ତୁମେ କଣ ଆସିଥିଲ କି କାଲି

ତମେ ଯେବେ କହିଥାଅ
ଆସିବ ବୋଲି
ନିଶ୍ଚେ ଆସିଥାଅ .

ସ୍ମୃତିର ଦୁଆର ଖୋଲି
କାଲି ରାତିସାରା ମୁଁ ଥିଲି
ତୁମ ପ୍ରତୀକ୍ଷା ରେ.

ଜହ୍ନ ବି କାଲି କହିଥିବ—
କିଏ ଜଣେ ଚାହିଁ ରହିଛି
ନୀଳ ଶାଢୀରେ
ସଂଜ ଅଗଣାରେ
ନଈ ସେପାରି ଗାଁରେ..

ଘୁମେଇଁ ପଡିଲି
ଆବେଗର ଢଳଢଳ ପଦ୍ମପତ୍ର ପରେ.
ପରିଚିତ ସୁଗନ୍ଧ ଭିତରେ.
ତୁମ ସହ ମଧୁର ସ୍ୱପ୍ନରେ..

ଉଠି ଦେଖୁଚି…
ଛାଡି ଯାଇଚ
ଏରୁଣ୍ଡି ବନ୍ଧରେ ପାଦ
ଚେୟାର ଉପରେ ଚଷମା
ଖଣ୍ଡେ ଚଉତା ଚିଠି
ଆଉ..
ମୋ ଆଞ୍ଜୁଳାରେ ଗୋଟେ ହୃଦୟ.

ପଢି ଦେଖିଲି
ତମେ ଲେଖିଥିଲ
ଏ ସବୁ ଏଇଠି ଥାଉ
ମୁଁ ସେଠି ଝୁରି ହେଉଥାଏଁ.

ପ୍ରଭାତନଳିନୀ ଛୋଟରାୟ

Leave a Reply

Your email address will not be published. Required fields are marked *