ପ୍ରଭଞ୍ଜନ ନାମକ ପ୍ରାଣୀଟିକୁ ରହି ରହିକି ସେଇ ପୁରୁଣା ରଡ଼ି ବାରମ୍ବାର ଶୁଭୁଥିଲା l
—କୋଉଥିରେ ତ ବାହାରୁନି l ଦିସ୍ତା ଦିସ୍ତା କାଗଜ ସାରି କାହିଁକି ଲେଖୁଛ ସେଗୁଡାକ ? ମୋତେ ଟିକେ ଘର କାମରେ ସାହାଯ୍ୟ କଲେ କଣ ହାତ ଘୋରି ହେଇଯିବ ?
ନଅ ଘଣ୍ଟାର କିରାଣୀ ଚାକିରୀ ସକାଳୁ ଉଠୁ ଉଠୁ ଦୌଡ଼ି ଯାଇ ପରିବା ଆଣ କ୍ଷୀର ଆଣ ଅଟା ଆଣ ଢ଼ିଙ୍କି ବଗ ସବୁ ଆଣି ଘରେ କୁଢ଼େଇ ଦିଅ ମହାରାଣୀଙ୍କ ସାମ୍ନାରେ l ସେଠୁ କାକ ସ୍ନାନ ଗଧ ଭୋଜନ କରି ଅଫିସ ଦୌଡ଼ l ଆସୁ ଆସୁ ପୁଣି ଫର୍ମାଇସ ଯେ ପୁଅକୁ ଟିକେ ପାର୍କରେ ବୁଲେଇ ଆଣ, ଗେଣ୍ଡୁ ଗଛରେ ପାଣି ଟିକେ ଦେଇଦିଅ ଲୁଗା ଗୁଡ଼ାକ ଛାତ ଉପରେ ଶୁଖି ପଡ଼ିଛି ଯାଇ ନେଇଆସ ପାଇପରେ ପାଣି ଆସିଲାଣି ମଟର ଅନ କର l ସବୁ ଯଦି ମୁଁ କରିବି ଇଏ କଣ ଖାଲିରେ ବସି ବସି କଳେବର ବଢ଼େଇବ? କିନ୍ତୁ ମନର କଥା ମନରେ ହିଁ ରହିଯାଏ l ଯଦି ପଲ୍ଲବୀ ଜାଗାରେ ରୁପାଲି ଥାଆନ୍ତା ତେବେ ସିଏ କଣ ଏମିତି କହିଥାନ୍ତା ?
ରୁପାଲି ତାର କଲେଜ ବାନ୍ଧବୀ l ପ୍ରଭଞ୍ଜନର ଗଳ୍ପର ଜଣେ ଆଜନ୍ମ ପାଠିକା l କଲେଜ ପତ୍ରିକାରେ କେତେଥର ତାର ଗଳ୍ପ କେତୋଟି ବାହାରି ଥିବ l କିନ୍ତୁ ରୁପାଲି ଏମିତି କହିବ ଯେମିତି ସିଏ ଏବେ ସାହିତ୍ୟ ଏକାଡେମୀରୁ ସଦ୍ୟ ପୁରସ୍କୃତ ହୋଇ ଆସିଛି l କିଏ ଏକରେ ଶୂନ ମିଶେଇଲା ବେଳକୁ ରୁପାଲି ଶୂନର ବାମରେ ଏକଟିଏ ରଖି ପ୍ରଭଞ୍ଜନ ଓରଫ ପ୍ରଭୁର ମୂଲ୍ୟ କାହିଁ କେତେ ଗୁଣା ବଢ଼ାଇ ଦିଏ l
—ପ୍ରଭୁ ତୁମେ ଲେଖାଲେଖି କେବେ ବି ଛାଡିବ ନାହିଁ l ମୁଁ କୋଉଠି ଥାଏ ତୁମେ କୋଉଠି ଥାଅନା କାହିଁକି l କଲେଜ ଛାଡିବା ସମୟ ଆସିଗଲାଣି ପ୍ରଭୁ l ଆମେ କିଏ କୁଆଡ଼େ ଯିବା ଠିକ ଠିକଣା ନାହିଁ l କିନ୍ତୁ ତୁମେ ସେମିତି ଲେଖୁଥିବ ଲେଖା ଛାଡିବ ନାହିଁ l କହିଦେଲି ହଁ… l
ରୁପାଲିର ଭଲ ପାଇବାରେ ତାର ପ୍ରଚ୍ଛନ୍ନ ଧମକ ମିଶି ରହିଥାଏ l ସେଇ ରୁପାଲିକୁ ତା ସଂସାରକୁ ଆଣିବା ପାଇଁ ଅନେକ ଭାବି ଭାବି କେତେ ନା ବିନିଦ୍ର ରଜନୀ କାଟିସାରି ଶେଷରେ ମନରେ ଜନ୍ମିଥିବା ଇଛାଟିକୁ ମନ ଭିତରେ ହିଁ ଶେଷ କରିବାକୁ ହୋଇଥିଲା ପ୍ରଭଞ୍ଜନକୁ l ଅଲଗା ଜାତି ତେଣୁ ମା ବାପା ରାଜି ହୋଇ ନଥାନ୍ତେ ଏବଂ ମା ବାପାଙ୍କ ସହ ସମ୍ପର୍କ କାଟିବାର ଦମ ପ୍ରଭୁର ନଥିଲା l ସେଇଠୁ ଆସିଲା ପଲ୍ଲବୀ ଆଉ ତା ପରେ ବୁଲୁର ଜନ୍ମ ପରେ ଜୀବନ ଖୁବ ଜୋରରେ ଆଗକୁ ବଢ଼ୁଥିଲା l
ହଁ ତାକୁ ଗୋଟିଏ ଦୁଃଖ ରହି ରହିକି ଆଚ୍ଛନ୍ନ କରୁଥାଏ ତାହା ହେଲା ତାର ଗୋଟିଏ ବି ଲେଖା କୋଉଥିରେ ଛପା ହେଉ ନଥାଏ l କେତେ ଜାଗାରେ ପ୍ରତିଶୃତି ତ ମିଳିଥାଏ କିନ୍ତୁ ଲେଖା ବାହାରେ ନାହିଁ l ସହରର ପ୍ରଖ୍ୟାତ ” ଶୁଭ ସକାଳ ” ସମ୍ବାଦପତ୍ରର ସମ୍ପାଦକ ତାଙ୍କ ଅଫିସକୁ ଯାଇଥିଲେ ସେଦିନ l ସମ୍ପାଦକ ବୋଲି ଜାଣିବା ପରେ ତାଙ୍କ କାମଟି ସର୍ବ ପ୍ରଥମେ କରି ଦେଇଥିଲା l ଉଭୟେ ଏକତ୍ର ଚା ପିଇ ଥିଲେ l ସେ ଜଣେ ଲେଖକ ବୋଲି ଶୁଣିବା ପରେ ସମ୍ପାଦକ ଜଣକ ନିଜ ଆଡୁ କହିଥିଲେ-
—ମୋର ମଧ୍ୟ ସାହିତ୍ୟରେ ବହୁତ ଆଗ୍ରହ କିନ୍ତୁ ସମୟ ମିଳୁନାହିଁ l ଆପଣ ଲେଖାଲେଖି କରୁଛନ୍ତି ଜାଣି ଖୁସି ହେଲି l ରବିବାର ସଂଖ୍ୟା ପାଇଁ ଗପଟିଏ ପଠାନ୍ତୁ l
ଏକାବେଳକେ ଭାଗ୍ୟ ଉଦୟ ହେଇଗଲା ଭଳି ଲାଗିଥିଲା ତାକୁ ସେଦିନ l ଏତେବଡ଼ ସମ୍ବାଦପତ୍ରର ସମ୍ପାଦକ ପୁଣି ଲେଖା ମାଗୁଛନ୍ତି ତାକୁ l ପ୍ରଭୁ ଗପଟିଏ ପଠାଇ ସାରି କେତେ ଦିନ ପରେ ଫୋନ କରିବାରୁ ଅନେକ ଗୁଡ଼ାଏ ଲେଖା ଆସିଛି ମୁଁ ଦେଖୁଛି କହି ଫୋନ କାଟିଦେଲେ ଏବଂ ତା ପର ଥର ଆଦୌ ଫୋନ ଉଠେଇ ନଥିଲେ ସେ l ଏମିତି ପ୍ରଭୁ ସହିତ ଅନେକ ଥର ଘଟିଛି l ସମବେଦନା ଜଣାଇବାକୁ କେହି ନାହିଁ l ପୁଣି ତା ସାଙ୍ଗକୁ ପଲ୍ଲବୀର କଟା ଘାଆରେ ଲୁଣ ଦେଲା ଭଳି କଥା l ବେଳେ ବେଳେ ଭାରି କାନ୍ଦ ଲାଗେ ତାକୁ l ବୋଉଟା ହେଲେ ଥାଆନ୍ତା ପାଖରେ l କାନିରେ ଲୁହ ବୋଳା ମୁହଁଟା ତାର ପୋଛି ଦେଇଥାନ୍ତା l ପଲ୍ଲବୀ ଏସବୁ ଦେଖିଲେ ମାଇଚିଆଙ୍କ ଭଳି କାହିଁକି ହେଉଛ ବୋଲି ଛିଗୁଲେଇ କହିବ l
ବାପା ଚାଲିଗଲା ପରେ ବୋଉ ଏକୁଟିଆ ଗାଆଁରେ ଥିଲା l ପଲ୍ଲବୀର ସ୍ୱାଗତ କରିବାର ଢଙ୍ଗ ଯୋଗୁଁ ବୋଉ ସେଥର ଆସି ଦୁଇ ଦିନ ରହି ଗଲା ଯେ ଗଲା ଆଉ ଆସିଲା ନାହିଁ ଏଠିକି l ବୋଉ ଆଣି ଦେଇଥିବା ତୁଳସୀ ଗଛଟି ବି ପାଣି ନପାଇ ଶୁଖି ଶୁଖି ଶେଷକୁ ଥୁଣ୍ଟା ଅବସ୍ଥାରେ ପରଲୋକଗତ ବୋଉର ସ୍ମୃତି ବହନ କରି କୁଣ୍ଡରେ ଠିଆ ହୋଇ ରହିଛି l ସୁତରାଂ ଏଠି କିଏ ଅଛି ଯେ ତାର ଦୁଃଖ ବୁଝିଥାନ୍ତା l ରୁପାଲି…ହୁଏତ ଲେଖା ଗୁଡ଼ିକ ପଢ଼ି ତାକୁ ବତେଇ ଦେଇଥାନ୍ତା ଯେମିତି ସେଦିନ ବତାଇ ଦେଇଥିଲା –
—ପ୍ରଭୁ ଗପଟା ବହୁତ ଭଲ ହୋଇଛି କିନ୍ତୁ ମଝିରେ ଏ ଯୋଉ ଚା ବାଲାର ଚରିତ୍ରଟିକୁ ହଟାଇ ଦେଇଥିଲେ ଭଲ ଲାଗିଥାନ୍ତା l ତାର ଏଠାରେ କିଛି ଭୂମିକା ହିଁ ନାହିଁ l ମୋର ମୂର୍ଖ ବୁଦ୍ଧିରେ କହୁଛି l
ସତକୁ ସତ ପରିବର୍ତ୍ତନ କରି ସାରି ଗପଟି ପଢ଼ିଲା ପରେ ସେ ନିଜେ ଉତଫୁଲ୍ଲିତ ହେଇଗଲା l ସେଥର କଲେଜ ମାଗାଜିନରେ ତାର ଗଳ୍ପଟି ସୁପରହିଟ l ଆହାଃ କୁଆଡ଼େ ଗଲା ରୁପାଲି…l ଆଉ ଖୋଜ ଖବର ରଖିନାହିଁ ସେ l ରୁପାଲି ତ ଚାହିଁଲେ ତାକୁ ଖୋଜି ପାରନ୍ତା ନା ନାହିଁ ? ସିଏ ବି କୁଆଡ଼େ ହଜି ଯାଇଛି l କଲେଜ ପରେ ତାର ଆଉ ଖୋଜ ଖବର ନାହିଁ l ସେଇଥି ପାଇଁ ପ୍ରଭୁ ଆଜି ଲେଖୁଛି l ରୁପାଲି ତାର ଲେଖା ପଢ଼ି ଯୋଉଠି ଥିଲେ ବି ଦି ଧାଡ଼ି ଲେଖିବ ନିଶ୍ଚୟ l ପଲ୍ଲବୀ ଜାଣିବ ଯଦି ଜାଣୁ କଣ ହେଲା ? ତାର ତ କିଛି ଖରାପ ସମ୍ପର୍କ ନାହିଁ l ଲେଖକ-ପାଠକର ସମ୍ପର୍କ ଅତି ପବିତ୍ର ଏବଂ ବୌଦ୍ଧିକ ସ୍ତରରେ ଥାଏ l ଜାଣୁ ଯିଏ ଜାଣିବ-
ହେଲେ ଲେଖାଟିଏ ବାହାରିଲେ ସିନା ରୁପାଲି ତା ଉପରେ ମତ ଦେବ l କେତେ ଲୋକଙ୍କର ଲେଖା ବାହାରୁଛି ତାର ହିଁ ବାହାରୁ ନାହିଁ l ପାଠକଙ୍କ ନିକଟରେ ପହଞ୍ଚିଲେ ସିନା ଲେଖାର ମାନ ବଢ଼ିବ ପ୍ରସାର ହେବ ଏବଂ ରୁପାଲିର ଆଖିରେ ପଡ଼ିବ l ପଲ୍ଲବୀ ସମୟ ବାହାର କରି ଟିକେ ଟିକେ ପଢ଼ିଲେ ହୁଅନ୍ତାନି ? ନା ସେଭଳି ଭୁଲ ସେ କଦାପି କରିବ ନାହିଁ l ସେ ସମୟ ମିଳିଲେ ରିଲ ବନେଇବ ଏବଂ ପ୍ରଭଞ୍ଜନକୁ ଲେଖିଲା ବେଳେ ଡିଷ୍ଟର୍ବ କରିବ l
—ପ୍ରଭୁ ! ତୁମ ଗଳ୍ପର ନାୟିକା ଏତେ ଦୁର୍ବଳମନା କାହିଁକି ? ପ୍ରେମ ଯଦି ସତ୍ୟ ତେବେ ନାୟିକାକୁ ସର୍ବଦା ହରାଇ ଦେବାର ଭୟ କାହିଁକି ଘାରୁଛି ?
ହଠାତ ପ୍ରଭଞ୍ଜନର ନିଦ ଭାଙ୍ଗିଗଲା l ଆଖିରୁ ଅଜାଣତରେ ଧାରେ ଲୁହ ବୋହି ଯାଇଛି l କଲେଜ ମାଗାଜିନ ବାହାରିଲା ବେଳେ ରୁପାଲି କହିଥିବା କଥା ପଦେ l ରୁପାଲି ଆଉ ନାହିଁ ଶୂନ୍ୟରେ ମିଳେଇ ଯାଇଛି l ଦୁଇ ଦିନ ତଳେ ବ୍ୟାଚମେଟ ରଂଜିତ ଆଚାର୍ଯ୍ୟ ସହିତ ଦେଖା ହୋଇଥିଲା l ସିଏ ହିଁ କହିଲା ରୁପାଲି ତିନି ବର୍ଷ ହେଲାଣି ଆରପାରିରେ l
ଆରେ ବହୁତ ଡ଼େରି ହେଇଗଲାଣି ଆଜି l ସାଢ଼େ ସାତ….? ଓଃ ଆଜି ପୁଣି ରବିବାର l ପଲ୍ଲବୀର ଆଦେଶ ଆଜି ମାଛ ନୁହେଁ ମଟନ ହିଁ ଆସିବ l ଏତେ ଡ଼େରି ହେଲାଣି ଭଲ ମଟନ ତ ସରି ଯାଇଥିବ l ସେଠୁ ପୁଣି ପଲ୍ଲବୀର ଝିଙ୍ଗାସ ଶୁଣିବାକୁ ହେବ ତାକୁ l ହଠାତ ଫୋନଟା ରିଙ୍ଗ ହେବାରୁ ଚିନ୍ତା ଛାଡ଼ି ଫୋନ ଖୋଜିବାରେ ଲାଗିଗଲା ସିଏ l ମୋବାଇଲ କାଲି ରାତିରେ କୋଉଠି ରଖିଥିଲା ମନେ ପଡ଼ୁନି କିଛି l ରିଙ୍ଗଟୋନ ଶୁଣି ଶୁଣି ଯାଇ ଦେଖିଲା ଡ୍ରେସିଂ ଟେବୁଲ ଉପରେ ବାଜୁଛି ଏବଂ ” ଶୁଭ ସକାଳ ” ର ସମ୍ପାଦକ କରିଛନ୍ତି l
— ପ୍ରଭଞ୍ଜନ ବାବୁ ଆପଣଙ୍କର ଲେଖାଟି ଆଜିର ରବିବାର ସଂଖ୍ୟାରେ ବାହାରିଛି l ଚମତ୍କାର ଲେଖା l ଆଉ ଗୋଟିଏ କଥା ପାଇଁ ଅଭିନନ୍ଦନ ଦେବି ଆପଣଙ୍କୁ l
—କୁହନ୍ତୁ ସାର l
—ଆପଣ ନାୟିକା ମୁହଁରେ ଯେଉଁ ସଂଳାପଟି କୁହାଇଛନ୍ତି ତାହା ଗଳ୍ପଟିକୁ ଆହୁରି ଆକର୍ଷଣୀୟ କରି ଦେଇଛି l ପ୍ରେମ ଯଦି ସତ୍ୟ ତେବେ ପ୍ରେମ କରିବା ବ୍ୟକ୍ତିଟିକୁ ମଧ୍ୟ ଦୃଢ଼ମନା ହେବାକୁ ପଡ଼ିବ l କଂଗ୍ରାଚୁଲେସନ l
ପ୍ରଭଞ୍ଜନର ଆଖିର ଲୁହ ଶୁଖି ଯାଇଥିଲେ ହେଁ ଆତ୍ମାଟି ମୃତବତ ପଡ଼ି ରହିଥିଲା ।
ପଦ୍ମାଳୟା ପାଢ଼ୀ
ବ୍ରହ୍ମପୁର