ପାଶୋରି ଦେଲି ମୁଁ,
ସୁରଟିଏ ବୋଲି –
ଗୀତ ହଜିଗଲା ମୋ’ ଓଠରେ ।
ଦି’ଧାର ଲୁହ,
ନିଗିଡି ଗଲା ଯେ –
ସ୍ବପ୍ନ ଭିଜିଗଲା ମୋ’ ଆଖିରେ ।।
ନାଳିଆ ପାଣିରେ,
ଭସାଇ ଦେଲି ମୁଁ –
କାଗଜ ଡଙ୍ଗାର ମୋହ ।
ଅଟକି ଅଟକି,
ଭାସି ଯାଉଥିଲା –
କେତେ କଥା କେତେ କୋହ ।।
ଉଡୁଥିବା ଗୁଡି,
ଇସାରା କଲା ତ –
ଛିଡାଇ ଦେଲି ମୁଁ ସୁତା ।
ଖଣ୍ଡିଏ ତା’ ସାଥେ,
ଖଣ୍ଡିଏ ମୋ’ ହାତେ –
ଦେଉଛି ବିରହ ବ୍ୟଥା ।।
ଆକାଶେ ହସଇ,
ଅନେକ ତାରା –
ଅମବାସ୍ୟା ଅନ୍ଧାରରେ ।
ଘିଅ ପିଇ ଜଳେ,
ସମ୍ପର୍କ ସଳିତା –
କିଏ କାହା ହାତ ଧରେ ।।