ସବୁବେଳେ ଆପଣା ଆପଣା ଲାଗେ
ଆମ ଗାଆଁ ରାସ୍ତା,
ଗାଁ ମଝି ଦାଣ୍ଡରୁ ଲମ୍ବିଲମ୍ବି
ନିଜକୁ ମିଶାଇ ଦେଇଛି
ରାଜପଥର କଂକ୍ରିଟ ଛାତିରେ…!
ସେଇଠି ତା’ର ଭବିଷ୍ୟତ
ଅଟକି ଯାଇଛି
ଜୀର୍ଣ୍ଣଶୀର୍ଣ୍ଣ କଳେବର ନେଇ,
ନା ଆଗକୁ ଯାଇପାରୁଛି
ନା ପଛକୁ ଫେରିପାରୁଛି…!
ଛୋଟ ବେଳେ ଏହି ରାସ୍ତା
ଆମ ସହ ଖେଳୁଥିଲା
ସକାଳରୁ ସଞ୍ଜ ଯାଏ
ଶୀତ ଖରା ବର୍ଷା ପରିଯ୍ୟନ୍ତ
ନିଜ ଧୂଳି ଧୂସରିତ ଚଉଡା ଛାତିରେ
ଆମକୁ କୋଳେଇ…!
ତା’ ସରଳିଆ ପଣରେ
ଛନ୍ଦକପଟ ନଥିଲା,
ଗାଁ ଝିଅ ବୋହୁ ଜ୍ଞାତି ପରିଜନ
ସମସ୍ତଙ୍କୁ ନିଜ ବକ୍ଷେପାଇ
ଉଲ୍ଲସିତ ହେଉଥିଲା ନିତି ପ୍ରତିଦିନ…
ଶବହୋଇ ତାରିଦେଇ ଯିଏ ଯାଉଥିଲା
ମର୍ମାହତ ହୋଇ ନୀରବି ଯାଉଥିଲା…!
ତା’ ଓସାରିଆ ଛାତିକୁ
ଖାଇ ଚାଲିଛନ୍ତି ଦିନ ପରେ ଦିନ
ମୋ’ ଗାଆଁର ଲୋକେ,
ଚାରିଚକିଆ ଗାଡିଟିଏ
କୁନ୍ଥେଇ କୁନ୍ଥେଇ ଯାଏ ଆସେ,
ଏଠି ସବୁଦିନ ପ୍ରହସନ ଚାଲିଛି
ପୈତୃକ ସଂପତ୍ତିକୁ ନେଇ,
ତା’ ସମଗ୍ର ଶରୀରରେ
ସମସ୍ତଙ୍କ ଦାବୀ
ରାତି ପାହିଲେ ବଢୁଛି,
କିଏ ବା ଆପତ୍ତି କରିବ,
କାହିଁକି କରିବ,
ଯୁଆନ୍’ମାନେ କ’ଣ ୟାକୁ
ଦେଖୁଛନ୍ତି ନାଁ ପରଖୁଛନ୍ତି,
ସମସ୍ତେ ତ ସହରରେ ରହୁଛନ୍ତି,
ବୁଢ଼ା ବାପାମାଆଙ୍କୁ
ଏ ରାସ୍ତାର ମାୟା ମମତାରେ
ସବୁଦିନ ପାଇଁ ଛାଡି ଦେଇଛନ୍ତି…!
ମୋ’ ଗାଆଁ ରାସ୍ତା
ରାସ୍ତା ହୋଇ ରହିନାହିଁ ଏବେ,
ହୋଇଯାଇଛି ଟାହିଟାପରାର
କଙ୍କାଳଟିଏ ମାତ୍ର…!
ରୋଗୀଣା ଛାତିରେ ତା’ର
ପଡୁନାହିଁ କାହାରି ବି ପାଦ,
ଗୁମୁରୁ ଉଠୁଛି କେତେ
ଅତୀତର ଗାଥା,
ଯେବେ ଆସେ ତା’ ପାଖକୁ
ଗପିଚାଲେ ମରମର ବଥା…!