ସବୁଥର ପରି ଏଥର ମଧ୍ୟ
ତୁମେ ଆସୁଛ, ନାନା ରୂପ ରଙ୍ଗ ନେଇ
ତମାମ ଆକାଶ ଫର୍ଚ୍ଚା ଫର୍ଚ୍ଚା ଲାଗେ
ତୁମ ସ୍ବାଗତରେ ଭୂମି ରୁ ଭୂମା ପର୍ଯ୍ୟନ୍ତ
ରଙ୍ଗ ବେରଙ୍ଗେ ହୋଇଛି ସଜେଇ ।
ହେ ଅଭ୍ୟାଗତ ତୁମ ଆଗମନେ
ପ୍ରଫୁଲ୍ଲିତ ହୋଇ ଏ ଜଗତ
ଆଶା ଆଶଙ୍କାରେ ତୁମକୁ ରହିଛି ଅନାଇ
ହର୍ଷ ବଦନେ ତଥାପି ସମସ୍ତ ଆଶଙ୍କାକୁ
ଛାତି ତଳେ ରଖିଛି ଯତନେ ଲୁଚାଇ ।
ଗୋଟି ଗୋଟି କରି
ଜୀବନର ଫର୍ଦ୍ଦ ଓଲଟି ଚାଲିଛି
କିଏ ଏଠି ହସ କିଏ ପୁଣି ଲୁହ ସଞ୍ଚିଛି
କିଏ ପୁଣି ଅପଲକେ ଅନାଇଁ ରହିଛି
ମୁକ୍ତ ପାଇଁ କାନ୍ଥରେ ଟଙ୍ଗା ହୋଇ ।
ଅନ୍ତ ନ ହୁଏ ଏଠି କାହା ବେଦନାର
ଶକ୍ତି ଖୋଜେ କିଏ ପୁଣି ଜିଇଁବାର
ରିକ୍ତ ହସ୍ତେ କିଏ ପୁଣି ଧାଏଁ
ଆଶ୍ୱାସନାର ପାହାଡ଼ ତଳେ କାହାର
ସମସ୍ତ ସ୍ବପ୍ନ ଅସ୍ତିତ୍ବ ଦେଇଛି ହରାଇ ।
ଏକା ହିଁ ତୁମେ ଆଶା ଓ ବିଶ୍ବାସ
ତୁମ ଆଗମନେ ସୁଖ ବିଚ୍ଛୁରିତ ହେବ ଚଉପାଶ
ତୁମ କୁହୁକ ପେଢି ଯେବେ ଖୋଲିବ
ଚମକି ଉଠୁ ସର୍ବ ଓଠେ ମୁକ୍ତାର ହସ
ପାରିବକି ତୁମେ ଏତିକି ପ୍ରତିଶ୍ରୁତି ଦେଇ ।।
