ସେଦିନ ଥାଏ ରବିବାର।ଦି ପହର ଖିଆ ପିଆ ସାରିଲା ବେଳକୁ ଅପରାହ୍ନ ତିନିଟା ହେଲାଣି।ଛୁଟି ଦିନ ତ କୁଣିଆ ଆସିଥିଲେ ତାଙ୍କ ଚର୍ଚ୍ଚା କଲାବେଳେ ଟିକେ ଡେରି ହେଲା। ଅତିଥି ଯେ ଭଗଵାନ ଏହା ଆମ ଭାରତ ସଂସ୍କୃତି ର ବୈଶିଷ୍ଟ୍ୟ। ତାଙ୍କୁ ଛାଡ଼ିବାକୁ ପାଖ ବସ୍ ଷ୍ଟପ୍ କୁ ଗଲି ବୋଟୋଇ ଦେବାପାଇଁ ଚାଲିଚାଲି।ପାଖ ଅଞ୍ଚଳରୁ ବିଭିନ୍ନ ଉଠା ଦୋକାନୀ ନିଜ ଜିନିଷ ପତ୍ର ଘରକୁ ଯିବାକୁ ବନ୍ଧା ବନ୍ଧି କରୁଥାନ୍ତି। ଠିକ୍ ସମୟରେ ବସ ମଧ୍ୟ ପହଞ୍ଚି ଗଲା କୁଣିଆ ଙ୍କୁ ବିଦାୟ ଦେଇ ଘରକୁ ଫେରି ଆସିବା ବାଟରେ ଭାବିଲି ପାଖ ଗାଁ ଆମ୍ବ ତୋଟା ମୂଳ କୁ ଯାଏଁ ଟିକିଏ ପବନ ଖାଇ ଆସିବି।
ସେଠାରେ ପହଞ୍ଚିବା କ୍ଷଣି ଏକ କୁଆଁ କୁଆଁ ଶବ୍ଦ ଶୁଣି ମୁଁ ଆଚମ୍ବିତ ହେଇଗଲି ଆରେ ଏ ଜାଗା କୁ କିଏ ନେଇ ଆସିଛି ଶିଶୁ କୁ।ସିଆଡେ ଇଆଡ଼େ ଅନେଇଲି ନା ତ କେଉଁଠି କେହି ନାହାନ୍ତି ତାହେଲେ ପିଲାଟି କାହା ସହିତ ଅଛି ଯେ ।ମନ ଟା ଗୋଳେଇ ଘାଣ୍ଟି ହେଲା ।ଧିରେ ଧିରେ କେଉଁଆଡ଼ୁ କ୍ରନ୍ଦନ ସ୍ୱର ଶୁଭୁଛି ସେଇ ଦିଗ ଆଡ଼େ
ଅଗ୍ରସର ହେଲି। ସେଠି ଯାହା ଦେଖିଲି ମୋ ପାଦ ତଳୁ ମାଟି ଖସିଗଲା ।
ସୁନ୍ଦର ଗୁଲଗୁଲିଆ କଅଁଳା ପିଲାଟାକୁ ତ କିଏ ଛାଡ଼ିଦେଇ ଚାଲି ଯାଇଛି। ଆଖ ପାଖ ଅନେଇଲି ନା ତ କେହି କୁଆଡେ ଦେଖା ଯାଉ ନାହାନ୍ତି,ରାହା ଧରି କାନ୍ଦୁଛି ପିଲାଟି କେତେବେଳ ହେଲାଣି କେଜାଣି। ସଦ୍ୟ ପ୍ରସବ ହୋଇଛି ବୋଧେ ଚାରିପଟେ ଶୁଖିଲା ରକ୍ତ ସହିତ ଧଳା କନା ଟିଏ ଗୁଡା ହେଇଛି। ଆହା କିଏସେ ଏ କର୍ମ କରିଛି କଣ୍ଟା ବୁଦା ଶୁଖିଲା ଆମ୍ବ ପତ୍ର ତଳେ ଝିଅଛୁଆ ଟିକୁ ଛାଡି ଦେଇ ଚାଲି ଯାଇଛି।
ଜୋର୍ ଜୋର୍ ରେ ପାଖରେ କେହି ଅଛନ୍ତି କି ଡକା ପାରିଲି କିନ୍ତୁ କିଛି ପ୍ରତ୍ୟୁତ୍ତର ପାଇଲି ନାହିଁ।କଣ କରିବି କିଛି ଭାବି ନପାରି ଆଗ ପିଲାଟିକୁ ବୋଧ କରେଇ ଜାବୁଡ଼ି ଧରିଲି।ଆସ୍ତେ ଆସ୍ତେ ତା କାନ୍ଦ ବନ୍ଦ ମଧ୍ୟ ହେଇ ଗଲା ମୋର
ସ୍ପର୍ଶ ରେ। କିଛି ବି ହେଇ ଯାଉ ଆକୁ ଘରକୁ ଆଗ ନେଇ ତା ଯତ୍ନ କରେ।ହାଲିଆ ହୋଇ ଯାଇଛି ପିଲା କାନ୍ଦି କାନ୍ଦି ଯେ।
ଗାଁ ସାରା ଲୋକ ମୋ ଘରେ ରୁଣ୍ଡ ହେଇଗଲାଣି। କିଏ କହୁଚି ଦେଖ ଭଗବାନ୍ ତା କୋଳ ଶୂନ୍ୟ ସିନା କରିଛନ୍ତି ଏ ଶିଶୁ କନ୍ୟା କୁ ଯେମିତି ପଠେଇ ଦେଇ ଛନ୍ତି ପାଳିବା ପାଇଁ ପରୋକ୍ଷ ଭାବେ । ଏ ନିଶ୍ଚୟ ଯୋଗମାୟା। ମୋ ସ୍ତ୍ରୀ ର ଗୋଡ଼ ହାତ ତଳେ ଲାଗୁନାହିଁ ଯେମିତି।ରଙ୍କ ନିଧି ପାଇବା ପରି ଛୁଆଟିକୁ କ୍ଷୀର ପିଆଉ ପିଆଉ ତା ଆଖି ଲୁହ ରେ ଭର୍ତ୍ତି ହେଇଯାଇଛି।କିଛି ସମସ୍ୟା ପାଇଁ ଡାକ୍ତର ଖା ନା ରେ ମୃତ ଶିଶୁ ଜନ୍ମ ଦେଇ ବିଚାରି ସବୁଦିନ ପାଇଁ ମା ହେବାରୁ ବଞ୍ଚିତ ହେବ ବୋଲି ଡାକ୍ତର କହିଥିଲେ।ସେଇ ଦିନଠାରୁ କେତେ ଦିଅଁ ଦେବତା ମଙ୍ଗଳ ମାନସିକ ଓଷା ବ୍ରତ ଉପବାସ ସେ କରି ଆସୁଛି ତା ହିସାବ ନାହିଁ। ସାଇ ପଡ଼ିଶା ଙ୍କ ଛୁଆ ଦେଖିଲେ କେତେ ଦ୍ରବ୍ୟ ଆଣି ଦିଏ ଖାଇବା ପାଇଁ ।ଆଜି ସତକୁ ସତ ଭଗବାନ୍ ତା ଡାକ ଶୁଣିଛନ୍ତି ବୋଧେ।।ମୋର ମଧ୍ୟ ଅନ୍ତର ଯେମିତି ନିଷ୍ପାପ ଶିଶୁ ଟି ପାଇଁ ଯେମିତି ଦରଦ ରେ ଭରି ଉଠୁଛି। ସ୍ନେହ ମମତା ଦେଇ ଲାଳନ ପାଳନ କରି ବଡ଼ ହୋଇ ଆସି ଆଜି କୁନି ଝିଅ ମୋ ଆଇପିଏସ୍ ଅଫିସର ମିସ୍ ଅନନ୍ୟା ଚୌଧୁରୀ।
ହଠାତ୍ କାର ର ହର୍ନ ମୋତେ ପ୍ରକୃତିସ୍ଥ କରିଦେଲା। ପାଦ ତଳେ ମୁଣ୍ଡିଆ ମାରୁଚି ମୋ ଝିଅ ଅନନ୍ୟା ।ଆଜି ତା ଜନ୍ମଦିନ ଯେ। ସମସ୍ତେ ଏକାଠି ହୋଇ ଜନ୍ମଦିନ ପାଳନ କରିବାକୁ ଗଲୁ ନିକଟସ୍ଥ ଅନାଥ ଆଶ୍ରମ ।
ସତରେ ମୋ ଝିଅ ପାଇଁ ଆଜି ମୁଁ ଗର୍ବିତ।
ସ୍ମୃତି ହୋଇ ରହିଛି ସେଇ ଶାନ୍ତ ଅପରାହ୍ନ ର ସତେଜ ମୁହୂର୍ତ୍ତ ସମୂହ ମୋ ମନ ଅଗଣା ରେ।
ସ୍ୱର୍ଣ୍ଣ ପ୍ରଭା ମହାପାତ୍ର
ସୁବର୍ଣ୍ଣପୁର