ଭୂତ ଉପାଖ୍ୟାନ

ଭୁତ ଉପାଖ୍ୟାନ


ମଣିମାଳା ଙ୍କ କଥା କୁ ନାତୁଣୀ ସିନୁ ଆଁ କରି ପିଇ ଯାଉଥାଏ ଖାଲି l ମଝି ମଝି ରେ କଥା ଟା ଟିକେ ନିରସ ମନେ ହେଲେ ପ୍ରଶ୍ନ ଗୋଟେ ଗୋଟେ ପଚାରୁ ଥାଏ ଯେ ପୁଣି ଗପ ଟି ନୂଆ ଦିଗ ରେ ମୁହାଁଉ
ଥାଏ l

—ମା ଭୁତ ଦେଖିବାକୁ କେମିତି ?

—ଭୁତ ହେଉଛି ଗୋଟେ ଛାଇ l

— ହେଲେ ତୁମେ କହିଲ ଯେ ଭୁତ ପୁଣି ମଣିଷ ଦେହ ରେ ଆସି ଲାଗିଯାଏ ବୋଲି ତେବେ କଣ ଛାଇଟା ଆସି ମଣିଷ ଦେହ ରେ ଲାଗିଯାଏ ?

—ହଁ ହଁ ଛାଇ l ବିପିନ କକେଇଙ୍କ ସ୍ତ୍ରୀ ଙ୍କୁ ଭୁତ ଲାଗିଥିଲା ଯେ ହାତ ମୁଠା ମୁଠା ସାଙ୍ଗକୁ ନାଲି ନାଲି ଆଖି ଦୁଇଟି ତାରାଟି ଦାନ୍ତ କଡ଼ ମଡ଼ କରି ଯାହା ହେଲେ ନା ଖୋଦ କକେଇ ବି ଡରିଲେ ସାମ୍ନା କୁ ଯିବା ପାଇଁ l

—କାହିଁକି ?

—ବୀର ଭାଇନାଙ୍କର ତଣ୍ଟି କୁ ପରା ଖୁଡ଼ି ଧରି ପକେଇଥିଲେ l ଭାଇନା ଖାଲି ଗଁ ଗଁ ହେଉଥାନ୍ତି l କେହି ବି ସାହାସ କରି ଆସି ପାରୁ ନଥାନ୍ତି l ଇରେ ବାବା ଏବେ ବି ଭାବିଲେ ଦେହ ରେ ଶିତି କଣ୍ଟା ମାରି ଯାଉଛି ମୋର l

—ତୁମେ ଦେଖିଛ ତାଙ୍କୁ ?

ସିନୁ ପ୍ରଶ୍ନ ର ଉତ୍ତର ଦେବା ପୂର୍ବ ରୁ ବୋଉ ଆସି ଡ଼ାକିବାରୁ ଜେଜୀଙ୍କ ସହିତ ସମସ୍ତେ ଚାଲିଗଲେ ଖାଇବା ପାଇଁ l ବାପା ଅଫିସ ଗଲା ପରେ ବୋଉ ର ଘର କାମ ଏବଂ ସିନୁ ଯାଇ ଜେଜୀଙ୍କ ପାଖେ ଭୁତ ଗପ ଶୁଣିବା ଦେଖି ତା ଭାଇ ପୁପୁ କୁ ଏକୁଟିଆ ଲାଗେ l ଜେଜୀ ସେମାନଙ୍କ ପାଖେ ଆସି ରହିବା ପୂର୍ବ ରୁ ସିନୁ ପୁପୁ ସାଙ୍ଗ ରେ ଦିନ ସାରା ଖେଳୁ ଥିଲା l ଜେଜୀଙ୍କ ଦେହ ଖରାପ ହେଲା ମୁଣ୍ଡ ବୁଲାଇ ଗାଆଁ ରେ ପଡ଼ି ଯିବାରୁ ବାପା ତାଙ୍କୁ ଏଠାକୁ ନେଇ ଆସିଲେ l ସିଏ ଆସିଲା ଦିନୁଁ ସିନୁ ଆଉ ପୁପୁ କୁ ପଚାରୁ ନାହିଁ l ଯେତେବେଳେ ଦେଖିଲେ ଖାଲି ଗପ ଆଉ ଗପ l ପାଞ୍ଚ ବର୍ଷ ର ପୁପୁ ସେ ଗପ ରୁ କିଛି ନ ବୁଝିଲେ ବି ନଅ ବର୍ଷ ର ସିନୁ ସବୁ ବୁଝି ଯାଏ ଏବଂ ବୁଝି ନ ପାରିଲେ ବି ବୁଝିଲା ଭଳି ହୁଏ l

ସେଦିନ ସିନୁ ପଚାରିଲା –

—ଜେଜୀ ତୁମେ ପରା କୁହ ପୁଅ ପିଲା ର ଝିଅ ପିଲା ଠାରୁ ଅଧିକ ବଳ ଥାଏ ବୋଲି ? ତେବେ ତୁମ ଖୁଡ଼ି ତାଙ୍କ ପୁଅ ର ତଣ୍ଟି କେମିତି ଚିପି ଦେଲେ ?

—ଆଲୋ ହୁଣ୍ଡୀ ଯାହାକୁ ଭୁତ ଲାଗି ଥାଏ ନା ସିଏ ପୃଥିବୀ ର ସବୁଠାରୁ ଶକ୍ତିଶାଳୀ ହେଇଯାଏ l ତା ଛଡା ତାଙ୍କ ପୁଅ ଆସି ଛଡା ଛଡି କରିବାରୁ ଖୁଡ଼ି ଙ୍କ ରାଗ ବଢ଼ିଗଲା l ଯିଏ ସାମ୍ନା ରେ ପଡ଼ିଲା ତାକୁ ଆକ୍ରମଣ କଲେ l

— ଜେଜୀ ପୁଣି ସିଏ କେମିତି ଭଲ ହେଲେ ?

—ଲୁହା l ହଁ ଲୁହା ଜିନିଷ ଆଣି ପାଟି ଭିତରେ ରଖି ଜାବ ପଡ଼ିଲା ଭଳି କଲେ ଭୁତ ଏକାବେଳକେ ଛାଡି ପଳାଇ ଯିବ l

ଏମିତି ଭୁତ ଗପ ର ଆସର ଚାଲିଥାଏ ଗୋଟେ ପରେ ଗୋଟେ l ସିନୁ ଦିନେ ତା ବୋଉକୁ ଟାଣିଲା ଗପ ଶୁଣିବା ପାଇଁ l ବୋଉ କହିଲା ତେଣେ ମୋର କେତେ କାମ ଗପ ଶୁଣିବାକୁ ଟାଇମ ନାହିଁ ମୋର l ମୋ ପିଲା ବେଳେ କେତେ ଗପ ଶୁଣିଛି ମୋ ଆଈ ଠାରୁ l ତୁ ଆଉ ପୁପୁ ଯାଇ ଶୁଣ ମାଆଙ୍କ ପାଖେ ମୁଁ ଭଜା ଟା ବସେଇ ଦିଏ l ସିନୁ ପୁପୁ କୁ ଡାକିବାକୁ ଯାଇ ଦେଖେ ତ ସିଏ ଗୋଟେ ରାଶି ଲଡ଼ୁ ଆଣି ଲୁଚେଇ ଧରିଛି l ଛଡା ଛଡି ରେ ପୁପୁ ର ଭେଁ ଭେଁ ରଡ଼ି ଶୁଣି ବୋଉ ଆଉ ଜେଜୀ ଉଭୟେ ଦୌଡିଲେଣି l

—ଏ ପିଲା ଦୁଇଟା ଆଉ ଘରେ ରଖେଇ ଦେବେନାହିଁ l ତୁ ତୋର ଗପ ଶୁଣୁନାହୁଁ ? କିଏ ମନା କଲା ତୋତେ ? ଭାଇ ସାଙ୍ଗେ କାହିଁକି ଲାଗୁଛୁ ?

ମଣିମାଳା ସିଆଡୁ ରଡ଼ି ଛାଡିଲେ l

—ଝଗଡା କଲେ ତୁମ ଦୁଇ ଜଣକୁ ବି ଭୁତ ଲାଗିଯିବ ଯେ ଦେଖିବ ରୁହ କଣ ହେବ l ଚୁପ ହେଇ ବସିବ ନା ନାହିଁ ଯେ l

ସିନୁ ନରମି ଗଲା ଟିକେ l ଚଳ ଚଞ୍ଚଳ ପାଦ ଦୁଇଟି ରୋଷେଇ ଘର ର ଦୁଆର ବନ୍ଧ ପାଖେ ଅଟକି ଗଲା ଏବଂ ଧୀରେ ଧୀରେ ସିନୁ ଯାଇ ଅଗଣା ରେ ଗୋଟିଏ କୋଣ କୁ ଜାକି ଜୁକି ହେଇ ବସି ଯାଇ ଥିଲା l ଆଚ୍ଛା ପଶୁ ପକ୍ଷୀ ମାନେ ବି ମଲେ ଭୁତ ହେଉଥିବେ ସେମାନଙ୍କୁ ବି ଭୁତ ଲାଗେ ? ସେ ଭୁତ ତ ତଣ୍ଟି ଚିପି ପାରୁ ନଥିବ କାମୁଡୁ ଥିବ କି ଖୁମ୍ପୁ ଥିବ ନାଇଁ ? ଜେଜୀ କୁ ପଚାରିବି ଯାଇ ବୋଲି ଭାବିଲା ସିନା କିନ୍ତୁ ମନ ରେ ଭୟ ର ମଞ୍ଜିଟିଏ ଉଠି ସାରିଥିଲା l ପୁପୁ ଦେହ ରେ ବି ଭୁତ ଲାଗିବ ? ସିଏ ମୋତେ ମାରିଦେବ ଆଉ ମୁଁ ବି ତାକୁ ? ନାଇଁ ନାଇଁ ପୁପୁ ମୋ ଭାଇଟା ସିଏ କେତେ ଭଲ l ମୁଁ କେମିତି ମାରି ପାରିବି ତାକୁ l ମୁଁ ତ ଭୁତ ବାବା ଙ୍କୁ ପ୍ରାର୍ଥନା କରି କହିବି ମୋ ଦେହ ରୁ ଚାଲିଯିବା ପାଇଁ l

—ପୁପୁ…ଏ ପୁପୁ ! ଆମ କୁ ଭୁତ ଲାଗିଲେ ଆମେ ଦୁହେଁ ମିଶି ଭୁତ ବାବାଙ୍କୁ ପ୍ରାର୍ଥନା କରି କହିବା ଚାଲିଯାଅ ଆମେ ଆଉ କେବେ ଝଗଡା କରିବୁ ନାହିଁ ହେଲା ?

—ନାଈଁ…ଇଁ…. ମୁଁ କହିବିନି l ତତେ ବାଡ଼େଇବି ଏମିତି…ଏମିତି l

ମୁଣ୍ଡ ଘୁରିଗଲା ସିନୁ ର l ଆରେ ସତେ ତ ପୁପୁ କିଛି ବୁଝୁନି ଯଦି ସିଏ ଭୁତ ବାବା ଙ୍କୁ ପ୍ରାର୍ଥନା କରି ପାରିବନି ତେବେ ? ସିନୁ ତ ତା ହାତ ରେ ମରିଯିବ l ଏବେ ପୁପୁ ରାଗି କି ଅଛି ସିନୁ ତା ହାତ ରୁ ରାଶି ଲଡ଼ୁ ଟା ଛଡାଇ ଆଣିଥିଲା ବୋଲି l ପୁପୁ ର ତାର ସବୁବେଳେ ଝଗଡା ହୁଏ l ସିଏ ଚୁପ ଚାପ ବସିଲେ ବି ପୁପୁ ଆସି ଖେଳିବାକୁ ଡ଼ାକିବ ନ ଗଲେ ତା ଚୁଟି ଧରିକି ଟାଣିବ l ତା ଭାଗ ତକ ଖାଇସାରି ଆସି ସିନୁର ଭାଗରେ ହାତ ମାରିବ l କିଏ ନ ରାଗିବ ଭଲା ?

ପୁପୁ ତ ପୁଅ ପିଲା ଝିଅ ପିଲା ଠାରୁ ବଳ ଅଧିକ ବୋଲି ମାଆ କହୁଥିଲେ l ସିନୁ କୁ ଭୁତ ଲାଗିଲେ ବି ସିଏ କିଛି କରି ପାରିବ ନାହିଁ l ସିଏ ପାଠ ବି ଭଲ ପଢ଼ୁଛି ଏବଂ ଫାଷ୍ଟ ହେଉଛି କ୍ଲାସ ରେ l ବଡ଼ ହେଲେ ଡକ୍ଟର ହେବ ସିନୁ l ବାପା ଗୋଟେ ଖେଳଣା ଷ୍ଠେଥୋ ଆଣି ଦେଇଛନ୍ତି ଯେମିତି ଡକ୍ଟର ମାନେ ଧରନ୍ତି l ହେଲେ ବଡ଼ ହେବା ପୂର୍ବରୁ ଯଦି ମରିଯିବ ଡକ୍ଟର କେମିତି ହେବ ସିଏ ? ପୁପୁ ଦେଇ ପାଠ ହେଉନାହିଁ l ସବୁବେଳେ ବାପାଙ୍କ ଠାରୁ ମାଡ଼ ଖାଏ l ଭଲ ହେଇଛି l ଖାଲି ଦୁଷ୍ଟାମୀ କରିବା ଆସୁଛି ତାକୁ l ସିନୁ ଦିନେ ଯାଇ ବୋଉକୁ କହିଥିଲା-

—ବୋଉ ଲୋ ମୋ ପାଇଁ ଆଉ ଗୋଟେ ଭାଇ ଆଣିଦେ l ଏ ବଦମାସ ସବୁବେଳେ ମୋତେ ହଇରାଣ କରୁଛି l

ବୋଉ ଖାଲି ହସିଥିଲା ଏବଂ କହିଥିଲା –

— ଦି ଦି ଜଣ ମିଶିକି ମୋ ମୁଣ୍ଡ ଖରାପ କରି ଦେଉଛ ଆଉ ଜଣ କୁ ଆଣିଲେ ତିନି ହୋଇ ମୋତେ ଉପରକୁ ପଠାଇ ଦେବ ପରା l

ୟାକୁ ଆମେ ଘରୁ ବାହାର କରିଦେବା ଶୁଣି ବୋଉ ହସି ଦେଇଥିଲା l

ପୁପୁ ଯାଇ କୂଅ ପାଖ ରେ ଘୋ ଘୋ ରାଣୀ ଖେଳୁଛି l

— ବୋଉ ମନା କରିଛି ପରା ସିଆଡେ ଯିବା ପାଇଁ ? କହିବି ନା ବୋଉକୁ ?

ପୁପୁ ଅନୁକରଣ ଆରମ୍ଭ କରିଦେଲା l

—କହିବି ନା ବୋଉ କୁ ? ହି…. ହି…. ହି…. l

—ମନା କଲି ପରା ଯାଆନା ବୋଲି ?

—ମନା କଲି ପରା ଯାଆନା ବୋଲି ? ହି…. ହି…ହି…. l

ସିନୁ ର କଣ୍ଠ ମୋଟା ଶୁଭୁଥିଲା ଏବେ, ଆଖି ଦୁଇଟି ରୁ ସତେ ଯେପରି ଅଗ୍ନି ବର୍ଷା ହେଉଥିଲା l ପୁପୁ ଦୂର ରେ ଥିବାରୁ ଜାଣି ପାରୁ ନଥିଲା କିଛି l ଧୀରେ ଧୀରେ ସିନୁ କୂଅ ଆଡ଼େ ଅଗ୍ରସର ହେବାକୁ ଲାଗିଲା l ପୁପୁ ଥିବାରୁ ବୋଉ ନୂଆ ଭାଇ କୁ ଆଣି ପାରୁନାହିଁ l ପୁପୁ ନଥିଲେ ନୂଆ ଭାଇ ଘର କୁ ଆସିବ l ସିନୁ ଓ ନୂଆ ଭାଇ ଜମା ଦୁଇ ଜଣ ରହିବେ l ଦୁଇ ଜଣ ଯାକ ମାଆ ଙ୍କ ଠାରୁ ଗପ ଶୁଣିବେ ମଜା ହେବ l ନୂଆ ଭାଇ ଯାହା ଆଣିବ କହିବ ସିନୁ ଦିଦି ହେଇ ନେ ତୋ ପାଇଁ ଆଣିଛି ବୋଲି l ସିନୁ ର ତାର ଭାଗ ବାଣ୍ଟି ଖାଇବେ l ପୁପୁ ପାଖରେ ପହଞ୍ଚି ଗଲାଣି ସିନୁ l ଘୋ ଘୋ ରାଣୀ ଏତିକି ଏତିକି ପାଣି ଗାଇ ଗାଇ ପୁପୁ ଘୁରୁଛି l

—ତୋତେ କହିଲି ପରା ଶୁଭୁନି ?

—ତୋତେ କହିଲି ପରା …!!

xxxxxxxxxxxxxxxxxx

ଦିନ ସାରା ପୁପୁ ର ଦେଖା ନାହିଁ l ଚାରିଆଡେ ଖୋଜା ଲୋଡ଼ା ହୋଇ ଥାନା ରେ ରିପୋର୍ଟ ଦିଆ ସରିଲାଣି l ରାତିରେ ସମସ୍ତେ ଖାଡା ଖାଡା ଉପାସ l ବୋଉ ଓ ଜେଜୀ ତ ବାହୁନି ବାହୁନି ପୁରା ଘରଟା କୁ ଉପରକୁ ଉଠାଇ ଦେଉଥାନ୍ତି l ବାପା ବିରକ୍ତ ହୋଇ କହୁଥାନ୍ତି ଧର୍ଯ୍ୟ ଧର ଥାନା ବାଲା ଖୋଜି ଆଣିବା ପାଇଁ ଯାଇଛନ୍ତି ପୁପୁ ଆମର ମିଳିଯିବ l ସିନୁ ଗୁମ ମାରି କୋଣ କୁ ବସିଥାଏ l ରାତି ରେ କେହି ଶୋଇ ନଥିଲେ l ବୋଉ ର ଟିକେ ଆଖି ଲାଗି ଯାଇଥିଲା ଭୋର ରୁ l ବାପା ଥାନାକୁ ଯିବା ପାଇଁ ବାହାରୁ ଥିଲେ l କୂଅ ମୂଳ ରୁ ଜେଜୀଙ୍କ ପାଟି ଶୁଣି ସମସ୍ତେ ଧାଇଁଲେ ସିଆଡେ l କୂଅ ଭିତରେ ପୁପୁ ର ମୃତ ଦେହ ଟା ଭାସୁଥିଲା l ଜେଜୀ ବାହୁନି ବାହୁନି ଆସି ଘର ଭିତରଟା ଦରାଣ୍ଡି ଦରାଣ୍ଡି ସିନୁକୁ ଉଠାଇ ବସାଇ ଦେଲେ l

ଜେଜୀଙ୍କ ପାଟି ଆଁ କୁ ଆଁ ହୋଇ ରହି ଯାଇଥିଲା ଓ ଆଖି ଖୋସି ହେଇଗଲା ସିନୁ କୁ ଦେଖି l କଥା ବାହାରୁ ନଥିଲା ଜଳକା ହୋଇ ଯାଇଥିଲେ ଜେଜୀ l ଆଁ କରି ଚାହିଁ ରହିଥିଲେ ତାଆରି ଆଡ଼େ …. ସିନୁ ର ପାଟିରୁ ପୁପୁ ପିନ୍ଧୁଥିବା ଲୁହା ବଳା ଟା ଖସି ପଡ଼ିଥିଲା l

              —ସମାପ୍ତ —

 ପଦ୍ମାଳୟା ପାଢ଼ୀ
ବ୍ରହ୍ମପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *