ଆମେ କ’ଣ ସ୍ବାଧୀନ….?

ତ୍ରିରଙ୍ଗା ତଳରେ ଦେଶବାସୀ ଭିଡ଼
ଶୁଭେ ଜନ ଗଣ ମନ,
ସଭିଙ୍କ ମନରେ ଉଠେ ପ୍ରଶ୍ନବାଚୀ
ସତେକି ଆମେ ସ୍ବାଧୀନ…?
ମତଦାତା ଏଠି ମତଦାନ କରି
ବାଛୁଛି ଯାହାକୁ ମୁଖିଆ,
ସମ୍ପର୍କ ନୀତିରେ ସିଏ ବାଟବଣା
ଦେଖୁଅଛି ଏକ ପାଖିଆ ।
କାଗଜରେ ଲେଖା ନୀତି ଧାଡ଼ି ଧାଡ଼ି
ସବୁ ହୁଏ ନାହିଁ ପାଳନ,
ପାଳନ କରିଲେ କାଳେ ଚ‌ଉକିଟା
ଚାଲିଯିବ ହାତୁଁ ମେଲଣ ।
ଅପରାଧୀ ପାଇଁ ଯେଉଁଠି ଓକିଲ
ଯୁକ୍ତି ପାଇଁ ଅଣ୍ଟା ଭିଡୁଛି,
ନ୍ୟାୟ ନିକିତି ଟା ଉପରୁ ତଳକୁ
ଦୋହଲି ଦୋହଲି ଛିଡୁଛି ।
ବାଘ, ଭାଲୁ ଠାରୁ ମଣିଷ ଟା ଏଠି
ମଣିଷ କୁ ଭାରି ଡରୁଛି,
ରକ୍ଷକ ଟା ଆଜି ଭକ୍ଷକ ସାଜିଛି
ତଣ୍ଟି ଚିପି ତାକୁ ମାରୁଛି ।
ସତ କହିଦେଲେ ମିଛ ମାୟା ଜାଲେ
ହାଜତରେ ସିଏ ସଢୁଛି,
ସ୍ବାଧୀନତା ଆଜି ପଞ୍ଜୁରୀ ଭିତରେ
ଅନ୍ୟର ଦୟାରେ ବଢୁଛି ।

ହରିଶ୍ଚନ୍ଦ୍ର ମହାଳିକ
ପାଖର, ଅନନ୍ତପୁର, ସୋରୋ, ବାଲେଶ୍ଵର
୯୩୨୪୩୯୯୫୧୮

Leave a Reply

Your email address will not be published. Required fields are marked *