କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛତ୍ରୀମାନଙ୍କ କରତାଳିରେ ପ୍ରକମ୍ପିତ ହେଲା ନବ ନିର୍ମିତ ଟାଉନ୍ ହଲ୍, ଯେତେବେଳେ ଭାଷଣ ପ୍ରତିଯୋଗିତାର “ମିଶନ୍ ଶକ୍ତି ” ପ୍ରସଙ୍ଗ ଉପରେ ଭାଷଣ ଆରମ୍ଭ କଲା ସରିତା। ରାଜପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସରିତା। ସେ ସରଳ, ଚୁପଚାପ୍ କିନ୍ତୁ ଭାଷଣ ଦେବାରେ ଅତି ଚମତ୍କାର। ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ଆଜି ଜିଲ୍ଲା ସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରୁଥାଏ। ଆଜି ତାକୁ ନିଜ ବାଇକରେ ନେଇଆସିଥାନ୍ତି ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ କୁମାର ମହାନ୍ତି ମହାଶୟ।
ବିଦ୍ୟାଳୟ ପାଇଁ ଅନେକ ଖ୍ୟାତି ଅର୍ଜନ କରିଥିବା ସରିତାକୁ ପ୍ରଧାନ ଶିକ୍ଷକ ମହାଶୟ ମଞ୍ଚରେ କେବେ ଦେଖି ନଥିଲେ। ବିଦ୍ୟାଳୟରେ କାଁ ଭାଁ ଶୁଣିଥିଲେ। ଆଜି ଟାଉନ୍ ହଲରେ ତା’ ଭାଷଣ ଶୁଣି ତାଯୁବ ହୋଇଗଲେ। ସରିତା, ପାଠରେ ଯେମିତି ସାଠରେ ସେମିତି।
କିଛି ସମୟପରେ ଘୋଷଣା କରାଗଲା ଯେ, “ଭାଷଣରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସରିତା ମଶ୍ରା।” ଆଉ ଏ ଘୋଷଣା ସରିତା ଓଠରୁ ଝରେଇ ଦେଲା ଚେନାଏ ମୁଲୁକି ହସ । ପ୍ରଧାନ ଶିକ୍ଷକଙ୍କ ପାଦ ଛୁଇଁ ମଞ୍ଚକୁ ଉଠିଗଲା ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲା।
ମଞ୍ଚ ସାମ୍ନାରୁ ହସିହସି ନିଜ ମୋବାଇଲରେ ଫଟୋ ଉଠାଉଥାନ୍ତି ମହାନ୍ତି ମହାଶୟ। କିନ୍ତୁ ତାଙ୍କ ଆଖିରୁ ବାରିହେଉଥାଏ ଝାପସା ଦୁଃଖ। କାହିଁକି ନା,ସେ ଜାଣିଥିଲେ ଯେ ଏ ଝିଅର ବାପାମାଆ କେବେ ଅଭିଭାବକ ବୈଠକକୁ ଆସନ୍ତିନି କି ଆସିବାର ଆଉ ସମ୍ଭାବନା ବି ନଥିଲା। ସରିତା ଛେଉଣ୍ଡ ଥିଲା ସିନା , ଥିଲା ସମସ୍ତଙ୍କ ପ୍ରିୟର ।
ସରିତାକୁ 'ସାବାସ' କହି ନିଜ ମଟର ସାଇକେଲରେ ଆଣି ତାକୁ ତା' ଘରେ ଛାଡ଼ିଗଲେ ମହାନ୍ତି ମହାଶୟ। ତା ବାପାମାଆ ଥିଲେ ସିନା କହିଥାନ୍ତେ "ତମ ଝିଅ ପ୍ରଥମ ସ୍ଥାନ ଅଧିକାର କଲା ବୋଲି।" କାହାକୁ କହିବେ। ଖୁସିର ବିରାଟ ଜୁଆର ମନ ଭିତରେ ହିଁ ଭଟ୍ଟା ହେଇଗଲା। ସରିତା ତା ଜେଜେ ମାଆ ସହିତ ରହୁଥାଏ। ସେ ବୁଢ଼ୀଲୋକ। ବାପାମାଆର ସ୍ନେହ କେତେ ଦେଇପାରିବ ? ତଥାପି ତା' ଜେଜେ ମାଆଙ୍କୁ ଡ଼ାକି କହିଲେ, "ଏଇ ସରିତା ଆସିଲା।" ବୁଢ଼ୀ ତ ସାର୍ ଙ୍କୁ ଚିହ୍ନି ନଥିଲା, ତେଣୁ ଖାଲି କହିଦେଲା "ହଉ ବାପ, ହଉ ।"
“ଆସୁଛି ସରିତା” କହି କୃଷ୍ଣ ସାର୍ ନିଜ ହେଲମେଟକୁ ମୁଣ୍ଡରେ ଗଳେଇ ମଟର ସାଇକେଲକୁ ବୁଲାଇଲେ। ଛୋଟ ଝିଅଟି ହେଲମେଟର କାଚ ଦେଇ ସାର୍ ଙ୍କ ମୁହଁକୁ ସିନା ଦେଖି ପାରିଲା ଅଥଚ ମନର ଦୁଃଖକୁ ଜାଣିପାରିଲା ନାହିଁ। “ନମସ୍କାର ସାର୍” କହି ଘର ଭିତରକୁ ପଶିଗଲା।
ଆରଦିନ ପ୍ରାର୍ଥନା ସଭାରେ ସରିତାକୁ ଖୁବ୍ ପ୍ରଶଂସା ମିଳିଲା। ପାଇବା ଯୋଗ୍ୟା ମଧ୍ଯ। ନିଜେ ପ୍ରଧାନ ଶିକ୍ଷକ ବହୁତ୍ ପ୍ରଶଂସା କଲେ। ସବୁ କଥା କହିଗଲେ।
ଏମିତି ଦେଖୁ ଦେଖୁ ଦଶମ ଶ୍ରଣୀର ବାର୍ଷିକ ପରୀକ୍ଷା ଶେଷ ହୋଇ ଫଳାଫଳ ବହାରି ଯାଇଛି। ନବେ ଶତକଡ଼ା ନମ୍ୱର ରଖି ବିଦ୍ୟାଳୟ ରେ ଟପ୍ପର ହୋଇଛି ସରିତା । ଯିଏ ଟିଉସନ୍ ଖଣ୍ଡେ କରିପାରିଲାନି, ପହଁରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ହେଲେ ରାତିରେ ଘରେ, ବାପା ମାଆର ସ୍ନେହ ନ ଥିଲା, ତଥାପି ଜେଜେ ମାଆଙ୍କୁ ମିଳିଥିବା ଇନ୍ଦିରା ଆବାସ ଘରେ ବିଦ୍ୟୁତ୍ କାଟ ଜନିତ ସମସ୍ୟା ଦେଇ ଲିଭି ଜଳୁଥିବା ଦଶ ଟଙ୍କିଆ ହଳଦିଆ ବଲବ୍ ତଳେ ପାଠପଢି ଆଜି ଟପ୍ପର। ତା ପାଇଁ ଶିକ୍ଷକ- ଶିକ୍ଷୟିତ୍ରମାନେ ଖଟିଛନ୍ତି। ତାକୁ ପାଠପଢ଼ାରେ ଯାହା ଦରକାର , ତାହା ଯୋଗାଇଛନ୍ତି। ଆଉ କୃଷ୍ଣ ସାର୍ ଙ୍କ କଥା ନ କହିବା ଭଲ। ସେ ସରିତାକୁ ମନ ଭିତରେ ନିଜର ଝିଅ କରି ସାରିଥାନ୍ତି।
ବୋଧେ ସେ ଦିନ ସୋମବାର ଥିଲା। ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କମନ୍ ରୁମ୍ ରେ ଗପସପ କରୁଥାନ୍ତି। ମଧ୍ୟାହ୍ନ ଭୋଜନ ବିରତି ପ୍ରାୟ ଶେଷ ହେବାକୁ ଥାଏ, ଏତିକି ବେଳେ ବିଦ୍ୟାଳୟର ଫାଟକ ପାରିହେଇ ସରିତା ପଶିଗଲା କମନ୍ ରୁମ୍ କୁ। ସମସ୍ତଙ୍କୁ ନମସ୍କାର କଲା। ସମସ୍ତେ ତାକୁ ଅଭିନନ୍ଦନ ଜଣାଇଲେ। ବୋଧେ ଅଫିସ୍ ଭିତରୁ କୃଷ୍ଣ ସାର୍ ତାକୁ ଆସିବାର ଦେଖିଥିବେ, ତେଣୁ ତା ପଛେ ପଛେ ସାର୍ କମନ୍ ରୁମ୍ କୁ ଚାଲିଆସିଲେ। ହେଡ୍ ସାର୍ ଙ୍କୁ ପ୍ରଣାମ କଲା । ସାର୍ ତା ମୁଣ୍ଡକୁ ଆଉଁସି ଦେଇ ଅଫିସ୍ କୁ ଧରିନେଲେ।
ସାର୍ ,ସରିତା ସହ ଦୈନନ୍ଦିନ ଜୀବନର ଭଲମନ୍ଦ କଥାହେଲେ ଓ ତାକୁ ସାର୍ଟିଫିକେଟ ଦେଇଦେଲେ। ଶେଷରେ ହେଡ ସାର୍ ପଚାରିଲେ “କଲେଜ ପଢ଼ିବୁ ?” ସେ ଉତ୍ତର ଦିଏ “ହଁ ସାର୍”। ସବୁ ସାର୍ଟିଫିକେଟ ଧରି ସାର୍ ଙ୍କୁ ଶହେ ଟଙ୍କିଆ ନୋଟ ଖଣ୍ଡେ ବଢ଼ାଇ ଦେଲା ସରିତା। ସାଙ୍ଗେ ସାଙ୍ଗେ ସାର୍ ପଚାରିଲେ “ଟଙ୍କା କାହିଁକି ଦଉଚୁ ?, ମୁଁ ମାଗିଲି କି ?” ସରିତା କହିଲା ” ନାଇ ସାର୍, ମୁଁ ଖୁସିରେ ଦେଉଛି। ଛକର ଗୁଡ଼ିଆ ଦୋକାନରୁ ଜିଲାପି ଆଣିବି ଭାବୁଥିଲି, କିନ୍ତୁ ସାରିଯାଇଥିଲା। ଆପଣ ରଖନ୍ତୁ। ପରେ କିଣିକି ଦେଇଦେବେ।” ପୁଣି ସାର୍ ପଚାରି ଦେଲେ “। ଟଙ୍କା କେଉଁଠୁ ପାଇଲୁ ଓ କିଏ ଦେଲା ?” ସେ ଧୀରେ କହିଲା, “ସାର୍ , ଗତକାଲି ଜେଜେ ମାଆଙ୍କୁ ତିନି ଶହ ଟଙ୍କା ଭତ୍ତା ମିଳିଥିଲା। ମୁଁ କହିବାରୁ ଶହେ ଟଙ୍କା ଦେଲା।”ଆଉ ଏତକ ଶୁଣିବା ମାତ୍ରେ ସାର୍ ଙ୍କ ଆଖିରେ ବହୁଦିନରୁ ଜବରଦସ୍ତି ଲୁଚିଥିବା ଲୁହ ଥପ ଥପ ଥିପିଗଲା।
କେହି ନ ଜାଣନ୍ତୁ ଭାବି ନିଜ ରୁମାଲ କାଢ଼ି ଲୁହକୁ ପୋଛି ପକେଇଲେ। ଚିପା କଣ୍ଠରେ କୃଷ୍ଣ ସାର୍ କହିଲେ,”ତୁ ଆମ ବିଦ୍ୟାଳୟକୁ ବହୁତ କିଛି ଦେଇଛୁରେ ମାଆ। ଏ କ’ଣ ? ନା, ନା, ଥାଉ।” ଓଲଟା ନିଜ ପକେଟରୁ ପାଞ୍ଚଶହ ଟଙ୍କିଆ ନୋଟ୍ ଖଣ୍ଡେ ବାହାର କରି ସରିତା ହାତ କୁ ଦେଲେ । ଆଉ କହିଲେ “ଅସୁବିଧା ହେଲେ ଜଣାଇବୁ। ଆଗକୁ ପଢ଼ିବୁ।”
୨୦୧୨ ମସିହାର ଏହି ଦିନ ଥିଲା ତା’ ସ୍କୁଲ୍ ଜୀବନର ଶେଷ ଦିନ। ପ୍ରଧାନ ଶିକ୍ଷକଙ୍କ ସହ ଅନ୍ୟାନ୍ୟ ଶିକ୍ଷକ- ଶିକ୍ଷୟିତ୍ରୀ ତାକୁ ଫାଟକ ଯାଏଁ ଛାଡିବାକୁ ଗଲେ। ସରିତା ନିଜ ସାଇକଲରେ ଘରକୁ ଫେରିଗଲା। ଶେଷ ଥର ପାଇଁ ତା’ରି ପାଦ ବିଦ୍ୟାଳୟର ଫାଟକ ଅତିକ୍ରମ କଲା କିନ୍ତୁ ସବୁଦିନ ପାଇଁ ବିଦ୍ୟାଳୟର ଶ୍ରେଷ୍ଠ ମେଧାବୀ ତାଲିକାରେ ନିଜର ନାମକୁ ଲେଖିଦେଇ ଗଲା। ଗୁଣୁ ଗୁଣୁ ହେଇ ସମସ୍ତେ କୁହାକୁହି ହେଲେ,”ସରିତା ବହୁତ ଭଲ ଛାତ୍ରୀଟେ ଥିଲା।”
ଏମିତି ଅନେକ ଶିକ୍ଷାବର୍ଷ ବିତେ । ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କର ଯିବା ଆସିବା ଲାଗିଥାଏ। କାନ୍ଥରେ ବିଭିନ୍ନ ଫଟୋ, ଫଳକ, ମେଡାଲ, ସାର୍ଟିଫିକେଟ ଅବା ରେଜିଷ୍ଟର ରେ ଏମାନଙ୍କୁ ସାଇତିରଖି ରାଜପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଲଟି ଥାଏ ମୁକସାକ୍ଷୀ।
ଅବସର ନେବାକୁ ଆଉ ଦୁଇ ବର୍ଷ ଥାଏ ଓ କୃଷ୍ଣ ସାର୍ ଙ୍କୁ ଅନ୍ୟ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରିନ୍ସିପାଲ୍ ରୂପେ ପ୍ରମୋସନ ମିଲିଲା। ସେଠି ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଥିଲା। ସାର୍ ମୁଖ୍ୟତଃ ଶୃଙ୍ଖଳାକୁ ଗୁରୁତ୍ବ ଦିଅନ୍ତି। କୁହନ୍ତି ,”ଯେଉଁଠି ଶୃଙ୍ଖଳା ନାହିଁ , ସେଇଠି ସଫଳତା ନାହିଁ।” ସେ ଯେଉଁଠିକୁ ଯାଆନ୍ତି ସେଇଠି ତାଙ୍କ ଅଭିଜ୍ଞତାର ଇସାରାରେ ଉଭୟ ପାଠ ଓ ସାଠ ଠିକ୍ ବାଟରେ ଯାଆନ୍ତି। ସବୁ ଟିଖି ନିଖି ଦେଖିଥାନ୍ତି। ସବୁ ଦେଖୁ ଦେଖୁ ତାଙ୍କର ନଜର ପଡ଼ିଗଲା ଷଷ୍ଠ ଶ୍ରଣୀରେ ପଢୁଥିବା ବିବେକ ଉପରେ। ବିବେକ ଯିଏକି ପ୍ରାୟ ବୋତାମ ଛିଣ୍ଡା ସାର୍ଟ, ଢିଲା ପ୍ୟାଣ୍ଟ୍, ଜିରିଗଲା ଚପଳ ପିନ୍ଧି ଆସେ। ବେଶ ପୋଷାକ ଯାହା ହେଉ, ବିଦ୍ୟାଳୟକୁ ପ୍ରତିଦିନ ଆସେ। ତାକୁ ଚକାଚକ୍ ହୋଇ ଆସିବାକୁ ପ୍ରିନ୍ସିପାଲ୍ ସାର୍ ଦୁଇ- ତିନି ଥର କହି ସାରିଥାନ୍ତି । ସେ କେବଳ ହଁ ଭରେ କିନ୍ତୁ ସେମିତି ଆସେ। ବେଳେବେଳେ ସାର୍ ବିରକ୍ତ ହୁଅନ୍ତି କିନ୍ତୁ ସାନ ପିଲାଟା ଭାବି ପୁଣି ନରମି ଯାଆନ୍ତି।
ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟରେ ଆରମ୍ଭ ହୁଏ ବିଭିନ୍ନ ପ୍ରତିଯୋଗିତା।ପ୍ରତିଯୋଗିତାର ଶେଷ କାର୍ଯ୍ୟକ୍ରମ ବକୃତା ଚାଲିଥିବା ବେଳେ ସାମ୍ନାରେ ବସିଥାନ୍ତି ପ୍ରିନ୍ସିପାଲ୍ ସାର୍। କନିଷ୍ଠ ବିଭାଗରୁ ଶେଷରେ ଡ଼କାହୁଏ ବିବେକ ନାଏକ ।ଛୋଟ ପିଲା ହେଲେବି ଭଲ କହିଲା , ସମସ୍ତେ ତାଳି ମାରିଲେ,ଓ କୃଷ୍ଣ ସାର୍ ଙ୍କୁ ମଧ୍ଯ ଭଲ ଲାଗିଲା। ଏତିକି ବେଳେ ହଠାତ୍ ମନେପଡ଼ିଗଲା ସେ ଅତୀତର ଘଟଣା । ସରିତାର ଭାଷଣ। ଚୌକୀରୁ ଉଠିପଡ଼ି ସେ ବଖାଣି ଥିଲେ ସେ ଟାଉନ୍ ହଲର ଘଟଣା। ଆଉ ସାଙ୍ଗେସାଙ୍ଗେ କିଛି ଛାତ୍ରଛାତ୍ରୀ ଏକା ସ୍ଵରରେ କୁହନ୍ତି,”ସା…..ର ,ଏ ବିବେକର ମାଆ ତ ସରିତା।” ଛାତ୍ର ଛାତ୍ରୀଙ୍କ ପାଟିରୁ ସରିତା ଶୁଣି ସାର୍ ଟିକେ ଆଶ୍ଚର୍ଯ୍ୟ ହେଲେ ଓ ପୁଣି ଥରେ ବିବେକକୁ ଅନାଇଲେ ଓ ତା’ ହାବଭାବରୁ ତାଙ୍କୁ ବୁଝିବାକୁ ଅସୁବିଧା ହେଲାନି ସରିତାର ସେଦିନର ଓ ଏବେର ପରିସ୍ଥିତିକୁ। ତାଙ୍କୁ ବିଶ୍ବାସ ହେଲାନି! ତାଙ୍କୁ ଲାଗୁଥିଲା, ବୋଧେ ସରିତା ଆଉ ଥରେ ନାମ ଲେଖାଇଛି। ଆଉ ଥରେ ଟପ୍ପର ହେବାକୁ ଚାହୁଁଛି । ଓଃ…. ହୋ
ପ୍ରତିଯୋଗିତା ଶେଷ ହେବା କ୍ଷଣି ସେ ବିବେକକୁ ଅଫିସ୍ କୁ ଡ଼ାକି ସବୁ କଥା ପଚାରିଲେ ଓ ସରିତାକୁ ଟିକେ ଦେଖା କରିବାକୁ ଇଚ୍ଛା କଲେ।
ବିବେକକୁ ନିଜ କାରରେ ବସେଇ ଦେଖା କରିବାକୁ ଚାଲିଗଲେ। ବିଦ୍ୟାଳୟରୁ ପ୍ରାୟ ଏକ କିଲୋମିଟର ଗଲାପରେ ଶ୍ରୀରାମ ପଡ଼ା। ସେ ପଡ଼ା ମଝିରେ ସରିତାର ଘର। ମୁଖ୍ୟ ରାସ୍ତାରୁ ଗଳିବାଟରେ ଚାଲିଯିବାକୁ ହେବ ,ତେଣୁ କାରକୁ ରାସ୍ତାରେ ଠିଆ କରିଦେଲେ। ବିବେକ ତାଙ୍କୁ ବାଟ କଢ଼େଇ ନେଲା। ପହଞ୍ଚି ଗଲେ ଘର ସାମ୍ନାରେ। ବିବେକ ଘର ଭିତରକୁ ଦୌଡ଼ିଗଲା ଓ ମାଆକୁ ହରବର ହେଇ ଡାକିଲା। ଘର ଭିତରୁ ସରିତା କହିଲା “କ’ଣ ହେଲାରେ ? ଏତେ ବ୍ୟସ୍ତ ହେଇ ଡାକୁଛୁ ଯେ ! ଚାରି ଟା ବାଜିନି, ତୁ ପଲେଇ ଆସିଲୁକି?” ବିବେକ କହିଲା “ନାଇ..ନାଇ..ସାର୍ ଆସିଛନ୍ତି?” ସରିତା,”କେଉଁ ସାର୍ ?” ବିବେକ “ତମ ସାର୍ ମାଆ… ତୁମକୁ ଦେଖାକରିବାକୁ ଆସିଛନ୍ତି।” ସରିତାକୁ ବିଶ୍ବାସ ହେଲାନି। ତଥାପି ବି ଶାଢ଼ୀକୁ ଟିକେ ଠିକ୍ ସେ ଭିଡାଭିଡ଼ି ହେଇ ଘରୁ ବାହାରି ଆସିଲା। କୃଷ୍ଣ ସାର୍ ଙ୍କୁ ଦେଖି ଥରିଗଲା, ସତେ ଯେମିତି ବିନା ତପସ୍ୟାରେ ଭଗବାନ ଶ୍ରୀକୃଷ୍ଣ ତା’ ସମ୍ମୁଖରେ ଉଭା ହୋଇଛନ୍ତି। କ୍ଷଣିକ ପାଇଁ ସ୍ତବ୍ଦ ହୋଇଗଲା। ସାର୍ ଙ୍କ ପାଟିରୁ ଛିଟିକି ପଡିଲା “ସରିତା, ଭଲରେ ଅଛୁ ମାଆ।” ସରିତା ସାର୍ ଙ୍କ ପାଦଛୁଇଁ ପ୍ରଣାମ ଜଣାଇ କହିଲା “ସାର୍ ଭଲରେ ଅଛି।” ଦଦରା ଚୌକି ଖଣ୍ଡିଏ ପକେଇ ଦେଇ ସାରଙ୍କୁ ବସିବାକୁ କହିଲା। ସାର୍ ବସିଲେ। ଘର-ଦ୍ୱାର କୁ ଦେଖିଲେ, ତା ହାବଭାବରୁ ବୁଝିଗଲେ ଯେ, ଆଜି ବି ସରିତାର ଦୁଃଖ ଯାଇନି। ସେ ସରିତା ସହ କଥାବାର୍ତ୍ତା ହେଲା ପରେ ଜାଣିଗଲେ ଯେ ” ସରିତା ମାଟ୍ରିକ ପରେ ପଢ଼ି ପାରିନାହିଁ। ତା ଜେଜେ ମାଆ ଆର ପାରିକୁ ଚାଲିଗଲା ପରେ ମାମୁଁ ଘରେ ବର୍ଷେ ରହିଲା। ପରେ ଏଠି ବିବାହ ହେଲା।ତା ଶାଶୁ ଶ୍ୱଶୁର ନାହାନ୍ତି। ସ୍ବାମୀ ବାଙ୍ଗାଲୋରରେ ଦାଦନ ଖଟେ। ଜମିବାଡ଼ି କିଛି ନାହିଁ। କେବଳ ଖଣ୍ଡିଏ ଛୋଟ ଘର। ଜୀବନ ଜୀଇଁବା ପାଇଁ ସରିତାକୁ ପ୍ରତି ମୁହୂର୍ତ୍ତରେ କଷ୍ଟ କରିବାକୁ ପଡ଼ିଥାଏ।”
କଥାବାର୍ତ୍ତା ହେବା ଭିତରେ ସରିତା ଚା’ ଖଣ୍ଡେ ରାନ୍ଧିଦେଲା। ଅତୀତର ସ୍ମୃତି ସବୁ ମନେପକାଇ ଦେଉଥିଲେ ସାର୍। ସରିତା ଦୁଃଖର ସହ “ହଁ ସାର୍…. ହଁ ସାର୍…” କହି ଚାଲିଥିଲା। କଥାବାର୍ତ୍ତା ହେଉ ହେଉ ପଚାରି ଦେଲେ “ମାଟ୍ରିକ ସାର୍ଟିଫିକେଟ ଅଛି ନା ନାହିଁ?” ସରିତା ଉତ୍ତର ଦେଲା ,”ଅଛି ସାର୍।” ସାର୍ ତାକୁ ପଚାରିଲେ “ପାଠ ପଢ଼ିବୁ ?”ସେ ହସିଦେଲା ଓ ମୁହଁକୁ ତଳକୁ କରିଦେଲା। ସାର୍ ଅଳ୍ପ ହସି କହିଲେ “ଟପ୍ପର ହେବାର ଅଛି କି ନାଇ? ଶୁଣ, ମୁଁ ମଜାକ୍ କରୁନି। ମୋର ଆଉ ଦୁଇ ବର୍ଷ ଚାକିରୀ ରହିଲା। ମୁଁ ଏହି ଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପ୍ରିନ୍ସିପାଲ୍ ଅଛି। ଯୁକ୍ତ ଦୁଇରେ ତୋର ନାମ ଲେଖାଇ ଦେବା। ମୁଁ ଅଛି, ତୁ ପଢ଼ିବୁ। ପଢ଼ାପାଠ ବେକାର ହୁଏନି, ବରଂ କାମକୁ ଆସେ। ମୁଁ ତୋତେ ଏସ୍.ଆଇ. ଓ.ଏସ୍ (SIOS)ରେ ବ୍ୟବସ୍ଥା କରିବି। ଘରେ ପଢ଼ିବୁ। କେବଳ ପରୀକ୍ଷା ଦେବାକୁ ଯିବୁ। କେହି ଜାଣି ପାରିବେ ନାହିଁ।” ଏମିିତି ପାଖାପାଖି ଅଧଘଣ୍ଟା କଥା ହେଲା ପରେ ସାର୍ ଯିବାକୁ ବାହାରିଲେ। ସରିତା କବାଟ ଆଡ଼େଇ ଦେଲା ଓ ସାର୍ ଙ୍କ ପଛେପଛେ କାର୍ ଯାଏଁ ଆସିଲା। କାର୍ ଗାଡ଼ିରେ ବସୁବସୁ ସାର୍ କହିଲେ ,”ହଁ ଶୁଣ, ସବୁକଥା ଆମ ଜ୍ବାଇଁଙ୍କୁ ଜଣାଇବୁ ଓ ବିବେକକୁ ପ୍ରତିଦିନ ବିଦ୍ୟାଳୟ ପଠାଇବୁ।” ସରିତା ‘ହଁ ସାର୍’ କହିଲା ଓ ସାର୍ ଙ୍କ ଫୋନ୍ ନମ୍ବର ମାଗିନେଲା । ସାର୍ ଙ୍କ ପାଦ ଛୁଇଁ ପ୍ରଣାମ କଲା । ସାର୍ ଗାଡ଼ିରେ ବସି “ଠିକ୍ ଅଛି, ଆସୁଛି ” କହି ଚାଲିଗଲେ। ଛୁଆମାନେ ଉଡାଜାହାଜଟି ଦେଖାଯିବା ପର୍ଯ୍ୟନ୍ତ ଅନେଇବା ପରି ସରିତା ସାର୍ ଙ୍କୁ ଅନେଇଲା ଓ ଲୁହଭରା ଆଖିରେ ଘରକୁ ଫେରିଆସିଲା।
ଏତେ ବର୍ଷ ପରେ ସରିତାର ଭାଗ୍ୟକୁ ପୁଣି ଥରେ ପଢିବାର ସୁଯୋଗ ଜୁଟିଛି। ସବୁକଥା ସ୍ବାମୀଙ୍କୁ ଜଣାଇଲା। ରାତିରେ ବିବେକ ଶୋଇ ପଡିଲା ପରେ ସାର୍ଟିଫିକେଟ ଗୁଡ଼ିକୁ ବାହାର କଲା। ଚାହିଁଲା। କାନ୍ଦି କାନ୍ଦି ନିଜକୁ ନିଜେ ପଚାରିଲା “ସରିତା, ତୁ କ’ଣ ହାର୍ ମାନିବୁ ! ତୁ ପରା ଟପ୍ପର। ଯେମିତି ସେ ଶ୍ରୀକୃଷ୍ଣଙ୍କ ଯୋଗୁଁ ଅର୍ଜୁନ ଯୁଦ୍ଧ ଜିଣିପାରିଲା, ସେମିତି ମୋ କୃଷ୍ଣ ସାରଙ୍କ ଯୋଗୁଁ ମୁଁ ନିଶ୍ଚୟ ପଢ଼ି ପାରିବି। ଶପଥ କଲା ,ପଢ଼ିବି, ନିଶ୍ଚୟ ପଢ଼ିବି।”
ନାମ ଲେଖାପାଇଁ ବିବେକ ହାତରେ ଖବର ପାଇବା ପରେ ସରିତା ନିଜ ସ୍ଵାମୀଙ୍କ ସହ ସାର୍ ଙ୍କ ଅଫିସରେ ପହଞ୍ଚିଗଲା। କୃଷ୍ଣ ସାର୍ ସବୁ ବ୍ୟବସ୍ଥା କରିଦେଲେ। ଦେଖୁଦେଖୁ ଦୁଇ ବର୍ଷ ବିତିଗଲା। ପ୍ରଥମ ଶ୍ରେଣୀ ରଖି ଉତ୍ତୀର୍ଣ୍ଣ ହେଲା ସରିତା। ଏଥର ମିଠା ଧରି ସାର୍ଟିଫିକେଟ ଆଣିବା ପାଇଁ ଦୌଡିଲା ସରିତା। ଅଫିସ୍ ଖୋଲାଥିଲା କିନ୍ତୁ ସାର୍ ନଥିଲେ କି ଆଉ ଆସିବାର ନଥିଲା। ସେ ଏପ୍ରିଲ୍ ମାସରେ ଅବସର ନେଇ ସାରିଥିଲେ। ସରିତା ପାସ୍ କଲା ଜୁନ୍ ମାସରେ। ପ୍ରିନ୍ସିପାଲ୍ ସାରଙ୍କ ଚୌକି ପଛପଟ କାନ୍ଥରେ ଟଙ୍ଗା ହୋଇଥିବା ଫଳକରେ ସାର୍ ଙ୍କ ନାମକୁ ପଢ଼ିଲା ମନେମନେ ନମସ୍କାରଟେ କରି ଓ ସାର୍ଟିଫିକେଟ ନେଇ ଫେରି ଆସିଲା।ସାରଙ୍କ ସହିତ କେବେ ଫୋନ୍ ରେ କଥା ହେଇନି ସରିତା। ଏଥର କିନ୍ତୁ ଫୋନ୍ କରି ସବୁ ଜଣାଇଲା ।
ଦୁଇ ମାସ ପରେ କୃଷ୍ଣ ସାର୍ ଫୋନ୍ କଲେ। ସରିତାକୁ ପୋଷ୍ଟାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ କରିବାକୁ କହିଲେ। କିପରି ଆବେଦନ କରାଯାଏ ସବୁ ବୁଝାଇ ଦେଲେ। ସରିତା ଆବେଦନ କରିଥିଲା।
ବିବେକର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଖେଇ ଆସିଯାଇଥିଲା। ସାରଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ପୁଅର ପାଠପଢ଼ା ପ୍ରତି ଧ୍ୟାନ ଦିଏ ସରିତା। ଏ ପଟେ ତା ସ୍ଵାମୀ ବାଙ୍ଗାଲୋରରେ ଖଟି ଘର ଚଳାଉଥାଏ।
ମେ ମାସ ସତେଇଶ ତାରିଖ ସକାଳ ଏଗାର ଟା’ରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଫଳାଫଳ ଘୋଷଣା କରାଗଲା। ସମଗ୍ର ଜିଲ୍ଲାରେ ଟପ୍ପର ହୋଇଛି ବିବେକ। ମାଆ ପୁଅ ଫଳାଫଳ ନଦେଖୁଣୁ ବିଦ୍ୟାଳୟର ସାର୍ ମାନେ ଅଭିନନ୍ଦନ ଜଣାଇ କହୁଥିଲେ ଯେ “ବିବେକ ଛାୟାନବେ ଶତକଡ଼ା ନମ୍ବର ରଖି ସମଗ୍ର ଜିଲ୍ଲାରେ ଟପ୍ପର ହୋଇଛି ।” ସରିତାକୁ ବିଶ୍ବାସ ହେଉ ନଥାଏ। ପୁଅ ମାଆକୁ ମାର୍କସିଟ୍ ଆଣି ଦେଖାଇଦେଲା। ମାର୍କ ଲେଖାଥିବା କାଗଜକୁ ବାମ ହାତରେ ଧରି ଡାହାଣ ହାତରେ ପୁଅକୁ ଜାବୁଡ଼ି ଧରିଲା ଓ ପୁଅର ମଥାରେ ଆଙ୍କିଦେଲା ଗୋଟେ ସ୍ନେହଭରା ଖୁସିର ଚୁମ୍ବନ। କିନ୍ତୁ ଆଖି ଦୁଇ ସାଜିଥିଲେ ଗଙ୍ଗା-ଯମୁନା। ସାଙ୍ଗେ ସାଙ୍ଗେ ବିବେକ ବାପାଙ୍କୁ ଫୋନ୍ କରି ଜଣେଇ ଦେଲା। ଖୁସି ଖୁସିରେ ଦିନଟି କଟିଗଲା।
ଆର ଦିନ ସକାଳୁ ସରିତାର ଫୋନ୍ ବାଜିଲା। ବିବେକ ଦେଖିଲା ଓ ମାଆଙ୍କୁ କହିଲା ,” ମାଆ… ମାଆ…. କୃଷ୍ଣ ସାର୍ ଫୋନ୍ କରିଛନ୍ତି।”ସରିତା ଫୋନ୍ ଉଠାଇ କଥାହେଲା:
ସରିତା : ସାର୍, ନମସ୍କାର।
ସାର୍ : ନମସ୍କାର।
ସରିତା : ସାର୍, ଆପଣ ଭଲ ଅଛନ୍ତି ?
ସାର୍ : ହଁ ଭଲ ଅଛି ସରିତା। କଂଗ୍ରାଚ୍ୟୁଲେସନ୍ ସରିତା ।(Congratulations Sarita)
ସରିତା : ଧନ୍ୟବାଦ୍ ସାର୍। ଆପଣଙ୍କ ଆଶିର୍ବାଦ।
ସାର୍ : କେବଳ ବିବେକ ଭଲ କରିଛି, ତା’ ନୁହଁ , ତୁମେ ମଧ୍ଯ ଭଲ କରିଛ ସରିତା। ଏକା ଥରକେ ମାଆ- ପୁଅ ଟପ୍ପର।
ସରିତା : (ଟିକେ ଅଡ଼ୁଆରେ ପଡ଼ି) ସାର୍…. ବୁଝିପାରିଲିନି !
ସାର୍ : ସରିତା ତୁ ପୋଷ୍ଟାଲ୍ ଆସିଷ୍ଟାଣ୍ଟ ଚାକିରୀ ପାଇଯାଇଛୁ। କାଲି
ସଂଧ୍ୟାରେ ଫଳାଫଳ ପ୍ରକାଶ ପାଇଲା। ଦେଖିନେ ମୁଁ ଫଳାଫଳ
ତାଲିକା ପଠାଇଛି। ତୁ ପ୍ରଥମ ସ୍ଥାନରେ ଅଛୁ।
ସରିତା : (ନିସ୍ତବ୍ଧ)…. ସା…….. ର..।
ସାର୍ : ଜ୍ବାଇଁଙ୍କୁ ଜଣେଇ ଦିଅ। ହଁ ଏଥର ମିଠା ଆଣିବୁ।
ସରିତା ଭାବ ବିହ୍ୱଳ ହୋଇପଡ଼ିଲା। ସାର୍ ଫୋନ୍ ରଖିଲେ।
ସମଗ୍ର ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଦଶଜଣ ଛାତ୍ରଛତ୍ରୀଙ୍କୁ ଭବାନୀପାଟଣା ସ୍ଥିତ ଟାଉନ୍ ହଲରେ ସମ୍ବର୍ଧନା କରାଯିବାର ଖବର ଆସିଲା। ପୁଅ ଓ ସ୍ତ୍ରୀ ର ସଫଳତାର ଖୁସି ମାହୋଲରେ ଟିକେ ଭାଗୀଦାର ହେବା ପାଇଁ ସୁକାନ୍ତ ବାଙ୍ଗାଲୋରରୁ ଗାଡ଼ି ଧରିଲା। ସପରିବାର ଭବାନୀପାଟଣା ଯିବେ ବୋଲି ସ୍ଥିରକଲେ। ସରିତା ପୁଅକୁ କହିଲା, କୃଷ୍ଣ ସାର୍ ଙ୍କୁ ମଧ୍ଯ ଦେଖା କରି ଆସିବା।
ଖବର ମୁତାବକ ସମସ୍ତେ ପହଞ୍ଚିଗଲେ ଟାଉନ୍ ହଲ୍। ଟାଉନ୍ ହଲକୁ ଦେଖୁ ଦେଖୁ ସରିତାର ମନେପଡିଲା ଅତୀତର ସେହି ଛାତ୍ରୀ ଜୀବନର ସ୍ମୃତି, ତା ଭାଷଣରେ ମିଲିଥିବା କରତାଳି ଓ ପ୍ରସଂଶା। ଆପେ ଆପେ ପୁଅକୁ ସବୁ କହିପକାଉଥାଏ ସରିତା। ଠିକ୍ ସକାଳ ଦଶ ଟା’ରେ ସଭାକାର୍ଯ୍ୟ ଆରମ୍ଭ ହେଲା। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥାନ୍ତି ଅବସରପ୍ରାପ୍ତ ପ୍ରିନ୍ସିପାଲ୍ କୃଷ୍ଣ କୁମାର ମହାନ୍ତି ସାର୍।ସଭାପତିତ୍ୱ କରିଥାନ୍ତି ଜିଲ୍ଲା ଶିକ୍ଷାଧିକାରୀ ମହାଶୟ। ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଉଥିଲା। ଶେଷରେ ବିବେକର ନାମ ଡକାହେଲା । ସେ ବାପାମାଆଙ୍କ ସହ ମଞ୍ଚ ଉପରକୁ ଉଠିଲା। ଏତିକି ବେଳେ କୃଷ୍ଣ ସାର୍ ମାଇକ ଧରି ସରିତାର ସଂଘର୍ଷ କାହାଣୀ ସଂକ୍ଷିପ୍ତରେ କହିଲେ। ସମସ୍ତଙ୍କ ଆଖିରେ ଲୁହ ଭରିଗଲା। ନିଜ ଆସନରୁ ଉଠି ଜିଲ୍ଲା ଶିକ୍ଷାଧିକାରୀ ବିବେକକୁ ଫୁଲ ତୋଡା ଧରାଇ ମେଡାଲ ପିନ୍ଧାଇ ସାର୍ଟିଫିକେଟ ଧରେଇଦେଲେ। ପଚାରୁ ପଚାରୁ କୃଷ୍ଣ ସାର୍ ବିବେକକୁ ପଚାରି ଦେଲେ “ତୁମେ ଟପ୍ପର ନା ସରିତା ଟପ୍ପର ?” ବିବେକ କିନ୍ତୁ ସବୁ ବୁଝି ସାରିଥିଲା, ନିଜ ବେକରୁ ମେଡାଲଟିକୁ କାଢ଼ି ମାଆକୁ ପିନ୍ଧାଇ ଦେଲା ଓ କହିଲା “ମାଆ ତୁମେ ପ୍ରକୃତ ଟପ୍ପର”।
ସଭା ଶେଷ ହେଲା। ଜେ ଯା ବାଟରେ ଗଲେ। କୃଷ୍ଣ ସାର୍ ଏହି ତିନି ପ୍ରାଣୀଙ୍କୁ କାରରେ ବସେଇ ନିଜ ଘରକୁ ନେଇଗଲେ। ସରିତା ମିଠା ପ୍ୟାକେଟରୁ ପ୍ରଥମେ ଖଣ୍ଡେ ବାହାରକରି ସାର୍ ଙ୍କୁ ବଢ଼େଇ ଦେଲା। ପ୍ରାୟ ଘଣ୍ଟାଏ ଗପସପ କଲାପରେ ସାର୍ ଏମାନଙ୍କୁ ଆଣି ବସଷ୍ଟାଣ୍ଡରେ ଛାଡ଼ି ଗଲେ।