ସେଇ ରାତି

ସେଦିନ ଥାଏ କୋଡିଏ ଡିସେମ୍ବର ଦୁଇହଜାର ତେଇଶି ମସିହା।ଟ୍ରାନ୍ସଫର ଅର୍ଡର ଆଣିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଯିବାକୁ ପଡିଲା। ସେତେବେଳକୁ ଅପରାହ୍ନ ଚାରିଟା
ଘରଠୁ ସେତେବେଳକୁ ପନ୍ଦର କିଲୋମିଟର ଦୂରରେ ଥାଏ। ଗାଁରେ କିଛି ମିଳେନି, ମଫସଲ ଗାଁ। ସବୁଥର ଭଳି ସେଦିନ ବି ବୋଉ ପାଇଁ କିଛି ଫଳ କିଣିଲି। ହଠାତ୍ ସାନ ଭଉଣୀର କଲ୍ ଆସିଲା-“ନାନୀ ଲୋ କଉଠି ଅଛୁ ଜଲଦି ଆ, ବୋଉ ଦେହ ଭଲ ନାଇଁ। ଘରୁ ବାହାରିଲା ବେଳେ ତ ପୁରା ଭଲ ଥିଲା। ଅବଶ୍ୟ କିଛି ବର୍ଷ ହେବ ଡାଇବେଟିସ ପୀଡିତା ସେ। ସଙ୍ଗେ ସଙ୍ଗେ ପହଞ୍ଚୁଛି କହି ଫୋନ କାଟି ବାହାରିଲି ଘରକୁ।ଘରେ ପହଞ୍ଚି ଦେଖିଲି ଗାଁ ସାରା ଲୋକ ଆମ ଘରେ ଅଛନ୍ତି। ବୋଉ ଶୋଇଛି। ସମସ୍ତେ ବୋଉ ସେବାରେ ଲାଗିଛନ୍ତି। ବୋଉ ପାଖକୁ ଯାଇ ପଚାରିଲି ବୋଉ କେମିତି ଲାଗୁଛି? ଉତ୍ତର ଆସିଲା -ଭଲ ଲାଗୁଛି। ବୋଉକୁ ଗୋଡ଼ ହାତ ମୋଡ଼ି ଦେଇ କହିଲି ଚାଲ ବୋଉ ମେଡିକାଲ ଯିବା। ବୋଉ ମନା କଲା ଯିବାକୁ। ମୁଁ ଲକ୍ଷ୍ୟ କରୁଥାଏ ବୋଉର ହାତ ଗୋଡ଼ କେମିତି ଅସ୍ୱାଭାବିକ ଭାବେ ଛାଟିପିଟି ହେଉଥାଏ। ମୁଁ ବାରମ୍ବାର ମେଡିକାଲ ଯିବା କହିଲା ବେଳେ ସେ ଏତେ କଷ୍ଟ ଭିତରେ ମୋତେ ଖାଇବା ପାଇଁ କହୁଥାଏ। ବୋଉକୁ ଭଲ ଭାବେ ଜଣାଥିଲା ମୁଁ ବାହାରକୁ ଗଲେ କିଛି ଖାଏ ନାହିଁ। ମୁଁ ଅନୁଭବ କରୁଥିଲି କିଛି ହେଇନି ମୋର ଉପରକୁ ସିନା କହୁଥିଲା ସେ କିନ୍ତୁ ଭିତରେ ବହୁତ ଯନ୍ତ୍ରଣା ହେଉଥିଲା ତାକୁ। ସନ୍ଧ୍ୟା ହେବାକୁ ବସିଲାଣି, ସାନ ଭାଇ ପାଖକୁ କଲ କରିବାକୁ ବାପା କହିଲେ। ବୋଉ ଖଟ ଉପରୁ ମୁଣ୍ଡ ଉଠାଇ ବିରକ୍ତ ହୋଇ କହିଲା -“ତାକୁ କାଇଁ କହିବ, ମୁଁ ଭଲ ଅଛି, ରାତିଟାରେ ମୋ ପୁଅ ହଇରାଣ ହୋଇ ଆସିବ।” ସେଇ ଥିଲା ତାର ଶେଷ କଥା। ଆଉ କଥା କହି ପାରିଲାନି।ବୋଉର ଅବସ୍ଥା ଦେଖି ବାଧ୍ୟ ହୋଇ କଲ କଲି ସାନଭାଇକୁ। ସେ ବାହାରେ ରହେ ତା ପରିବାର ନେଇ।
ଗାଁରୁ ପନ୍ଦର କିଲୋମିଟର ଦୂର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ଡାକ୍ତର ମାନେ ଦେଖିକି କହିଲେ ବ୍ରେନ ଡେଡ। ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇକି ଗଲୁ ବୋଉକୁ ଭାଇ ଭଉଣୀ ତିନି ଜଣ।ତିନି ମହଲା ଉପରେ ବେଡ଼ ମିଳିଲା। ମେଡିକାଲର ଲିଫ୍ଟ କାମ କରୁ ନଥାଏ,ଷ୍ଟ୍ରେଚରରେ ପକେଇ ତିନି ମହଲାକୁ ନେଲୁ।ଚିକିତ୍ସା ଚାଲିଲା,କିଛି ପରିବର୍ତ୍ତନ ଲକ୍ଷ୍ୟ କରୁ ନଥିଲି ମୁଁ। ସେମିତି ସାରା ରାତି ଦୁଇ ଭଉଣୀ ବୋଉ ପାଖରେ ଜଗି ବସିଥାଉ।ବୋଉ ମୋର ସେମିତି ଯନ୍ତ୍ରଣା ପାଉଥାଏ। ସେଇ କାଳରାତି କଥା ମନେ ପଡିଲେ ଆଜି ବି ଦେହ ଥରି ଉଠୁଛି।
ଭୋର ବେଳକୁ ବୋଉ ଚାରି ଆଡ଼କୁ ଚାହିଁଲା। ଖୁସି ହେଇଗଲୁ ଭାଇ ଭଉଣୀ ତିନି ଜଣ। ଯା ହଉ ବୋଉକୁ ବୋଧେ ଟିକେ ଆରାମ ଲାଗିଲା। ଆମ ଖୁସି ସେଇ ମୁହୂର୍ତ୍ତକ ପାଇଁ ଥିଲା।ହଠାତ୍ ବୋଉ ଆଖି ବନ୍ଦ କରିଦେଲା। ନିରବୀ ଗଲା ମୋ କଥା କୁହା କଣ୍ଢେଇ। ଶିଥିଳ ହେଇଗଲା ବୋଉର ଶରୀର। ଡାକ୍ତର ଆସି ମୃତ ଘୋଷଣା କଲେ।ସେ କାଳ ରାତି ସବୁଦିନ ପାଇଁ ଆମ ମୁଣ୍ଡ ଉପରୁ ବୋଉର ପଣତ ଛଡେଇ ନେଲା।ସକାଳର ସୂର୍ଯ୍ୟ ଆମ ଭାଇ ଭଉଣୀଙ୍କ ପାଇଁ ଅଭିଶପ୍ତ ପାଲଟି ଗଲା।ସବୁଦିନ ପାଇଁ ଛାଡି ଚାଲିଗଲା ମୋ ବୋଉ। ସେ ମୋର ଏମିତି ଅଭାବ ଟିଏ ଯାହା କେବେ ପୂରଣ ହେବନାହିଁ। କେତେ ବ୍ୟସ୍ତ ହେଉଥିଲା ମୁଁ ନ ଖାଇଲେ, ରୋଗରେ ପଡିଲେ। ମୁଁ ଜାଣିଛି ସେ ମୋର ଅପୂରଣୀୟ କ୍ଷତି। ଭଗବାନଙ୍କୁ ପ୍ରାର୍ଥନା କରୁଛି ଯଉଠି ଥାଉ ସେ ଖୁସିରେ ଥାଉ। ଯୁଗେ ଯୁଗେ ତାରି କୋଳରେ ମୁଁ ଜନ୍ମ ନେଉଥାଏ।

ସରୋଜିନୀ ବେହେରା
ପାଳଲହଡ଼ା, ଅନୁଗୁଳ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *