ମେଡିକାଲ କଲେଜର ଲାବୋରେଟରୀ ଟେବୁଲରେ
ପଡିଥିଲା କଙ୍କାଳଟିଏ ।କ୍ୟାନସର ସ୍ପେସାଲିଷ୍ଟ ଅର୍ଣ୍ଣବ
ପଏଣ୍ଟରରେ ସ୍ପର୍ଶକଲେ କଙ୍କାଳକୁ ହଠାତ୍ ଅନୁଭବ
କଲେ ଏକ ବିଜୁଳି କରେଣ୍ଟ ଖେଳିଗଲା ତାଙ୍କ ସମଗ୍ର
ଶରୀରରେ । କେହିଜଣେ ଛାତ୍ର କହିଲା–ସାର୍ କଙ୍କାଳ
କୁ ନେଇ ପାଠ ପଢିଲା ବେଳେ ମାଟିତଳୁ ସଦ୍ୟ ଏକ
ଫସିଲ ଆବିଷ୍କାର କଲା ପରି ଲାଗୁଛି ।ଆଉ ଜଣେ
ଛାତ୍ର କହିଲା– ନା ସାର୍ ଆଜି ଆଉ ପଢିବାନି ,ବରଂ
ଏ କଙ୍କାଳଟି ଏକ ଅନୁଢା ଯୁବତୀର ନା କେଉଁ
ପୁରୁଷର ତାହା ଆଲୋଚନା କରାଯାଉ ।ନିଜ ହୃଦୟ
ରେ ମୁଣ୍ଡଟେକୁଥିବା ଏକ ଉତୁଙ୍ଗ ଉର୍ମିକୁ ରୋକି ନେଉ
ନେଉ ଅର୍ଣ୍ଣବ କହିଲେ–ଏ କଙ୍କାଳଟି କାହାର ତାହା
ମୋ ଆଲୋଚନାର ପରିସରଭୁକ୍ତ ନୁହେଁ,ତୁମେ କରି-
ପାର । ହଲରୁ ବାହାରି ଆସୁ ଆସୁ ସେ ଚୁପ୍ ହୋଇ ତୋ
ଯାଉଥିଲେ ଠିକ୍ ଯେମିତି ଝଡ ଆସିବା ପୂର୍ବରୁ
ଥମ୍ ହୋଇଯାଏ ପୃଥିବୀ ।ସେ ଜାଣିଥିଲେ କଙ୍କାଳଟି
କାହାର ।
ଘରକୁ ଫେରିବା ବେଳେ ସେ ଅନୁଭବ କରୁଥିଲେ
ଅୟୁତ ଯୁଗର କ୍ଳାନ୍ତି ।ତାଙ୍କ କାନରେ ଗୁଞ୍ଜରିତ
ହେଉଥିଲା ମୃତ୍ୟୁସହ ଲଢେଇ କରି ହାରିଯାଇଥିବା ରୁଚିରାର କେଇପଦ କଥା—ସମୁଦ୍ର କି ନଈକୂଳକୁ
ନ ଗଲେ କ’ଣ ବାଲିଘର ତିଆରି କରି ହୁଏନା ।
ନିଜ ମନର ନଈପଠାରେ କାହାର ସ୍ପର୍ଶସବୁ ଯେବେ
ମୁଠା ମୁଠା ବାଲି ହୋଇ ଆସ୍ତରଣଟିଏ ସୃଷ୍ଟି କରେ,
ବାଲିଘରଟିଏ ତ ଗଢିହେବ ସାର୍ ।ଆଉ ଯଦି ନା
ତେବେ ମତେ ଥରେମାତ୍ର ନେଇ ଚାଲନ୍ତୁ ସମୁଦ୍ର
କୂଳର ଏକ ନିରୋଳା ବାଲୁକାଶଯ୍ୟାକୁ ।ସତସତିକା
ସଂସାରତ କରିପାରିବିନି ହେଲେ ସନ୍ଧ୍ୟାର ସେଇ
ରମଣୀୟ ସୂର୍ଯ୍ୟାସ୍ତର ସ୍ପର୍ଶରେ କିଛି ମୁହୁର୍ତ୍ତର ଖୁସିକୁ
ସାଉଁଟିନେବି ବାଲିଘରଟିଏ ଗଢି।ଗୋଟିଏ ମାତ୍ର
ସର୍ତ୍ତ ଆପଣ ମତେ ନେଇଯିବେ ସେଠିକୁ ।ମୁଁ
ଡାକ୍ତରଖାନାର ଏଇ ଚାରିକାନ୍ଥର କୋଠରୀରେ
ଅଣନିଃଶ୍ବାସୀ ହୋଇପଡିଲିଣି ।କେବଳ ଥରେମାତ୍ର
ଆକୁଳ ଅନୁରୋଧ ତାର ।
ଘରେ ପହଞ୍ଚୁ ପହଞ୍ଚୁ ଅର୍ଣ୍ଣବ ମୋହଗ୍ରସ୍ତ ପରି ତାଙ୍କ
ସଦ୍ୟ ବିବାହିତା ପତ୍ନୀକୁ କହିଲେ -ଚିନ୍ମୟୀ ଚାଲ
ସମୁଦ୍ରକୂଳକୁ ଯିବା,ତୁମେ ତୁମ ପସନ୍ଦର ବାଲିଘର
ତିଆରି କରିବ ।କିନ୍ତୁ ପରୋକ୍ଷରେ ସେ ଅନୁଭବ
କରିବାକୁ ଚାହୁଁଥିଲେ ତାଙ୍କ ଜୀବନର ସେ ଅଭାବନୀୟ
ସନ୍ଧ୍ୟାର ସେ ଉଷୁମ ଆବେଗର ବନ୍ଧନକୁ ।ତାର
ସେ କଙ୍କାଳର ସ୍ପର୍ଶ ଓ ବିଜୁଳି କରେଣ୍ଟର ଅନୁଭବ
ସବୁକିଛି ଉଖାରି ପକାଉଥିଲା ତାଙ୍କ କ୍ଷତକୁ ।ବିସୃତିର
ଅତଳ ଗର୍ଭକୁ ଠେଲିଦେଇଥିବା ସୃତିର କ୍ଷତଟା ସତେ
ଯେମିତି କାହାର ହାତବାଜି କେଞ୍ଚି ହୋଇଗଲା ।
ଡାକ୍ତର ଅର୍ଣ୍ଣବ ଓ ଚିନ୍ମୟୀ ବାହାରିଲେ ଟାଟା ମିମୋ-
ରିଆଲ ହସ୍ପିଟାଲ ନିକଟସ୍ଥ ତାଙ୍କ ଫ୍ଲାଟରୁ ସମୁଦ୍ର —
କୂଳକୁ ।ଠିକ୍ ଯେମିତି ସେ ରୁଚିରାର ଆକୁଳ ଅନୁ-
ରୋଧ ଏଡି ନ ପାରି ତାକୁ ନେଇ ଯାଇଥିଲେ
ସମୁଦ୍ରକୂଳକୁ ।ଗାଡି ଡ୍ରାଇଭ କରି ଗଲାବେଳେ
ଖୁସିରେ ଜପୁଥିବା ପତ୍ନୀକୁ ଶୁଣୁଥିଲେ ସିନା ହେଲେ
ସେ ମନେ ମନେ ଭାବୁଥିଲେ ରୁଚିରାର ଅଜବ ପ୍ରସ୍ତାବ
କଥା ।
ବ୍ଳଡ କ୍ୟାନସର ରୋଗରେ ଆକ୍ରାନ୍ତା ଥିଲା ଷୋଡଷୀ
ରୂପସୀ ରୁଚିରା ।ତାର ଟ୍ରିଟ୍ମେଣ୍ଟ କରୁଥିଲେ ଯୁବ
ଡାକ୍ତର ଅର୍ଣ୍ଣବ ।ଅଜବ ଖିଆଲି ଝିଅଟିଏ,ସ୍ବପ୍ନମଖା
ଆଖି,ଛାତିରେ ଛାତିଏ ଭଲପାଇବା ଅର୍ଣ୍ଣବଙ୍କ ପ୍ରତି ।
ଅର୍ଣ୍ଣବଙ୍କ ଅଜାଣତରେ ଏକାନ୍ତ ଥିଲା ତାର ଅନୁଭବ ।
ଅଦ୍ଭୁତ ଖିଆଲ ତାର,ଟ୍ରିଟ୍ମେଣ୍ଟ ବେଳେ ଅର୍ଣ୍ଣବ ତାକୁ
ସାନ୍ବନା ଦେଇପାରୁ ନ ଥିଲେ,କ୍ୟାନସରର ଥାର୍ଡଷ୍ଟେଜ।
ଆଜିର ଇଣ୍ଟରନେଟ ଯୁଗରେ କେଉଁ କଥା ବା ଅଜଣା
ରହିପାରେ ଯେ ।
ରୁଚିରାର ସର୍ତ୍ତ ଥିଲା ଅର୍ଣ୍ଣବ ହିଁ ନେଇଯିବେ ତାକୁ
ସମୁଦ୍ରକୂଳକୁ ।ଆଉ ସତକୁ ସତ ଦିନେ ଅର୍ଣ୍ଣବ ତାକୁ
ନେଇଗଲେ ଜୁହୁ ବିଚକୁ ଟାଟା ମିମୋରିଏଲ ହସ୍-
ପିଟାଲର ରୁଦ୍ଧ କୋଠରୀରୁ ମୁକ୍ତ ପରିସରକୁ ।ସେଠାରେ
ପହଞ୍ଚି ପ୍ରଗଳ୍ଭା ହୋଇଉଠୁଥିଲା ସେ ।ଆକୁଳ ନିବେଦନ
ତାର,କହିଥିଲା–ମତେ ଥରେ ମାତ୍ର ଆଲିଙ୍ଗନ କର
ଡାକ୍ତର,ମୁଁ ମୋ ଭଲପାଇବାର ଉଷ୍ଣତାକୁ ଆଜି କେଇଟା
ମୁହୂର୍ତ୍ତ ଅନୁଭବ କରିବାକୁ ଚାହେଁ । ତୁଷାର ପାତ ପରି
ଧିରେ ଧିରେ ଶୀତଳ ମୃତ୍ୟୁ ମତେ ସ୍ପର୍ଶ କରୁଛି ପ୍ରତିଦିନ।
ଅତିଶୀଘ୍ର ସେ ହୁଏତ ଆଚ୍ଛାଦିତ କରିବ ମୋର ସମଗ୍ର
ସତ୍ତାକୁ ।କେବଳ କେଇ ମୁହୂର୍ତ୍ତର ଉଷ୍ଣତାକୁ ପାଥେୟ
କରି ବଞ୍ଚିଯିବି ମୃତ୍ୟୁ ପର୍ଯ୍ୟନ୍ତ ।ଏତିକି କହି ସେ ଲୋଟି
ଯାଇଥିଲା ଅର୍ଣ୍ଣବଙ୍କ ଛାତିରେ ।ହିମବାହ ପରି ଶୀତଳ
ହୋଇଯାଉଥିବା ରକ୍ତର ଉଷ୍ଣତାରେ ବହି ଯାଉଥିଲେ
ଯୁବ ଡାକ୍ତର ଅର୍ଣ୍ଣବ ।ସେ କହିଚାଲିଥିଲା–ମୋର
ଶେଷ ଇଚ୍ଛା କ’ଣ ଜାଣ ଡାକ୍ତର?ମୁଁ ମୋର ଏ
ଶରୀରକୁ ଦାନ କରୁଛି ଏ ହସ୍ପିଟାଲକୁ ।ତୁମେ ଯେତେ-
ବେଳେ ତାକୁ ସ୍ପର୍ଶ କରିବ ମୁଁ ଆରପାରିରେ ଥାଇ ଅନୁ-
ଭବ କରିବି ତୁମ ହାତର ସ୍ପର୍ଶ ।ସେତେବେଳେ ତୁମେ
ମୋ କଙ୍କାଳକୁ ସ୍ପର୍ଶ କରି କ’ଣ ଶିହରଣଟିଏ ଅନୁଭବ
କରିପାରିବ?ଅର୍ଣ୍ଣବଙ୍କ ପାଖରେ ଏହାର ଉତ୍ତର ନ ଥିଲା ।
ସେ ଭାବୁଥିଲେ କି ବିଚିତ୍ର ଏ ଝିଅର ସ୍ବପ୍ନ,କି ଅଦ୍ଭୁତ ଏ
ପ୍ରଶ୍ନ? କଙ୍କାଳକୁ ଛୁଇଁ ଶିହରଣ ସେ ପୁଣି ଏକ ଡାକ୍ତର
ଯାହାପାଇଁ ହୃଦୟ କେବଳ ଏକ ହାତମୁଠା ଆକୃତିର
ଏକ ବସ୍ତୁ ।
ସେମାନେ ପହଞ୍ଚିସାରିଥିଲେ ଜୁହୁ ବିଚରେ ।ପୁରୀର
ବେଳାଭୂଇଁକୁ ଦରାଣ୍ଡୁଥିବା ଚିନ୍ମୟୀଙ୍କୁ ସେ ନେଇଗଲେ
ଆପାତତଃ କିଛିଟା ବେଶୀ ବାଲିଥିବା ସ୍ଥାନକୁ ।ଚିନ୍ମୟୀ
କହିଲେ ମତେ ବାଲିଘର ତିଆରି କରିବାକୁ ଭଲ ଲାଗେ।
ହେଉପଛେ କ୍ଷଣିକ ଖୁସି କିନ୍ତୁ ତାକୁ ମନରେ ସାଇତି ରଖି
ମଣିଷ ବଞ୍ଚେ ।ଦଃଖର ଅନୁଭବରେ ତାକୁ ଲେ ଉ ଟି
ଦେଖିଲେ ସେ କାଳେ ପୁଣି ଚେନାଏ ଖୁସି ଝାଡିଦିଏ
ଓଠରେ ।ଏମିତି ବଡରୁ ଛୋଟ ହେବାରେ ଛପି ରହି–
ଥାଏ ବାଲ୍ୟ ଚପଳତାର ଆନନ୍ଦ ।
ବାଲିଘରଟିଏ ତିଆରିବାକୁ ବାଲିରେ ଗାତ ଖୋଳୁଥିବା
ବେଳେ ତାଙ୍କ ହାତରେ କିଛି ଶକ୍ତ ଜିନିଷଟେ ବାଜିଲା।
ଆଃ,ଚିତ୍କାର କରି ଉଠିଲେ ସେ ।ରୁଚିରାର ଉଷ୍ଣତାକୁ
ଅନୁଭବ କରୁଥିବା ଅର୍ଣ୍ଣବଙ୍କ ଧ୍ୟାନ ଭଙ୍ଗହେଲା ।
ସେ ଶୀତଳ କଣ୍ଠରେ କହିଲେ ଆରେ କ’ଣ ହେଲା ।
ଚିନ୍ମୟୀଙ୍କ ହାତରେ ଥିଲା ଏକ ବଡଫରୁଆ ।ତାକୁ
ଖୋଲି ଦେଖିଲେ ସେ ଭିତରେ ଥିଲା ପରସ୍ପର
ଆଲିଙ୍ଗନବଦ୍ଧ ଏକ ଯୁଗଳ ମୂର୍ତ୍ତି ।ତାକୁ ଦେଖି ଚିନ୍ମୟୀ
କହୁଥିଲେ–ଦେଖିଲ,କାହାର ଏ ଅଧାଲେଖା ଶାଶ୍ଵତ
ପ୍ରେମ କାହାଣୀ ।ହୁଏତ ରୂପ ପାଇ ନ ଥିବ ।ବୁଢୀ
ଅସୁରୁଣୀ ସାତତାଳ ପଙ୍କ ଭିତରେ ଫରୁଆରେ ତା
ଜୀବନଟିକୁ ସାଇତି ରଖିଲାପରି ତା ଅଧାଲେଖା
ପ୍ରେମ କାହାଣୀକୁ ଫରୁଆରେ ଭର୍ତ୍ତିକରି କାଳର
କରାଳ ଗର୍ଭରୁ ଲୁଚେଇ କବର ଦେଇଥିଲା ଏ
ବାଲିରେ ।
ଅର୍ଣ୍ଣବ ଦୀର୍ଘଶ୍ବାସଟିଏ ନେଇ କହିଲେ–ହଁ ସବୁ
ଅଧାଲେଖା ପ୍ରେମକାହାଣୀ ଏ ବାଲିଘର ପରି ।
ସବୁ ପ୍ରେମ କାହାଣୀର ଇତି ନ ଥାଏ ।କେବେକେବେ
ଇତିରୁ ଆରମ୍ଭ ହେଉଥାଏ।
ଚିନ୍ମୟୀ କିନ୍ତୁ ହଜିଯାଉଥିଲେ ବାଲିଘରଟିଏ
ତିଆରି କରିବାରେ ।