ଆ କଥା ହବା

ଆ କଥା ହବା ତୋ’ର ମୋ’ର
ଏମିତି ଏଇ ନିରୋଳାରେ ଟିକେ ଅନ୍ତରଙ୍ଗ ହବା
ତୁ ପରଖିବୁ ମୋତେ ଆଉ ମୁଁ ତୋତେ
ତୁ ଜାଣିବୁ ମୋତେ ଆଉ ମୁଁ ବି ତୋତେ
ତୁ ଚିହ୍ନିବୁ… ମୁଁ ଚିହ୍ନିବି
ଦୁହେଁ ହବା ଚିହ୍ନାଚିହ୍ନି
ଆଉ ନଭୁଲିବାକୁ ଉଭୟ ଉଭୟଙ୍କୁ,
ସଂସାର ଭିତରେ, ସଂପର୍କର ଅଳନ୍ଦିରେ,
ସହରୀ ଧୁଳି, ଧୁଆଁ ରେ ବେଶ୍ ଖାପଛଡ଼ାରେ
ବିତିଗଲା ତିନି ପା’ …ନା ତୁ ଅନୁଭବ କଲୁ ନା ମୁଁ…
ତୁ ବୁଝୁ କି ନବୁଝୁ
ଏଠି ଏଇ ନିରୋଳା ବେଳାଭୂମିରେ
ଏଇ ଅସ୍ତ ସୂର୍ଯ୍ୟର ହାଲକା କିରଣରେ
ମୁଁ ଖୁବ୍ ସ୍ପଷ୍ଟ ତୋ କତିରେ
ଉଁ ହୁଁ ଆଗେଇ ଚାଲ… ଆଗକୁ ଚାହିଁ
ସ୍ଵପ୍ନ ଛଡ଼ା ହଅନି
ଦେଖିଚାଲ ଅସୁମାରୀ ସ୍ବପ୍ନ
ସାକ୍ଷୀଟିଏ ହୋଇ ରହିବି ତୋ ସ୍ଵପ୍ନର
ମୁଁ ଅଛି ସାଥିରେ ତୋ’ର..
ଥିଲି ଆଗରୁ ତୋ ଅଜାଣତରେ
ରହିବି ବି ଆଗକୁ ତୋ ସହ… କଥା ଦଉଛି…
କ’ଣ…ମନରେ ସନ୍ଦେହ …!ହା ହା…
ହଁ ଜାଣିଯିବୁ ପୁଣି ମୋତେ
ଯେବେ ଭେଟ ହବ ତୋ’ର ମୋ’ର
ସକାଳର ସୂର୍ଯ୍ୟୋଦୟ ବେଳାରେ
ମୁଁ ଥିବି ପାଦ ମିଶେଇ ତୋ ସାମନାରେ…
ହେଲେ ଏ ବେଳାରେ ଆ ଟିକେ ମନଖୋଲା କଥା ହବା
ବେଳ ଉଛୁର ହେଉଛି
ସୂରୁଜ ବୁଡ଼ିବା ଆଗରୁ ଆ ଟିକେ ଅନ୍ତରଙ୍ଗ ହବା।
ନହେଲେ ମୁଁ ଲିଭି ମିଳେଇଯିବି ଗାଢ଼ କଳା ଅନ୍ଧାରରେ…
ଆଉ କ’ଣ ପାଇବୁ ଖୋଜି ମୋତେ
ସେଇ ମ ତୋ ଆପଣାର ଛାଇ କୁ ଏଠି…!
ଆଜିର ଦିନର ଆଲୁଅ ଆକାଶରୁ ଉଭେଇବା ଆଗରୁ
ଆ…ଆ ନା ଟିକେ କଥା ହବା…।।।

ଜୁମର ନାଥ ପାତ୍ର
ବାଲେଶ୍ଵର
୬୩୭୦୨୯୮୪୪୦

Leave a Reply

Your email address will not be published. Required fields are marked *