l କେମିତି ନ ପାରନ୍ତା ଯାହା ସହିତ ସାରା ଜୀବନ କଟାଇବା ପାଇଁ ଆସିଥିଲା ତାକୁ କି ଭୁଲି ହୁଏ ? ହେଲେ ସାରି ଆଖିରେ ଟୋପାଏ ବି ଲୁହ ନାହିଁ କି ମନ ଭିତରେ ଦ୍ୱନ୍ଦ୍ୱ ନାହିଁ l

ତା ସ୍ୱାମୀ ଆଜିଯାଏଁ କୋଉଠି ଥିଲା କାହା ସାଙ୍ଗରେ ଥିଲା କାହିଁକି ଘର ଛାଡି ଗଲା ଆଜିର ତାରିଖ ରେ ଏ ସବୁ ପ୍ରଶ୍ନ ର କୌଣସି ମୂଲ୍ୟ ନାହିଁ l ସେ ଜାଣେ କଣ କରିବାକୁ ହେବ ତାକୁ l ସେମିତି ସୁଦର୍ଶନ ବାହାରେ ଠିଆ ହୋଇଥାଏ l ସାରି ଭିତରକୁ ଡ଼ାକିବ ବୋଲି ବୋଧହୁଏ ପ୍ରତୀକ୍ଷା କରୁଥାଏ l ସାରି ଏଥର କହିଲା

–ମହାଶୟ ଆପଣ ଭୁଲ ଘରକୁ ଚାଲିଆସିଲେ ! ଆପଣଙ୍କୁ ମୋ ଘର ଭିତରକୁ କୁ ଡାକି ପାରିବି ନାହିଁ l ମୋ ଘରେ ଏବେ ଆପଣଙ୍କ ପାଇଁ ଆଉ ସ୍ଥାନ ନାହିଁ l ଆପଣ ଅନ୍ୟ କୁଆଡେ ଦେଖନ୍ତୁ କିମ୍ବା ଯେଉଁଠାରୁ ଆସିଲେ ସେଠିକି ପୁଣି ଫେରି ଯାଆନ୍ତୁ l

ଗୋଟିଏ ନିଶ୍ୱାସ ରେ ଏତକ କହିସାରି କବାଟଟି ଧଡ଼ କରି ବନ୍ଦ କରିଦେଲା l ଅମାନିଆ ଲୁହ ଗୁଡିକ ମାନିଲେ ସିନା ହେବ l ଲୁହ ଗୁଡିକ ସୁଦର୍ଶନ ପାଇଁ ନୁହଁ ବରଂ ସେଗୁଡିକ ସାରି ର ସଂଘର୍ଷ ର ମୁକ ସାକ୍ଷୀ l ସେମାନେ କଣ ଜାଣୁଛନ୍ତି କି ସାରି ର ସ୍ଟାଟସ ବଦଳି ସାରିଲାଣି ବୋଲି ? ହଁ ସାରି କାହାରି ଆଗରେ ଦୁଃଖ କହିବ ନାହିଁ କି କାନ୍ଦିବ ନାହିଁ l ଦୁଃଖ ବୁଝିବା ଦୂରର କଥା ଲୋକ ବରଂ ମଜା ଉଡାଇବେ l ତାର ଦୁର୍ଭାଗ୍ୟ କୁ ଉପଭୋଗ କରିବେ l ସାରି ଶୁଣିଛି ବଡ ବଡ଼ ହିରୋ ହିରୋଇନ ମାନେ କାହା ଆଗରେ ଭାବ ବିହ୍ଵଳ ହୁଅନ୍ତି ନାହିଁ l ଲୋକଙ୍କୁ ଦେଖାନ୍ତି ଯେ ସେମାନେ ସର୍ବଦା ସୁଖୀ l

ସୁଖୀ ବୋଲି ଦେଖାଇବାକୁ କଣ ପଇସା ପଡୁଛି କି ? ଏମିତି ଅଭିନୟ କରୁ କରୁ ଦୁଃଖ ଯଦି ଭୁଲି ହୋଇଯାଏ ଓ ଲୁହ ଧାର ଟି ଆପେ ଆପେ ଶୁଖିଯାଏ ତେବେ ଅଭିନୟ ତ ମନ୍ଦ ନୁହେଁ l ନିଜକୁ ନିଜେ ଠକି ଚାଲିଲେ କିଛି କ୍ଷତି ନାହିଁ l ସବୁବେଳେ ଖୁସି ରହିବାର ଅଭ୍ୟାସ କରିବ ସେ l

ଗୋଟେ ଏକୁଟିଆ ସ୍ତ୍ରୀ ଲୋକ କୁ ଭାଙ୍ଗି ପଡିବା ଦେଖିଲେ ଖଳ ପ୍ରକୃତିର ଲୋକ ଫାଇଦା ଉଠାନ୍ତି l ସାରି ଏତକ ବଡ ବଡ଼ିଆ ଙ୍କ ଠାରୁ ଶିଖିଛି l ସୁଦର୍ଶନ ଚାଲିଯିବା ଦିନ ସେ ଯେଉଁ ବାହୁନା ବାହୁନି ଥିଲା ତାହା ହିଁ ଶେଷ l ଏବେ ଆଉ ନାହିଁ l ଏବେ ସେ ଦୃଢ଼ମନା ହୋଇ ଭାଗ୍ୟ ସାଙ୍ଗେ ଲଢେଇ କରିବ l ସ୍ୱାମୀ ଗଲା ପୁଅ ଗଲା ଆଉ ହରାଇବାକୁ କିଛି ନାହିଁ ତା ପାଖରେ l ଚାଲୁ ଭାଗ୍ୟ ସାଙ୍ଗେ ଲଢେଇ ଏଥର ଚାଲୁ l ପରିଶେଷରେ ସାରି ହିଁ ଜିତିବ l ନିଜେ ନିଜେ ହସି ପକାଇଥିଲା l ସ୍ଟାଟସ ର କାତ ଧରି ନାଉରି ସାଜି ଜୀବନ ରୂପକ ନାବଟିକୁ ଶେଷ ନିଶ୍ୱାସ ଥିବା ଯାଏଁ ଚଲାଇବ ହେଲେ କଦାପି କାନ୍ଦିବ ନାହିଁ l

ପଦ୍ମାଳୟା ପାଢ଼ୀ

ପଦ୍ମାଳୟା ପାଢ଼ୀ
ବ୍ରହ୍ମପୁର

Leave a Reply

Your email address will not be published. Required fields are marked *