ଗୃହ ଯୁଦ୍ଧ ଆଜି ଉତ୍ତୁରି ଉଠୁଛି
ନିଜ ଭାଗବଣ୍ଟା ପାଇଁ
ଦୁଃଖିନୀ ମା’ଟା ଗୁମୁରି କାନ୍ଦୁଛି
ନିଜ ସନ୍ତାନଙ୍କ ପାଇଁ ।
କି ଥିଲାଟି କାଲି କି ହେଲାଟି ଆଜ
କିଛି ଜଣା ପଡୁନାହିଁ
ଗୋଟିଏ ଘରରେ କନ୍ଦଳ ଚାଲିଛି
ନିଜ ଅଧିକାରକୁ ନେଇ ।
କେଉଁ ତାନ୍ତ୍ରିକ ଯେ , କିମିଆ କରିଛି
କି ମନ୍ତ୍ରଟି ଶୁଣାଇ
ବଶିଭୂତ ଆଜି ସମସ୍ତ ସନ୍ତାନ
ନିଜ ବିବେକ ହରାଇ ।
ଭୁଲି ଯାଉଛନ୍ତି ପୂରୁବ ଗଉରବ
ଇତିହାସକୁ ନ ମେଲାଇ
ମାତାଲି ସାଜିକି ଧାବନ ହେଉଛନ୍ତି
ଭୂଗୋଳ ଆଡ଼କୁ କାଇଁ ।
ଦୀର୍ଘ ଦିନର ସେ କଠିନ ତପସ୍ୟା
ଭଙ୍ଗ ହେବାକୁ ଲାଗଇ
ଚେଇଁ ରହିକରି ଶୋଇ ରହିଥିବା
ଅବୁଝା ପୁଅଟି ପାଇଁ ।
ମାତୃ ହୃଦୟ ବି ହାହାକାର ହେଉଛି
ସୁପ୍ତ ସନ୍ତାନଙ୍କ ପାଇଁ
କେତେ ଆଉ ପୁଅ ଶୋଇ ରହିଥିବୁ
ଅବେଳ ହେଲାନି ଯାଇ ।
ଶୋଇ ରହିଥିଲେ ଶୋଇ ରହିଥିବୁ
ନ ଉଠାଇବେ ତୋତେ କେହି
ଦେଖି ଖାଲି ତୋତେ ବଇରୀ ହସିବ
ପୂର୍ବ କଥା ମନେ ପକାଇ ।