ଟଙ୍କିକିଆ ପୁନେଇଁ ଜହ୍ନ
ଦିନେ କେବେ ଆସେ
ଆକାଶରେ ପହଁରୁଥାଏ ।
ଛିଣ୍ଡା ଜରିବସ୍ତା ଉପରେ
ଶୋଇ ଶୋଇ ତାକୁ ସେ
ଆଖିରେ ଛୁଏଁ ।
ଜହ୍ନ ବଦଳିଯାଏ
ସତକୁ ସତ ଗୋଟିଏ ଟଙ୍କାରେ
ମହମହ ବାସେ
ପ୍ଲାଟଫର୍ମ ଏଣିକି ।
ଟ୍ରେନ୍ର ଶବ୍ଦ
ଶୁଭେ ଦୂର ବଂଶୀ ପରି
ଅନ୍ଧାର ଲାଗେ
ଜହ୍ନ ଠୁ ବି ତୋଫା ।
ତାରାକୁ ଅନେଇ
ସେ ଅନୁମାନ କରେ
ରାତି ଦି’ଟା ହେବ କି କଣ ।
ସକାଳେ ଚାରିଟାରେ
ଅଠର ସତସ୍ତରୀ
ଚଢେଇବାର ଅଛି ।
ଯାହା ବି ମିଳିବ
କିଛି ମିଶାଣ ଫେଡାଣ ପରେ
ଏଥର ସେ ସ୍ଵପ୍ନ ନୁହେଁ
ଗୋଟେ ଜହ୍ନ କିଣିବ ।
ଘର ନ ଥାଉ
ଗୋଟେ ଆକାଶ ତୋଳେଇବ
ଆକାଶର ଦିନିକିଆ ଜହ୍ନକୁ
ଈର୍ଷାରେ ଜଳେଇବ ।