ଖୋଲାମେଲା ଆକାଶଟାକୁ ଲେଉଟାଣି ଆଖିରେ ଅନେଇ
ମନତଳ କାନଭାସରେ ଆଙ୍କୁଛ କି ମୋ ପ୍ରତିଛବି ??
ନା,,,, ସେଦିନର ରାଗରୁଷା ପାଇଁ
ତମ ନାଲି ଓଠ ତଳେ ବିଳିବିଳାଉଛ ମିଠା ଭର୍ସନା
ଓହୋ, ବୁଝିଲି !! ବୋଧେ ଅଭିମାନ କରିଛ
ତେଣୁ ତ ଖାରଜ କରୁଛ ମୋ ପ୍ରେମର ଆବେଦନ ପତ୍ରକୁ
ନାକଚ କରୁଛ ତମ ହୃଦୟ ସାଗରରେ ଆଉଥରେ ଦାନା ବାନ୍ଧିବା ପାଇଁ ମୋ ଅନୁମତି ପତ୍ରକୁ
ଆଖିପତାର ଛାଇରେ ଏତେ ପ୍ରେମକୁ ଜାଳିପୋଡି ଛାରଖାର କରି କି ପାଇଁ ସର୍ଜୁଛ ଘୃଣାର ଲଘୁଚାପ
କାହିଁକି ଡାକି ଆଣୁଛ ୧୯୯୯ ମହାବାତ୍ୟାକୁ
ଧ୍ବଂସ କରିବାକୁ ବିଶ୍ବାସର ଓଡ଼ିଶାକୁ…..??
କଣ୍ ଏଈ ତୁଚ୍ଛ ଅଭିମାନ ପାଇଁ ???
ଆମ ପ୍ରେମର ଶରୀରରେ ତମେ ବନାଉଛ
ପୁଜ ମିଶା ଦରପଚା ଘାଆ
ତେବେ ଠିକ୍ ଅଛି, ଧରିଆଣ ସବୁ ଅଭିମାନକୁ
ଗାଁ ପୋଖରୀରେ କଦଳୀ ପଟୁଆରେ ବସେଇ ଭସେଇଦେବି
ଆ-କା-ମା-ବୈ ଗୀତ ବୋଲି ପାହାନ୍ତି ଅନ୍ଧାରରୁ
ଏତକ କରିପାରିବନି ତ !!
ଆଚ୍ଛା, ହଉ ।।।
ସେ ଅଭିମାନଗୁଡ଼ାକୁ ଝୋଟ ଅଖାରେ ଭରି ବିକିଦିଅ କବାଡ଼ିବାଲାକୁ……
କାଳେ ପୁନଶ୍ଚକ୍ରଣ ପରେ
ସେମାନେ ପରିବର୍ତ୍ତିତ ହେବେ ଭଲପାଇବାକୁ
କହି — ” ପ୍ରେମ ଶାଶ୍ଵତ ଓ ଚିରନ୍ତନ “
ଧେତ୍, ମୁଁ ପାଗଳାଟେ
ତମେ ପରା ଚାହୁଁନ,,,,,
ଅଭିମାନକୁ ବଦଳେଇବାକୁ ପ୍ରେମର ସଂଳାପରେ
ତେବେ ଚିନ୍ତା କେଉଁଥି ପାଇଁ ????
ଆଖିରେ ବାନ୍ଧ ପଟି, ଅପେକ୍ଷା କର ସେଯାଏଁ
ଯେବେ ତମ ପଟିବନ୍ଧା ଆଖିତଳ ନିଆଁରେ
ମୋ ଦେହ ବଜ୍ର ହେବନି
ବରଂ ଜଳିପୋଡି ପାଉଁଶ ହେଇଯିବ
ଆଉ ସେ ପାଉଁଶକୁ କପାଳେ ବୋଳି ତମେ କରିବ ଅଘୋରୀ ସାଧନା
ମୋ ଅତୃପ୍ତ ଆତ୍ମା ଉପରେ ବାକି ଦାଉ ସାଧିବା ପାଇଁ
ଯଦି ଏତକରେ ମନ ଶାନ୍ତି ନୂହଁ ତମର,,,,
ତେବେ ଅଭିମାନ ସବୁକୁ କମାରଶାଳରେ ଦେଇଆସ
କୁହ ତାକୁ କି ସେ ଗଢୁ ଏକ ଧାରୁଆ ଖଣ୍ଡା
ତମେ ସେଥିରେ ମୋ ପାର୍ଥିବ ଶରୀରକୁ
ହାଣି ଗଡଗଡ କରିଦିଅ
ବୋଧେ ସେଇ ଯନ୍ତ୍ରଣା ଜର୍ଜରିତ ଆର୍ତ୍ତକଣ୍ଠର ଚିତ୍କାରରେ
ମୋ ଦେହର ନାଲି ରୁଧିର ମାଟିର ଶୋଷକୁ ମେଣ୍ଟାଇଲାବେଳେ
କଷ୍ଟରେ ମୋ ଆଖିରୁ ଲୁଣିପାଣି ସାଳନ୍ଦୀ ନଇ ପରି କୁଳୁକୁଳୁ ନାଦରେ ବହିଲାବେଳେ
ତମେ ବଦଳିପାର……
ଆଉ ବଦଳିପାରେ ତୁମ ସାଇତା ଅଭିମାନ
କିନ୍ତୁ ମୁଁ ବେଶୀ ଖୁସି ହେବି
ତମ ମନର ଶାନ୍ତି ପାଇଁ ନିଜକୁ ଉତ୍ସର୍ଗୀକରିଥିବାରୁ
ଋଷି ଦଧୀଚି ଭଳି…….