ଅଦୃଶ୍ୟ ଘୁଙ୍ଗୁର

ନିର୍ଜନ ଅନ୍ଧାର ଭିତରୁ…..!
ତଲ୍ଲୀନ ଘୁଙ୍ଗୁର ର ତାଳେ ତାଳେ
ମୃଦୁ ଗମ୍ଭୀର ଶବ୍ଦରେ,
କାମନାର ଶୁଭ୍ର ଆଲିଙ୍ଗନ ତୋଳି 
ନିଇତି ଆସେ…!!
ଶତ ପୁଷ୍ପର ଗନ୍ଧେ
ପ୍ରୀତି ମାଧୁରୀର ଛନ୍ଦେ,
ନିନାଦିତ ଛମ ଛମ ମନ୍ତ୍ର
ଆଉ ପାପପୁଣ୍ୟ ର ହିସାବ ଭିତରେ
ମୂର୍ତ୍ତିମତୀ ବିଭୋର କରେ !
ଚୋରେଇ ନିଏ,
ମୋ ଜୀବନର ଅବଶିଷ୍ଟ ନିଦ୍ରିତ ସପନ 
ବଦଳରେ ଦେଇଯାଏ
ଶୂନ୍ୟ ଲଲାଟରେ ମୋର ଅଜସ୍ର ଚୁମ୍ବନ।।
ମେଘତୃଷ୍ଣାର ନୀଳ ଅମ୍ବର ତଳେ
ସବୁଜ ଶୃଙ୍ଗାର ପ୍ରଶସ୍ତ ଛାତିରେ
ମୋ ତୃଷ୍ନାନଦୀର ପ୍ରତିବିମ୍ବ 
କେଉଁ ପଦ୍ମତୋଳା ର ଡାକରେ
ସେ ହଯାଏ ମଜାଏ ରସାଏ
ଫୁଟାଇ ଦିଏ ଇଚ୍ଛାର କଦମ୍ବ ।।
ଛନ୍ଦ ତାଳ ଲୟର ଷୋଡ଼ଶ ମୁଦ୍ରାରେ
ତନ୍ମୟୀ ଜ୍ୟୋତ୍ସ୍ନା ର ମୃଦୁ ଛୁଆଁ
ଆକ୍ତାମାକ୍ତା ହୁଏ,
ମୋ ବିଶ୍ୱାସର ସଶକ୍ତ ପ୍ରାଚୀର 
ସେ ପ୍ରୀତିଲଗ୍ନା ହେଉ କି ମେଘମଗ୍ନା….!
ସେ ପୂର୍ଣ୍ଣଯୌବନା ହେଉ କି ନବନବିନା..!!
ଯାହା ପାଇଁ ମୁହିଁ ଅସ୍ଥିର ବାରମ୍ବାର ।।
ପ୍ରାପ୍ତିର ସକଳ ପ୍ରୟାସ ଭିତରେ
କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ
ବିଲୀନ ହୁଏ ମୁଁ
ତା ଅଦୃଶ୍ୟ ସତ୍ତାରେ ।
ଭୋଗ ଅଭୋଗ ର ଦୋଛକି ମଝିରେ 
ନୀରବ ନୈସର୍ଗିକ ଚେତନା ଭିତରେ ।। 
ଅନେକ ଖୋଜେ,
ପାଏନି କିନ୍ତୁ…..!!
ଯଦି କେବେ ପାଇଯାଏ ତାକୁ
ସେ ଘୁଙ୍ଗୁର ପିନ୍ଧା ପାଦରେ 
ରଙ୍ଗେଇ ଦେବି ରକ୍ତର ଅଳତା 
ଗଭାରେ ତା ଖୋସିଦେବି
କୁରେଇ ର ପେନ୍ଥା ।।
ଏଠି ନିରୋଳାରେ,
କୂଳ ଖାଉଛି ଇଚ୍ଛାନଦୀ !
କାମନାର ପରିପାଟୀରେ ଭିଜୁଛି 
ନୃତ୍ୟନଟୀ ର ଦେହ
ବାରମ୍ବାର ବିଭୋର କରୁଛି
ଅନୁଭୁତିର ଅଭିମନ୍ତ୍ରିତ କୋହ ।।
ମୋର ଏକଲା ଓ ଅଭାବୀ ପଣ ଭିତରେ 
ଶୂନ୍ୟ କଳସୀ ରେ
ସଦ୍ୟ ସତେଜ ଅଶ୍ରୁଗଙ୍ଗା,
ଆଞ୍ଜୁଳିଏ ଅତ୍ମୀୟତା
ଆଉ ପାପୁଲିଏ ନୀରବତା ।
ଆସ,
ତୁମେ ହିଁ ତ ଦୀପ୍ତରୂପା,
ଦେବୀ ଆଉ କଣ ଦେବି !
ଯନ୍ତ୍ରଣା ର ଜରାଜୀର୍ଣ୍ଣ ହୃଦ ସହରରୁ
କେବଳ କରିବି ତୁମ ନୀରବ ପ୍ରତୀକ୍ଷା।।
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *