ପବନ ଆଉ ତାପମାତ୍ରା
ଉଭୟ ଗ୍ରୀଷ୍ମ ପରି ଚାଉଁ-ଚାଉଁ,
ତଥାପି,
ପାଚେରୀ ପାଖକୁ ଲାଗି –
ସକାଳୁ ଗଙ୍ଗଶିଉଳି ଝଡୁଥିଲା,
ରାଜଧାନୀ ରାସ୍ତାରେ-
ସପ୍ତପର୍ଣ୍ଣୀ ମହକୁଥିଲା,
ଆଉ ଉପକଣ୍ଠର ଅନାବାଦୀ ଭୂମିରେ-
କାଶତଣ୍ଡୀ ଝଟକୁ ଥିଲା,
ହଁ,
ତାହେଲେ ଏଇ ଭିତରେ ବୋଧେ-
ଶରତ ଋତୁ ଆସି ଯାଇଥିଲା!
ବଡଦାଣ୍ଡର ମାଳିଜାଗା ପାଖରେ,
ଗୋଟିଏ ସଜ୍ଞାବିହୀନ, ନିସ୍ତେଜ ଗର୍ଭରେ
କେଉଁ ଏକ ‘ମହିଷାସୁର’ର ଶୁକ୍ରାଣୁ –
ଭୃଣର ରୂପ ନେଇ ସାରିଥିଲା,
ଗୋସାଣୀଙ୍କ ପାଇଁ ସୋଲ-ଜରି ଗହଣାର
ବଜାର ଜମି ସାରିଥିଲା,
ବିମଳା ମନ୍ଦିର ପ୍ରବେଶ ପଥରେ-
“ମହିଳାଙ୍କ ପ୍ରବେଶ ନିଷେଧ” ଛପା ଯାଇଥିଲା,
ଏସବୁ ବୋଧେ-
ଷୋଡଶ ଉପଚାର ଆରମ୍ଭର ଘୋଷଣା ଥିଲା!
ଏଥର ସହରର ବାୟୁମଣ୍ଡଳରୁ-
ବାର ବର୍ଷ କୁଆଁରୀ କନ୍ୟାର
ତାଜା ରକ୍ତ ଆଉ କୋହର ବାସ୍ନା,
କୁହୁଡି ଭିତରକୁ ଠେଲି ହୋଇ ଯାଇଥିଲା,
ଗଗନ- ପବନ
ଶଙ୍ଖ ଧ୍ବନୀରେ କମ୍ପୁଥିଲା,
ହଁ,
ତା’ ହେଲେ ଏଇ ଭିତରେ ବୋଧେ-
ହରସିଦ୍ଧି ପିଠରେ “କୁଆଁରୀ ପୂଜା”
ଆରମ୍ଭ ହୋଇଯାଇଥିଲା!
ଏକାବନ ଶକ୍ତିପୀଠରେ
ଅଧିଆ ପଡିଥିବା ମଣିଷ,
ତମ ସାହିରେ ମଣ୍ଡପ ତଳେ
ରୁଣ୍ଡ ହୋଇଥିବା ଗହଳିର
ଆଖି ଆଉ ମସ୍ତିଷ୍କ
ଲଟକିବା ପାଇଁ –
ଆଖପାଖରେ ନାରୀର ଶରୀରଟେ ଖୋଜୁଥିଲା;
ଆଜିବି ଗହଳି ଭିତରେ,
ଅଠଚାଳିଶ ପ୍ରତିଶତ ଇଚ୍ଛା ଆଉ ଦମ୍ଭର କାନୀ-
ଡଙ୍କ ମୋଡି ହୋଇଯାଉଥିଲା;
ତଥାପି-
ରାସ୍ତାରେ ଚିକମିକ୍ ଆଲୁଅ, ମେଳାର ଚକ୍ରିଦୋଳି,
ହାଟ-ବଜାର ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ,
କାର୍ଯ୍ୟାନୁଷ୍ଠାନରେ ଛୁଟି ଓ
ଇଣ୍ଟରନେଟରେ ବିଗ୍-ବିଲିୟନ୍ ସେଲର
ଘୋଷଣା,
ଆଉ-
ଡାଣ୍ଡିଆ ପଡିଆରେ ନାଚୁଥିବା ଝିଅଟେର
ଖିଲିଖିଲି ହସ କହୁଥିଲା
ବୋଧେ-
ପାର୍ବଣର ଋତୁ ଆସି ଯାଇଥିଲା!
ଡା ଇପ୍ସିତା ପ୍ରଧାନ