ଦିନକର ନିଜ କର୍ତ୍ତବ୍ୟ ସାରି ଫେରି ଯାଉଥାନ୍ତି। ରକ୍ତିମ ଆଭାରେ ପଶ୍ଚିମାକାଶ ଅଧିକ ସୁନ୍ଦର ଦେଖାଯାଉଥାଏ।
ଶୀତୁଆ ପବନ ହାଲୁକା ହାଲୁକା ଭାବେ ଆସି ଦେହରେ ବାଡେଇ ହେଉଥାଏ। ଉପର ଛାତରେ ନୀରବରେ ମାଧବ ବାବୁ ବସିଥାନ୍ତି।ମନଟି ସେଦିନ କାହିଁକି ଅଜଣା ଭାରାରେ ଭାରାକ୍ରାନ୍ତ ଥାଏ। ହାତରେ ଡାଏରୀ ଓ କଲମ।କିନ୍ତୁ ଲେଖିବାକୁ ଇଚ୍ଛା ନାହିଁ। ଅନେକ ଚିନ୍ତା ମୁଣ୍ଡ ଉପରେ।ଆଜିର ପରିସ୍ଥିତିରେ ଘର ଚଳାଇବା କି କଷ୍ଟ।ଓହୋ ! ବେସରକାରୀ ଚାକିରୀ।ଦରମା ମାପଚୁପ। ହିସାବରେ ହିଁ ଚଳିବାକୁ ପଡେ।
ଅଧ୍ୟାପକ ହେଲେ, ଢୋକେ ପି ଦାଣ୍ଡେ ଜୀ ଅବସ୍ଥା ।
କୁନି ଝିଅଟି ଦୌଡ଼ି ଦୌଡ଼ି ବାପାଙ୍କ ପାଖକୁ ଆସି କହିଲା,”ବାପା ତୁମ ପାଖକୁ କେହି ଜଣେ ଆସିଛନ୍ତି। ଜାଣିଛ ,ସେ ଭାରି ବଡ଼ ଘରର ଜଣାପଡୁଛନ୍ତି।କାହିଁକି କହିଲ? ସେ ନା ଆମପାଇଁ କେତେ ଖାଇବା ଜିନିଷ ଆଣିଛନ୍ତି। ତୁମେ ଶୀଘ୍ର ତଳକୁ ଆସ।”
ଝିଅ ମୁହଁରେ ଖୁସି ଦେଖି ଡେରି ନକରି ମାଧବ ବାବୁ ତଳକୁ ଗଲେ। ମହାପାତ୍ର ବାବୁ ତାଙ୍କୁ ଦେଖି କହିଲେ,ଆପଣ ମାଧବ ବାବୁ ତ?
ଆଜ୍ଞା। ମୁଣ୍ଡ ହଲାଇଲେ ମାଧବ।
ମୁଁ ମହାପାତ୍ର ବାବୁ।ମାନେ ସୁମନ୍ତ ମହାପାତ୍ର
ଏପଟେ ମୋ ବଡ଼ ଭଉଣୀ ଘରକୁ ଯାଉଥିଲି। ଜାଣିଲି ଆପଣ ଙ୍କ ଘର ଦେଇ ମୋତେ ଯିବାକୁ ହେବ।ତେଣୁ ବହୁତ ଖୁସି ହେଲି ଆଉ ଆସିଲି ମଧ୍ୟ । ଆପଣଙ୍କୁ ଫୋନ କରିଥିଲି ,ହେଲେ ଆପଣ ବୋଧହୁଏ ବ୍ୟସ୍ତ ଥିଲେ ।ଫୋନ ଉଠାଇଲେ ନାହିଁ। ମୁଁ ଭୁଲ କରିନାହିଁ ତ।
ଆରେ ନା ନା। ବରଂ ମୁ ଭୁଲ କରିଛି।ଫୋନ ଉଠେଇନି ବୋଲି।ଆପଣଙ୍କ ସହ ପୂର୍ବରୁ କଥା ହୋଇଥିଲେ ମଧ୍ୟ କେବେ ଭେଟ ହୋଇ ନଥିଲି।ଜା ହେଉ ମୋ ସୌଭାଗ୍ୟ ଆପଣ ଆସିଲେ।
ହାତରେ ଧରିଥିବା ମିଠା,,ବିସ୍କୁଟ,ଫଳ ସବୁ ପାଖରେ ହାତ ନଥିବା ଏକ ଟେବୁଲ ଉପରେ ଥୋଇଦେଇ ଏକ ନଡ଼ବଡ଼ ଚୌକିରେ ବିନା ଅନୁମତିରେ ମହାପାତ୍ର ବାବୁ ବସିପଡିଲେ। ମାଧବଙ୍କ ସ୍ତ୍ରୀ ନାଲି ଚା କପେ ତାଙ୍କୁ ଧରାଇ ମୁଣ୍ଡିଆଟିଏ ମାରିଲା। କୁନି ଝିଅ ବି ପାଦ ଛୁଇଁଲା।
ବୁଝିଲେ ମାଧବ ବାବୁ! ମୋତେ ଘରେ ରହିବାକୁ ଆଦୌ ମନ ଲାଗେନାହିଁ। ଘରେ କେହି ନାହାନ୍ତି।ପୁଅ ଝିଅ ବାହାରେ ପାଠ ପଢୁଛନ୍ତି। ସ୍ତ୍ରୀ ସରକାରୀ ବିଦ୍ୟାଳୟରେ ଚାକିରୀ କରେ। ସେ ବି ପାଖରେ ରହେ ନାହିଁ।ଛୁଟି ଦେଖି ଆସେ।
ଆପଣଙ୍କ ଲେଖା ମୋର ସାଙ୍ଗ ,ପ୍ରେମିକା,ପତ୍ନୀ ସବୁକିଛି।ମୁଁ ତା ସହ ଆଳାପ କରେ,ସୁଖ ଦୁଃଖ ବାଣ୍ଟିଥାଏ। ସତ୍ୟର ଆନନ୍ଦ ସେଥିରୁ ମୁଁ ପାଏ।ସତରେ ଆପଣଙ୍କ ଲେଖାଗୁଡିକ ଜୀବନ୍ତ। ମୁଁ ପୁଅ ବୋଲି ଆପଣଙ୍କ କବିତାକୁ ପ୍ରେମ କରୁଛି ,ଯଦି ଝିଅ ହୋଇଥାନ୍ତି ନା……. ।
ଆପଣ ମଜାଦାର ଲୋକଟିଏ।କହି କହି ହସିଲେ ମାଧବ।
କିଛି ସମୟ ପରେ ମହାପାତ୍ର ବାବୁ ଚାଲିଗଲେ।
ମାଧବ ନିଜ ପତ୍ନୀଙ୍କ ସହ ମହାପାତ୍ର ବାବୁଙ୍କ ବିଷୟରେ ଅନେକ କଥାବାର୍ତ୍ତା ହେଲେ ଏବଂ ସ୍ଥିର କଲେ ଦିନେ ତାଙ୍କ ଘରକୁ ଯିବେ।ଏହି ସମୟରେ ଟି.ଭି.ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖାଉଥିଲା।ଭିଡ଼ ଭିତରେ ଏକ ମୃତ ଦେହ ମାଧବଙ୍କୁ କାହିଁକି ବ୍ୟସ୍ତ କରୁଥାଏ। କିଏ ସେ ମହିଳା?
କାହିଁକି ଏମିତି ଲାଗୁଛି ସେ ଅତି ନିଜର। ଆରେ ଏ କଣ?ପାଖରେ ମହାପାତ୍ର ବାବୁ।ସେ କାହିଁକି ମହିଳାଙ୍କ ମୃତ ଦେହ ଧରିଛନ୍ତି। ରିଙ୍ଗ କଲେ ମଧ୍ୟ ସେ ଫୋନ ଧରୁ ନାହାନ୍ତି।
ବ୍ୟସ୍ତ ବିବ୍ରତା ଭିତରେ ମାସେ ଗଲାପରେ ଏକ ପାର୍ଶଲ ଆସିଲା। ଦେଖି ଆଶ୍ଚର୍ଯ୍ୟ ହେଲେ ମାଧବ।ଛୋଟ ଉପହାର ସାଙ୍ଗକୁ ଚିଠିଟିଏ।
ମୁନୁ,
ମୋର ଶୁଭେଚ୍ଛା ନେବ। ମୁଁ ଭଲରେ ନଥିଲେ ବି ଭଲରେ ଅଛି।ଆଉ ତୁମେ……।ଆମ ପ୍ରେମ ତ ଅଧୁରା ପ୍ରେମ। ମୋତେ ତୁମେ ସ୍ଵୀକାର କଲ ନାହିଁ ବୋଲି ଅନ୍ୟ ହାତରୁ ଶଙ୍ଖା ସିନ୍ଦୁର ନାଇଁଛି।ହେଲେ ତୁମେ ମୋ ହୃଦୟରେ ଏବେବି ଅଛ, ଆଉ ରହିବ ମଧ୍ୟ। ଏହି ଛୋଟ ଉପହାରଟି ସାଇତି ରଖିବ।ଢେର କବିତା ଲେଖିବ ଏଥିରେ। ଯେତେବେଳେ ବି କବିତା ଲେଖିବ ମୋତେ ମନେ ପକାଇବ।ମୋତେ ଭୁଲିବନି ମୁନୁ! ମୋ ରାଣ।
ତୁମର …..
ଜ୍ୟୋତି
ଦେହରୁ ଗମ ଗମ ଝାଳ ବାହାରୁଥାଏ। ମନେ ପଡିଗଲା ଗୋଟି ଗୋଟି କରି ଅତୀତରେ ଅତିବାହିତ କରିଥିବା ଜ୍ୟୋତିଙ୍କ ସହ ସେହି ମୂହୁର୍ତ୍ତଗୁଡିକ। ଅଭାବ ଯୋଗୁଁ ଜ୍ୟୋତିର ହାତ ଧରିପାରି ନଥିଲେ ମାଧବ। ଜ୍ୟୋତିଙ୍କ ସହ ଏକାସାଙ୍ଗରେ ପଢୁଥିଲେ ଏବଂ ପରସ୍ପରଙ୍କୁ ପ୍ରେମ କରୁଥିଲେ।
ହେଲେ ପାର୍ଶଲ ମହାପାତ୍ର ବାବୁ କେମିତି ପଠାଇଲେ। କିଛି ବୁଝିବା ଆଗରୁ ଝିଅ କହିଲା,
ବାପା ତୁମ ଫୋନ ।
ମହାପାତ୍ର ବାବୁ ନମସ୍କାର। ମାଧବ କହିଲେ।
ଆପଣ ପାର୍ଶଲ ପାଇଲେ ତ?
ମହାପାତ୍ର ବାବୁଙ୍କ ଗମ୍ଭୀର ସ୍ୱର ଆଗରୁ ଶୁଣି ନଥିଲେ ମାଧବ।
ମୁଁ ଜାଣିଛି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଜ୍ୟୋତି ମୋର ସ୍ତ୍ରୀ। ମାସେ ପୂର୍ବରୁ ଦୁର୍ଘଟଣାରେ ସେ ଆରପାରିକୁ ଚାଲିଯାଇଛି। ମୋତେ ତା ରୁମରୁ ଏହି ଉପହାର ସହ ଚିଠିଟି ମିଳିଥିଲା। ପଡ଼ିଲା ପରେ ନିଜକୁ ଦୋଷୀ ମନେକଲି। ଆଗରୁ ଜାଣିଥିଲେ ନିଶ୍ଚୟ ତୁମ ଦୁହିଁଙ୍କୁ ଭେଟ କରିଥାନ୍ତି।
ମାଧବ କେବଳ ଶୁଣୁଥାନ୍ତି ସେଦିନ।କହିବାକୁ ଭାଷା ତ ନଥିଲା ,ବଳ ବି ନଥିଲା।ଆଖିରୁ ଅବିଶ୍ରାନ୍ତ ଭାବେ ଲୁହ ଝରି ଚାଲିଥାଏ। ଝିଅ ତ ବୁଝି ପାରୁନଥିଲା କିନ୍ତୁ ତାଙ୍କ ପତ୍ନୀ ସ୍ବାମୀଙ୍କ ଲୁହର ସାଥୀ ହୋଇଥିଲେ।
ମାଧବଙ୍କ କାନରେ ଗୋଟିଏ କଥା କେବଳ ଶୁଭୁଥାଏ,”ମୋତେ ଭୁଲିଯିବନି ମୁନୁ”।