ଅଙ୍ଗୁଳିମାଳ

ମୁଁ ଅଙ୍ଗୁଳିମାଳ…

ଶହେସାତ ମୃତ୍ୟୁକୁ ଗଳାରେ ଲମ୍ବାଇ

ଅନ୍ଧକାରେ ଖୋଜୁଛି ସ୍ୱର୍ଣାଭ ସକାଳ।

ଅନ୍ୟର ଇଚ୍ଛାକୁ ହତ୍ୟାକରି

ସ୍ୱଇଚ୍ଛାକୁ କରିଛି ଗଳାହାର

ମାତ୍ର ଅଙ୍ଗୁଳିମାଳ ଲାଗେ ଏବେ, 

ସତେ ସହସ୍ରଭାର ବିଷୟ କଙ୍କାଳ।

ଇଚ୍ଛା ମୋର ରକ୍ତାଭ ପଳାଶ 

ପୁଣି ରୌଦ୍ରଠାରୁ ଉଷ୍ମ

ରକ୍ତମୁଖା ମୁଁ ନିଜ କାଳ

ଖୋଜିବୁଲେ ନୂତନ ଅଗୁଂଳି

ହତ୍ୟାକରି ମୁଣ୍ଡ ମାଳମାଳ।

କାହାର ଏ କୁହୁକ ପରଶ

ବନଭୂମି ଲଭୁଛି ଉଶ୍ୱାସ 

ଓଠରେ ଧାରେ ଦିବ୍ୟ ମଲ୍ଲୀହସ

ସତେ ଶତ ଦେବଙ୍କ ନିର୍ଯ୍ୟାସ।

ମୃତ୍ୟୁ ର ସମ୍ମୁଖେ ଛିଡାହୋଇ 

ପଚାରନ୍ତି ହୋଇ ହସହସ

ହେ ମଣିଷ….ଦେଇପାରୁ ମୃତ୍ୟୁ, 

ହେଲେ ଦେଇକି ପାରିବୁ ଜୀବନ୍ଯାସ!

ପ୍ରଭୂ…ମୁଁ ଅଙ୍ଗୁଳିମାଳ 

ମୋ ହୃଦୟେ କେବଳ ଗରଳ

ମୋ’ଭାର କରି ଗ୍ରହଣ,

କରମତେ ସରଳୁ ସରଳ। 

ଅଙ୍ଗୁଳିମାଳର ଶେଷ ଇଚ୍ଛାପୁର୍ତ୍ତି ହେଲା,

ପୁଷ୍ପମାଲ୍ଯ ଗଳାରେ ଲମ୍ବାଇ ଅଙ୍ଗୁଳିମାଳ ଉତାରି ସେ ଦେଲା।

ପ୍ରତିଟି ମଣିଷ ଏଠି 

ଏକଏକ ଅଙ୍ଗୁଳିମାଳ 

ହୃଦୟେ ଧାରଣକରି ଅହଂର ଅଙ୍ଗୁଳି

ବାହାରେ ଅନ୍ୱେଷି ବସେ

ଶାନ୍ତି ଚିରକାଳ। 

ଆଗଚ୍ଛନ୍ତୁ ଆହେଃ ତଥାଗତ 

ପ୍ରଭାତ କୁ କରି ସୁପ୍ରଭାତ 

ତବ ଆଗମନେ, 

ହେଉସବୁ ସମୟ ଅମୃତ

ପୁଣି ସବୁବେଳା ହୋଇଯାଉ  

ଦୁର୍ଲଭ ମୁହୁର୍ତ୍ତ।

ପ୍ରଜ୍ଞା ମହାନ୍ତି 

ସମ୍ବଲପୁର,  9437362473

Leave a Reply

Your email address will not be published. Required fields are marked *