ସମୟ ର ସୁଏ ଜୀବନ କାହାଣୀ
ବହିଯାଏ କେଡେ ବେଗେ
ଆଜି ଚାଲିଯାଏ ନିଜକୁ ହଜାଇ
ଅତୀତ ର ଫର୍ଦ୍ଦ ପରେ.
ମଣିଷ ଜୀବନେ ଅତୀତ ଅଟଇ
ସ୍ମୃତି ର ଅମାର ଘର
ନିଃସଙ୍ଗ ଜୀବନେ ପ୍ରବୋଧନା ଦିଏ
ହୋଇ ଏକ ସହଚର.
ସୁଖ ଦୁଃଖ ମିଶା ଅନେକ ସ୍ମୃତି ଯେ
ମାନସେ ଥାଏ ସଞ୍ଚିତ
ଭୁଲି ହୁଏ ନାହିଁ ଜୀବନ ରେ ତାକୁ
ପାଉଁଶ ହେବା ପର୍ଯ୍ୟନ୍ତ.
ଦରଦୀ ଜୀବନେ ଏଇ ସ୍ମୃତି ସତେ
ଜୀବନରେ ହୁଏ ସାଥି
ସ୍ମୃତି କୁ ଅଣ୍ଡାଳି ସମୟ ସୁଅ ରେ
ଚାଲେ ସେ, ନ ପଡି ଥକି.
ମୁଠାଏ ସ୍ମୃତି ର ପ୍ରତିବିମ୍ବ ସତେ
କରେ ହୃଦ ଆନ୍ଦୋଳିତ
ନିରବ ହସ ରେ ଆଖି ର ଲୁହ କୁ
ଝାରି କରେ ସଞ୍ଜୀବିତ.
ମିଛ ମାୟା ଭରା ଦୁନିଆଁ ରେ ନର
ସବୁକିଛି ଭୁଲି ପାରେ
ଭୁଲେ ନାହିଁ କେବେ ମୁଠାଏ ସ୍ମୃତି କୁ
ସାଇତା ଯା ‘ମାନସ ରେ.
ଅତୀତ ଫେରେନି ଜୀବନ କୁ ଆଉ
ସ୍ମୃତି ମାୟା ମରୀଚିକା
ଏ ସତ୍ୟ ଜାଣିବି ମନ ଡୁବି ଯାଏ
ମିଛ ସୁଖେ ହୁଏ ବାୟା.
ମୁଠାଏ ସ୍ମୃତି କା ‘ ଜୀବନ ଜିଇଁବା
ପାଇଁ ହୁଏ ସହାୟକ
ପୁଣି କେବେ ଏହା କାହାରି ଜୀବନେ
ସାଜଇ ପ୍ରାଣ ଘାତକ.
ଯାଇଅଛି ଯାହା ଫେରିବନି କେବେ
ସେଥିରେ ନ ଢାଳି ମନ
ଜୀବନ ଜିଇଁବା ବର୍ତ୍ତମାନ ମଧ୍ୟେ
ସ୍ମୃତି କୁ ଦେଇ ସମ୍ମାନ.