ସୁରେଶ ବାବୁ ସକାଳୁ ସକାଳୁ ମାଁ ଶଶୀକଳା ଦେବୀ ଙ୍କର ଫୋନ୍ ପାଇ ଚମକି ପଡ଼ିଲେ।ମାଁ ଙ୍କ ଫୋନ କୁ ତାଙ୍କର ବହୁତ ଡର। ଛୋଟ ଟି ଦିନରୁ ସେ ଦେଖି ଆସୁଛନ୍ତି ମାଁ ଙ୍କର ପରିବାର
ଉପରେ କର୍ତ୍ତୃତ୍ବ।ନାରୀ ପ୍ରାଧାନ୍ୟ ପରିବାର ତାଙ୍କର। ବାପାଙ୍କୁ କାଣି ଅଙ୍ଗୁଳି ରେ ରଖି ଥାନ୍ତି। ସେ ଯାହା କହନ୍ତି ବାପା ଟିକିଏ ବି ବିଚ୍ୟୁତ ହୁଅନ୍ତି ନାହିଁ।ମାଁ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରନ୍ତି। ବାପା କମଳ ଲୋଚନ ବେହେରା ଆଜକୁ ପାଞ୍ଚ ବର୍ଷ ହେବ ଆର ପାରିକୁ ଚାଲି ଗଲେଣି।ସିଏ ବି ଶିକ୍ଷକତା କରୁଥିଲେ।ଏହି ସୁରେଶ ବାବୁ ତାଙ୍କର ଗୋଟିଏ ବୋଲି ପୁଅ। ଦୁଇ ବର୍ଷ ତଳେ ମାଁ ଶଶୀକଳା ଦେବୀ ନିଜ ହାତରେ ପୁଅ ସୁରେଶର ବାହାଘର କରିଛନ୍ତି ସୁଲୋଚନା ସହିତ। ଗରିବ ଘର ଝିଅ ହେଲେ କଣ ହେଲା ସୁଲୋଚନା ଦେଖିବାକୁ ଭାରି ସୁନ୍ଦର। ଗୋଟିଏ ଚାଉଳରେ ଗଢା। ଛୋଟ ଟି ଦିନରୁ ବାପା ଙ୍କୁ ହରାଇ ସେ ବିଧବା ମା ସହିତରେ ରହୁଥିଲେ। ସିଏ ମଧ୍ୟ ଗୋଟିଏ ବୋଲି ଝିଅ। ଆଉ ଭାଇ ନାହିଁ କି ଭଉଣୀ ନାହିଁ। ସୁରେଶ ବାବୁ ମେକାନିକାଲ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରି ଭୂଷଣ ଷ୍ଟିଲ ପ୍ଳାଣ୍ଟ ରେ କାମ କରନ୍ତି। କମ୍ପାନୀ କ୍ବାଟର ରେ ଉଭୟ ପତୀ ପତ୍ନୀ ରହୁଛନ୍ତି।
ସୁଲୋଚନା କୁ ପିଲା ପିଲି ହେବାର ଅଛି। ସେଥିପାଇଁ ଶଶୀକଳା ଦେବୀ ଭାରି ଖୁସି। ବାରମ୍ବାର ଫୋନ କରି ବୋହୁର ଯତ୍ନ ନେବାକୁ ପରାମର୍ଶ ଦେଉ ଥାନ୍ତି। ସେଦିନର ଫୋନରେ ସୁରେଶ ବାବୁଙ୍କୁ ପୂର୍ବ ପରି ବୋହୁର ଭଲ ମନ୍ଦ ପଚାରି ବୁଝିଲେ। ତାପରେ ସୁରେଶ ବାବୁ ଙ୍କୁ କହିଲେ ବୋହୁକୁ ନେଇ ଡାକ୍ତର ଙ୍କୁ ଦେଖାଇ ବାକୁ। ସୁରେଶ ବାବୁ ସମ୍ପୂର୍ଣ୍ଣ ମାଁ ବୁଦ୍ଧି ରେ ପରିଚାଳିତ। କୌଣସି କାମ ମାଁ କୁ ନ ପଚାରି କରନ୍ତି ନାହିଁ। ପତ୍ନୀ ସୁଲୋଚନା ପାଇଁ ଶାଢୀ ଖଣ୍ଡେ କି ଶାୟା ଖଣ୍ଡେ କି ବ୍ଲାଉଜ ଖଣ୍ଡେ ଏପରିକି କସ୍ମେଟିକ୍ କିଣିଲେ ବି ମାଁ ପାଖରୁ ପ୍ରଥମେ ଅନୁମତି ନେବାକୁ ପଡିଥାଏ। ଘରେ କଣ ରୋଷେଇ ହେବ ତାହା ବି ଶଶୀକଳା ଦେବୀ ଙ୍କର ନିର୍ଦ୍ଦେଶ ରେ ହୁଏ। ସୁରେଶ ବାବୁ ପୁରା ପୁରି ମାଁ ଙ୍କର ଆଜ୍ଞା ବହ ଭୃତ୍ୟ।ମାଁ ଙ୍କୁ ତାଙ୍କର ଭାରି ଭୟ। ମାଁ ଯାହା କହନ୍ତି ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି। ଟିକିଏ ବି ଏପଟ ସେପଟ ହୁଅନ୍ତି ନି।
ଫୋନରେ ଶଶୀକଳା କଳା ଦେବୀ କହିଛନ୍ତି ବୋହୁର ଗର୍ଭ ପରୀକ୍ଷା କରିବା ପାଇଁ। ପୁଅ ହେବ କି ଝିଅ ହେବ ପରୀକ୍ଷା କରିବା ପାଇଁ। ହେଲେ ସୁରେଶ ମାଁ କୁ କହିଲେ ସେଇଟା କିପରି ସେ କରି ପାରିବ……??
ତାହା ଯେ ସରକାର ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ……
ତାହା ଏବେ ଏକ ଦଣ୍ଡନୀୟ ଅପରାଧ ରେ ପରଗଣିତ।ବ୍ୟକ୍ତି ବିଶେଷ ଆଉ ସମ୍ପୃକ୍ତ ଡାକ୍ତର କୁ ଉଭୟ କାରାଦଣ୍ଡ ଆଉ ଅର୍ଥ ଦଣ୍ଡରେ ଦଣ୍ଡିତ ହେବାକୁ ପଡିବ। ତେଣୁ ପରୀକ୍ଷା କିପରି ସମ୍ଭବ ହେବ ମାଁ ବୋଲି ସୁରେଶ ବାବୁ ଶଶୀକଳା ଦେବୀ ଙ୍କୁ ପଚାରିଲେ।
ଶଶୀକଳା କହିଲେ ସବୁକାମ କଣ ନିୟମ ଅନୁସାରେ ହେଉଛି……??
ଏହି ସମାଜରେ ଟଙ୍କା ଦ୍ବାରା କଣ ବା ନ ହେଉଛି…..??
ଟଙ୍କା ଖର୍ଚ୍ଚ କରି ସ୍ପଷ୍ଟ ଦିବାଲୋକରେ ମର୍ଡର କରି ତ ଅକ୍ଳେଶ ରେ ଖସି ଯାଉଛନ୍ତି…….
ସେଇଟା ତ ଡାକ୍ତର ମାନଙ୍କର ଅଧିକ ଅର୍ଥ ରୋଜଗାର କରିବାର ଏବେ ଗୋଟିଏ ମାଧ୍ୟମ ହୋଇଛି…….
ଆଗ ଗର୍ଭ ପରୀକ୍ଷା କରିବା ସମୟରେ ଯାହା ଏକ ହଜାର ଟଙ୍କା ନେଉଥିଲେ ଏବେ ଡାକ୍ତର ପାଟି ରୁ ଯାହା ବାହାରିଲା ସେତକ ଟଙ୍କା ନେଉ ଛନ୍ତି………
ସେ କାମ ଆଜି ରାତି ଅଧିଆ ହେଉଛି……..
ସେଇଥି ପାଇଁ ତ ସ୍ତ୍ରୀ ରୋଗ ବିଶେଷଜ୍ଞ ଘରେ ଆଜି ଟଙ୍କା ରଖିବାକୁ ଯାଗା ନାହିଁ………
ଏଇ ରାତିଅଧିଆ ବେପାର କରି ଜଣେ ଡାକ୍ତର କୋଟି କୋଟି ଟଙ୍କା ରୋଜଗାର କରି ଭିଜିଲାନ୍ସ ହାତରେ ଧରା ପଡି ବାର ଖବର ପ୍ରେସ୍ ମିଡିଆ ଆଉ ଇଲେକ୍ଟ୍ରୋନିକ ମିଡିଆରେ ପ୍ରଚାର ହେବା ତୁ ଜାଣିନୁ……..??
ଭିଜିଲାନ୍ସ ସେହି ଡାକ୍ତର ଘରୁ କୋଟି କୋଟି ଟଙ୍କା ଜବତ କରି
ହାତରେ ଗଣି ପାରିଲେ ନାହିଁ ଯେ ଟଙ୍କା ଗଣିବା ପାଇଁ ପରା ଟଙ୍କା ଗଣାମେସିନ୍ ର ସହାୟତା ନେବାକୁ ପଡିଲା……
ଟଙ୍କା ଖର୍ଚ୍ଚ କଲେ ଜଙ୍ଗଲର ବାଘ ଧରି ଆଣି ଘରେ ହାଜର କରି ଦେବେ……..
ଆଉ ତୁ ଏ ଛୋଟ କାମ କରି ପାରିବୁ ନାହିଁ……..??
ଆଜି ଯାଇ ଗର୍ଭ ପରୀକ୍ଷା କରି ମୋତେ ଜଣାଇବୁ ବୋଲି କହି ଶଶୀକଳା ଦେବୀ ପୁଅ କୁ ଫୋନ୍ ଯୋଗେ ନିର୍ଦ୍ଦେଶ ଦେଲେ।
ସୁରେଶ ବାବୁ ତ ମାତା ଙ୍କର ଆଜ୍ଞା ବହ ଭୃତ୍ୟ ସଙ୍ଗେ ସଙ୍ଗେ ସୁଲୋଚନା କୁ ମାଁ ଙ୍କର ଆଦେଶ ଜଣାଇ ଦେଲେ……..
ସୁଲୋଚନା ଗର୍ଭ ପରୀକ୍ଷା କରି ବାକୁକୁଣ୍ଠା ବୋଧ କଲେ……
କହିଲେ ଗର୍ଭ ପରୀକ୍ଷା ତ ଏବେ ଧର୍ତ୍ତବ୍ୟ ଅପରାଧ……
ସେ କିପରି କରି ପାରିବେ……??
ସୁରେଶ ବାବୁ କହିଲେ ତାଙ୍କର ଜଣେ ବନ୍ଧୁ ଡାକ୍ତର ଅଛନ୍ତି ଗର୍ଭ ପରୀକ୍ଷା କରିବାରେ ଅସୁବିଧା ହେବ ନାହିଁ……
ତଥାପି ସୁଲୋଚନା ଅନିଛା ପ୍ରକାଶ କରି ବାରୁ ସୁରେଶ ବାବୁ ରାଗି ତାକୁ ଅନେକ ଗାଲି ଗୁଲଜ କରି ଗର୍ଭ ପରୀକ୍ଷା କରିବା ପାଇଁ ବାଧ୍ୟ କଲେ…….
ତାପରେ ଦୁହେଁ ଡାକ୍ତର ପାଖରେ ଯାଇ ପହଞ୍ଚିଲେ……
ଡାକ୍ତର ପରୀକ୍ଷା ନିରୀକ୍ଷା କରି ଦୁଇ ଜଣ ଙ୍କ ଆଗରେ ଗର୍ଭରେ ଝିଅ ଥିବା ପ୍ରକାଶ କଲେ।
ପରୀକ୍ଷା କରି ସାରି ବସାକୁ ଆସି ନ ପହଞ୍ଚୁଣୁ ଶଶୀକଳା ଦେବୀ ଙ୍କର ଫୋନ୍ କଲ୍ ଆସିଲା…….
ଫୋନ୍ ରେ କଣ ପୁଅ ନା ଝିଅ ବୋଲି ପଚାରିଲେ….
ସୁରେଶ ସଙ୍ଗେ ସଙ୍ଗେ ଝିଅ ବୋଲି ମାଁ କୁ ଜଣାଇ ଦେଲେ।
ଝିଅ ବୋଲି ଜାଣି ଶଶୀକଳା ଦେବୀ ଙ୍କର ମୁଣ୍ଡ ଘୁରି ଗଲା।
ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତର ରେ କହିଲେ ତାର ପୁଅ ଦରକାର ପୁଅ….. ଝିଅ ନୁହେଁ………
ପୁଅ ସିନା ବଂଶ ରକ୍ଷା କରି ପାରିବ ……..
ଝିଅ କଣ କରି ପାରିବ…….??
ତା ବାହାରେ ଝିଅକୁ ପାଠ ଶାଠ ପଢାଇ ଶେଷରେ ପର ଘରକୁ ହିଁ ପଠାଇ ବାକୁ ପଡିବ……
ଝିଅ ବାହାଘର ଖର୍ଚ୍ଚ ଥରେ ହିସାବ କିତାବ କରି ଦେଖ……..
ଯୋଉ ମାନେ ଝିଅ ବାହାଘର କରି ଛନ୍ତି ସେମାନଙ୍କୁ ପଚାରି ବୁଝ୍………
ତେବେ ଜାଣି ପାରିବୁ ଝିଅ ବାହାଘର ଖର୍ଚ୍ଚ କେତେ…….
ସୁନା ଗହଣା ସହ ଏଲ୍ ସି ଡି ଟିଭି, ଫ୍ରିଜ,ଓ୍ବାସିଙ୍ଗ ମେସିନ୍, ପୁଅ ପାଇଁ କାର, ତା ବାହାରେ ନଗଦ ଚୁକ୍ତି ମୁତାବକ ଟଙ୍କା ପାଇଁ ଝିଅ ବାପଘର ସର୍ବସ୍ବାନ୍ତ ହୋଇ ପଡୁଛନ୍ତି।
ସେଇଥିପାଇଁ ତ ଝିଅ ଜନ୍ମ ହେଲେ ଆଜିକାଲି ଘରେ କାନ୍ଦ ବୋବାଳି ପଡି ଯାଉଛି ………
କାଦୁଅ କୁ ଯିବା କାହିଁକି ଗୋଡ ଧୋଇବା କାହିଁକି…..??
ମୁଳୁ ମାଇଲେ ଯିବ ସରି……..
ଏବେ ସମୟ ଅଛି ତୁ ସଙ୍ଗେ ସଙ୍ଗେ ଯାଇ ଗର୍ଭ ପାତ କରାଇ ନେ………
ସୁରେଶ ବାବୁ ମାଁ ଙ୍କର କଥାରେ ସଙ୍ଗେ ସଙ୍ଗେ ହଁ ଭରିଲେ ଆଉ ସୁଲୋଚନା କୁ ମାଁ ଙ୍କ ନିର୍ଦ୍ଦେଶ ଜଣାଇ ଦେଲେ…….
ସୁଲୋଚନା ର ମୁଣ୍ଡ ତାହା ଶୁଣି ଘୁରି ଗଲା। ସେ ସୁରେଶ ବାବୁ ଙ୍କୁ କହିଲେ ଝିଅ ଜନ୍ମ ହେଲେ କହନ୍ତି ଘର କୁ ଲକ୍ଷ୍ମୀ ଠାକୁରାଣୀ ଆସିଲେ ବୋଲି……..
ତୁମେ ତ ଖୁସି ହେବା କଥା……..
ସେହି ଝିଅ କୁ ପୁଣି ନଷ୍ଟ କରିଦେବାକୁ ଚାହୁଁଛ…….??
ତୁମେ କଣ ଜାଣିନ ଭୃଣ ହତ୍ୟା ମହାପାପ ବୋଲି……??
ସୁରେଶ ବାବୁ ସୁଲୋଚନା ର ମତାମତ ମାଁ କୁ ଜଣାଇ ଦେଲେ। ଶଶୀକଳା ଦେବୀ ଶୁଣି ରାଗରେ ପଞ୍ଚମ। ସୁରେଶ ବାବୁ ଙ୍କୁ କହିଲେ ଯଦି ସୁଲୋଚନା ମନା କରୁଛି ତେବେ ଏହି ମୂହୁର୍ତ୍ତ ରେ ତାକୁ ଘରୁ ବାହାର କରି ଦେ……….
ସୁରେଶ ସୁଲୋଚନା କୁ ରାଗିଯାଇ କହିଲେ ତୁମର ସେ ସବୁ ପ୍ରବଚନ ବନ୍ଦ କର……..
ମୋ କଥା ମାନି ଗର୍ଉପାତ ପାଇଁ ରାଜି ହେବ ନା ତଣ୍ଟିଆ ମାରି ଏହି ମୁହୁର୍ତ୍ତରେ ଘରୁ ବାହାର କରି ଦେବି…….??।
ସୁଲୋଚନା ସୁରେଶ ବାବୁ ର ଗୋଡ ତଳେ ପଡି ଯାଇ ଗର୍ଭପାତ ନ କରି ବାକୁ କାକୁତି ମିନତି ହୋଇ ଅନୁରୋଧ କଲେ। ସୁରେଶ ବାବୁ ଜମା ଶୁଣିଲେ ନାହିଁ। ବରଂ ଉତ୍କ୍ଷିପ୍ତ ହୋଇ ସୁଲୋଚନାକୁ ଏକ ଶକ୍ତ ଗୋଇଠା ମାରିଲେ।ସୁଲୋଚନା ତଳେ ପଡ଼ି ଗଲା। କାନ୍ଦି କାନ୍ଦି କହିଲା ଘରେ ତାର ବିଧବା ମା ବ୍ୟତୀତ ତାର ଆଉ କେହି ନାହାନ୍ତି।ଏହି ବର୍ଷଣ ମୁଖର ରାତି ରେ ଘରୁ ବାହାର କରି ଦେଲେ ସେହି ଗର୍ଭାବସ୍ଥା ନେଇ ସେ କୁଆଡ଼େ ଯିବ……..??
କ୍ରୋଧ ଜର୍ଜରିତ ହୋଇ ସୁରେଶ ତୁ ନର୍କକୁ ଯା କହି ସୁଲୋଚନା କୁ ବାହାରକୁ ଘୋଷାରି ନେଇ କବାଟ ବନ୍ଦ କରି ଦେଲେ।
ସୁଲୋଚନା ବାହାରେ କାନ୍ଦି କାନ୍ଦି କବାଟ ବାଡେଇ ଖୋଲିବାକୁ କହିଲେ। ସୁରେଶ ବାବୁ ଜମା କବାଟ ଖୋଲି ଲେ ନାହିଁ। ତାପରେ ବାଧ୍ୟ ହୋଇ ଚାଲି ଚାଲି ବସ୍ ଷ୍ଟେସନ ରେ ପହଞ୍ଚିଲେ। ଆଉ ବସ୍ ଯୋଗେ ଯାଇ ତାର ବିଧବା ମା ପାଖରେ
ପହଞ୍ଚିଲା।ଦୁନିଆରେ ସମସ୍ତେ ଅନାଦର କରିବେ ହେଲେ ମାଁର ହୃଦୟ କଦାପି ଅନାଦର କରି ପାରିବ ନାହିଁ। ମାଁର ଦ୍ବାର ସବୁ ବେଳେ ସନ୍ତାନ ସନ୍ତତିଙ୍କ ପାଇଁ ଉନ୍ମୁକ୍ତ। ବିଳମ୍ବିତ ରାତ୍ରିରେ କ୍ରନ୍ଦନ ରତ ଝିଅ କୁ ଦେଖି ମା ର ହଂସା ଉଡି ଗଲା ଆଉ ଝିଅ ର ଦୁର୍ଦଶା ଦେଖି ସିଏ ବି ବହୁତ କନ୍ଦା କଟା କଲା।ଆଉ କଣ ବା କରିବେ ସେହି ଦିନଠାରୁ ସୁଲୋଚନା ମାଁ ଘରେ ରହିଲା।ମାଁ ତ ନିଜ ପେଟ ପୋଷିବା ପାଇଁ ଅକ୍ଷମ ତା ସାଙ୍ଗକୁ ଝିଅ ଆସି ପହଞ୍ଚିଲା।ଖାଇବା ପିଇବା ରେ ଅସୁବିଧା ହେବାରୁ ସୁଲୋଚନା ନିଜେ ବାହାରେ ଯାଇ ମୂଲ ମଜୁରୀ ରେ ଲାଗି ପଡିଲା। ଅନ୍ୟ ଦିନ ମଜୁରିଆ ମହିଳାଙ୍କ ସଙ୍ଗରେ ଇଟା, ଗେଟି, ବାଲି ବି ବୋହିବାକୁ ପଡିଲା।ପୋଡା ପେଟ ପାଇଁ ତ ନାଟ।ଯେମିତି ହେଲେ ପେଟ ତ ପୋଷିବାକୁ ହେବ……..??
ନିୟମିତ ମାଁ ସହ ଡାକ୍ତର ଖାନା ଯାଇ ସୁଲୋଚନା ଡାକ୍ତରଙ୍କ ପରାମର୍ଶ କରି ଔଷଧ ଗ୍ରହଣ କରୁ ଥାଏ। ତାର ପ୍ରସବ ସମୟ ଉପସ୍ଥିତ ହୋଇ ଗଲା ଆଉ ଡାକ୍ତର ଖାନା ରେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଲା।ଆଉ ସେହି କନ୍ୟା ସନ୍ତାନ କୁ ଅତି ସ୍ନେହ ଆଉ ଯତ୍ନରେ ଲାଳନ ପାଳନ କରିବାକୁ ଲାଗିଲା।ଝିଅ ର ନାଁ ସୁଷମା। ପାଞ୍ଚ ବର୍ଷ ହେଲା ରୁ ସେ ବିଦ୍ୟା ଶିକ୍ଷା ଆରମ୍ଭ କଲା। ଏବେ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ଚାକିରି ଅପେକ୍ଷା ରେ। ହେଲେ ଚାକିରୀ କୋଉଠି ମିଳୁଛି……..??
ଏହା ଭିତରେ ପଚିଶ ବର୍ଷ ଅତିବାହିତ ହୋଇ ଯାଇଛି।ଝିଅ କୁ ଏବେ ପଚିଶ ବର୍ଷ। ଦେଶରେ ତ ଉତ୍କଟ ବେକାରୀ ସମସ୍ୟା ବଢି ଚାଲିଛି। ସେଥିପାଇଁ ଦେଶର ଶିକ୍ଷିତ ବେକାର ଯୁବକ ମାନେ ନା ନା ଧନ୍ଦା କରୁଛନ୍ତି। କିଏ ଚାଷ ,କିଏ ବ୍ୟବସାୟ ,କିଏ କିଏ ଗାଡି ଚଳାଇ ଦି ପଇସା ରୋଜଗାର କରୁଛନ୍ତି। ସୁଷମା ତହିଁରୁ ବାଦ ଯିବ କିପରି………??
ସୁଷମା ଡ୍ରାଇଭିଂ ଲାଇସେନ୍ସ କରି ଏକ ଅଟୋ ନିୟମିତ ଚଲାଇ ରୋଜଗାର କରି ମାଁ ପୋଷିବାକୁ ଲାଗିଲା। ତାର ମା ର ମା ଆଇ ବୁଢୀ ସେତେ ବେଳେକୁ ଆର ପାରିରେ।ଅଟୋ ଚଲାଉ ଥିବା ସମୟରେ ଦିନେ ଏକ ସତୁରୀ ବର୍ଷର ବୃଦ୍ଧ ହାତରେ ବାଡି ଧରିଛନ୍ତି ସୁଷମାର ଅଟୋକୁ ହାତ ମାରିଲା।ସୁଷମା ତାକୁ କୁଆଡ଼େ ଯିବେ ବୋଲି ପଚାରିଲା।ସେ କହିଲା ସିଏ ଜରାଶ୍ରମ କୁ ଯିବେ।କେତେ ପଇସା ନେବ ବୋଲି ପଚାରି ବାରୁ ସେ ବିନା ପଇସାରେ ଛାଡି ଦେବ ବୋଲି କହିଲା। ତାପରେ ବୃଦ୍ଧ ଜଣକ ବାଟରେ ତାକୁ ପଚାରିଲା ତାଙ୍କର କଣ କେହି ନାହାନ୍ତି ଯେ ସେ ଝିଅ ପିଲା ହୋଇ ଅଟୋ ଚଲାଇ ଜୀବିକା ନିର୍ବାହ କରୁଛି………??
ସିଏ କହିଲା ଆଜିକାଲି ଝିଅ ଆଉ ପୁଅ ଭିତରେ କଣ ପାର୍ଥକ୍ୟ ଅଛି ଆଜ୍ଞା……??
ପ୍ରତିକ୍ଷେତ୍ରରେ ଝିଅ ପିଲା ମାନେ ପୁଅ ମାନଙ୍କ ସମକକ୍ଷ ହୋଇ କାର୍ଯ୍ୟ କରୁଛନ୍ତି। ଆମର ଝିଅ ମାନେ ଆଜି କାର,ଟ୍ରକ ଚଲାଇବାଠୁ ଆରମ୍ଭ କରି ରେଳ ପାଇଲଟ, ଉଡାଜାହାଜ ପାଇଲଟ ହୋଇ ସାରିଲେଣି।ଆମର ଝିଅ କଳ୍ପନା ଚାୱଲା ତ ପ୍ରଥମ ମହାକାଶଚାରୀ ହେବାର ଗୌରବ ତ ଅର୍ଜନ କରିଛନ୍ତି।
ପୋଲିସ୍ ବିଭାଗ ଠୁ ଆରମ୍ଭ କରି ସୈନ୍ୟ ବିଭାଗରେ ମଧ୍ୟ ଯୋଗଦାନ କରି ସୈନ୍ୟ ବିଭାଗର ଉଚ୍ଚ ପଦ ପଦବୀରେ କେତେକ ଅବସ୍ଥାପିତ ହୋଇ ପାରିଛନ୍ତି………
ତେଣୁ ମୁଁ ଅଟୋ ଚଲାଇବାରେ ଆଶ୍ଚର୍ଯ୍ୟ ହେବାର କଣ ଅଛି…….??
ତୁମ ନାମ କଣ ବୋଲି ପଚାରି ବାରୁ ମୋର ନାମ ସୁଷମା ବୋଲି କହିଲା…….
ପୁଣି ପଚାରିଲେ ତୁମ ବାପା ଙ୍କ ନାମ କଣ…….??
ସୁଷମା ମୋର ବାପା କିଏ ଆଉ ତାଙ୍କ ନାମ ମୁଁ ଜାଣେନା ବୋଲି କହିଲା……..
ତୁମ ସହିତ ଆଉ କିଏ ରହନ୍ତି ବୋଲି ପଚାରି ବାରୁ ମୁଁ ମୋର ମାଁ ସହ ରୁହେ ବୋଲି କହିଲା…….
ତୁମ ମାଁ ର ନାମ କଣ ବୋଲି ପଚାରିବାରୁ ମୋର ମାଁ ନାମ ସୁଲୋଚନା ଦେବୀ ବୋଲି କହିଲା……
ତାପରେ ବୃଦ୍ଧ ଜଣକ ସୁଷମାକୁ ତା ମାଁ ସହ ଦେଖା କରାଇ ଦେବାକୁ ଅନୁରୋଧ କଲେ……
ସୁଷମା ପ୍ରଥମେ ମନା କରୁଥିଲା……..
ବହୁତ ଅନୁରୋଧ କରିବାରୁ ସୁଷମା ରାଜି ହେଲା ଆଉ ନେଇ ତାର ମାଁ ସହିତ ସାକ୍ଷାତ କରାଇ ଦେଲା…….
ସୁଲୋଚନା କୁ ଏକ ଲୟରେ ଚାହିଁ ରହିଥାନ୍ତି ବୃଦ୍ଧ ଜଣକ। ମୁଣ୍ଡର ବାଳ ଧଳା, ମୁଖରେ ଧଳା ସ୍ମଶ୍ରୁ ଆଖିରୁ ବୋହି ଯାଉଛି ଧାର ଧାର ଲୁହ……..
ହାତ ଯୋଡ଼ି କହିଲେ ମୋତେ ତୁମେ କ୍ଷମା କରିଦିଅ ସୁଲୋଚନା……..
ମୁ ତୁମର ସେହି ହତଭାଗା ସ୍ବାମୀ ସୁରେଶ…….
ତୁମକୁ ଘରୁ ବଳ ପୂର୍ବକ ବାହାର କରି ଦେବା ପରେ ମୋ ମାଁ ମୋତେ ଦ୍ବିତୀୟ ବିବାହ କରାଇ ଦେଲେ………
ତାଙ୍କର ତା ପରେ ଦେହାନ୍ତ ହୋଇଗଲା………
ତାଙ୍କର ଦ୍ବିତୀୟ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇ ଥିଲା। ସେ ଏବେ ଜଣେ ଡାକ୍ତର। ତାକୁ ଏକ ଡାକ୍ତରାଣୀ ସହ ବିବାହ କରି ଦେଲୁ। ସେ ଦୁହେଁ ଏବେ ଗୋଟିଏ ଡାକ୍ତର ଖାନା ରେ କର୍ତ୍ତବ୍ୟ ରତ। ତାଙ୍କ ସହିତ ଆମେ ଦୁଇଜଣ ରହୁ ଥିଲୁ। ଗତ କରୋନା ବେଳେ ମୋର ଦ୍ବିତୀୟ ପତ୍ନୀ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲା।ତା ପରେ ଏ ଦୁନିଅାଁ ରେ ମୁଁ ଏକାକି ହୋଇ ଗଲି……
ପୁଅ ବୋହୁ ସହିତ ରହୁଥିଲି। ହେଲେ ସାମାନ୍ୟ କଥା ବାହାର କରି ବୋହୁ ମୋର ଉପରେ ଗର ଗର ହେବାକୁ ଲାଗିଲା। ପୁଅ ଆଗରେ ପ୍ରକାଶ କରି ବାରୁ ପୁଅ ବୋହୁକୁ ସମର୍ଥନ କଲା। ଦିନେ ରାତିରେ ଦୁଇ ଜଣ ମିଶି ମୋତେ ବାଡେଇ ଘରୁ ଘୋଷାରି ଆଣି ବାହାରେ ପକାଇ ଘର କବାଟ ଦେଇ ଦେଲେ। ବାହାରୁ କବାଟ ବାଡ଼େଇ ଯାହା ଡାକିଲି ଶୁଣିଲେ ନାହିଁ……
ତା ପରେ ଅନନ୍ୟୋପାୟ ହୋଇ ଜରାଶ୍ରମ କୁ ଚାଲି ଆସିଲି……
ଏବେ ଅତି କଷ୍ଟରେ ମୁ ଜରାଶ୍ରମ ରେ କାଳ ଯାପନ କରୁଛି…….
ମୋତେ ତୁମେ କ୍ଷମା କରିଦିଅ ସୁଲୋଚନା ବୋଲି ହାତ ଯୋଡ଼ି କହିଲା……..
ଆଉ ସୁଷମା କୁ କହିଲା ତୁ ମୋର ଝିଅ ସୁଷମା………
ଆ ମୋର କୋଳକୁ ଆ ବୋଲି କହି ବାହୁ ପ୍ରସାରି ଆଲିଙ୍ଗନ କରି ବାକୁ ଉଦ୍ୟତ ହେବାରୁ ସୁଷମା ଘୁଞ୍ଚି ଯାଇ କହିଲା……..
ମୁ ଗର୍ଉରେ ଥିବା ସମୟରେ ଯେତେବେଳେ ମୋ ମାଁ କୁ ଏକ ବର୍ଷଣ ମୁଖର ରାତ୍ରୀରେ ଗୋଇଠା ମାରି ଘରୁ ଘୋଷାରି ବାହାର କରି ଦେଲ ସେତେ କାହିଁ ଚିନ୍ତାତ କରି ନଥିଲ ତା ଗର୍ଉରେ ତୁମର ଔରସ ସନ୍ତାନ ଅଛି ବୋଲି…….??
ସେତେବେଳେ କୁଆଡ଼େ ଥିଲା ତୁମର ପିତୃତ୍ୱ…….??
ମୋର ମାଁ ଯେତେବେଳେ ମୋତେ ପେଟରେ ଧରି ଜୀବନ ବଞ୍ଚାଇବାକୁ ମୁଣ୍ଡରେ ଇଟା, ବାଲି,ସିମେଣ୍ଟ ବୋହି କଷ୍ଟରେ ଦିନ କାଟୁ ଥିଲା କୁଆଡ଼େ ଥିଲା ତୁମର ପିତୃତ୍ୱ………??
ଅଗ୍ନିକୁ ସାକ୍ଷୀ ରଖି ମୋର ମାଁ କୁ ସଂଖା ସିନ୍ଦୂର ପିନ୍ଧାଇ ସାତ ଜନ୍ମର ସାଥି ରୂପେ ଗ୍ରହଣ କରି ତାକୁ ପୁଣି ଗୋଇଠା ମାରି ଘରୁ ବାହାର କରି ଦେଲା ବେଳେ ତୁମର ହୃଦୟ ରେ ଟିକିଏ ବି ଦୟା ହେଲା ନାହିଁ……..??
ତୁମର ବିବେକ ତୁମକୁ ବାଧା ଦେଲା ନାହିଁ……..??
ତୁମେ ଜଣେ କୃତଘ୍ନ ବିଶ୍ବାସ ଘାତକ……….
ତୁମକୁ ଶତ ପ୍ରଣାମ…………
ତୁମେ ଏଥର ଆସି ପାର……….
ଏତକ ଶୁଣିଲା ପରେ ସୁରେଶ ବାବୁ ବାଡି ଖଣ୍ଡିକ ଧରି ଧିରେ ଧିରେ ଘରୁ ଗୋଡ଼ କାଢି ବାହାରକୁ ଚାଲି ଗଲେ……..
ଆଉ ସୁଲୋଚନା ନିଜ ଆଖିରୁ ବୋହୁ ଥିବା ଲୁହ ପୋଛୁ ଥିଲା……
ଆଉ ସୁଷମା ଘର କବାଟ ବନ୍ଦ କରୁଥିଲା……….
**************ସମାପ୍ତ**************
କମ୍ଭୁଧର ସୁନା
ବାଘମାରୀ, ବୀରମହାରାଜପୁର,
ଜି. ସୁବର୍ଣ୍ଣପୁର।
ମୋ. ୯୫୫୬୧୯୯୦୬୦