କଲମ ହେ !
ତୁମ ଚରଣେ ମୁହିଁ
ପ୍ରଣମୁଛି ବାର ବାର
ଘେନାକର ମୋର
ଭକ୍ତିପୂତ ଅର୍ଘ୍ୟ
ହେ କଲମ ପରିବାର ।
ସମସ୍ତେ କୁହନ୍ତି
ବଲମଠୁ ବଳି
କଲମ ଯେ ଶକ୍ତିଶାଳୀ
ଦୂର କରି ସବୁ
ଅର୍ଗଳ ରାଜି
ଝରିପଡୁ ପଦାବଳୀ
ସେ ପଦାବଳୀରେ
ଫୁଟିଉଠୁ ଆଜି
ସମାଜର ଚଉପାଶ
ଦୂର ହୋଇଯାଉ
ଉତ୍କଟ ପୀଡା
ସମୟର ରାହୁଗ୍ରାସ
ବିଶ୍ବମୁକ୍ତିର ଶୁଭ୍ରଜଳରେ
ଅବଗାହୀ ପ୍ରତିପ୍ରାଣ
ଉଚ୍ଚ ଓଁକାରେ
ଦୀପ୍ତକରରେ
ଚେତନାର ଜାଗରଣ
ଭାଙ୍ଗିଦିଅ ସବୁ
ଶୋଷଣ କଷଣ
ଆନ୍ୟାୟର ଅମାନିଶା
ଦେଖାଅ ତୁମର
ଶକ୍ତି ଅପାର
ନବ ସୃଷ୍ଟିର ଦିଶା ।
ମନେପଡେ ଆଜି
ଚିର ଦୁର୍ବାର
ଗୋଦାବରୀଶଙ୍କ କଥା
ଯିଏ ଲେଖିଥିଲେ
କଲମ ମୁନରେ
ଜାତି ପରାଣର ବ୍ୟଥା
କହିଥିଲେ ଦିନେ
“ଅତି ଆପଣାର
ବନ୍ଧୁହେ ମମ
ଅତି ବିଶ୍ବାସୀ ସଖା
ତୁମର ତୀକ୍ଷ୍ଣ
ମୁନରେ ଫୁଟିଛି
କେତେ ମୋର ମନଲେଖା “
ଆସ ନର ନାରାୟଣୀ
ହୋଇ ଏକ ମନ
ତେଜି ଅପକର୍ମ
ଲଙ୍ଘି ଲକ୍ଷ୍ମଣ ରେଖା
ଧରି କଲମ
ଚିନ୍ତି ସୁକର୍ମ
ଲେଖିବା ମନଲେଖା
ସେ ଲେଖାରେ
ସେବେ ପ୍ରତୀତ ହୋଇବ
ନବ କାକଳୀର ସ୍ଵର
ସବୁରି ମୁଖରେ
ଫୁଟାଇ ହସ
ହୋଇବ ଚିର ଭାସ୍ବର
ନିନାଦିତ ହେବ
ଶୁଭଶଙ୍ଖ ଧ୍ବନି
ବୁହାଇ ଶାନ୍ତିବାରି
ସେଦିନ କଲମ
ହେବ ସୁମହାନ
ଜୀବନ ସମୃଦ୍ଧ କରି
ଜୀବନ ସମୃଦ୍ଧ କରି ।