ମୁହଁ ଖୋଲି ସିନା କହି ସେ ପାରୁନି
ଦିନୁଁ ଦିନ ପ୍ରୀତି ବଢ଼େ,
ଅଧରକୁ ଚାପି ଭ୍ରୂଲତା ନଚାଇ
ଅୟୁତ ଆଲେଖ୍ୟ ବାଢ଼େ |
ଶବ୍ଦରେ କହିଲେ କଥା ସରିଯିବ
ଭାବନାରେ ଅନ୍ତ କାହିଁ !
ପ୍ରତୀକ୍ଷାରେ ଥାଏ ଯେତିକି ଆନନ୍ଦ
ପ୍ରାପ୍ତିରେ ମିଳଇନାହିଁ |
ହୃଦୟର ଭାଷା ମନର ଭାବନା
ବୁଝଇ ପ୍ରୀତି ରସିକ,
ତୃଷାର୍ତ୍ତ ଜୀବନେ ମରୀଚିକା ସମ
ଭରେ ଆଶାର ପୁଲକ |
କେବେ ବାରିଦକୁ ଅବା ସମୀରକୁ
ଦୂତ କରି ସେ ପଠାଏ,
ପୁଣି କେବେ ଚନ୍ଦ୍ର ସାଥେ ଚକୋରକୁ
ସାକ୍ଷୀ କରି ଝୁରୁଥାଏ |
ମଳୟ ପବନ ତନୁ ଛୁଇଁଦେଲେ
ଝରିପଡ଼େ ପ୍ରୀତି ମଧୁ,
ମନେପଡ଼େ ପ୍ରିୟା ଗଭା ମଲ୍ଲୀଜୁଡ଼ା
ସତେ କି ପୂର୍ଣ୍ଣିମା ବିଧୁ |
ରଜନୀ ଆସିଲେ ମନ ଆକାଶରେ
ଉଇଁଆସେ ପ୍ରୀତି-ରବି,
ଦିବସ ପ୍ରକାଶେ ହୃଦୟରେ ଘୋଟେ
ବିରହ-ତମସା ଛବି |
ତାକୁ ନଦେଖିଲେ ଗୋଟିଏ ମୁହୂର୍ତ୍ତ
କୋଟି ଯୁଗ ସମ ଲାଗେ,
ସ୍ମୃତି ଫଳକରେ ସାଇତି ରଖିଛି
ବେପଥୁ, ରକ୍ତିମ ରାଗେ |
ସେ ମୋ କବିତାର କାଗଜ,କଲମ
ଉଦାସୀ ମନର ଭାଷା,
ଯେଉଁଠି ବି ଥାଉ ହୃଦ କୋଟରରେ
ବାନ୍ଧିଛି ପ୍ରୀତିର ବସା |