ଝଡର ନାଁ ପ୍ରେମ

ଭୋର୍ ହବାଟା ପୂର୍ବବତ୍ ନିର୍ଦ୍ଧାରିତ ଥିଲା ସେଦିନ !
ସକାଳର ମୁକ୍ତାଲଗା
ଘାସ ଗାଲିଚାରେ ପାଦ ପକେଇ
ଧୀରେଧୀରେ ବିଦାୟ ନେଉଥିଲା ସେ,
ସମୟ ନିର୍ଘଣ୍ଟ ଅନୁସାରେ
ଫେରିବାର ପ୍ରତିଶୃତି ଦେଇ
ପିଠିକରି ଗଲା ଯେ ଗଲା,
ଆଉ ଫେରିନି ସେଦିନୁ ।

ଝଡ଼ପରି ଆସିଥିଲା ଦିନେ
ଲକ୍ଷେ ପ୍ରଶଂସାର କମକୂଟ କାରିଗରି’ରେ
ପିନ୍ଧେଇଥିଲା ଭଲପାଇବାର ମୁକୁଟ ।
ଶିହରିତ ମୁହୁର୍ତ୍ତମାନେ
ଆନମନା ହେଇ ଚଢିଥିଲେ ଆବେଗର ଶିଖର !


ଭୁଲିଥିଲେ କାନ୍ଥଘଣ୍ଟାର ଟିକ୍ ଟିକ୍
କରୁଥିବା ସମୟକୁ ।
ପ୍ରୀତିର ମଖମଲି କଥାକୁ ସତଭାବି
ବିଭୋର ହେଇଥିଲା ତା’ପ୍ରେମରେ!
ଦିନସବୁ କଣ୍ଟକିତ ପ୍ରହର
ରାତି ଲାଗୁଥିଲା ମିଠା ମଧୁମତୀ ।

ଭୁଲିଥିଲା ନିଜ’କୁ,
ଅହରହ ତା ଭାବନାରେ
ଚା’ରେ ଚିନି ଭାବି ପକଉଥିଲା ଲୁଣ।
ଯେତେ ଲୁଚେଇଲେ ବି
ଧରାପଡୁଥିଲା, ଅନ୍ଧାରରେ ଥାଇବି
ଚାରିପାଖେ ଲାଗୁଥିଲା ଆଲୋକର ତୋରଣ ।

ଭୁଲିଥିଲା ଅତୀତ
ଭାସିଥିଲା କାଗଜ ଡଙ୍ଗାରେ
ପାରି ହେଉଥିଲା ବିଶ୍ୱାସର ସେ ନୀଳନଈ।
ଯେତେ ଆବଦ୍ଧ ଆବରଣ ଡେଇଁ
ନିର୍ଭୟରେ ଖୋଲିଥିଲା ତା’ଭୟର କବରୀ
ଭାସିଥିଲା ପଦ୍ମସରୋବରେ ନିଜକୁ ବିସ୍ମରି ।
ଯେଉଁଠି ନଥିଲେ କେହି ଶତ୍ରୁରୂପି ନାଗୁଣୀ ତାକୁ ଦଂଶିବାକୁ ।
ମୁକ୍ତମନା ହେଇ ବୁଲୁଥିଲା ଫୁଲବନେ।

ବାସ୍
ଝଡ଼ ପରେ ଅୟୁତେ ନୀରବତା
ଶାନ୍ତ ଦିଗବଳୟ ଛୁଏଁ
ସବୁ ସକାଳ ଅଭିଶପ୍ତ ଲାଗେ
ସୂର୍ଯ୍ୟ ମୁହଁ ଧୁଏ ଆଞ୍ଜୁଳାଏ ମୋହରେ
କହେ ବିସର୍ଜି ଦେ ମାଟିଦେହ ପରି ତା’ସ୍ମୃତିସବୁକୁ ।
ଅପେକ୍ଷା ନକରି ଫେରିଯା
ତେଲ ଲୁଣ ସେ ସଂସାର ତିଆରି ଘରକୁ ।

ଲାବଣ୍ୟ ନାୟକ

ଦେଵିଦ୍ୱାର
ଯାଜପୁର
755007

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *