
ଦିନେ ଦୁଇଦିନ ତଳେ ଗୋଟେ ବୁକଷ୍ଟଲ ରେ ଠିଆହୋଇ କିଛି ବହି ଦେଖୁଥିଲି।ଜଣେ ଭଦ୍ରଲୋକ ଆସି ଏକ ପେପର୍ ମାଗି ପଢିବା ସହ ‘ଦେଖ ମୋର କବିତା ବାହାରିଛି’ କହି ବହିଦୋକାନୀ ପିଲାଟିକୁ ଦେଖାଇଲେ ।ଭଦ୍ରଲୋକ ଜଣେ କବି ଜାଣି ଖୁସି ଲାଗିଲା। ତାପରେ ସେ କିଛି ଅନ୍ୟାନ୍ଯ ପତ୍ରିକା ଦେଖି ସେଥିରୁ ରୁ ନିଜର ଆଉ ଏକ କବିତା ପାଇ ଗଦ୍ଗଦ୍ ହୋଇ ଲେଖାଟିଏ କିପରି ଜନ୍ମିତ ପିଲା ଠାରୁ ଅଧିକ ତା ଉପରେ ଏକ ସଂକ୍ଷିପ୍ତ ଭାଷଣ ଦେଲେ। ହାତଜୋଡି ସାମାନ୍ୟ ହସି ମୁଁ ମହାଶୟଙ୍କୁ ଶୁଭେଚ୍ଛା ଜଣାଇଲି।ବହିଦୋକାନୀ ପିଲାଟି ଆଗ୍ରହର ସହ’ସାର୍ ଆପଣଙ୍କ ଲେଖା ବାହାରିଛି ପତ୍ରିକାଟି ନେଇଯାନ୍ତୁ’ କହିଲା ।ତା କଥାରେ ସେ ଯେମିତି ଆକାଶରୁ ଖସି ପଡିଲେ!
ନା’ମଁ ପ୍ରକାଶକ ପଠାଇବେ, ଷାଠିଏ ଟଙ୍କାଦେଇ ପତ୍ରିକା ଖଣ୍ଡେ କିଣିବି ?ତାପରେ ପେପର ରେ ବାହାରିଥିବା ତାଙ୍କ କବିତାଟିର ଫଟୋ ମୋବାଇଲ୍ ରେ ଉଠାଇନେଲେ।ଦୋକାନୀ ଟୋକା ନଛୋଡବନ୍ଧା। ମୁହଁ ଆମ୍ବିଳା କରି କହିଲା ,ପେପର୍ ଖଣ୍ଡକ ସାତଟଙ୍କା ନେଉନାହାନ୍ତି !
ସେତିକିବେଳେ ବେଶ୍ ରୁଚିପୂର୍ଣ୍ଣ ପରିପାଟିରେ ଜଣେ ମହିଳା ସାଗଂରେ ବାର ତେର ବର୍ଷର ପୁଅଟିଏ ସହ ପାଖ ରେଷ୍ଟୁରାଣ୍ଟ ରୁ ବାହାରି ଆସିଲେ।ପାପା ଆମେ ଡିନର୍ ପାଇଁ ପାର୍ଶଲ ମଧ୍ୟ ନେଇଆସିଲୁ। ତା ହାତରେ ମାଳେ ଚିପ୍ସ ଓ କ୍ୟାଡବରୀଜ୍ ଇତ୍ୟାଦି ର ପ୍ୟାକେଟ୍, ମହିଳା ଜଣକ ଧରିଥାନ୍ତି ରାତ୍ରି ଭୋଜନ । ପରିବାର ସହ ଚାଲିଗଲେ ଲେଖକ ମହାଶୟ ।ନିରାଶ କଣ୍ଠରେ ପିଲାଟି କହିଲା, ଦେଖିଲେ ତ ମାମ୍ ବୁଝି ମଧ୍ୟ ଥିବେ, କେମିତି ଆମ ସଂସାର ଚାଲିବ ? ଖାଲି ସମସ୍ତେ କହିବେ ଆମକୁ ପଢ……ଆଉ ଆମେ ବହି ତ ଦୂରର କଥା ପେପର ଖଣ୍ଡେ ସୁଦ୍ଧା କିଣି ପଢିବୁନାହିଁ। ତାଛଡା ପ୍ରକାଶକ ମାନେ ଏମାନଙ୍କୁ ବହି ବାଣ୍ଟିବେ, ଏଣେ ଆମ ପାଖରେ ବହି ଗଦେଇ ଦିନକୁ ତିନିଥର ତାଗିଦା କରିବେ କେତେ ବିକ୍ରି ହେଲା !ଇଏ ପରା ଭଦ୍ର ବେପାର କଣ ଗୁଟକା ହୋଇଛି,ଲୋକେ ବଳେ ବୁହାଇ ନେବେ, ନା ପରିବା ହୋଇଛି ସଂଧ୍ୟା ହେଲାଣି ଦାମ୍ କମାଇ ଜାଚିଗୁଞ୍ଜି ଦେଇଦେବୁ! ପିଲାଟିର କ୍ଷୋଭରେ ଜଦିଓ ବାସ୍ତବତା ର ଗନ୍ଧଥିଲା ତଥାପି କହିଲି, ଦେଖରେ ବାବୁ ଆମ ସମାଜରେ ପ୍ରାୟତଃ ନିମ୍ନ ମଧ୍ୟବିତ୍ତ । ଅଭାବଗ୍ରସ୍ଥ ଜୀବନ ଭିତରେ ବହି ଦୁଇଖଣ୍ଡ କିଣିବା କାଠିକର ପାଠ। ପଇସାପତ୍ର ଥିବ ନଥିବ ସେ ନେବେ କେମିତି !
ସେ ତାର ରଂଗିନ୍ ଚୁଟିରେ ଆଗୁଂଳି ପହଁରାଇ ମୁଁ ନଶୁଣିଲା ଭଳି କହିଲା ହୁଁ …. ଅନ୍ୟ ସବୁ ଖର୍ଚ୍ଚ କୁ ପଇସା ଅଛି। କିଛି ନକହି ସେଠୁ ବାହାରି ଆସିଲି ମୁଁ । ବାଟସାରା ଭାବୁଥିଲି,ସତରେ ଘରକୁ ପେପର୍ ଖଣ୍ଡେ ମଗାଇଦେଇ ଲେଖକ ଜଦି ତାର ସାହିତ୍ୟିକ କର୍ତ୍ତବ୍ୟ ବୋଧ ସାରିଦିଏ ଏବଂ ଅନ୍ୟାନ୍ୟ ପତ୍ରପତ୍ରିକା ଦୂରର କଥା ନିଜ ଲେଖା ପ୍ରକାଶିତ ହୋଇଥିବା ପତ୍ରିକା ବା ସେଦିନର ସଂବାଦପତ୍ର ଖଣ୍ଡିକ କିଣିବାକୁ ବିମୁଖ ହୁଏ ତାହେଲେ ସାହିତ୍ୟ ଓ ସାହିତ୍ୟିକ ଙ୍କ ଭବିଷ୍ୟତ କଣ ! ବହି ବିକ୍ରି ପାଇଁ କେବଳ ସୁଧିପାଠକ ଙ୍କ ଉପରେ ନିର୍ଭର କରାଗଲେ ଆମ ଭାଷା ଆମ ସାହିତ୍ୟ ଯେତେ ପ୍ରକାର ମାନ୍ୟତା ପାଉ ତାର ବିକାଶ କଣ ସଂଭବ ?

ଅବଶ୍ୟ ଏଠି ଆର୍ଥିକ ସ୍ୱଚ୍ଛଳତା ନଥିବା ବ୍ୟକ୍ତିବିଶେଷ ବା ଛାତ୍ରୀ ଛାତ୍ରଙ୍କ କଥା ପଡିନି। ଦୈନନ୍ଦିନ ଜୀବନରେ ବଢୁଥିବା ଦରଦାମ ନେଇ ଆମେ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ସମସ୍ତେ ଚିନ୍ତିତ। ମାତ୍ର ସେସବୁ ମଧ୍ୟରେ ଟାଣିଟୁଣି ହୋଇ ଆମ ସଂସାର ଚାଲିଛି କି ନାହିଁ? ତାହେଲେ ସାହିତ୍ୟକୁ ନିଶା କରିଥିବା ଲୋକେ ସାହିତ୍ୟ ବାବତରେ ଜତକିଞ୍ଚତ୍ ଖର୍ଚ୍ଚକଲେ, ନିଜ ଦୁର୍ବଳିଆ ପିଲାଟା ପାଇଁ ଖର୍ଚ୍ଚ କଲାଭଳି ଅନୁଭବ କରିବା କି ନାହିଁ ?
ଅବଶ୍ୟ ବହୁଜଣଙ୍କୁ ଦେଖିଛି, ସେମାନେ ନିଜ ସାହିତ୍ୟମନସ୍କତା ପାଇଁ ବହିକିଣାରେ ବହୁତ ଖର୍ଚ୍ଚ କରନ୍ତି ।ପାରିବାରିକ ଅଶାନ୍ତି, ଅଭାବ ଅନାଟନ ସେଥିରେ ବାଧକ ସାଜିପାରେ ନାହିଁ ।ସେଇମାନଙ୍କ ପାଇଁ ହିଁ ସାହିତ୍ୟ ନିଶ୍ୱାସ ପ୍ରଶ୍ୱାସ ନେଉଛି। କିନ୍ତୁ ସେମାନଙ୍କ ସଂଖ୍ୟା କେତେ ! ଲେଖକ ପ୍ରକାଶିତ ହେବାପାଇଁ ଲେଖାଟି ପଠାଇଦେଇ ପ୍ରକାଶ ପାଇଲେ କପିଟିଏ ପାଇବା ତାର ଅଧିକାର ବା ସମ୍ମାନ ର ପ୍ରଶ୍ନ ଭାବିନିଏ।କିନ୍ତୁ ଅନ୍ୟର ବହି ବା ପତ୍ରପତ୍ରିକା ଖଣ୍ଡେ କିଣିପଢିବା ତାର କର୍ତ୍ତବ୍ୟ ଭୂଲିଯାଏ। ଲେଖାଟିଏ ଲୋକଲୋଚନକୁ ଆସିବାପାଇଁ ଖର୍ଚ୍ଚ ଠୁ ନେଇ ପରିଶ୍ରମ ସହ କେତେ ଗଳିକନ୍ଦି ଭିତରେ ଗତିକରି ଲେଖାଟି ପ୍ରକାଶିତ ହୁଏ ତାହା ଅନୁଭବି ଜାଣେ। ମୁଁ ଜାଣିବାରେ ଜଣେ ପ୍ରଥମଧାଡି ର ସାହିତ୍ୟିକ ତଥା ପ୍ରକାଶକ ଏକଦା ତାଙ୍କର ବହୁଳ ପ୍ରସାରିତ ପତ୍ରିକା ର ପ୍ରକାଶନ ପାଇଁ ବାରମ୍ବାର ସ୍ତ୍ରୀଙ୍କ ଗହଣା ବନ୍ଧା ପକାଉଥିଲେ। ବହୁ ମନନଶୀଳ ଉଚ୍ଚମାନର ପତ୍ରିକା କେବଳ ଆର୍ଥିକ ଦୁର୍ଗତି ର ସମ୍ମୁଖୀନ ହୋଇନପାରି ବନ୍ଦ ହୋଇଯାଇଛି।ଲେଖାଟିଏ ପ୍ରକାଶିତ ହେବାପରେ ଯାଇ ଲୋକଲୋଚନ କୁ ଆସେ,ଲେଖକ ସାବାସି ପାଏ,ଠିକ୍ ସେମିତି ଲେଖକ ଲେଖାଟିଏ ନଦେଲେ ପ୍ରକାଶକ କଣ ପ୍ରକାଶିତ ହେବ! ତେଣୁ ପ୍ରକାଶକ ଏବଂ ଲେଖକ ଉଭୟ ପରସ୍ପର ପରିପୂରକ।କେହି କାହାପାଖରେ ନତମସ୍ତକ ହେବାର ପ୍ରଶ୍ନ ହିଁ ନାହିଁ।
ତେଣୁ ଜତକିଞ୍ଚତ୍ ସାହିତ୍ୟିକ ହିସାବରେ ମୁଁ କହିବି, ଜଣେ ଲେଖକ, ପାଠକ ଏବଂ ପ୍ରକାଶକ ଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ନହୋଇ,କିଏ କେଉଁ ଉପାୟ ଅବଲମ୍ବନ କରୁଛି ଚିନ୍ତା ନକରି ବଂର ଯତ୍ପରୋନାସ୍ତି ନିଜ ସହ ସତୀର୍ଥ ମାନଙ୍କ ଲେଖା ସକ୍ଷମ ଅନୁସାରେ କିଣିପଢିଲେ, ପରିବାର ସାଗଂସାଥୀ ଙ୍କୁ ଉପହାର ସ୍ୱରୁପ ଦେଲେ, ଅନ୍ୟ ଲେଖାରୁ ଜ୍ଞାନ ଆହରଣ ସହ ଆତ୍ମସଂନ୍ତୋଷ ଲାଭକରିବ ।ତା ସହ ପତ୍ରପତ୍ରିକା ପ୍ରକାଶନ ରେ ଗୁଣ୍ଡୁଚିମୂଷା ଭଳି ସାହାଯ୍ୟ ମଧ୍ୟ କରିପାରିବ । ଫଳରେ ପ୍ରକାଶକଙ୍କ ପାଖେ ଆଜ୍ଞା ଅବଧାନେ ନକରି ଆତ୍ମସମ୍ମାନ ସହ ଆମ ଲେଖା ଓ ଆମ ସାହିତ୍ୟକୁ ଆମେ ବଞ୍ଚାଇ ରଖିପାରିବା ।

ପଢ଼ିବା ଅଭ୍ୟାସ ପିଲାରୁ ଥିଲେ ହେଁ ବହି କିଣିବାକୁ ମନ ହେବ ନହେଲେ ବହି ଗୁଡ଼ାକ ତ ରଦି କାଗଜ ର ସମାହାର ଭଳି ଲାଗିବ l ବାପା ମାଆ ମାନେ ପିଲାଙ୍କୁ ପଢ଼ିବା ଅଭ୍ୟାସ କରାଇବାକୁ ସମୟ ନଷ୍ଟ ବୋଲି ଭାବନ୍ତି l ତା ଛଡା ସଙ୍ଗୀତ ନୃତ୍ୟ ର ଯେତିକି ଆଦର ରହିଛି ସାହିତ୍ୟ ର ଆଦର ଅଧିକାଂଶ ଓଡ଼ିଆଙ୍କ ପାଖରେ ପ୍ରାୟ ନଥିଲା ଭଳି ମୋର ମନେ ହୁଏ l ମୁଁ ନିଜେ ଲେଖାଲେଖି କରେ l ଲୋକ ମାଗଣା ରେ ମିଳିଲେ ମୋ ଠାରୁ ବହି ନିଅନ୍ତି ମୋ ଲେଖା ପଢ଼ନ୍ତି କିନ୍ତୁ ମୋର ବହି ବାହାରିବ ଆପଣ ଗୋଟେ ନେବେ କହିଲେ ଚିନ୍ତା ରେ ପଡ଼ି ଯାଆନ୍ତି ଯେ କିଣିବାକୁ ହେବ ବୋଲି l ଦୁଃଖ ର ବିଷୟ କଣ କରାଯିବ ଆଉ l ବହିଟିଏ କିଣି ମତାମତ ଦେଲେ ସିନା ଲେଖକଟିଏ ଉତ୍ସାହିତ ହେବ l