ତୁମେ ପଚାର ନା,
ତୁମ ସହିତ କଥା ହେଇ ମୁଁ କ’ଣ ପାଏ?
ଏ ପ୍ରଶ୍ନର ଉତ୍ତର ମୋର ପାଖରେ ନାହିଁ ସତ,
ହେଲେ, ତୁମ ଶବ୍ଦର ଯାଦୁଗରୀ ଓ ଭାବର ମହକ ମତେ ବିଭୋର କରେ ,
ଆକର୍ଷିତ କରେ ତୁମ ଦୁନିଆଁକୁ
କେବେ ତୁମ ରାଜ୍ୟର କୋଇଲି ଗାଏ
ତ, କେବେ ମୋ ରାଜ୍ୟର ଚାତକ।
ଅଭେଦ୍ୟ ହୃଦ-ଶୈଳର ବୁକୁ ଚିରି
ବହିଯାଏ ଝର
ଅନେକ କୋହ ବହି
କହେ କେଉଁ ନିଷ୍ପେସିତ ଚରିତ୍ରର ଜୀବନ ଗାଥା
ଉଦ୍ଗାରି ହୁଏ, କଲବଲ ହୁଏ
ଖୋଲିଯାଏ ଅନେକ ଗୁମର ,
ବହିଯାଏ ମରୁ ପଥରେ ଅନେକ ଦୂର
ସୃଷ୍ଟିକରେ ଅନେକ ସିଝୁ, କେକଟସ ଓ ଝାଉଁବଣ
ହେଲେ ବିଶ୍ରାମ ପାଇଁ ଛାଇ କାହିଁ ?
ଅନ୍ୱେଷଣ କରେ ଶାନ୍ତି,
ନିଦାଘର ନିରାଟ ଝାଞ୍ଜିରେ,
ନିରାଶା ଓ ନିସଙ୍ଗତାର ସହଚର ହୁଏ
ଝାଉଁଳି ପଡ଼େ ମନ ଶୁଷ୍କ ତତଲା ବାଲିରେ ।
ସେଠି ତୁମକୁ ପାଏ ମୁଁ କିଛି ଶବ୍ଦଙ୍କ ସାଥିରେ
ଯାହା ମୋର ବିଦଗ୍ଧ ଜୀବନକୁ
ପୁନର୍ଜୀବିତ କରେ ବାଷ୍ପ ରୂପରେ ,
ମୁଁ ପୁଣି ଫେରିଯାଏ ଜ୍ୟେଷ୍ଠର ସ୍ଥୂପିକୃତ ମେଘର ରାଇଜକୁ
ପୁଣି ବହିଯାଏ ଝର ହୋଇ
କେବେ ଭୂଇଁରେ, କେବେ ଉତ୍ତପ୍ତ ବାଲିରେ ପୁଣି କେବେ ତୁମ ସ୍ମୃତିର ନଈରେ……।

Thanks a lot.. Kalama and Tafizul sir